Ramakrishna Kathamrita Odia

Ramakrishna Kathamrita Odia

Ramakrishna Kathamrita in Odia (ଶ୍ରୀଶ୍ରୀରାମକୃଷ୍ଣ କଥାମୃତ, ଶ୍ରୀମ-କଥିତ)

Odia translation of Sri Ramakrishna Kathamrita, Gospel of Sri Ramakrishna, published by Ramakrishna Math and Mission, Bhubaneswar.

Ramakrishna Paramahansa (1836 – 1886) is an Indian Hindu mystic and saint in 19th century. He was the master of Swami Vivekananda.

Sri Ramakrishna has revived all major faith systems through practice. This includes Shankara’s Advaitic, Ramanuja’s Visistadvaitic, Madvacharya’s Dvaitic system. He has demonstrated the validity of paths like Vaisnava methods of worship (Santa, Dasya, Vatsalya, Sakhya, Madhura Bhava), 64 types of Tantra. He had vision of Rama-sita, Krishna-radha, Kali, Shiva and many more during his practice. Finally he attended Nirvikalpa Samadhi, the highest nondual state.

This book contains the teachings of Sri Ramakrishna. It was recorded by one of his disciple Mahendra Nath Gupta.

ଶ୍ରୀଶ୍ରୀରାମକୃଷ୍ଣ କଥାମୃତ
ଶ୍ରୀମ-କଥିତ
ପ୍ରଥମ ଭାଗ

ତବ କଥାମୃତଂ ତପ୍ତଜୀବନଂ କବିଭିରୀଡ଼ିତଂ କଲ୍ମଷାପହମ୍‌ ।
ଶ୍ରବଣମଙ୍ଗଳଂ ଶ୍ରୀମଦାତତଂ ଭୁବି ଗୃଣନ୍ତି ୟେ ଭୂରିଦା ଜନାଃ ॥
— ଶ୍ରୀମଦ୍‌ଭାଗବତ, ଗୋପୀଗୀତା

ଉପକ୍ରମଣିକା – ଠାକୁର ଶ୍ରୀରାମକୃଷ୍ଣ କିଏ? — ସଂକ୍ଷିପ୍ତ ଚରିତାମୃତ –

 

ଠାକୁରଙ୍କ ଜନ୍ମ — ପିତା କ୍ଷୁଦିରାମ ଓ ମାତା ଚନ୍ଦ୍ରମଣି — ପାଠଶାଳା — ରଘୁବୀରଙ୍କ ସେବା — ସାଧୁସଙ୍ଗ ଓ ପୁରାଣ ଶ୍ରବଣ — ଅଦ୍ଭୁତ ଜ୍ୟୋତିଦର୍ଶନ — କଲିକତାକୁ ଆଗମନ ଓ ଦକ୍ଷିଣେଶ୍ଵର କାଳୀମନ୍ଦିରରେ ଅଦ୍ଭୁତ ଈଶ୍ୱରୀୟ ରୂପ ଦର୍ଶନ — ଠାକୁର ଉନ୍ମାଦବତ୍‌ — କାଳୀମନ୍ଦିରରେ ସାଧୁସଙ୍ଗ — ତୋତାପୁରୀଙ୍କଠାରୁ ଠାକୁରଙ୍କ ବେଦାନ୍ତ ଶ୍ରବଣ — ତନ୍ତ୍ରୋକ୍ତ ଓ ପୁରାଣୋକ୍ତ ସାଧନା — ଠାକୁରଙ୍କର ଜଗନ୍ମାତାଙ୍କ ସହିତ କଥାବାର୍ତ୍ତା — ତୀର୍ଥ ଦର୍ଶନ — ଠାକୁରଙ୍କର ଅନ୍ତରଙ୍ଗ — ଠାକୁର ଓ ଭକ୍ତଗଣ — ଠାକୁର ଓ ବ୍ରାହ୍ମସମାଜ — ହିନ୍ଦୁ, ଖ୍ରୀଷ୍ଟାନ ଓ ମୁସଲମାନ ଇତ୍ୟାଦି ସର୍ବଧର୍ମ ସମନ୍ଵୟ — ଠାକୁରେ ଓ ସ୍ତ୍ରୀଲୋକ ଭକ୍ତ — ଭକ୍ତ-ପରିବାର ।

ଠାକୁର ଶ୍ରୀରାମକୃଷ୍ଣ ହୁଗୁଳି ଜିଲ୍ଲା ଅନ୍ତର୍ଗତ କାମାରପୁକୁର ଗ୍ରାମରେ ଜଣେ ସଦ୍‌ବ୍ରାହ୍ମଣଙ୍କ ଘରେ ଫାଲଗୁନ ଶୁକ୍ଳ ଦ୍ଵିତୀୟା ତିଥିରେ ଜନ୍ମଗ୍ରହଣ କରିଥିଲେ । ୧୭୫୬ ଶକାବ୍ଦ ୧୦ ଫାଲଗୁନ, ବୁଧବାର, ଉତ୍ତର ଭାଦ୍ରପଦ ନକ୍ଷତ୍ର, ଇଂରାଜୀ ୧୮ ଫେବୃଆରି, ୧୮୩୬ ଖ୍ରୀଷ୍ଟାବ୍ଦ । କାମାରପୁକୁର ଗ୍ରାମ ଜାହାନାବାଦ (ଆରାମବାଗ)ରୁ ୪ କ୍ରୋଶ ପଶ୍ଚିମରେ ଏବଂ ବର୍ଦ୍ଧମାନଠାରୁ ୧୨/୧୩ କ୍ରୋଶ ଦକ୍ଷିଣରେ ।

ଠାକୁରେ ମାନବଶରୀରରେ ୫୦ ବର୍ଷ କାଳ ଥିଲେ ।

ଠାକୁରଙ୍କ ପିତା କ୍ଷୁଦିରାମ ଚଟ୍ଟୋପାଧ୍ୟାୟ ଅତି ନିଷ୍ଠାବାନ୍‌ ଓ ପରମ ଭକ୍ତ ଥିଲେ । ଠାକୁରଙ୍କ ମା ଚନ୍ଦ୍ରମଣି ଦେବୀ ସରଳତା ଓ ଦୟାର ପ୍ରତିମୂର୍ତ୍ତି ଥିଲେ । ପୂର୍ବେ ସେମାନଙ୍କର ଦେରେ ନାମକ ଗ୍ରାମରେ ବାସ ଥିଲା । ସେହି ଗ୍ରାମ କାମାରପୁକୁରରୁ ଦେଢ଼ କ୍ରୋଶ ଦୂରରେ । ସେହି ଗ୍ରାମସ୍ଥ ଜମିଦାରଙ୍କର ସପକ୍ଷରେ ମକଦ୍ଦମାରେ କ୍ଷୁଦିରାମ ସାକ୍ଷ୍ୟ ଦେଇ ନ ଥିଲେ । ପରେ ସ୍ଵଜନ ସହିତ କାମାରପୁକୁରରେ ଆସି ବାସ କଲେ ।

ରାମକୃଷ୍ଣଙ୍କର ପିଲାଦିନର ଡାକ ନାମ ଥିଲା ଗଦାଧର । ପାଠଶାଳାରେ ସାମାନ୍ୟ ଲେଖାପଢ଼ା ଶିଖିବା ପରେ ଘରେ ରହି ରଘୁବୀରଙ୍କ ବିଗ୍ରହ ସେବା କରୁଥିଲେ । ନିଜେ ଫୁଲ ତୋଳିଆଣି ନିତି ପୂଜା କରୁଥିଲେ । ପାଠଶାଳାରେ ଶୁଭଙ୍କରୀ ଅଙ୍କ କଷ୍ଟ ବୋଧ ହେଉଥିଲା ।

ନିଜେ ଗୀତ ଗାଇପାରୁଥିଲେ — ସୁଲଳିତ କଣ୍ଠସ୍ୱର । ଯାତ୍ରା ଶୁଣି ପ୍ରାୟ ଅଧିକାଂଶ ଗୀତ ମୁଖସ୍ଥ କରି ନେଉଥିଲେ । ସେ ବାଲ୍ୟକାଳରେ ସଦାନନ୍ଦ ଥିଲେ ଓ ପଡ଼ାର ଆବାଳବୃଦ୍ଧବନିତା ସମସ୍ତେ ତାଙ୍କୁ ଭଲ ପାଉଥିଲେ ।

ଘର ପାଖରେ ଲାହାବାବୁଙ୍କ ଘର । ସେଠାରେ ଅତିଥିଶାଳା — ସର୍ବଦା ସାଧୁମାନଙ୍କ ଯାତାୟାତ ଥିଲା । ଗଦାଧର ସେଠାରେ ସାଧୁମାନଙ୍କ ସଙ୍ଗଲାଭ ଓ ସେବା କରୁଥିଲେ । କଥକମାନେ ଯେତେବେଳେ ପୁରାଣ ପାଠ କରୁଥିଲେ, ସେତେବେଳେ ସେ ନିବିଷ୍ଟମନରେ ସମସ୍ତ ଶୁଣୁଥିଲେ — ଏହିରୂପେ ରାମାୟଣ, ମହାଭାରତ, ଶ୍ରୀମଦ୍‌ଭାଗବତର ସମସ୍ତ କଥା ହୃଦୟଙ୍ଗମ କଲେ ।

ଘର ନିକଟବର୍ତ୍ତୀ ଗ୍ରାମ ଆନୁଡ଼ରେ ଦିନେ ପଡ଼ିଆ ବାଟେ ଯାଉଥିଲେ । ତାଙ୍କର ସେତେବେଳେ ୧୧ ବର୍ଷ ବୟସ । ଠାକୁର ନିଜ ମୁହଁରେ କହିଛନ୍ତି, ସେହି ସମୟରେ ହଠାତ୍‌ ସେ ଅଦ୍ଭୁତ ଜ୍ୟୋତିଦର୍ଶନ କରି ବାହ୍ୟଜ୍ଞାନଶୂନ୍ୟ ହେଲେ; ଲୋକେ କହିଲେ ମୁର୍ଚ୍ଛା; ଠାକୁରଙ୍କର ଭାବସମାଧି ହୋଇଥିଲା ।

କ୍ଷୁଦିରାମଙ୍କ ମୃତ୍ୟୁ ପରେ ଠାକୁର ଜ୍ୟେଷ୍ଠଭ୍ରାତାଙ୍କ ସହିତ କଲିକତା ଆସିଲେ । ସେତେବେଳେ ତାଙ୍କ ବୟସ ୧୭/୧୮ ହେବ; କଲିକତାରେ କିଛିଦିନ ନାଥର ଉଦ୍ୟାନରେ ଓ କିଛିଦିନ ଝାମାପୁକୁରସ୍ଥ ଗୋବିନ୍ଦ ଚାଟାର୍ଜିଙ୍କ ଘରେ ପୂଜା କରି ବୁଲୁଥିଲେ । ଏହି ସୂତ୍ରରେ ଝାମାପୁକୁରର ମିତ୍ର-ପରିବାରରେ କିଛିଦିନ ପୂଜା କରିଥିଲେ ।

ରାଣୀ ରାସମଣି କଲିକତାରୁ ଦୁଇ କ୍ରୋଶ ଦୂରରେ ଦକ୍ଷିଣେଶ୍ୱରରେ କାଳୀମନ୍ଦିର ସ୍ଥାପନ କଲେ । ୧୨୬୨ ସାଲ ଜ୍ୟେଷ୍ଠ ଅଠର ଗୁରୁବାର ସ୍ନାନଯାତ୍ରା ଦିନ (ଇଂରାଜୀ ୧୮୫୫ ଖ୍ରୀ:ଅ: ମେ ୩୧) ରାମକୃଷ୍ଣଙ୍କ ଜ୍ୟେଷ୍ଠଭ୍ରାତା ପଣ୍ଡିତ ରାମକୁମାର କାଳୀମନ୍ଦିରରେ ପ୍ରଥମ ପୂଜକ ନିଯୁକ୍ତ ହେଲେ । କିଛିଦିନ ପରେ ଶ୍ରୀରାମକୃଷ୍ଣ ଏହି ପୂଜା-କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ । ସେତେବେଳେ ତାଙ୍କର ବୟସ ୨୧/୨୨ ବର୍ଷ । ମଧ୍ୟମ ଭ୍ରାତା ରାମେଶ୍ୱର ମଧ୍ୟ ବେଳେ ବେଳେ କାଳୀ-ମନ୍ଦିରରେ ପୂଜା କରୁଥିଲେ । ରାମେଶ୍ୱରଙ୍କର ଦୁଇ ପୁତ୍ର ରାମଲାଲ ଓ ଶିବରାମ ଓ ଏକ କନ୍ୟା ଶ୍ରୀମତୀ ଲକ୍ଷ୍ମୀଦେବୀ ଥିଲେ ।

କିଛିଦିନ ପୂଜା କରୁ କରୁ ଠାକୁର ରାମକୃଷ୍ଣଙ୍କର ମନର ଅବସ୍ଥା ଅନ୍ୟ ପ୍ରକାର ହେଲା । ସର୍ବଦା ଅନ୍ୟମନସ୍କ ଥାଇ ସେ ପ୍ରତିମା ନିକଟରେ ବସିଥାଆନ୍ତି ।

ଆତ୍ମୀୟମାନେ ଏହି ସମୟରେ ତାଙ୍କର ବିବାହ ଦେଲେ — ଭାବିଲେ ବିବାହ କଲେ ହୁଏତ ଅବସ୍ଥାନ୍ତର ହୋଇପାରେ । କାମାରପୁକୁରରୁ ଦୁଇ କ୍ରୋଶ ଦୂରରେ ଜୟରାମବାଟୀ ଗ୍ରାମସ୍ଥ ରାମଚନ୍ଦ୍ର ମୁଖୋପାଧ୍ୟାୟଙ୍କ କନ୍ୟା ଶ୍ରୀଶ୍ରୀସାରଦାମଣି ଦେବୀଙ୍କ ସଙ୍ଗେ ବିବାହ ହେଲା । ସେତେବେଳେ ଠାକୁରଙ୍କ ବୟସ ୨୩/୨୪ ଓ ଶ୍ରୀଶ୍ରୀମାଙ୍କ ବୟସ ୬ ବର୍ଷ ।

ବିବାହ ପରେ ଦକ୍ଷିଣେଶ୍ଵର କାଳୀମନ୍ଦିରକୁ ରାମକୃଷ୍ଣ ଫେରି ଆସିଲେ ଓ କିଛିଦିନ ପରେ ତାଙ୍କର ଏକାବେଳକେ ଅବସ୍ଥାନ୍ତର ହେଲା । କାଳୀବିଗ୍ରହ ପୂଜା କରୁ କରୁ ଅଦ୍ଭୁତ ଈଶ୍ୱରୀୟ ରୂପଦର୍ଶନ କରିବାକୁ ଲାଗିଲେ । ଆଳତି କରନ୍ତି, ଆଳତି ଆଉ ଶେଷ ହୁଏ ନାହିଁ । ପୂଜା କରି ବସନ୍ତି, ପୂଜା ଶେଷ ହୁଏ ନାହିଁ, ହୁଏତ ନିଜ ମୁଣ୍ଡରେ ଫୁଲ ଦେଉଥାନ୍ତି ।

ପୂଜା ଆଉ କରିପାରିଲେ ନାହିଁ — ଉନ୍ନାଦଗ୍ରସ୍ତ ପରି ବିଚରଣ କରିବାକୁ ଲାଗିଲେ । ରାଣୀ ରାସମଣିଙ୍କ ଜାମାତା ମଥୁର ତାଙ୍କୁ ମହାପୁରୁଷ ମନେକରି ସେବା କରିବାକୁ ଲାଗିଲେ ଓ ଅନ୍ୟ ବ୍ରାହ୍ମଣଙ୍କ ଦ୍ଵାରା ମା କାଳୀଙ୍କର ପୂଜାର ବନ୍ଦୋବସ୍ତ କରିଦେଲେ । ଠାକୁରଙ୍କର ଭଣଜା ହୃଦୟ ମୁଖୋପାଧ୍ୟାୟ ଉପରେ ମଥୁରବାବୁ ଏହି ପୂଜାର ଓ ଶ୍ରୀରାମକୃଷ୍ଣଙ୍କର ସେବାର ଭାର ଦେଲେ ।

ଠାକୁରେ ଆଉ ପୂଜା ବି କଲେ ନାହିଁ, ସଂସାର ବି କଲେ ନାହିଁ — ବିବାହ ନାମମାତ୍ର ହେଲା । ନିଶିଦିନ ମା’ ମା’ କରନ୍ତି । କେତେବେଳେ ଜଡ଼ବତ୍‌ କାଷ୍ଠପୁତ୍ତଳିକା ପରି ରହନ୍ତି ତ କେତେବେଳେ ଉନ୍ମାଦଗ୍ରସ୍ତବତ୍‌ ବିଚରଣ କରନ୍ତି । ସେ ବାଳକ ପରି କାମିନୀକାଞ୍ଚନାସକ୍ତ ବିଷୟୀମାନଙ୍କୁ ଦେଖି ଲୁଚୁଥିଲେ । ଈଶ୍ୱରୀୟ ଲୋକ ଓ ଈଶ୍ୱରୀୟ କଥା ଛଡ଼ା ଆଉ କିଛି ଭଲ ପାଉ ନ ଥିଲେ — ସର୍ବଦା ମା’ ମା’ !

କାଳୀମନ୍ଦିରରେ ସଦାବ୍ରତ ଥିଲା (ବର୍ତ୍ତମାନ ମଧ୍ୟ ଅଛି) – ସାଧୁ-ସନ୍ନ୍ୟାସୀମାନେ ସର୍ବଦା ଆସୁଥିଲେ । ତୋତାପୁରୀ ୧୧ ମାସ ରହି ଠାକୁରଙ୍କୁ ବେଦାନ୍ତ ଶୁଣାଇଥିଲେ – ଟିକିଏ ଶୁଣାଉ ଶୁଣାଉ ତୋତା ଦେଖିଲେ ଠାକୁରଙ୍କର ନିର୍ବିକଳ୍ପ ସମାଧି ହେଉଛି । ସମ୍ଭବତଃ ୧୮୬୬ ଖ୍ରୀ: ଅ: । ଜଣେ ବ୍ରାହ୍ମଣୀ କିଛିଦିନ ପୂର୍ବେ ଆସିଥାଆନ୍ତି । ସେ ଠାକୁରଙ୍କୁ ତନ୍ତ୍ରୋକ୍ତ ଅନେକ ସାଧନା କରାଇଲେ ଓ ଗୌରାଙ୍ଗ-ଜ୍ଞାନରେ ଶ୍ରୀଚରିତାମୃତ ଓ ଅନ୍ୟାନ୍ୟ ବୈଷ୍ଣବଗ୍ରନ୍ଥ ଶୁଣାଇଲେ । ତୋତାଙ୍କ ନିକଟରୁ ଠାକୁର ବେଦାନ୍ତ ଶ୍ରବଣ କରୁଛନ୍ତି ଦେଖି ବ୍ରାହ୍ମଣୀ ତାଙ୍କୁ ସାବଧାନ କରାଇ ଦେଇଥିଲେ ଓ କହୁଥିଲେ, “ବାବା, ବେଦାନ୍ତ ଶୁଣନା, ସେଥିରେ ଭାବଭକ୍ତିସବୁ ଚାଲିଯାଏ।” ବୈଷ୍ଣବ ପଣ୍ଡିତ ବୈଷ୍ଣବଚରଣ ମଧ୍ୟ ସର୍ବଦା ଆସୁଥିଲେ । ସେ ଠାକୁରଙ୍କୁ କଲୁଟୋଲାର ଚୈତନ୍ୟ-ସଭାକୁ ନେଇଗଲେ । ଏହି ସଭାରେ ଠାକୁର ଶ୍ରୀରାମକୃଷ୍ଣ ଭାବାବିଷ୍ଟ ହୋଇ ଶ୍ରୀଚୈତନ୍ୟଦେବଙ୍କ ଆସନରେ ଉପବିଷ୍ଟ ହୋଇଥିଲେ । ବୈଷ୍ଣବଚରଣ ଚୈତନ୍ୟ-ସଭାର ସଭାପତି ଥିଲେ ।

ବୈଷ୍ଣବଚରଣ ମଥୁରଙ୍କୁ କହିଥିଲେ, “ଏ ଉନ୍ମାଦ ସାମାନ୍ୟ ନୁହେଁ — ପ୍ରେମୋନ୍ମାଦ, ଏ ଈଶ୍ୱରଙ୍କ ପାଇଁ ପାଗଳ । ବ୍ରାହ୍ମଣୀ ଓ ବୈଷ୍ଣବଚରଣ ଦେଖିଲେ, ଠାକୁରଙ୍କର ମହାଭାବାବସ୍ଥା । ଚୈତନ୍ୟଦେବଙ୍କ ପରି ତାଙ୍କର ମଧ୍ୟ କେତେବେଳେ ଅନ୍ତର୍ଦ୍ଦଶା (ସେତେବେଳେ ଜଡ଼ବତ୍‌ ସମାଧିସ୍ଥ) କେତେବେଳେ ଅର୍ଦ୍ଧବାହ୍ୟଦଶା, କେତେବେଳେ ବା ବାହ୍ୟଦଶା ।

ଠାକୁରେ ମା ମା କହି କାନ୍ଦୁଥିଲେ । ସର୍ବଦା ମା’ଙ୍କ ସଙ୍ଗେ କଥା କହୁଥିଲେ । ମା’ଙ୍କ ନିକଟରୁ ଉପଦେଶ ନେଉଥିଲେ । କହୁଥିଲେ, “ମା, ତୋରି କଥା କେବଳ ଶୁଣିବି, ମୁଁ ଶାସ୍ତ୍ର ଜାଣେ ନାହିଁ କି ପଣ୍ଡିତ ଜାଣେ ନାହିଁ । ତୁ ବୁଝାଇବୁ ତେବେ ବିଶ୍ଵାସ କରିବି ।” ଠାକୁରେ ଜାଣୁଥିଲେ ଓ କହୁଥିଲେ — ଯେ ପରଂବ୍ରହ୍ମ ଅଖଣ୍ଡ ସଚ୍ଚିଦାନନ୍ଦ, ସେ ହିଁ ମା । ତାଙ୍କ ଶ୍ରୀମୁଖର ଏହି କଥା ଶ୍ରୀଶ୍ରୀକଥାମୃତର ଅନେକ ସ୍ଥାନରେ ଅଛି ।

ଠାକୁରଙ୍କୁ ଜଗନ୍ମାତା କହିଥିଲେ, “ତୁ ଆଉ ମୁଁ ଏକ । ତୁ ଭକ୍ତି ନେଇ ଥା — ଜୀବର ମଙ୍ଗଳ ପାଇଁ । ଭକ୍ତମାନେ ସମସ୍ତେ ଆସିବେ । ତୋତେ ସବୁବେଳେ କେବଳ ବିଷୟୀ ମାନଙ୍କୁ ଦେଖିବାକୁ ହେବ ନାହିଁ, ଅନେକ କାମନାଶୂନ୍ୟ ଶୁଦ୍ଧ ଭକ୍ତ ମଧ୍ୟ ଅଛନ୍ତି, ସେମାନେ ଆସିବେ ।” ଠାକୁର-ମନ୍ଦିରରେ ସନ୍ଧ୍ୟା ଆଳତି ବେଳେ ଯେତେବେଳେ ଘଣ୍ଟା ବାଜୁଥିଲା, ସେତେବେଳେ ଶ୍ରୀରାମକୃଷ୍ଣ ନିଜ କୋଠରୀ ଉପରକୁ ଯାଇ ଉଚ୍ଚ ସ୍ଵରରେ ଡାକୁଥିଲେ, “ହେ ଭକ୍ତଗଣ, ତୁମେମାନେ କେଉଁଠାରେ କିଏ ଅଛ ଶୀଘ୍ର ଚାଲିଆସ ।”

ମାତା ଚନ୍ଦ୍ରମଣିଦେବୀଙ୍କୁ ଠାକୁରେ ଜଗଜ୍ଜନନୀଙ୍କର ରୂପାନ୍ତର ବୋଲି ମଣୁଥିଲେ ଓ ସେହି ଭାବରେ ପୂଜା କରୁଥିଲେ । ଜ୍ୟେଷ୍ଠଭ୍ରାତା ରାମକୁମାରଙ୍କର ସ୍ୱର୍ଗଲାଭ ପରେ ମାତା ପୁତ୍ରଶୋକରେ ଅଧୀର ହୋଇପଡ଼ିଲେ; ତେଣୁ ତିନି ଚାରିବର୍ଷ ମଧ୍ୟରେ ତାଙ୍କୁ କାଳୀମନ୍ଦିରକୁ ଅଣାଇ ସେ ନିଜ ପାଖରେ ରଖିଥିଲେ ଓ ପ୍ରତ୍ୟକ୍ଷ ଦର୍ଶନ, ପଦଧୂଳି ଗ୍ରହଣ ଓ ‘ମା, କେମିତି ଅଛ ?’ ବୋଲି ପଚାରୁଥିଲେ ।

ଠାକୁରେ ଦୁଇଥର ତୀର୍ଥଯାତ୍ରା କରିଥିଲେ । ପ୍ରଥମ ଥର ନିଜ ମା’ଙ୍କୁ ସଙ୍ଗରେ ନେଇ ଯାଇଥିଲେ, ସଙ୍ଗରେ ଶ୍ରୀଯୁକ୍ତ ରାମ ଚାଟର୍ଜି ଓ ମଥୁରବାବୁଙ୍କର କେତେଜଣ ପୁତ୍ର । ସେତେବେଳେ ପ୍ରଥମ କରି କାଶୀକୁ ରେଳଗାଡ଼ି ଚାଲୁ ହୋଇଥାଏ । ସେତେବେଳେ ତାଙ୍କର ଦିବ୍ୟୋନ୍ମାଦ ନ ଥାଏ; କିନ୍ତୁ ଅହର୍ନିଶ ପ୍ରାୟ ସମାଧିସ୍ଥ ଓ ଭାବରେ ମତୁଆଲା । ଏଥର ବୈଦ୍ୟନାଥ ଦର୍ଶନ ପରେ କାଶୀଧାମ ଓ ପ୍ରୟାଗ ଦର୍ଶନ ହୋଇଥିଲା (୧୮୬୩ ଖ୍ରୀ: ଅ:) ।

ଦ୍ଵିତୀୟ ଥର ତୀର୍ଥଭ୍ରମଣ ଏହାର ପାଞ୍ଚବର୍ଷ ପରେ, ଇଂରାଜୀ ଜାନୁଆରୀ ୧୮୬୮ ଖ୍ରୀଷ୍ଟାବ୍ଦରେ – ମଥୁରବାବୁ ଓ ତାଙ୍କର ସ୍ତ୍ରୀ ଜଗଦମ୍ବା ଦାସୀଙ୍କ ସହିତ । ଭଣଜା ହୃଦୟ ଏଥର ତାଙ୍କର ସଙ୍ଗରେ ଥିଲେ । ଏ ଯାତ୍ରାରେ କାଶୀ, ପ୍ରୟାଗ ଓ ବୃନ୍ଦାବନ ଧାମ ଦର୍ଶନ କରିଥିଲେ । କାଶୀରେ ମଣିକର୍ଣ୍ଣିକାରେ ସମାଧିସ୍ଥ ହୋଇ ବିଶ୍ଵନାଥଙ୍କର ଗମ୍ଭୀର ଚିନ୍ମୟ ମୂର୍ତ୍ତି ଦର୍ଶନ କରିଥିଲେ — ସ୍ୱୟଂ ବିଶ୍ୱନାଥ ଶବର କର୍ଣ୍ଣରେ ତାରକବ୍ରହ୍ମନାମ ଦେଉଛନ୍ତି । ଆଉ ମଧ୍ୟ ମୌନବ୍ରତଧାରୀ ତ୍ରୈଲଙ୍ଗସ୍ଵାମୀଙ୍କ ସହିତ କଥାବାର୍ତ୍ତା କରିଥିଲେ । ମଥୁରାର ଧ୍ରୁବ-ଘାଟରେ ବସୁଦେବଙ୍କ କୋଳରେ ଶ୍ରୀକୃଷ୍ଣ, ଶ୍ରୀବୃନ୍ଦାବନରେ ସନ୍ଧ୍ୟା ସମୟରେ ଫେରୁଥିବା ଗୋଷ୍ଠରେ ଶ୍ରୀକୃଷ୍ଣ ଧେନୁଗଣଙ୍କ ସହିତ ଯମୁନା ପାରହୋଇ ଆସୁଛନ୍ତି – ଇତ୍ୟାଦି ଲୀଳା ଭାବଚକ୍ଷୁରେ ଦର୍ଶନ କରିଥିଲେ; ନିଧୁବନରେ ରାଧାପ୍ରେମରେ ବିଭୋର ଗଙ୍ଗାମାତାଙ୍କ ସହିତ ପରିଚିତ ହୋଇ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ।

ବ୍ରାହ୍ମନେତା କେଶବ ଚନ୍ଦ୍ର ସେନ୍‌ ଯେତେବେଳେ ବେଲଘରିଆ ଉଦ୍ୟାନରେ ଭକ୍ତଙ୍କ ସଙ୍ଗରେ ଈଶ୍ୱରଙ୍କର ଧ୍ୟାନଧାରଣା କରୁଥିଲେ, ସେତେବେଳେ ଶ୍ରୀରାମକୃଷ୍ଣ ତାଙ୍କର ଭଣଜା ହୃଦୟଙ୍କ ସହିତ ତାଙ୍କୁ ଦେଖିବାକୁ ଯାଇଥିଲେ ( ଖ୍ରୀ: ଅ: ୧୮୭୫) । ବିଶ୍ଵନାଥ ଉପାଧ୍ୟାୟ, ନେପାଳର କାପ୍‌ଟେନ୍‌ ଏହି ସମୟରେ ଆସୁଥାନ୍ତି । ସିଁଥିର ଗୋପାଳ (ବୁଢ଼ାଗୋପାଲ) ଓ ମହେନ୍ଦ୍ର କବିରାଜ, କୃଷ୍ଣନଗରର କିଶୋରୀ ଓ ମହିମାଚରଣ ଏହି ସମୟରେ ଠାକୁରଙ୍କୁ ଦର୍ଶନ କରିଥିଲେ ।

ଠାକୁରଙ୍କର ଅନ୍ତରଙ୍ଗ ଭକ୍ତମାନେ ଇଂରାଜୀ ୧୮୭୯-୮୦ ଖ୍ରୀ: ଅ: ରୁ ଠାକୁରଙ୍କ ପାଖକୁ ଆସିବାକୁ ଲାଗିଲେ । ସେତେବେଳେ ଠାକୁରଙ୍କର ଉନ୍ମାଦ ଅବସ୍ଥା ପ୍ରାୟ ଚାଲିଯାଇଛି । ସେତେବେଳେ ଶାନ୍ତ, ସଦାନନ୍ଦ ବାଳକର ଅବସ୍ଥା, କିନ୍ତୁ ପ୍ରାୟ ସମାଧିସ୍ଥ – କେତେବେଳେ ଜଡ଼ସମାଧି – କେତେବେଳେ ଭାବସମାଧି । ସମାଧିଭଙ୍ଗ ପରେ ଭାବ-ରାଜ୍ୟରେ ବିଚରଣ କରୁଥାଆନ୍ତି । ଯେପରି ପାଞ୍ଚବର୍ଷର ପିଲା । ସର୍ବଦା ମା ମା !

ରାମ ଓ ମନମୋହନ ୧୮୭୯ ଖ୍ରୀ: ଅ: ର ଶେଷ ଭାଗରେ ଆସି ମିଳିତ ହେଲେ; କେଦାର ଓ ସୁରେନ୍ଦ୍ର ତାହା ପରେ ଆସିଲେ; ଚୁନି, ଲାଟୁ, ନିତ୍ୟଗୋପାଳ, ତାରକ ପରେ ଆସିଲେ । ୧୮୮୧ର ଶେଷ ଭାଗ ଓ ୧୮୮୨ର ପ୍ରାରମ୍ଭ ମଧ୍ୟରେ ନରେନ୍ଦ୍ର, ରାଖାଲ, ଭବନାଥ, ବାବୁରାମ, ବଳରାମ, ନିରଞ୍ଜନ, ମାଷ୍ଟର, ଯୋଗୀନ୍‌ ଆସି ପହଞ୍ଚିଲେ । ୧୮୮୩-୮୪ ଖ୍ରୀ:ଅ: ମଧ୍ୟରେ କିଶୋରୀ, ଅଧର, ନିତାଇ, ଛୋଟ ଗୋପାଳ, ବେଲଘରିଆର ତାରକ, ଶରତ୍‌, ଶଶୀ; ୧୮୮୪ ଖ୍ରୀ:ଅ: ମଧ୍ୟରେ ସାନ୍ୟାଲ, ଗଙ୍ଗାଧର, କାଳୀ, ଗିରିଶ, ଦେବେନ୍ଦ୍ର, ସାରଦା, କାଳୀପଦ, ଉପେନ୍ଦ୍ର, ଦ୍ଵିଜ, ହରି; ୧୮୮୫ ମଧ୍ୟରେ ସୁବୋଧ, ଛୋଟ ନରେନ୍, ପଲ୍‌ଟୁ, ପୂର୍ଣ୍ଣ, ନାରାୟଣ, ତେଜଚନ୍ଦ୍ର ଓ ହରିପଦ ଆସିଲେ । ଏହିରୂପେ ହରମୋହନ, ଯଜ୍ଞେଶ୍ୱର, ହାଜରା, କ୍ଷୀରୋଦ, କୃଷ୍ଟନଗରର ଯୋଗୀନ, ମଣୀନ୍ଦ୍ର, ଭୂପତି, ଅକ୍ଷୟ, ନବଗୋପାଳ, ବେଲଘରିଆର ଗୋବିନ୍ଦ, ଆଶୁ, ଗିରୀନ୍ଦ୍ର, ଅତୁଳ, ଦୁର୍ଗାଚରଣ, ସୁରେଶ, ପ୍ରାଣକୃଷ୍ଣ, ନବାଇଚୈତନ୍ୟ, ହରିପ୍ରସନ୍ନ, ମହେନ୍ଦ୍ର (ମୁଖୋ)), ପ୍ରିୟ (ମୁଖୋ), ସାଧୁ ପ୍ରିୟନାଥ (ମନ୍ମଥ), ବିନୋଦ, ତୁଳସୀ, ହରିଶ ମୁସ୍ତାଫୀ, ବଶାକ୍‌, କଥକ ଠାକୁର, ବାଲିର ଶଶୀ (ବ୍ରହ୍ମଚାରୀ), ନିତ୍ୟଗୋପାଳ (ଗୋସ୍ଵାମୀ), କୋନ୍ନଗରର ବିପିନ, ବିହାରୀ, ଧୀରେନ୍‌, ଗୋପାଳ (ହାଲଦାର) କ୍ରମେ ଆସି ପହଞ୍ଚିଲେ ।

ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ଶଶଧର ପଣ୍ଡିତ, ଡାକ୍ତର ରାଜେନ୍ଦ୍ର ଓ ଡାକ୍ତର ସର୍କାର, ବଙ୍କିମ (ଚାଟାର୍ଜି), ଆମେରିକାର କୁକ୍‌ ସାହେବ, ଭକ୍ତ ଉଇଲିୟମ୍‌ସ, ମିସିର ସାହେବ, ମାଇକେଲ୍‌ ମଧୁସୂଦନ, କୃଷ୍ଣଦାସ ପାଲ, ପଣ୍ଡିତ ଦୀନବନ୍ଧୁ, ପଣ୍ଡିତ ଶ୍ୟାମାପଦ, ରାମନାରାୟଣ ଡାକ୍ତର, ଦୁର୍ଗାଚରଣ ଡାକ୍ତର, ରାଧିକା ଗୋସ୍ୱାମୀ, ଶିଶିର (ଘୋଷ), ନବୀନ (ମୁନ୍‌ସି), ନୀଳକଣ୍ଠ — ଏମାନେ ମଧ୍ୟ ଦର୍ଶନ କରିଥିଲେ । ଠାକୁରଙ୍କ ସହିତ ତ୍ରୈଲଙ୍ଗସ୍ଵାମୀଙ୍କର କାଶୀଧାମରେ ଓ ଗଙ୍ଗାମାତାଙ୍କର ଶ୍ରୀବୃନ୍ଦାବନରେ ସାକ୍ଷାତ୍‌ ହୋଇଥିଲା । ଗଙ୍ଗାମାତା ଠାକୁରଙ୍କୁ ଶ୍ରୀମତୀ ରାଧା-ଜ୍ଞାନରେ ଛାଡ଼ିବାକୁ ଚାହିଁ ନ ଥିଲେ ।

ଅନ୍ତରଙ୍ଗ ଭକ୍ତମାନେ ଆସିବା ଆଗରୁ କୃଷ୍ଣକିଶୋର, ମଥୁର, ଶମ୍ଭୁ ମଲ୍ଲିକ, ନାରାୟଣ ଶାସ୍ତ୍ରୀ, ଇଁଦେଶର ଗୌରୀ ପଣ୍ଡିତ, ଚନ୍ଦ୍ର ଓ ଅଚଳାନନ୍ଦ ସର୍ବଦା ଠାକୁରଙ୍କୁ ଦର୍ଶନ କରୁଥିଲେ । ବର୍ଦ୍ଧମାନର ସଭାପଣ୍ଡିତ ପଦ୍ମଲୋଚନ, ଆର୍ଯ୍ୟସମାଜର ଦୟାନନ୍ଦ — ଏମାନେ ମଧ୍ୟ ଦର୍ଶନ କରିଥିଲେ । ଠାକୁରଙ୍କ ଜନ୍ମଭୂମି କାମାରପୁକୁର, ସିଓଡ଼, ଶ୍ୟାମବଜାର ଇତ୍ୟାଦି ସ୍ଥାନର ଅନେକ ଭକ୍ତ ତାଙ୍କୁ ଦେଖିଥିଲେ ।

ବ୍ରାହ୍ମସମାଜର ଅନେକେ ଠାକୁରଙ୍କ ପାଖକୁ ସର୍ବଦା ଯାଉଥିଲେ । କେଶବ, ବିଜୟ, କାଳୀ (ବସୁ), ପ୍ରତାପ, ଶିବନାଥ, ଅମୃତ, ତ୍ରୈଲୋକ୍ୟ, କୃଷବିହାରୀ, ମଣିଲାଲ୍‌, ଉମେଶ, ହୀରାନନ୍ଦ, ଭବାନୀ, ନନ୍ଦଲାଲ ଓ ଅନ୍ୟାନ୍ୟ ଅନେକ ବ୍ରାହ୍ମଭକ୍ତ ସର୍ବଦା ଯାଉଥିଲେ; ଠାକୁର ବି ବ୍ରାହ୍ମମାନଙ୍କୁ ଦେଖିବାକୁ ଆସୁଥିଲେ । ମଥୁରଙ୍କ ଜୀବଦ୍ଦଶାରେ ଠାକୁର ତାଙ୍କ ସହିତ ଦେବେନ୍ଦ୍ରନାଥ ଠାକୁରଙ୍କୁ ତାଙ୍କ ଘରେ ଓ ଉପାସନା ସମୟରେ ଆଦି-ବ୍ରାହ୍ମସମାଜରେ ଦେଖିବାକୁ ଯାଇଥିଲେ । ପରେ କେଶବଙ୍କ ବ୍ରାହ୍ମମନ୍ଦିର ଓ ସାଧାରଣ ସମାଜକୁ ଉପାସନା ସମୟରେ ଯାଇଥିଲେ । କେଶବଙ୍କ ଘରକୁ ପ୍ରାୟ ଯାଉଥିଲେ ଓ ବ୍ରାହ୍ମଭକ୍ତଙ୍କ ସଙ୍ଗରେ କେତେ ଆନନ୍ଦ କରୁଥିଲେ ।

କାଲନାରେ ଭଗବାନ ଦାସ ବାବାଜୀଙ୍କ ସହିତ ଦେଖା ହୋଇଥିଲା । ଠାକୁରଙ୍କ ସମାଧି ଅବସ୍ଥା ଦେଖି ବାବାଜୀ କହିଥିଲେ — ଆପଣ ମହାପୁରୁଷ, ଚୈତନ୍ୟଦେବଙ୍କ ଆସନରେ ବସିବା ପାଇଁ ଆପଣ ଉପଯୁକ୍ତ ।

ଠାକୁର ସର୍ବଧର୍ମ ସମନ୍ଵୟାର୍ଥ ବୈଷ୍ଣବ, ଶାକ୍ତ, ଶୈବ ଇତ୍ୟାଦି ଭାବ ସାଧନ କରି ଅପର ଦିଗରେ ଆଲ୍ଲା-ମନ୍ତ୍ର ଜପ ଓ ଯୀଶୁଖ୍ରୀଷ୍ଟଙ୍କ ଚିନ୍ତା କରିଥିଲେ । ଯେଉଁ ଘରେ ଠାକୁର ରହୁଥିଲେ, ସେଠାରେ ଦେବଦେବୀଙ୍କର ଛବି ଓ ବୁଦ୍ଧଦେବଙ୍କ ମୂର୍ତ୍ତି ଥିଲା । ଯୀଶୁ ଜଳମଗ୍ନ ପିଟର୍‌ଙ୍କୁ ଉଦ୍ଧାର କରୁଛନ୍ତି, ଏ ଛବି ମଧ୍ୟ ଥିଲା । ଏବେ ମଧ୍ୟ ସେ ଘରକୁ ଗଲେ ତାହା ଦେଖାଯାଏ । ଆଜି ସେହି ଘରକୁ ଇଂରେଜ ଓ ଆମେରିକାନ୍‌ ଭକ୍ତମାନେ ଆସି ଠାକୁରଙ୍କ ଧ୍ୟାନଚିନ୍ତା କରୁଥିବାର ଦେଖାଯାଏ ।

ଠାକୁର ଦିନେ ମା’ଙ୍କୁ ବ୍ୟାକୁଳ ହୋଇ କହିଲେ, “ମା, ତୋର ଖ୍ରୀଷ୍ଟାନ୍‌ ଭକ୍ତମାନେ ତୋତେ କିପରି ଡାକନ୍ତି ଦେଖିବି, ମୋତେ ନେଇଚାଲ ।” କିଛିଦିନ ପରେ କଲିକତାକୁ ଯାଇ ଗୋଟିଏ ଗୀର୍ଜାର ଦ୍ଵାରଦେଶରେ ଠିଆ ହୋଇ ଉପାସନା ଦେଖିଥିଲେ । ଠାକୁରେ ଫେରିଆସି ଭକ୍ତମାନଙ୍କୁ କହିଲେ, “ମୁଁ ଖାଜାଞ୍ଚୀର ଭୟରେ ଭିତରେ ଯାଇ ବସି ନାହିଁ । ଭାବିଲି, କେଜାଣି ଯଦି କାଳୀଘରକୁ ଯିବାକୁ ନ ଦିଅନ୍ତି ।”

ଠାକୁରଙ୍କର ଅନେକ ସ୍ତ୍ରୀ-ଭକ୍ତ ଥିଲେ । ସେମାନଙ୍କୁ ସେ ସାକ୍ଷାତ୍‌ ଭଗବତୀ ବୋଲି ଦେଖୁଥିଲେ । ଯେପର୍ଯ୍ୟନ୍ତ ସ୍ତ୍ରୀଲୋକଙ୍କୁ ସାକ୍ଷାତ୍‌ ମା ବୋଲି ବୋଧ ନ ହୁଏ, ଈଶ୍ୱରଙ୍କଠାରେ ଶୁଦ୍ଧାଭକ୍ତି ନ ହୁଏ, ସେତେଦିନ ସ୍ତ୍ରୀଲୋକ ସମ୍ବନ୍ଧରେ ପୁରୁଷମାନଙ୍କୁ ସାବଧାନ ରହିବାକୁ କହୁଥିଲେ । ଏପରିକି ପରମ ଭକ୍ତିମତୀ ହେଲେ ମଧ୍ୟ ସେମାନଙ୍କ ସମ୍ପର୍କରେ ଆସିବା ପାଇଁ ମନା କରୁଥିଲେ । ମା’ଙ୍କୁ  ନିଜେ କହିଥିଲେ, “ମା, ମୋ ଭିତରେ ଯଦି କାମଭାବ ହୁଏ, ତାହା ହେଲେ ମା, ବେକରେ ଛୁରୀ ଚଲେଇଦେବି ।”

ଠାକୁରଙ୍କର ଭକ୍ତମାନେ ଅସଂଖ୍ୟ । ସେମାନେ କେହି ପ୍ରକାଶିତ, କେହି ବା ଗୁପ୍ତ — ସମସ୍ତଙ୍କ ନାମ କହିବା ଅସମ୍ଭବ । ଶ୍ରୀଶ୍ରୀରାମକୃଷ୍ଣ କଥାମୃତରେ ଅନେକଙ୍କ ନାମ ମିଳିବ । ବାଲ୍ୟକାଳରେ ଅନେକ – ରାମକୃଷ୍ଣ, ପୋତୁ, ତୁଳସୀ, ଶାନ୍ତି, ଶଶୀ, ବିପିନ, ନଗେନ୍ଦ୍ର (ମିତ୍ର), ଉପେନ୍ଦ୍ର, ସୁରେନ୍ଦ୍ର, ସୁରେନ୍‌, ଇତ୍ୟାଦି ଓ ସାନ ସାନ ଅନେକ ବାଳିକା ଠାକୁରଙ୍କୁ ଦେଖିଥିଲେ । ବର୍ତ୍ତମାନ ସେମାନେ ଠାକୁରଙ୍କର ସେବକ । ଲୀଳାସମ୍ବରଣ ପରେ ଆଜି ତାଙ୍କର କେତେ ଭକ୍ତ ହୋଇଛନ୍ତି ଓ ହେଉଛନ୍ତି । ପୃଥୁବୀର ସର୍ବତ୍ର ଶ୍ରୀରାମକୃଷ୍ଣ-ଭକ୍ତପରିବାର ବିକୀର୍ଣ୍ଣ ହୋଇ ଅଛନ୍ତି ଓ ଉତ୍ତରୋତ୍ତର ବଢ଼ୁଛନ୍ତି । ଇତି ।

କଲିକତା, ଜନ୍ମାଷ୍ଟମୀ, ୧୩୧୦

ପ୍ରଥମ ପରିଚ୍ଛେଦ – ପ୍ରଥମ ଦର୍ଶନ

(୧)
ପ୍ରଥମ ଦର୍ଶନ – ୧୮୮୨ ଖ୍ରୀ: ମାର୍ଚ୍ଚ

ତବ କଥାମୃତଂ ତପ୍ତଜୀବନଂ କବିଭିରୀଡ଼ିତଂ କଲ୍ମଷାପହମ୍‌ ।
ଶ୍ରବଣମଙ୍ଗଳଂ ଶ୍ରୀମଦାତତଂ ଭୁବି ଗୃଣନ୍ତି ୟେ ଭୂରିଦା ଜନାଃ ॥
— ଶ୍ରୀମଦ୍‌ଭାଗବତ, ଗୋପୀଗୀତା, ରାସପଞ୍ଚାଧ୍ୟାୟ ।

ଗଙ୍ଗାତୀରରେ ଦକ୍ଷିଣେଶ୍ଵରରେ କାଳୀମନ୍ଦିର । ବସନ୍ତକାଳ, ଇଂରାଜୀ ୧୮୮୨ ଖ୍ରୀଷ୍ଟାବ୍ଦ, ମାର୍ଚ୍ଚ ମାସ । ଠାକୁରଙ୍କର (ଭକ୍ତଗଣ ଶ୍ରୀରାମକୃଷ୍ଣଙ୍କୁ ‘ଠାକୁର’ ବୋଲି ସମ୍ବୋଧନ କରନ୍ତି) ଜନ୍ମୋତ୍ସବର କେତେଦିନ ପରେ । ଶ୍ରୀଯୁକ୍ତ କେଶବ ସେନ ଓ ଶ୍ରୀଯୁକ୍ତ ଜୋସେଫ୍‌ କୁକ୍‌ଙ୍କ ସହିତ ୨୩ ଫେବୃଆରି ଗୁରୁବାର ଦିନ ଠାକୁର ଷ୍ଟିମର୍‌ରେ ବୁଲିଥିଲେ – ତାହାର କିଛିଦିନ ପରେ । ସନ୍ଧ୍ୟା ହେଉଅଛି । ରାମକୃଷ୍ଣଙ୍କ ଘରେ ମାଷ୍ଟର ଆସି ଉପସ୍ଥିତ । ଏହି ପ୍ରଥମ ଦର୍ଶନ । ମାଷ୍ଟର ଦେଖିଲେ ଘରଭର୍ତ୍ତି ଲୋକ ନିସ୍ତବ୍‌ଧ ହୋଇ ତାଙ୍କର କଥାମୃତ ପାନ କରୁଛନ୍ତି । ଠାକୁର ଖଟ ଉପରେ ବସି ପୂର୍ବାସ୍ୟ ହୋଇ ହାସ୍ୟମୁଖରେ ହରିକଥା କହୁଛନ୍ତି । ଭକ୍ତଗଣ ଚଟାଣରେ ବସିଛନ୍ତି ।

କର୍ମତ୍ୟାଗ କେତେବେଳେ

ଠାକୁର କହୁଛନ୍ତି, “ଯେତେବେଳେ ଥରେ ହରି ବା ଥରେ ରାମନାମ କଲେ ରୋମାଞ୍ଚ ହୁଏ ଏବଂ ଅଶ୍ରୁପାତ ହୁଏ, ସେତେବେଳେ ନିଶ୍ଚୟ ଜାଣିବ ଯେ, ସନ୍ଧ୍ୟାଦି କର୍ମ ଆଉ କରିବାକୁ ହେବ ନାହିଁ । ସେତେବେଳେ କର୍ମତ୍ୟାଗର ଅଧିକାର ହୋଇଛି – କର୍ମ ଆପେ ଆପେ ତ୍ୟାଗ ହୋଇଯାଉଛି । ସେତେବେଳେ ରାମନାମ, ହରିନାମ କି କେବଳ ଓଁ କାର ଜପିଲେ ମଧ୍ୟ ହେଲା ।” ପୁଣି କହିଲେ, “ସନ୍ଧ୍ୟା ଗାୟତ୍ରୀରେ ଲୟ ହୁଏ । ଗାୟତ୍ରୀ ପୁଣି ଓଁ କାରରେ ଲୟ ହୁଏ ।”

ମାଷ୍ଟର ବରାହନଗରରେ ଏ-ବଗିଚା ସେ-ବଗିଚା ବୁଲି ବୁଲି ସିଧୁ ସହିତ ଠାକୁର ଶ୍ରୀରାମକୃଷ୍ଣଙ୍କର ଘର ସମ୍ମୁଖରେ ଆସି ପହଞ୍ଚିଥିଲେ । ଏହି କଥା ଶୁଣିବା ପରେ ମାଷ୍ଟର କାଳୀମନ୍ଦିରରେ ଆଳତି ଦେଖିବାକୁ ଯାଇଥିଲେ  । ଫେରିଆସି ଦେଖିଲେ ଯେ ଘରର ଦ୍ୱାର ବନ୍ଦ । ଅଳ୍ପକ୍ଷଣ ହେଲା ଝୁଣା ଦିଆହୋଇଛି । ମାଷ୍ଟର ଇଂରାଜୀ ପଢ଼ିଛନ୍ତି, ଘର ଭିତରେ ହଠାତ୍‌ ପ୍ରବେଶ କରିପାରିଲେ ନାହିଁ । ଦ୍ଵାର ପାଖରେ ବୃନ୍ଦା (ଦାସୀ) ଠିଆ ହୋଇଥିଲା । ମାଷ୍ଟର ପଚାରିଲେ – ଆଚ୍ଛା, ସାଧୁ କଅଣ ବର୍ତ୍ତମାନ ଭିତରେ ଅଛନ୍ତି ?

ବୃନ୍ଦା – ହଁ, ଏହି ଘର ଭିତରେ ଅଛନ୍ତି ।
ମାଷ୍ଟର – ସେ ଏଠାରେ କେତେଦିନୁ ଅଛନ୍ତି ?
ବୃନ୍ଦା – ସେ ଅନେକ ଦିନରୁ ଅଛନ୍ତି ।
ମାଷ୍ଟର – ଆଚ୍ଛା, ଇଏ କଣ ଖୁବ୍‌ ବହିପତ୍ର ପଢ଼ନ୍ତି ?
ବୃନ୍ଦା – ଆଉ ବାବା, ବହିପତ୍ର ! ସବୁ ଏହାଙ୍କ ମୁହଁରେ !

ମାଷ୍ଟର ଏବେ ପଢ଼ାପଢ଼ି କରି ଆସିଛନ୍ତି । ଠାକୁର ଶ୍ରୀରାମକୃଷ୍ଣ ବହି ପଢ଼ନ୍ତି ନାହିଁ ଶୁଣି ଆହୁରି ଅବାକ୍‌ ହୋଇଗଲେ ।

ମାଷ୍ଟର – ସେ ବୋଧହୁଏ ସନ୍ଧ୍ୟା କରିବେ ? ଆମେମାନେ କଅଣ ଏହି ଘର ଭିତରକୁ ଯାଇପାରୁ । ତୁମେ ଥରେ ଖବର ଦେବ !
ବୃନ୍ଦା – ତୁମେମାନେ ଯାଅନା ବାବା ! ଯାଇ ଘରେ ବସ ।

ସେମାନେ ଯେତେବେଳେ ଘର ଭିତରେ ପ୍ରବେଶ କରି ଦେଖିଲେ, ଘରେ ଆଉ କେହି ନାହାଁନ୍ତି । ଠାକୁରେ ଘରେ ଏକାକୀ ଛୋଟ ଖଟ ଉପରେ ବସିଛନ୍ତି । ଘରେ ଧୂପ ଦିଆହୋଇଛି ଓ ସମସ୍ତ ଦ୍ଵାର ବନ୍ଦ । ମାଷ୍ଟର ପ୍ରବେଶ କରି ବଦ୍ଧାଞ୍ଜଳି ହୋଇ ପ୍ରଣାମ କଲେ । ଠାକୁର ଶ୍ରୀରାମକୃଷ୍ଣ ବସିବାକୁ ଅନୁଜ୍ଞା କରିବାରୁ ସେ ଓ ସିଧୁ ତଳେ ବସିଲେ । ଠାକୁର ପଚାରିଲେ, “କେଉଁଠାରେ ରହ, କଅଣ କର, ବରାହନଗରେ କଅଣ କରିବାକୁ ଆସିଛ ?” ଇତ୍ୟାଦି । ମାଷ୍ଟର ସମସ୍ତ ପରିଚୟ ଦେଲେ; କିନ୍ତୁ ଦେଖିଲେ ଯେ, ଠାକୁର ମଧ୍ୟେ ମଧ୍ୟେ ଯେପରି ଅନ୍ୟମନସ୍କ ହେଉଛନ୍ତି । ପରେ ଶୁଣିଲେ ଏହାର ନାମ ଭାବ । ଯେପରି କେହି ବନ୍‌ଶୀ ହାତରେ ଧରି ମାଛ ଧରିବାକୁ ବସିଛି । ମାଛ ଆସି ଥୋପ ଖାଇବାକୁ ଲାଗିଲେ ଯେତେବେଳେ ତେରେଣ୍ଡା ହଲିଉଠେ, ସେ ବ୍ୟକ୍ତି ଯେପରି ବ୍ୟସ୍ତ ହୋଇ ବନ୍‌ଶୀ ହାତରେ ଧରି ତେରେଣ୍ଡା ଆଡ଼କୁ ଏକ ଦୃଷ୍ଟିରେ ଏକ ମନରେ ଚାହିଁ ରହେ, କାହାରି ସଙ୍ଗରେ କଥା କହେ ନାହିଁ, ଏହା ଠିକ୍‌ ସେହିପରି ଭାବ । ପରେ ଶୁଣିଲେ ଓ ଦେଖିଲେ ଠାକୁରଙ୍କର ସନ୍ଧ୍ୟା ପରେ ଏହିପରି ଭାବାନ୍ତର ହୁଏ । କେବେ କେବେ ସେ ଏକାବେଳକେ ବାହ୍ୟଜ୍ଞାନଶୂନ୍ୟ ହୁଅନ୍ତି ।

ମାଷ୍ଟର – ଆପଣ ବର୍ତ୍ତମାନ ସନ୍ଧ୍ୟା କରିବେ, ତେବେ ଆମେମାନେ ଆସୁଛୁ ?
ଶ୍ରୀରାମକୃଷ୍ଣ (ଭାବସ୍ଥ) – ନା, ସନ୍ଧ୍ୟା ! ତାହା ଏପରି କିଛି ନୁହେଁ ।

ଆଉ କିଛି କଥାବାର୍ତ୍ତା ପରେ ମାଷ୍ଟର ପ୍ରଣାମ କରି ବିଦାୟ ଗ୍ରହଣ କଲେ । ଠାକୁର କହିଲେ, “ପୁଣି ଆସ ।”

ମାଷ୍ଟର ଯାଉ ଯାଉ ଠାକୁରଙ୍କ ପ୍ରତି ଏକ ଅଦ୍ଭୁତ ଆକର୍ଷଣ ଅନୁଭବ କରିବାକୁ ଲାଗିଲେ ଓ ଶୀଘ୍ର ଆଉ ଥରେ ଆସିବା ପାଇଁ ମନସ୍ଥ କଲେ ।

(୨)
ଦ୍ଵିତୀୟ ଦର୍ଶନ ଓ ଗୁରୁଶିଷ୍ୟ ସମ୍ବାଦ

ଅଖଣ୍ଡମଣ୍ଡଳାକାରଂ ବ୍ୟାପ୍ତଂ ୟେନ ଚରାଚରମ୍‌ ।
ତତ୍‌ପଦଂ ଦର୍ଶିତଂ ୟେନ ତସ୍ମୈ ଶ୍ରୀଗୁରବେ ନମଃ ॥

ଶ୍ରୀରାମକୃଷ୍ଣ (ମାଷ୍ଟରଙ୍କ ପ୍ରତି) – ଆଚ୍ଛା, ତୁମ ଘର କେଉଁଠି ?
ମାଷ୍ଟର – ଆଜ୍ଞା, କଲିକତାରେ ।
ଶ୍ରୀରାମକୃଷ୍ଣ – ଏଠାକୁ କାହିଁକି ଆସିଛ ?
ମାଷ୍ଟର – ଏହି ବରାହନଗରରେ ବଡ଼ ଭଉଣୀଙ୍କର ଘର ଅଛି । ଈଶାନ କବିରାଜଙ୍କ ଘର ।
ଶ୍ରୀରାମକୃଷ୍ଣ – ଓଃ, ଈଶାନଙ୍କ ଘର ।

କେଶବଚନ୍ଦ୍ର ସେନ ଓ ଠାକୁରଙ୍କର ମା‘ଙ୍କ ନିକଟରେ କ୍ରନ୍ଦନ

ଶ୍ରୀରାମକୃଷ୍ଣ – ଆଚ୍ଛା, କେଶବ କିପରି ଅଛି ? ଦେହ ଭାରୀ ଖରାପ ଥିଲା ।
ମାଷ୍ଟର – ମୁଁ ବି ଶୁଣିଥିଲି, କିନ୍ତୁ ବର୍ତ୍ତମାନ ବୋଧହୁଏ ଭଲ ଅଛନ୍ତି ।
ଶ୍ରୀରାମକୃଷ୍ଣ – ମୁଁ କେଶବ ପାଇଁ ମାଆଙ୍କ ପାଖରେ ପଇଡ଼-ଚିନି ମାନସିକ କରିଥିଲି । ଶେଷ ରାତିରେ ନିଦ ଭାଙ୍ଗିଯାଏ, ଆଉ ମାଆଙ୍କ ପାଖରେ କାନ୍ଦେ, କହେ, ମା, କେଶବର ରୋଗ ଭଲ କରିଦିଅ; କେଶବ ନ ଥିଲେ ମୁଁ କଲିକତା ଗଲେ କାହା ସଙ୍ଗରେ କଥା କହିବି ? ତେଣୁ ଚିନି-ପଇଡ଼ ଯାଚିଥିଲି । “କୁଆଡ଼େ କୁକ୍‌ସାହେବ ବୋଲି ଜଣେ କିଏ ଆସିଛି ? ସେ କ’ଣ ଲେକ୍‌ଚର ଦେଉଛି ? ମୋତେ କେଶବ ଜାହାଜରେ ନେଇଯାଇଥିଲା । କୁକ୍‌ସାହେବ ମଧ୍ୟ ଥିଲେ ।”
ମାଷ୍ଟର – ଆଜ୍ଞା, ମୁଁ ଏକଥା ଶୁଣିଛି; କିନ୍ତୁ ମୁଁ ତାଙ୍କର ଲେକ୍‌ଚର ଶୁଣିନାହିଁ । ମୁଁ ତାଙ୍କ ବିଷୟରେ ବିଶେଷ କିଛି ଜାଣେ ନାହିଁ ।

ଗୃହସ୍ଥ ଓ ପିତାର କର୍ତ୍ତବ୍ୟ

ଶ୍ରୀରାମକୃଷ୍ଣ – ପ୍ରତାପର ଭାଇ ଆସିଥିଲା । ଏଠାରେ କିଛିଦିନ ରହିଥିଲା । କାମଦାମ କି ରୋଜଗାରପତ୍ର କିଛି ନାହିଁ । କହିଲା – ମୁଁ ଏଠାରେ ରହିବି । ଶୁଣିଲି, ସ୍ତ୍ରୀ ପିଲାପିଲି ସମସ୍ତଙ୍କୁ ଶ୍ୱଶୁରଘରେ ରଖିଛି । ଅନେକଗୁଡ଼ିଏ ପିଲାଛୁଆ । ମୁଁ ଗାଳିଦେଲି । ଦେଖିଲ ଭଲା, ଛୁଆପିଲା ହୋଇଛନ୍ତି, ସେମାନଙ୍କୁ କଣ ପୁଣି ଅନ୍ୟ ସାହିରୁ ଲୋକେ ଆସି ଖୁଆଇବେ, ପିଆଇବେ, ମଣିଷ କରିବେ ? ଲଜ୍ଜା ଲାଗୁନାହିଁ ଯେ ପିଲାଛୁଆଙ୍କୁ ଆଉ ଜଣେ ଖୁଆଉଛି, ଆଉ ସେମାନଙ୍କୁ ଶ୍ୱଶୁରଘରେ ପକାଇ ରଖିଛି । ବହୁତ ଗାଳି ଦେଲି, ଆଉ କାମଦାମ ଖୋଜିବାକୁ କହିଲି । ସେତେବେଳେ ଏଠାରୁ ଯିବାକୁ ବାହାରିଲା ।

(୩)
ଅଜ୍ଞାନ-ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ-ଶଲାକୟା ।
ଚକ୍ଷୁରୂନ୍ମୀଲିତଂ ୟେନ ତସ୍ମୈ ଶ୍ରୀଗୁରବେ ନମଃ ॥

ମାଷ୍ଟରଙ୍କୁ ତିରସ୍କାର ଓ ତାଙ୍କର ଅହଙ୍କାର ଚୂର୍ଣ୍ଣିକରଣ

ଶ୍ରୀରାମକୃଷ୍ଣ – (ମାଷ୍ଟରଙ୍କୁ) ତୁମେ କଣ ବିବାହ କରିଛ ?
ମାଷ୍ଟର – ଆଜ୍ଞା ହଁ ।
ଶ୍ରୀରାମକୃଷ୍ଣ (ଥରିଉଠି) – ଆରେ ରାମଲାଲ୍‌ (ଠାକୁରଙ୍କର ଭ୍ରାତୃଷ୍ପୁତ୍ର ଓ କାଳୀମନ୍ଦିରର ପୂଜକ) । ଯା, ବିବାହ କରିସାରିଛି । ମାଷ୍ଟର ଘୋରତର ଅପରାଧୀ ପରି ଅବାକ୍‌ ହୋଇ ଅବନତ ମସ୍ତକରେ ଚୁପ୍‌ ହୋଇ ରହିଲେ । ଭାବିଲେ, ବିବାହ କରିବା କଣ ଏଡ଼େ ଦୋଷ ?

ଠାକୁରେ ପୁଣି ପଚାରିଲେ – ତୁମର କଅଣ ପିଲା ହୋଇଛି ? ମାଷ୍ଟରଙ୍କ ଛାତି ଧଡ଼୍‌ପଡ଼୍‌ ହେବାକୁ ଲାଗିଲା । ଭୟରେ କହିଲେ – ଆଜ୍ଞା, ପୁଅ ହୋଇଛି । ସେତେବେଳେ ଠାକୁରେ ପୁଣି ଆକ୍ଷେପ କରି କହିଲେ – ଯା, ପୁଅ ହୋଇଯାଇଛି ।

ତିରସ୍କୃତ ହୋଇ ମାଷ୍ଟର ସ୍ତବ୍‌ଧ ହୋଇ ରହିଲେ । ମାଷ୍ଟରଙ୍କର ଅହଂକାର ଚୂର୍ଣ୍ଣ ହେବାକୁ ଲାଗିଲା ।

କିଛି ସମୟ ପରେ ଠାକୁର ଶ୍ରୀରାମକୃଷ୍ଣ ପୁଣି କୃପାଦୃଷ୍ଟି କରି ସ୍ନେହରେ କହିଲେ – ଦେଖ, ତୁମର ଭଲ ଲକ୍ଷଣ ଥିଲା; ମୁଁ କପାଳ ଓ ଚକ୍ଷୁ ଦେଖିଲେ ବୁଝିପାରେ । ଆଚ୍ଛା, ତୁମର ସ୍ତ୍ରୀ କିପରି ? ବିଦ୍ୟାଶକ୍ତି ନା ଅବିଦ୍ୟାଶକ୍ତି ?

ଜ୍ଞାନ କାହାକୁ କହନ୍ତି

ମାଷ୍ଟର – ଆଜ୍ଞା ଭଲ, କିନ୍ତୁ ଅଜ୍ଞାନ ।
ଶ୍ରୀରାମକୃଷ୍ଣ (ବିରକ୍ତ ହୋଇ) – ସେ ଅଜ୍ଞାନ ? ଆଉ ତୁମେ ଜ୍ଞାନୀ ?

ଜ୍ଞାନ କାହାକୁ କହନ୍ତି ଓ ଅଜ୍ଞାନ କାହାକୁ କହନ୍ତି, ମାଷ୍ଟର ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି । କେବଳ ଏତିକି ଜାଣିଛନ୍ତି ଯେ, ଲେଖାପଢ଼ା ଶିଖିଲେ ଓ ବହି ପଢ଼ିପାରିଲେ ଜ୍ଞାନ ହୁଏ । ଏହି ଭ୍ରମ ପରେ ଦୂର ହୋଇଥିଲା – ଯେତେବେଳେ ଶୁଣିଲେ ଯେ, ଈଶ୍ୱରଙ୍କୁ ଜାଣିବା ଜ୍ଞାନ ଓ ଈଶ୍ୱରଙ୍କୁ ନ ଜାଣିବା ଅଜ୍ଞାନ । ଠାକୁର କହିଲେ – ତୁମେ କଅଣ ଜ୍ଞାନୀ ? ମାଷ୍ଟରଙ୍କର ଅହଂକାରରେ ବିଶେଷ ଆଘାତ ଲାଗିଲା ।

ପ୍ରତିମା-ପୂଜା

ଶ୍ରୀରାମକୃଷ୍ଣ (ମାଷ୍ଟରଙ୍କ ପ୍ରତି) – ଆଚ୍ଛା, ତୁମର ‘ସାକାର’ରେ ବିଶ୍ୱାସ ନା ‘ନିରାକାର’ରେ ବିଶ୍ୱାସ ?
ମାଷ୍ଟର (ଅବାକ୍‌ ହୋଇ ସ୍ଵଗତଃ) – ସାକାରରେ ବିଶ୍ୱାସ ଥିଲେ ପୁଣି କଅଣ ନିରାକାରରେ ବିଶ୍ୱାସ ହୁଏ ? ଇଶ୍ଵର ନିରାକାର, ଏ ବିଶ୍ୱାସ ଥିଲେ, ଈଶ୍ୱର ସାକାର, ଏ ବିଶ୍ୱାସ କଅଣ ହୋଇପାରେ ? ବିରୁଦ୍ଧ ଅବସ୍ଥା ଦୁଇଟି କଅଣ ସତ୍ୟ ହୋଇପାରେ ? ଧଳା ଜିନିଷ ଦୁଧ କଅଣ କଳା ହୋଇପାରେ ?
ମାଷ୍ଟର – ଆଜ୍ଞା, ନିରାକାର । ମୋତେ ଏହିଟି ଭଲ ଲାଗେ ।
ଶ୍ରୀରାମକୃଷ୍ଣ – ଭଲ, ଭଲ । ଗୋଟାକରେ ବିଶ୍ୱାସ ରହିଲେ ହେଲା । ନିରାକାରରେ ବିଶ୍ଵାସ, ସେ ତ ନିଶ୍ଚୟ ଭଲ; ତେବେ ଏପରି ଭାବ ନାହିଁ ଯେ, ଏହିଟି କେବଳ ସତ୍ୟ ଓ ଆଉ ସବୁ ମିଥ୍ୟା । ଜାଣିରଖ ଯେ, ନିରାକାର ସତ୍ୟ ଓ ସାକାର ମଧ୍ୟ ସତ୍ୟ । ତୁମର ଯେଉଁଥିରେ ବିଶ୍ୱାସ, ସେଇଟିକୁ ଧରି ରହ ।

ଦୁଇଟିଯାକ ସତ – ଏହି କଥା ବାରମ୍ବାର ଶୁଣି ମାଷ୍ଟର ଅବାକ୍‌ ହୋଇ ରହିଲେ । ଏକଥା ତ ସେ କୌଣସି ବହିରେ ପଢ଼ିନାହାଁନ୍ତି !

ମାଷ୍ଟରଙ୍କର ଅହଙ୍କାର ତୃତୀୟ ଥର ପାଇଁ ଚୂର୍ଣ୍ଣ ହେଲା । କିନ୍ତୁ ଏବେ ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ତେଣୁ ପୁଣି ଟିକିଏ ତର୍କ କରିବାକୁ ଅଗ୍ରସର ହେଲେ ।

ମାଷ୍ଟର – ଆଜ୍ଞା, ସେ ସାକାର ଏ ବିଶ୍ୱାସ ହେଲା; କିନ୍ତୁ ମାଟିର ପ୍ରତିମା ତ ନୁହଁନ୍ତି ?
ଶ୍ରୀରାମକୃଷ୍ଣ – ମାଟି କାହିଁକି ! ଚିନ୍ନୟୀ ପ୍ରତିମା ।

ମାଷ୍ଟର ‘ଚିନ୍ମୟୀ ପ୍ରତିମା’ କଅଣ ବୁଝିପାରିଲେ ନାହିଁ । କହିଲେ – ଆଜ୍ଞା, ଯେଉଁମାନେ ମାଟିର ପ୍ରତିମା ପୂଜା କରନ୍ତି, ସେମାନଙ୍କୁ ତ ବୁଝାଇଦେବା ଉଚିତ ଯେ, ମାଟିର ପ୍ରତିମା ଈଶ୍ୱର ନୁହଁନ୍ତି; ଆଉ ପ୍ରତିମା ସମ୍ମୁଖରେ ଈଶ୍ୱରଙ୍କୁ ଉଦ୍ଦେଶ୍ୟ କରି ପୂଜା କରିବା ଉଚିତ, ମାଟିକୁ ପୂଜା କରିବା ଉଚିତ ନୁହେଁ ।

ଲେକ୍‌ଚର ଓ ଶ୍ରୀରାମକୃଷ୍ଣ

ଶ୍ରୀରାମକୃଷ୍ଣ (ବିରକ୍ତ ହୋଇ) – ତୁମ କଲିକତା ଲୋକଙ୍କର ଏହି ଗୋଟିଏ କଥା ! କେବଳ ଲେକ୍‌ଚର ଦେବା ଓ ବୁଝାଇବା ! ନିଜକୁ କିଏ ବୁଝାଏ ତାହାର ଠିକଣା ନାହିଁ ! ତୁମେ ବୁଝାଇବାକୁ କିଏ ? ଯାହାଙ୍କର ଜଗତ ସେ ବୁଝାଇବ ! ଯେ ଏହି ଜଗତ କରିଛନ୍ତି, ଚନ୍ଦ୍ର, ସୂର୍ଯ୍ୟ, ମନୁଷ୍ୟ, ଜୀବଜନ୍ତୁ କରିଛନ୍ତି, ଜୀବଜନ୍ତୁମାନଙ୍କର ଖାଇବାର ଉପାୟ କରିଛନ୍ତି, ପାଳନ କରିବା ପାଇଁ ମାଆ-ବାପା କରିଛନ୍ତି, ମାଆ-ବାପାଙ୍କର ସ୍ନେହ ଦେଇଛନ୍ତି, ସେ ହିଁ କେବଳ ବୁଝାଇବେ । ସେ ଏତେ ଉପାୟ କରିଛନ୍ତି, ଆଉ ଏ ଉପାୟ କରିବେ ନାହିଁ ? ଯଦି ବୁଝାଇବାର ଦରକାର ହୁଏ, ସେ ବୁଝାଇବେ । ସେ ତ ଅନ୍ତର୍ଯ୍ୟାମୀ । ଯଦି ଏହି ମାଟିର ପ୍ରତିମା ପୂଜା କରିବାରେ କିଛି ଭୁଲ ହୋଇଥାଏ, ସେ କଅଣ ଜାଣନ୍ତି ନାହିଁ ଯେ ତାଙ୍କୁ ହିଁ ଡକା ହେଉଛି ? ସେ ଏହି ପୂଜାରେ ସନ୍ତୁଷ୍ଟ ହେବେ । ତୁମର ଏଥିପାଇଁ ମୁଣ୍ଡ ବଥାଉଛି କାହିଁକି ? ଯେଉଁଥିରେ ତୁମ ନିଜର ଜ୍ଞାନ ହେବ, ଭକ୍ତି ହେବ, ସେହି ଚେଷ୍ଟା କର ।

ଏହିଥର ବୋଧହୁଏ ମାଷ୍ଟରଙ୍କର ଅହଂକାର ଏକାବେଳେକେ ଚୂର୍ଣ୍ଣ ହେଲା ।

ଶ୍ରୀରାମକୃଷ୍ଣ – ତୁମେ ମାଟିପ୍ରତିମାର ପୂଜା କଥା କହୁଥିଲ । ଯଦି ମାଟିର ବି ହୁଏ, ସେ ପୂଜାର ମଧ୍ୟ ପ୍ରୟୋଜନ ଅଛି । ଭଗବାନ ନାନା ପ୍ରକାର ପୂଜାର ବ୍ୟବସ୍ଥା କରିଛନ୍ତି । ଯାହାଙ୍କର ଜଗତ, ସେ ହିଁ ଏହିସବୁ କରିଛନ୍ତି – ଅଧିକାରୀ ଭେଦରେ ଯାହା ପେଟରେ ଯାହା ସହେ, ମାଆ ସେହିପରି ଖାଇବାର ବନ୍ଦୋବସ୍ତ କରନ୍ତି ।
ମାଷ୍ଟର – ଆଜ୍ଞା ହଁ ।

(୪)
ସଂସାରାର୍ଣ୍ଣବଘୋରେ ୟଃ କର୍ଣ୍ଣଧାରସ୍ଵରୂପକଃ ।
ନମୋଽସ୍ତୁ ରାମକୃଷ୍ଣାୟ ତସ୍ମୈ ଶ୍ରୀଗୁରବେ ନମଃ ॥

ଭକ୍ତିର ଉପାୟ

ମାଷ୍ଟର (ବିନୀତ ଭାବରେ) – ଈଶ୍ୱରଙ୍କ ଆଡ଼କୁ ମନ କିପରି ଯାଏ ?
ଶ୍ରୀରାମକୃଷ୍ଣ – ଈଶ୍ୱରଙ୍କର ନାମ-ଗୁଣ-ଗାନ ସର୍ବଦା କରିବାକୁ ହୁଏ । ଆଉ ସତ୍‌ସଙ୍ଗ – ଈଶ୍ୱରଙ୍କର ଭକ୍ତ ବା ସାଧୁ, ଏମାନଙ୍କ ନିକଟକୁ ମଝିରେ ମଝିରେ ଯିବାକୁ ହୁଏ । ସଂସାର ଭିତରେ ଓ ବିଷୟ-କାର୍ଯ୍ୟରେ ରାତିଦିନ ରହିଲେ ଈଶ୍ୱରଙ୍କଠାରେ ମନ ରହେ ନାହିଁ । ମଝିରେ ମଝିରେ ନିର୍ଜନକୁ ଯାଇ ତାଙ୍କର ଚିନ୍ତା କରିବା ଖୁବ୍‌ ଦରକାର । ପ୍ରଥମ ଅବସ୍ଥାରେ ମଝିରେ ମଝିରେ ନିର୍ଜନ ନ ହେଲେ ଈଶ୍ୱରଙ୍କଠାରେ ମନ ସ୍ଥିର କରିବା ଭାରୀ କଠିନ ।

ଯେତେବେଳେ ଗଛ ଚାରା ଅବସାରେ ଥାଏ, ସେତେବେଳେ ତା’ ଚାରିପଟେ ବାଡ଼ ଦେବାକୁ ହୁଏ । ବାଡ଼ ନ ଦେଲେ ଛେଳି, ଗୋରୁ ଖାଇଯାଆନ୍ତି ।

ଧ୍ୟାନ କରିବ ମନରେ, କୋଣରେ ଓ ବନରେ । ସର୍ବଦା ସଦସତ୍‌ ବିଚାର କରିବ – ଈଶ୍ୱର ହିଁ ସତ୍‌ ବା ନିତ୍ୟବସ୍ତୁ, ଆଉ ସବୁ ଅସତ୍‌ ବା ଅନିତ୍ୟ – ଏହି ବିଚାର କରୁ କରୁ ଅନିତ୍ୟ ବସ୍ତୁ ମନରୁ ତ୍ୟାଗ କରିବ ।

ମାଷ୍ଟର (ବିନୀତ ଭାବରେ) – ସଂସାରରେ କିପରି ରହିବାକୁ ହେବ ?

ଗୃହସ୍ଥ ସନ୍ନ୍ୟାସ । ଉପାୟ – ନିର୍ଜ୍ଜନରେ ସାଧନ

ଶ୍ରୀରାମକୃଷ୍ଣ – ସବୁ କାମ କରିବ, କିନ୍ତୁ ଈଶ୍ୱରଙ୍କଠାରେ ମନ ରଖିଥିବ । ସ୍ତ୍ରୀ, ପୁତ୍ର, ବାପା, ମାଆ, ସମସ୍ତଙ୍କୁ ନେଇ ରହିବ ଓ ସେବା କରିବ; ଯେପରି କେତେ ଆପଣାର ଲୋକ; କିନ୍ତୁ ମନରେ ଜାଣିବ ସେମାନେ ତୁମର କେହି ନୁହଁନ୍ତି ।

ବଡ଼ଲୋକ ଘରର ଦାସୀ ସବୁ କାମ କରୁଥାଏ; କିନ୍ତୁ ଗାଆଁରେ ନିଜ ଘରେ ମନ ପଡ଼ିଥାଏ । ମୁନିବର ପିଲାମାନଙ୍କୁ ସେ ନିଜର ପିଲାପିଲି ପରି ହେପାଜତ କରେ – କହେ ‘ମୋର ରାମ, ମୋର ହରି’ – କିନ୍ତୁ ମନରେ ଠିକ୍‌ ଜାଣେ ଯେ, ଏମାନେ ମୋର କେହି ନୁହଁନ୍ତି ।

କଇଁଛ ପାଣିରେ ଚରିବୁଲେ; କିନ୍ତୁ ତା’ର ମନ କେଉଁଠାରେ ରହିଥାଏ ଜାଣ ? ପାଣିକୂଳରେ ଥାଏ, ଯେଉଁଠାରେ ତାର ଡିମ୍ବଗୁଡ଼ିକ ରହିଥାଏ । ସଂସାରରେ ସବୁ କାମ କରିବ; କିନ୍ତୁ ଈଶ୍ୱରଙ୍କଠାରେ ମନ ରଖିଥିବ ।

ଈଶ୍ୱରଙ୍କଠାରେ ଭକ୍ତି ଲାଭ ନ କରି ଯଦି ସଂସାର କରିବାକୁ ଯାଅ, ତାହାହେଲେ ଆହୁରି ବେଶୀ ବୁଡ଼ିଯିବ । ବିପଦ, ଶୋକ, ତାପ ଏସବୁ ଭିତରେ ଅଧୀର ହୋଇଯିବ । ବିଷୟ-ଚିନ୍ତା ଯେତେ ଅଧିକ କରିବ, ସେତେ ଆସକ୍ତି ବଢ଼ିବ ।

ହାତରେ ତେଲ ଲଗାଇ ପଣସ ଭାଙ୍ଗିବାକୁ ହୁଏ, ନ ହେଲେ ହାତରେ ଅଠା ଲାଗିଯିବ । ଈଶ୍ୱର-ଭକ୍ତିରୂପକ ତେଲ ଲାଭ କରି ସଂସାର-କାର୍ଯ୍ୟରେ ହାତ ଦେବ ।

କିନ୍ତୁ ଏହି ଭକ୍ତି ଲାଭ କରିବାକୁ ହେଲେ ନିର୍ଜନ ବାସ ଦରକାର । ଲହୁଣୀ କାଢ଼ିବାକୁ ହେଲେ ନିର୍ଜ୍ଜନରେ ଦହି ବସାଇବାକୁ ହୁଏ । ଦହିକୁ ହଲାହଲି କଲେ ଦହି ବସେ ନାହିଁ । ତା’ପରେ ନିର୍ଜନରେ ବସି, ସବୁ କାମ ଛାଡ଼ିଦେଇ ଦହି ମୁହାଁଇବାକୁ ହୁଏ । ତେବେ ଯାଇ ଲହୁଣୀ ବାହାରେ ।

ଦେଖ, ଏହି ମନରେ ନିର୍ଜ୍ଜନରେ ଈଶ୍ୱର-ଚିନ୍ତା କଲେ ଜ୍ଞାନ, ବୈରାଗ୍ୟ ଓ ଭକ୍ତି ଲାଭ ହୁଏ; କିନ୍ତୁ ସଂସାରରେ ପକାଇ ରଖିଲେ ଏହି ମନ ନୀଚ୍ଚ ହୋଇଯାଏ । ସଂସାରରେ କେବଳ କାମିନୀ-କାଞ୍ଚନ ଚିନ୍ତା ।

ସଂସାର ଜଳ, ଆଉ ମନଟି ଯେପରି ଦୁଧ । ଦୁଧକୁ ପାଣିରେ ରଖିଲେ ଦୁଧ ଓ ପାଣି ମିଶି ଏକ ହୋଇଯାଏ, ଖାଣ୍ଟି ଦୁଧ ଖୋଜିଲେ ମିଳେ ନାହିଁ । ଦୁଧକୁ ଦହି ବସାଇ ଲହୁଣୀ ବାହାର କରି ଯଦି ପାଣିରେ ରଖାଯାଏ, ତେବେ ତାହା ଭାସେ । ତେଣୁ ନିର୍ଜ୍ଜନରେ ସାଧନାଦ୍ଵାରା ପ୍ରଥମେ ଜ୍ଞାନ-ଭକ୍ତିରୂପକ ଲହୁଣୀ ଲାଭ କରିବ । ସେହି ଲହୁଣୀ ସଂସାର-ଜଳରେ ପକାଇ ରଖିଲେ ମଧ୍ୟ ମିଶିବ ନାହିଁ, ଭାସିବ ।

ସଙ୍ଗେ ସଙ୍ଗେ ବିଚାର କରିବା ଖୁବ୍‌ ଦରକାର । କାମିନୀ-କାଞ୍ଚନ ଅନିତ୍ୟ ଏବଂ ଈଶ୍ୱର ହିଁ ଏକମାତ୍ର ବସ୍ତୁ । ଟଙ୍କାରେ କଅଣ ହୁଏ ? ଭାତ ହୁଏ, ଡାଲି ହୁଏ, ଲୁଗା ହୁଏ, ରହିବାର ଜାଗା ହୁଏ, ଏହି ପର୍ଯ୍ୟନ୍ତ; କିନ୍ତୁ ଏଥିରେ ଭଗବାନଲାଭ ହୁଏ ନାହିଁ । ତେଣୁ ଟଙ୍କା କେବେହେଲେ ଜୀବନର ଉଦ୍ଦେଶ୍ୟ ହୋଇ ନ ପାରେ । ଏହାର ନାମ ବିଚାର, ବୁଝିଲ ?

ମାଷ୍ଟର – ଆଜ୍ଞା ହଁ, ‘ପ୍ରବୋଧଚନ୍ଦ୍ରୋଦୟ’ ନାଟକ ମୁଁ ଏବେ ପଢ଼ିଛି, ସେଥିରେ ଅଛି ‘ବସ୍ତୁବିଚାର’ ।

ଶ୍ରୀରାମକୃଷ୍ଣ – ହଁ, ବସ୍ତୁବିଚାର । ଭାବିଦେଖ, ଟଙ୍କାରେ ବା କଅଣ ଅଛି, ଆଉ ସୁନ୍ଦର ଦେହରେ ବା କଅଣ ଅଛି ! ବିଚାର କର, ସୁନ୍ଦରୀର ଦେହରେ କେବଳ ହାଡ଼, ମାଂସ, ଚର୍ବି, ମଳ, ମୂତ୍ର – ଏହିସବୁ ଅଛି । ମନୁଷ୍ୟ ଈଶ୍ୱରଙ୍କୁ ଛାଡ଼ି ଏହିସବୁ ବସ୍ତୁରେ କାହିଁକି ମନ ଦିଏ ? ଈଶ୍ୱରଙ୍କୁ ଭୁଲିଯାଏ କାହିଁକି ?

ଈଶ୍ୱର-ଦର୍ଶନର ଉପାୟ

ମାଷ୍ଟର – ଈଶ୍ୱରଙ୍କୁ କଅଣ ଦର୍ଶନ କରାଯାଏ ?
ଶ୍ରୀରାମକୃଷ୍ଣ – ହଁ, ଅବଶ୍ୟ କରାଯାଏ । ସମୟ ସମୟରେ ନିର୍ଜ୍ଜନବାସ, ତାଙ୍କର ନାମ-ଗୁଣ ଗାନ, ବସ୍ତୁ-ବିଚାର – ଏହିସବୁ ଉପାୟ ଅବଲମ୍ବନ କରିବାକୁ ହୁଏ ।
ମାଷ୍ଟର – କିପରି ଅବସ୍ଥାରେ ତାଙ୍କର ଦର୍ଶନ ମିଳେ ?
ଶ୍ରୀରାମକୃଷ୍ଣ – ଖୁବ୍‌ ବ୍ୟାକୁଳ ହୋଇ କାନ୍ଦିଲେ ତାଙ୍କର ଦେଖା ମିଳେ । ସ୍ତ୍ରୀ-ଛୁଆଙ୍କ ପାଇଁ ଲୋକେ କେତେ କାନ୍ଦନ୍ତି । ଟଙ୍କା ପାଇଁ ଲୋକେ କାନ୍ଦି ଭସାଇ ଦିଅନ୍ତି; କିନ୍ତୁ ଈଶ୍ୱରଙ୍କ ପାଇଁ କିଏ କାନ୍ଦୁଛି ? ଡାକିବା ଭଳି ଡାକିବାକୁ ହୁଏ ।

ଏହା କହି ଠାକୁର ଗାଇଲେ –
“ଡାକ୍‌ ଦେଖି ମନ ଡାକାର୍‌ ମତନ୍‌ କେମନ୍‌ ଶ୍ୟାମା ଥାକ୍ତେ ପାରେ !…”
ଇତ୍ୟାଦି ।

ବ୍ୟାକୁଳତା ହେଲାମାତ୍ରେ ଅରୁଣ ଉଦୟ ହେଲା । ତା’ପରେ ସୂର୍ଯ୍ୟ ଦେଖାଦେବେ । ବ୍ୟାକୁଳତା ପରେ ହିଁ ଈଶ୍ୱର-ଦର୍ଶନ ।

ତିନି ଟାଣ ଏକାଠି ହେଲେ ତେବେ ସେ ଦେଖାଦିଅନ୍ତି – ବିଷୟୀର ବିଷୟ ପ୍ରତି ଟାଣ, ମାଆର ସନ୍ତାନ ପ୍ରତି ଟାଣ, ଆଉ ସତୀର ପତି ପ୍ରତି ଟାଣ – ଏହି ତିନି ଟାଣ ଯଦି କାହାର ଏକା ସଙ୍ଗରେ ହୁଏ, ତେବେ ସେହି ଟାଣ ବଳରେ ସେ ଈଶ୍ୱରଙ୍କୁ ଲାଭ କରିପାରେ ।

ଏହାର ଅର୍ଥ ଈଶ୍ୱରଙ୍କୁ ଭଲ ପାଇବାକୁ ହେବ । ବିଷୟୀ ଯେପରି ବିଷୟକୁ ଭଲପାଏ, ମାଆ ଯେପରି ପିଲାକୁ ଭଲପାଏ, ସତୀ ଯେପରି ପତିକୁ ଭଲପାଏ – ଏହି ତିନିଜଣଙ୍କର ପ୍ରୀତି ଏକତ୍ର କଲେ ଯେଉଁ ପ୍ରୀତି ହୁଏ, ତାହା ଈଶ୍ୱରଙ୍କୁ ଦେଇପାରିଲେ ତାଙ୍କର ଦର୍ଶନ ମିଳେ ।

ବ୍ୟାକୁଳ ହୋଇ ତାଙ୍କୁ ଡାକିବା ଦରକାର । ବିରାଡ଼ିଛୁଆ କେବଳ ମ୍ୟାଉଁ ମ୍ୟାଉଁ କରେ । ମାଆକୁ ଡାକେ । ମା’ ତାକୁ ଯେଉଁଠାରେ ରଖେ, ସେଠାରେ ରହେ – କେତେବେଳେ ହାଣ୍ଡିଶାଳରେ, କେତେବେଳେ ମାଟି ଉପରେ, କେତେବେଳେ ବା ବିଛଣା ଉପରେ ରଖିଦିଏ । ତା’ର କଷ୍ଟ ହେଲେ ସେ କେବଳ ମ୍ୟାଉଁ ମ୍ୟାଉଁ କରି ଡାକେ, ଆଉ କିଛି ଜାଣେ ନାହିଁ । ମାଆ ଯେଉଁଠାରେ ଥାଉ, ଏହି ମ୍ୟାଉଁ ମ୍ୟାଉଁ ଶବ୍ଦ ଶୁଣି ଆସି ପହଞ୍ଚେ ।

(୫)
ସର୍ବଭୂତସ୍ଥମାତ୍ମାନଂ ସର୍ବଭୂତାନି ଚାତ୍ମନି ।
ଈକ୍ଷତେ ୟୋଗୟୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ ॥ — ଗୀତା ୬.୨୯

ନରେନ୍ଦ୍ର ଓ ଭବନାଥଙ୍କ ସହିତ ମାଷ୍ଟରଙ୍କର ମିଳନ

ଆଜି ରବିବାର । ସମୟ ଅନ୍ଦାଜ ତିନି ଚାରିଟା ବାଜିବ । ଶ୍ରୀରାମକୃଷ୍ଣ ଛୋଟ ଖଟ ଉପରେ ବସିଛନ୍ତି । ଘର ମଧ୍ୟରେ ଘରେ ଲୋକ । ଜଣେ ଊଣିଶ ବର୍ଷ ବୟସ୍କ ଯୁବକଙ୍କୁ ଉଦ୍ଦେଶ୍ୟ କରି ଓ ତାଙ୍କ ଆଡ଼କୁ ଚାହିଁ ଠାକୁରେ ଯେପରି କେତେ ଆନନ୍ଦିତ ହୋଇ ଅନେକ କଥା କହୁଥିଲେ । ଯୁବକଙ୍କର ନାମ ନରେନ୍ଦ୍ର । ସେ କଲେଜରେ ପଢ଼ନ୍ତି ଓ ସାଧାରଣ ବ୍ରାହ୍ମସମାଜକୁ ଯାତାୟାତ କରନ୍ତି, କଥାଗୁଡ଼ିକ ତେଜପରିପୂର୍ଣ୍ତ । ଚକ୍ଷୁ ଦୁଇଟି ଉଜ୍ଜ୍ୱଳ । ନରେନ୍ଦ୍ରଙ୍କର (ପରେ ସ୍ଵାମୀ ବିବେକାନନ୍ଦ ନାମରେ ପ୍ରସିଦ୍ଧ) ଭକ୍ତର ଚେହେରା ।

ମାଷ୍ଟର ଉପସ୍ଥିତ ହୋଇ ଅନୁମାନରେ ବୁଝିଲେ ଯେ କଥାଟି ବିଷୟାସକ୍ତ ସଂସାରୀ ବ୍ୟକ୍ତିଙ୍କ ସମ୍ବନ୍ଧରେ ହେଉଥିଲା, ଯେଉଁମାନେ ଈଶ୍ୱରାନୁରାଗୀ ଓ ଧର୍ମବିଶ୍ଵାସୀ ଲୋକମାନଙ୍କୁ ନିନ୍ଦା କରନ୍ତି । ସଂସାରରେ  ଯେଉଁ ଦୁଷ୍ଟ  ଲୋକମାନେ ଅଛନ୍ତି, ସେମାନଙ୍କ ସହିତ କିପରି ବ୍ୟବହାର କରିବା ଉଚିତ, ଏକଥା ମଧ୍ୟ ହେଉଥିଲା ।

ଶ୍ରୀରାମକୃଷ୍ଣ (ନରେନ୍ଦ୍ରଙ୍କ ପ୍ରତି) – ନରେନ୍ଦ୍ର । କଅଣ କହୁଛୁ ? ସଂସାରୀ ଲୋକମାନେ କେତେ କଅଣ କହନ୍ତି; କିନ୍ତୁ ଦେଖ୍‌, ହାତୀ ଯେତେବେଳେ  ଚାଲିଯାଏ, ପଛରେ କେତେ ଜନ୍ତୁ କେତେ ପ୍ରକାର ଚିତ୍କାର କରନ୍ତି; କିନ୍ତୁ  ହାତୀ ଫେରି ଚାହେଁ ନାହିଁ । ତୋର ଯଦି କେହି ନିନ୍ଦା କରେ, ତୁ କଅଣ ମନେକରିବୁ ?
ନରେନ୍ଦ୍ର – ମୁଁ ମନେକରିବି, କୁକୁର ଭୁକୁଛି ।
ଶ୍ରୀରାମକୃଷ୍ଣ (ସହାସ୍ୟ) – ନା ରେ, ଏତେ ଦୂର ନୁହେଁ । (ସମସ୍ତଙ୍କର ହାସ୍ୟ) ଈଶ୍ୱର ସର୍ବଭୂତରେ ଅଛନ୍ତି । ତେବେ ଭଲ ଲୋକ ସଙ୍ଗରେ ମିଳାମିଶା ଚଳେ, ମନ୍ଦ ଲୋକ ପାଖରୁ ଦୂରେଇ ରହିବାକୁ ହୁଏ । ବାଘ ଭିତରେ ମଧ୍ୟ ନାରାୟଣ ଅଛନ୍ତି, ତାହା ବୋଲି ବାଘକୁ ଆଲିଙ୍ଗନ କରାଯାଏ ନାହିଁ । (ସମସ୍ତଙ୍କର ହାସ୍ୟ) । ଯଦି କୁହ, ବାଘ ତ ନାରାୟଣ, କାହିଁକି ପଳାଇବି ? ତାହାର ଉତ୍ତର ଏହି ଯେ, ଯେଉଁମାନେ କହନ୍ତି ‘ପଳାଇ ଆସ’, ସେମାନେ ମଧ୍ୟ ନାରାୟଣ, ସେମାନଙ୍କର କଥା କାହିଁକି ନ ଶୁଣିବି ?

ଗୋଟିଏ ଗପ ଶୁଣ । ଗୋଟିଏ ବଣରେ ଜଣେ ସାଧୁ ଥାଆନ୍ତି । ତାଙ୍କର ଅନେକ ଶିଷ୍ୟ । ସେ ଦିନେ ଶିଷ୍ୟମାନଙ୍କୁ ଉପଦେଶ ଦେଲେ ଯେ, ସର୍ବଭୂତରେ ନାରାୟଣ ଅଛନ୍ତି, ଏହା ଜାଣି ସମସ୍ତଙ୍କୁ ନମସ୍କାର କରିବ । ଦିନେ ଜଣେ ଶିଷ୍ୟ ହୋମ ସକାଶେ କାଠ ଆଣିବା ପାଇଁ ବଣକୁ ଯାଇଥିଲା । ସେହି ସମୟରେ ପାଟି ଶୁଭିଲା – ପଳାଅ, ପଳାଅ, ପାଗଳା ହାତୀ ଯାଉଛି । ସମସ୍ତେ  ପଳାଇଗଲେ, କିନ୍ତୁ ଶିଷ୍ୟଟି ପଳାଇଲା ନାହିଁ । ସେ ଭାବିଲା, ‘ହାତୀ ମଧ୍ୟ ନାରାୟଣ, ତେବେ ମୁଁ ପଳାଇବି କାହିଁକି ?’ ଏହା ଭାବି ଠିଆ ହୋଇ ରହିଲା, ଆଉ ନମସ୍କାର କରି ସ୍ତବସ୍ତୁତି କରିବାକୁ ଲାଗିଲା । ଏଣେ ମାହୁନ୍ତ ଚିତ୍କାର କରି କହୁଛି, ‘ପଳାଅ’ ‘ପଳାଅ’ । ଶିଷ୍ୟଟି ତଥାପି ଘୁଞ୍ଚିଲା ନାହିଁ । ଶେଷରେ ହାତୀଟି ଶୁଣ୍ଢଦ୍ଵାରା ଉଠାଇନେଇ ତାକୁ ଗୋଟିଏ ପାଖକୁ ଫିଙ୍ଗିଦେଇ ଚାଲିଗଲା । ଶିଷ୍ୟ କ୍ଷତବିକ୍ଷତ ଓ ଅଚେତନ ହୋଇ ପଡ଼ିରହିଲା ।

ଏହି ସମ୍ବାଦ ପାଇ ଗୁରୁ ଓ ଅନ୍ୟାନ୍ୟ ଶିଷ୍ୟ ତାକୁ ଆଶ୍ରମକୁ ଧରାଧରି କରି ନେଇଗଲେ ଓ ଔଷଧ ଦେଲେ । କିଛିକ୍ଷଣ ପରେ ଚେତା ଆସିବାରୁ ତାକୁ କେହି ଜଣେ ପଚାରିଲେ, ‘ହାତୀ ଆସୁଛି ଶୁଣି ମଧ୍ୟ ତୁମେ ଘୁଂଚିଲ ନାହିଁ କାହିଁକି ?’ ସେ କହିଲା, ‘ମୋର ଗୁରୁଦେବ କହିଥିଲେ – ନାରାୟଣ ହିଁ ମନୁଷ୍ୟ, ଜୀବଜନ୍ତୁ ସବୁ ହୋଇଛନ୍ତି । ତେଣୁ ମୁଁ ହାତୀ-ନାରାୟଣ ଆସୁଛନ୍ତି ଦେଖି ସେଠାରୁ ଘୁଞ୍ଚିଲି ନାହିଁ ।’ ଗୁରୁ ତାହା ଶୁଣି କହିଲେ, ‘ବାବା, ହାତୀ-ନାରାୟଣ ଆସୁଥିଲେ ସତ; କିନ୍ତୁ ବାବା, ମାହୁନ୍ତ-ନାରାୟଣ ତ ତୁମକୁ ମନା କରିଥିଲେ ! ଯଦି ସମସ୍ତେ ନାରାୟଣ ତେବେ ମାହୁନ୍ତର କଥା ଶୁଣିଲ ନାହିଁ କାହିଁକି ? ମାହୁନ୍ତ-ନାରାୟଣଙ୍କ କଥା ମଧ୍ୟ ଶୁଣିବାକୁ ହୁଏ ।’ (ସମସ୍ତଙ୍କର ହାସ୍ୟ )

ଶାସ୍ତ୍ରରେ ଅଛି ‘ଆପୋ ନାରାୟଣଃ’ – ଜଳ ନାରାୟଣ । କିନ୍ତୁ କେଉଁ ଜଳ ଦିଅଁଙ୍କ ପୂଜାରେ ଲାଗେ, ଆଉ କେଉଁ ପାଣିରେ କେବଳ ହାତ ଧୋଇବା, ବାସନ ମାଜିବା, ଲୁଗା କାଚିବା ଚଳେ, ମାତ୍ର ପିଇବା ବା ଦିଅଁ ପୂଜା ଚଳେ ନାହିଁ । ସେହିପରି ସାଧୁ-ଅସାଧୁ, ଭକ୍ତ-ଅଭକ୍ତ ସମସ୍ତଙ୍କ ହୃଦୟରେ ନାରାୟଣ ଅଛନ୍ତି; କିନ୍ତୁ ଅସାଧୁ, ଅଭକ୍ତ ଓ ଦୁଷ୍ଟ ଲୋକଙ୍କ ସାଙ୍ଗରେ ବ୍ୟବହାର ଚଳେ ନାହିଁ, ମିଳାମିଶା ଚଳେ ନାହିଁ । କାହା ସଙ୍ଗରେ କେବଳ ମୁହଁରେ କଥା କହିବା ଚଳେ, ପୁଣି କାହା ସଙ୍ଗରେ ତାହା ମଧ୍ୟ ଚଳେ ନାହିଁ । ଏହିପରି ଲୋକମାନଙ୍କ ନିକଟରୁ ଅଲଗା ରହିବାକୁ ହୁଏ ।
ଜଣେ ଭକ୍ତ – ମହାଶୟ ! ଯଦି ଦୁଷ୍ଟ ଲୋକ ଅନିଷ୍ଟ କରିବାକୁ ଆସେ ବା ଅନିଷ୍ଟ କରେ, ତାହାହେଲେ କଅଣ ଚୁପ୍‌ କରି ରହିବା ଉଚିତ ?

ଗୃହସ୍ଥ ଓ ତମୋଗୁଣ

ଶ୍ରୀରାମକୃଷ୍ଣ – ଲୋକଙ୍କ ସଙ୍ଗରେ ବାସ କଲେ, ଦୁଷ୍ଟ ଲୋକଙ୍କ ହାତରୁ ନିଜକୁ ରକ୍ଷା କରିବା ପାଇଁ ଟିକିଏ ତମୋଗୁଣ ଦେଖାଇବା ଦରକାର, କିନ୍ତୁ ଜଣେ ଅନିଷ୍ଟ କଲା ବୋଲି ଓଲଟା ତାହାର ଅନିଷ୍ଟ କରିବା ଉଚିତ୍‌ ନୁହେଁ ।

ଗୋଟିଏ ପଡ଼ିଆରେ ଗଉଡ଼ ପିଲାମାନେ ଗୋରୁ ଚରାନ୍ତି । ସେହି ପଡ଼ିଆରେ ଗୋଟିଏ ଭୀଷଣ ବିଷାକ୍ତ ସାପ ଥିଲା । ସମସ୍ତେ ସାପ ଭୟରେ ଅତ୍ୟନ୍ତ ସାବଧାନରେ ରହନ୍ତି । ଦିନେ ଜଣେ ବ୍ରହ୍ମଚାରୀ ସେହି ପଡ଼ିଆ ବାଟେ ଯାଉଥିଲେ । ଗଉଡ଼ ପିଲାମାନେ ଦୌଡ଼ି ଆସି କହିଲେ, ‘ଆଜ୍ଞା ! ସେବାଟେ ଯାଆନ୍ତୁ ନାହିଁ । ସେଆଡ଼େ ଗୋଟିଏ ଭୟଙ୍କର ବିଷାକ୍ତ ସାପ ଅଛି ।’ ବ୍ରହ୍ମଚାରୀ କହିଲେ, ‘ବାବା, ହେଉ, ମୋର ସେଥିରେ ଭୟ ନାହିଁ, ମୁଁ ମନ୍ତ୍ର ଜାଣେ ।’ ଏହି କଥା କହି ବ୍ରହ୍ମଚାରୀ ସେହି ବାଟେ ଚାଲିଲେ । ଗଉଡ଼ ପିଲାମାନେ କେହି ଭୟରେ ସଙ୍ଗରେ ଗଲେ ନାହିଁ । ସାପଟି ଫଣା ଉଠାଇ ଦୌଡ଼ି ଆସିଲା; କିନ୍ତୁ ପାଖକୁ ଆସୁ ନ ଆସୁଣୁ ବ୍ରହ୍ମଚାରୀ ଯେମିତି ଗୋଟିଏ ମନ୍ତ୍ର ପଢ଼ିଦେଲେ, ସାପଟି ସଙ୍ଗେ ସଙ୍ଗେ କେଞ୍ଚୁଆ ପରି ତାଙ୍କ ପାଖରେ ପଡ଼ି ରହିଲା । ବ୍ରହ୍ମଚାରୀ କହିଲେ ‘ଆରେ, ତୁ କାହିଁକି ଅନ୍ୟକୁ ହିଂସା କରି ବୁଲୁଛୁ ? ଆ, ତୋତେ ମନ୍ତ୍ର ଦେବି । ଏହି ମନ୍ତ୍ର ଜପିଲେ ତୋର ଭଗବାନଙ୍କଠାରେ ଭକ୍ତି ହେବ, ଭଗବାନ-ଲାଭ ହେବ, ଆଉ ହିଂସାପ୍ରବୃତ୍ତି ରହିବ ନାହିଁ ।’ ଏହା କହି ସାପଟିକୁ ମନ୍ତ୍ର ଦେଲେ । ସାପଟି ମନ୍ତ୍ର ପାଇ ଗୁରୁଙ୍କୁ ପ୍ରଣାମ କଲା, ଆଉ ପଚାରିଲା, ‘ମହାରାଜ ! କିପରି ସାଧନ କରିବି କହନ୍ତୁ ।’ ଗୁରୁ କହିଲେ, ‘ଏହି ମନ୍ତ୍ର ଜପ କର, ଆଭ କାହାକୁ ହିଂସା କର ନାହିଁ ।’ ବ୍ରହ୍ମଚାରୀ ଯିବା ସମୟରେ କହିଲେ, ‘ମୁଁ ପୁଣି ଆସିବି ।’

ଏହିପରି କିଛି ଦିନ ଗଲା । ଗଉଡ଼ ପିଲାମାନେ ଦେଖିଲେ ଯେ, ସାପଟା ଆଉ କାମୁଡ଼ିବାକୁ ଆସୁନାହିଁ । ଟେକା ପକାଇଲେ ବି ରାଗୁ ନାହିଁ, ବରଂ କେଞ୍ଚୁଆ ପରି ହୋଇଯାଉଛି । ଦିନେ ଜଣେ ଗଉଡ଼ପିଲା ପାଖକୁ ଯାଇ ଲାଞ୍ଜକୁ ଧରି ଖୁବ୍‌ ବୁଲାଇ ବୁଲାଇ ତାକୁ ଫୋପାଡ଼ି ଦେଲା । ସାପର ମୁହଁରୁ ରକ୍ତ ବାହାରିଲା । ସେ ଅଚେତ ହୋଇ ପଡ଼ିଗଲା । ହଲ୍‌ ନାହିଁ ଚଲ୍‌ ନାହିଁ, ଗଉଡ଼ ପିଲାମାନେ ଭାବିଲେ ସାପଟା ମରିଗଲା; ତେଣୁ ସେମାନେ ଚାଲିଗଲେ ।

ବେଶୀ ରାତିକୁ ସାପର ଚେତା ଆସିଲା । ସେତେବେଳେ ସେ ଆସ୍ତେ ଆସ୍ତେ ଅତି କଷ୍ଟରେ ତା’ର ଗାତ ଭିତରକୁ ଚାଲିଗଲା । ତା’ ଦେହ ଦୁର୍ବଳ ହୋଇ ଯାଇଥିଲା, ହଲିବାର ଶକ୍ତି ମଧ୍ୟ ନ ଥିଲା । ଅନେକ ଦିନ ପରେ ଯେତେବେଳେ ଅସ୍ଥି ଚର୍ମସାର ହୋଇଯାଇଛି, ସେତେବେଳେ ଆହାର ପାଇଁ ପ୍ରତିଦିନ ରାତିରେ ଥରେ ବାହାରକୁ ଚରିବାକୁ ଆସେ । ଭୟରେ ଦିନେବେଳେ ଆସେ ନାହିଁ । ମନ୍ତ୍ର ନେବା ଦିନଠାରୁ ଆଉ ଜୀବ ହିଂସା କରେ ନାହିଁ । ମାଟି, ପତ୍ର, ଗଛରୁ ପଡ଼ିଥିବା ଫଳ ଖାଇ ପ୍ରାଣଧାରଣ କରେ । ପ୍ରାୟ ବର୍ଷକ ପରେ ବ୍ରହ୍ମଚାରୀ ପୁଣି ସେହି ବାଟରେ ଆସିଲେ; ଆସି ସାପର ସନ୍ଧାନ ନେଲେ । ଗଉଡ଼ ପିଲାମାନେ କହିଲେ, ‘ସାପଟା ମରିଯାଇଛି ।’ ବ୍ରହ୍ମଚାରୀଙ୍କର କିନ୍ତୁ ସେକଥାରେ ବିଶ୍ଵାସ ହେଲା ନାହିଁ । ସେ ଜାଣନ୍ତି ଯେ, ସାପଟି ମନ୍ତ୍ର ନେଇଛି, ସେଥିରେ ସିଦ୍ଧ ନହେଲେ ଦେହତ୍ୟାଗ ହେବ ନାହିଁ । ପଡ଼ିଆରେ ବୁଲି ବୁଲି ସେ ତାଙ୍କର ଦେଇଥିବା ନାମ ଧରି ସାପଟିକୁ ଡାକିଲେ । ସାପଟି ଗୁରୁଦେବଙ୍କ ପାଟି ଶୁଣି ଗାତରୁ ବାହାରି ଆସିଲା ଏବଂ ଅତି ଭକ୍ତିଭାବରେ ପ୍ରଣାମ କଲା । ବ୍ରହ୍ମଚାରୀ ପଚାରିଲେ, ‘ତୁ କିପରି ଅଛୁ ?’ ସେ କହିଲା, ‘ଆଜ୍ଞା, ଭଲ ଅଛି’ ! ବ୍ରହ୍ମଚାରୀ କହିଲେ, ‘ତେବେ ତୁ ଏତେ ଦୁର୍ବଳ ହୋଇଯାଇଛୁ କାହିଁକି ?’ ସାପ କହିଲା, ‘ମହାରାଜ ଆପଣ ଆଦେଶ କରିଛନ୍ତି – କାହାରିକୁ ହିଂସା ନ କରିବାକୁ । ତେଣୁ ପତ୍ରଟାଏ, ଫଳଟାଏ ଖାଏ ବୋଲି ବୋଧହୁଏ ଦୁର୍ବଳ ହୋଇଯାଇଛି !’ ତା’ର ସେତେବେଳେକୁ ସତ୍ତ୍ଵଗୁଣ ଆସିଛି, କାହାରି ଉପରେ କ୍ରୋଧ ନାହିଁ । ସେ ଭୁଲିଯାଇଥିଲା ଯେ, ଗଉଡ଼ ପିଲାମାନେ ତାକୁ ମାରିପକାଇବାର ଯୋଗାଡ଼ କରିଥିଲେ । ବ୍ରହ୍ମଚାରୀ କହିଲେ, ‘କେବଳ ନ ଖାଇବା ଯୋଗୁଁ ଏପରି ଅବସ୍ଥା ହୁଏ ନାହିଁ, ଆଉ କିଛି କାରଣ ନିଶ୍ଚୟ ଅଛି, ତୁ ଭାବି ଦେଖି ।’  ସାପଟାର ସେତେବେଳେ ମନେପଡ଼ିଲା ଯେ ଗଉଡ଼ ପିଲାମାନେ ତାକୁ ଖୁବ୍‌ ମାରିଥିଲେ । ସେତେବେଳେ ସେ କହିଲା, ‘ମହାରାଜ,
ବର୍ତ୍ତମାନ ମନେ ପଡ଼ୁଛି, ଗଉଡ଼ ପିଲାମାନେ ମୋତେ ଥରେ ଖୁବ୍‌ ମାରିଥିଲେ । ସେମାନେ ଅଜ୍ଞାନ, ସେମାନେ ମୋ ମନର ଅବସ୍ଥା କିପରି ଜାଣନ୍ତେ ? ମୁଁ ଯେ କାହାକୁ କାମୁଡ଼ିବି ନାହିଁ ବା କୌଣସି ପ୍ରକାର ଅନିଷ୍ଟ କରିବି ନାହିଁ, ସେମାନେ କିପରି ଜାଣିବେ ?’ ବ୍ରହ୍ମଚାରୀ କହିଲେ, ‘ଛି ! ତୁ ଏଡ଼େ ବୋକା ! ନିଜକୁ ରକ୍ଷା କରି ଜାଣିନୁ । ମୁଁ କାମୁଡ଼ିବାକୁ ସିନା ମନା କରିଥିଲି, ଫଁ କରିବାକୁ ତ ମନା କରିନି ! ଫଁ ଫଁ କରି ସେମାନଙ୍କୁ ଭୟ ଦେଖାଇଲୁ ନାହିଁ କାହିଁକି ?’

ଦୁଷ୍ଟ ଲୋକ ପାଖରେ ଫଁ ଫଁ କରିବାକୁ ହୁଏ । ଭୟ ଦେଖାଇବାକୁ ହୁଏ, କାଳେ ଅନିଷ୍ଟ କରିବେ । ତାଙ୍କ ଦେହରେ ବିଷ ଢାଳିବ ନାହିଁ, ଓଲଟା ଅନିଷ୍ଟ କରିବ ନାହିଁ ।

ଭିନ୍ନ ପ୍ରକୃତି – ସବୁ ଲୋକ କଅଣ ସମାନ ?

ଶ୍ରୀରାମକୃଷ୍ଣ – ଈଶ୍ୱରଙ୍କର ସୃଷ୍ଟିରେ ନାନାପ୍ରକାର ଜୀବଜନ୍ତୁ, ଗଛପତ୍ର ରହିଛନ୍ତି । ଜନ୍ତୁମାନଙ୍କ ମଧ୍ୟରେ ଭଲ ଅଛନ୍ତି, ମନ୍ଦ ବି ଅଛନ୍ତି । ବାଘ ପରି ହିଂସ୍ର ଜନ୍ତୁ ମଧ୍ୟ ଅଛନ୍ତି । ଗଛ ମଧ୍ୟରେ ଅମୃତ ପରି ଫଳ ଫଳେ ଏପରି ଅଛି, ଆଉ ବିଷ ଫଳ ଫଳେ ଏପରି ମଧ୍ୟ ଅଛି । ସେହିପରି ମଣିଷମାନଙ୍କ ଭିତରେ ଭଲ ଅଛନ୍ତି, ମନ୍ଦ ଅଛନ୍ତି, ସାଧୁ ଅଛନ୍ତି, ଅସାଧୁ ଅଛନ୍ତି, ସଂସାରୀ ଜୀବ ଅଛନ୍ତି , ଆଉ ଭକ୍ତ ମଧ୍ୟ ଅଛନ୍ତି । ଜୀବ ଚାରିପ୍ରକାର – ବଦ୍ଧ ଜୀବ, ମୁମୁକ୍ଷୁ ଜୀବ, ମୁକ୍ତ ଜୀବ ଓ ନିତ୍ୟ ଜୀବ ।

ନିତ୍ୟ ଜୀବ – ଯେପରି ନାରଦାଦି – ଏମାନେ ସଂସାରରେ ଥାଆନ୍ତି, ଜୀବର ମଙ୍ଗଳ ପାଇଁ – ପ୍ରାଣୀମାନଙ୍କୁ ଶିକ୍ଷା ଦେବା ପାଇଁ ।

ବଦ୍ଧ ଜୀବ – ବିଷୟରେ ଆସକ୍ତ ହୋଇ ଥାଏ, ଆଉ ଭଗବାନଙ୍କୁ ଭୁଲି ଥାଏ, ଭୁଲ୍‌ରେ ମଧ୍ୟ ଭଗବାନଙ୍କୁ ଚିନ୍ତା କରେ ନାହିଁ ।

ମୁମୁକ୍ଷୁ ଜୀବ – ଯେଉଁମାନେ ମୁକ୍ତ ହେବାକୁ ଚେଷ୍ଟା କରନ୍ତି; କିନ୍ତୁ ସେମାନଙ୍କ ମଧ୍ୟରୁ କେହି ମୁକ୍ତ ହୋଇପାରେ କେହି ବା ହୋଇପାରେ ନାହିଁ ।

ମୁକ୍ତ ଜୀବ – ଯେଉଁମାନେ କାମିନୀ-କାଞ୍ଚନରେ ବଦ୍ଧ ନୁହଁନ୍ତି – ଯେପରି ସାଧୁ ମହାତ୍ମାମାନେ, ଯେଉଁମାନଙ୍କ ମନରେ ବିଷୟ-ବୁଦ୍ଧି ନାହିଁ, ଆଉ ଯେଉଁମାନେ ସର୍ବଦା ଈଶ୍ୱରଙ୍କ ପାଦପଦ୍ମ ଚିନ୍ତା କରନ୍ତି ।

ଯେପରି ପୋଖରୀରେ ଜାଲ ପଡ଼ିଛି – ଦୁଇ ଚାରିଟା ମାଛ ଏପରି ସିଆଣା ଯେ, କେତେବେଳେ ହେଲେ ଜାଲରେ ପଡ଼ନ୍ତି ନାହିଁ – ଏମାନେ ନିତ୍ୟ ଜୀବର ଉପମାସ୍ଥଳ; କିନ୍ତୁ ଅନେକ ମାଛ ଜାଲରେ ପଡ଼ନ୍ତି । ଏମାନଙ୍କ ମଧ୍ୟରୁ କେତେ ଗୁଡ଼ିଏ ପଳାଇବାକୁ ଚେଷ୍ଟା କରନ୍ତି, ଏମାନେ ମୁମୁକ୍ଷୁ ଜୀବର ଉପମାସ୍ଥଳ । କିନ୍ତୁ ସବୁ ମାଛ ପଳାଇ ପାରନ୍ତି ନାହିଁ । ଦୁଇଚାରିଟା ଧଡ଼ପଡ଼ କରି ଜାଲ ଭିତରୁ ପଳାଇଯାଆନ୍ତି – ସେତେବେଳେ କେଉଟମାନେ କହନ୍ତି – ହେଇ ଗୋଟିଏ ବଡ଼ ମାଛ ପଳାଇଗଲା । କିନ୍ତୁ ଯେଉଁମାନେ ଜାଲରେ ପଡ଼ିଛନ୍ତି, ଅଧୁକାଂଶ ପଳାଇ ପାରନ୍ତି ନାହିଁ । ପଳାଇବାର ଚେଷ୍ଟା ବି କରନ୍ତି ନାହିଁ, ବରଂ ଜାଲ ମଧ୍ୟରେ ମୁହଁ ପୂରାଇ ପୋଖରୀର ପଙ୍କ ଭିତରେ ମୁହଁ ଗୁଞ୍ଜି ଚୁପ୍‌ କରି ଶୋଇରହନ୍ତି – ମନେକରନ୍ତି, ଆମେମାନେ ବେଶ୍‌ ଅଛୁ, କିନ୍ତୁ ଜାଣନ୍ତି ନାହିଁ ଯେ କେଉଟ କିଛିସମୟ ପରେ ଟାଣି ଉପରକୁ ଟେକି ନେବ । ଏମାନେ ବଦ୍ଧ-ଜୀବର ଉପମାସ୍ଥଳ ।

ସଂସାରୀ ଲୋକ ଓ ବଦ୍ଧ ଜୀବ

ବଦ୍ଧ-ଜୀବମାନେ ସଂସାରରେ କାମିନୀ ଓ କାଞ୍ଚନରେ ବଦ୍ଧ ହୋଇ ଅଛନ୍ତି । ହାତଗୋଡ଼ ବନ୍ଧା । ମନେକରନ୍ତି ଯେ, ଏହି ସଂସାରରେ କାମିନୀ ଓ କାଞ୍ଚନ ଦ୍ଵାରା ସୁଖ ହେବ, ଆଉ ନିର୍ଭୟରେ ରହିବେ । ଜାଣନ୍ତି ନାହିଁ ଯେ, ଏହାଦ୍ଵାରା ମୃତ୍ୟୁ ହେବ । ବଦ୍ଧ ଜୀବ ଯେତେବେଳେ ମରେ, ସେତେବେଳେ ତାହାର ସ୍ତ୍ରୀ କହେ, ‘ତୁମେ ତ ଚାଲିଲ, ମୋର କଅଣ କରିଗଲ ?’ ଆଉ ଏପରି ମାୟା ଯେ, ଦୀପଟାରେ ବେଶୀ ବଳିତା ଜଳିଲେ କହେ, ‘ତେଲ ପୋଡ଼ିଯିବ, ବଳିତା କମାଇ ଦିଅ ।’ ଏଣେ ମୃତ୍ୟୁ-ଶଯ୍ୟାରେ ପଡ଼ିଛି !

ବଦ୍ଧ ଜୀବମାନେ ଈଶ୍ୱରଚିନ୍ତା କରନ୍ତି ନାହିଁ । ଯଦି ଅବସର ହୁଏ ତାହାହେଲେ ହୁଏତ ଏଣୁତେଣୁ ଗପ କରନ୍ତି, ନୋହିଲେ ବାଜେ କାମ କରନ୍ତି । ପଚାରିଲେ କହନ୍ତି, ‘ମୁଁ ଚୁପ୍‌ କରି ରହିପାରେ ନାହିଁ, ତେଣୁ ବାଡ଼ ଦେଉଛି ।’ ହୁଏତ ସମୟ କଟୁନି ଦେଖି ତାସ୍‌ ଖେଳିବାକୁ ଆରମ୍ଭ କଲେ । (ସମସ୍ତେ ସ୍ତବ୍ଧ)
(୬)
ୟୋ ମାମଜମନାଦିଂ ଚ ବେତ୍ତି ଲୋକମହେଶ୍ୱରମ୍‌ ।
ଅସଂମୁଢ଼ଃ ସ ମର୍ତ୍ତ୍ୟେଷୁ ସର୍ବପାପୈଃ ପ୍ରମୁଚ୍ୟତେ ॥ ଗୀତା ୧୦.୩

ଉପାୟ – ବିଶ୍ୱାସ

ଜଣେ ଭକ୍ତ – ମହାଶୟ ! ଏପରି ସଂସାରୀ ଜୀବର କଅଣ କୌଣସି ଉପାୟ ନାହିଁ ?
ଶ୍ରୀରାମକୃଷ୍ଣ – ଅବଶ୍ୟ ଉପାୟ ଅଛି । ମଝିରେ ମଝିରେ ସାଧୁସଙ୍ଗ କରିବାକୁ ହୁଏ, ଆଉ ନିର୍ଜ୍ଜନରେ ଈଶ୍ୱରଚିନ୍ତା କରିବାକୁ ହୁଏ, ପୁଣି ବିଚାର କରିବାକୁ ହୁଏ, ତାଙ୍କ ନିକଟରେ ପ୍ରାର୍ଥନା କରିବାକୁ ହୁଏ – ‘ମୋତେ ଭକ୍ତି, ବିଶ୍ୱାସ ଦିଅ ।’

ବିଶ୍ଵାସ ହୋଇଗଲେ ହେଲା । ବିଶ୍ଵାସଠାରୁ ବଳି ଆଉ ଜିନିଷ ନାହିଁ ।

(କେଦାରଙ୍କ ପ୍ରତି) ବିଶ୍ଵାସର କେତେ ବଳ, ତାହା ତ ଶୁଣିଛ ? ପୁରାଣରେ ଅଛି, ରାମଚନ୍ଦ୍ର ଯେ ସାକ୍ଷାତ୍‌ ପୂର୍ଣ୍ଣବ୍ରହ୍ମ ନାରାୟଣ, ତାଙ୍କୁ ଲଙ୍କା ଯିବା ପାଇଁ ସେତୁ ବାନ୍ଧିବାକୁ ହେଲା; କିନ୍ତୁ ହନୁମାନ ରାମ ନାମରେ ବିଶ୍ଵାସ କରି ଲମ୍ଫଦେଇ ସମୁଦ୍ରର ଆରପାରିରେ ଯାଇ ପଡ଼ିଲା । ତାହାର ଆଉ ସେତୁର ପ୍ରୟୋଜନ ହେଲା ନାହିଁ । (ସମସ୍ତଙ୍କର ହାସ୍ୟ)

ବିଭୀଷଣ ଗୋଟିଏ ପତ୍ରରେ ରାମନାମ ଲେଖି ପତ୍ରଟିକୁ ଜଣେ ଲୋକର ଲୁଗାକାନିରେ ବାନ୍ଧି ଦେଇଥିଲେ । ସେ ଲୋକଟି ସମୁଦ୍ରର ଆରପାରିକୁ ଯିବ – ବିଭୀଷଣ କହିଲେ, ‘ତୁମର ଭୟ ନାହିଁ, ତୁମେ ବିଶ୍ଵାସ କରି ପାଣିଉପରେ ଚାଲିଯାଅ; କିନ୍ତୁ ଶୁଣ, ଯେତେବେଳେ ଅବିଶ୍ୱାସ କରିବ ସେତେବେଳେ ପାଣିରେ ବୁଡ଼ିଯିବ ।’ ଲୋକଟି ଖୁସିରେ ସମୁଦ୍ର ଉପରେ ଚାଲିଯାଉଥ୍‌ଲା । ଏତିକିବେଳେ ତାହାର ଭାରୀ ଇଚ୍ଛା ହେଲା ଯେ, ଲୁଗାକାନିରେ କଅଣ ବନ୍ଧା ହୋଇଛି ଥରେ ଦେଖିବ । ଫିଟାଇ ଦେଖିଲା ଯେ କେବଳ ରାମନାମ ଲେଖା ଅଛି । ସେତେବେଳେ ସେ ଭାବିଲା – ଏ କଅଣ, କେବଳ ଗୋଟିଏ ରାମନାମ ଲେଖା ଅଛି ! ଯେମିତି ଅବିଶ୍ୱାସ, ସଙ୍ଗେ ସଙ୍ଗେ ବୁଡ଼ିଗଲା ।

ଯାହାର ଈଶ୍ୱରଙ୍କଠାରେ ବିଶ୍ଵାସ ଅଛି, ସେ ଯଦି ମହାପାତକ କରେ – ଗୋରୁ, ବ୍ରାହ୍ମଣ, ସ୍ତ୍ରୀ ହତ୍ୟା କରେ, ତେବେ ମଧ୍ୟ ଏହି ବିଶ୍ୱାସ ବଳରେ ସେ ଗୁରୁତର ପାପରୁ ଉଦ୍ଧାର ପାଇପାରେ ।

ସେ ଯଦି କହେ, ମୁଁ ଆଉ ଏପରି କାର୍ଯ୍ୟ କରିବି ନାହିଁ, ତାହାହେଲେ ତାହାର କୌଣସି ଭୟ ନାହିଁ । ଏହା କହି ଠାକୁର ଗୀତ ଗାଇଲେ –
“ଆମି ଦୁର୍ଗା ଦୁର୍ଗା ବଲେ ମା ଯଦି ମରି ।…”

ନରେନ୍ଦ୍ର ଓ ନିତ୍ୟସିଦ୍ଧର ଲକ୍ଷଣ

ନରେନ୍ଦ୍ରଙ୍କର କଥା ପଡ଼ିଲା । ଭକ୍ତମାନଙ୍କୁ ଠାକୁର କହିଲେ, “ଏହି ପିଲାଟିକୁ ଦେଖୁଛ, ଏଠି ଗୋଟାଏ ପ୍ରକାର, ଦୁର୍ଦ୍ଦାନ୍ତ ବାଳକ । ବାପାଙ୍କ ପାଖରେ ଯେତେବେଳେ ବସେ ସତେ ଯେପରି କିଛି ଜାଣେ ନାହିଁ; ଆଉ ଚାନ୍ଦିନୀ ବା ଚଉତରା ଉପରେ ଯେତେବେଳେ ଖେଳେ ସେତେବେଳେ ଆଉ ଗୋଟାଏ ମୂର୍ତ୍ତି । ଏମାନେ ନିତ୍ୟସିଦ୍ଧଙ୍କର ଦଳ । ଏମାନେ ସଂସାରରେ କେବେ ବଦ୍ଧ ହୁଅନ୍ତି ନାହିଁ । ଟିକିଏ ବୟସ ହେଲେ ଚୈତନ୍ୟ ହୁଏ । ଆଉ ଭଗବାନଙ୍କ ଆଡ଼କୁ ଚାଲିଯାଆନ୍ତି । ଏମାନେ ସଂସାରକୁ ଆସନ୍ତି ଜୀବର ଶିକ୍ଷା ପାଇଁ । ଏମାନଙ୍କୁ ସଂସାରର କୌଣସି ବସ୍ତୁ ଭଲ ଲାଗେ ନାହିଁ ।  ଏମାନେ କାମିନୀ-କାଞ୍ଚନରେ କେବେହେଲେ ଆସକ୍ତି ହୁଅନ୍ତି ନାହିଁ ।

ବେଦରେ ଅଛି ହୋମା ପକ୍ଷୀର କଥା । ଆକାଶରେ ଖୁବ୍‌ ଉଚ୍ଚରେ ସେ ରହେ । ସେହି ଆକାଶରେ ସେ ଅଣ୍ଡାଦିଏ । ଅଣ୍ଡା ଦେଲାମାତ୍ରେ ଅଣ୍ଡାଟା ତଳକୁ ପଡ଼ିଥାଏ କିନ୍ତୁ ଏତେ ଉଚ୍ଚ ଯେ ଅନେକ ଦିନ ଧରି ଅଣ୍ଡା ପଡୁଥାଏ, ଅଣ୍ଡା ପଡୁ ପଡୁ ଫୁଟିଯାଏ । ସେତେବେଳେ ଛୁଆଟା ପଡୁଥାଏ । ପଡୁ  ପଡୁ ତାହାର ଆଖି ଫିଟେ ଓ ଡେଣା ବାହାରେ । ଆଖି ଫିଟିଲାମାତ୍ରେ ଦେଖିପାରେ ଯେ ସେ ପଡ଼ିଯାଉଛି, ଆଉ ମାଟିରେ ପଡ଼ିଲେ ଏକାବେଳକେ ଛେଚି ହୋଇଯିବ । ସେତେବେଳେ ସେ ମା ଆଡ଼କୁ ପ୍ରାଣମୂର୍ଚ୍ଛା ମୁହାଁଏ ଏବଂ ଉପରକୁ ଉଠିଯାଏ ।

ନରେନ୍ଦ୍ର ଉଠିଗଲେ । ସଭା ମଧ୍ୟରେ କେଦାର, ପ୍ରାଣକୃଷ୍ଣ, ମାଷ୍ଟର ଇତ୍ୟାଦି ଅନେକେ ଥିଲେ ।

ଶ୍ରୀରାମକୃଷ୍ଣ (ଭକ୍ତମାନଙ୍କ ପ୍ରତି) – ଦେଖ, ନରେନ୍ଦ୍ର ଗାଇବାରେ, ବଜାଇବାରେ, ପଢ଼ାପଢ଼ିରେ ସବୁଥିରେ ଭଲ । ସେଦିନ କେଦାର ସାଙ୍ଗରେ ତର୍କ କରୁଥିଲା । କେଦାରର କଥାଗୁଡ଼ିକ କଚ୍‌ କଚ୍‌ କରି କାଟିଦେଲା । (ଠାକୁର ଓ ସମସ୍ତଙ୍କର ହାସ୍ୟ)

(ମାଷ୍ଟରଙ୍କ ପ୍ରତି) ହଇ ହୋ ! ଇଂରାଜୀରେ କଅଣ କୌଣସି ତର୍କ-ବହି ଅଛି ?
ମାଷ୍ଟର – ଆଜ୍ଞା ହଁ, ଇଂରାଜୀରେ ନ୍ୟାୟଶାସ୍ତ୍ର Logic (ଲଜିକ୍‌) ଅଛି ।
ଶ୍ରୀରାମକୃଷ୍ଣ – ଆଚ୍ଛା, କିପରି ଟିକିଏ କହିଲ ।

ମାଷ୍ଟର ଏଥର ମୁସ୍କିଲରେ ପଡ଼ିଲେ ! କହିଲେ, “ଗୋଟିଏ ପ୍ରକାର ଅଛି – ସାଧାରଣ ସିଦ୍ଧାନ୍ତରୁ ବିଶେଷ ସିଦ୍ଧାନ୍ତରେ ପହଞ୍ଚିବା । ଯେପରି – ସବୁ ମନୁଷ୍ୟ ମରିବେ; ପଣ୍ଡିତମାନେ ମନୁଷ୍ୟ; ଅତଏବ ପଣ୍ଡିତମାନେ ମରିବେ ।

ଆଉ ଏକ ପ୍ରକାର – ବିଶେଷ ଦୃଷ୍ଟାନ୍ତ ବା ଘଟଣା ଦେଖି ସାଧାରଣ ସିଦ୍ଧାନ୍ତରେ ପହଞ୍ଚିବା । ଯେପରି – ଏ କୁଆଟା କଳା, ସେ କୁଆଟା କଳା, (ଆଉ) ଯେତେ କୁଆ ଦେଖୁଛି ସମସ୍ତେ କଳା; ଅତଏବ ସବୁ କୁଆ କଳା ।

କିନ୍ତୁ ଏପରି ସିଦ୍ଧାନ୍ତ କଲେ ଭୁଲ ହୋଇପାରେ; କାରଣ, ହୁଏତ ଖୋଜୁ ଖୋଜୁ କେଉଁ ଦେଶରେ ଧଳା କୁଆ ଦେଖାଗଲା । ଆଉ ଗୋଟିଏ ଦୃଷ୍ଟାନ୍ତ – ଯେଉଁଠାରେ ବୃଷ୍ଟି, ସେହିଠାରେ ମେଘ ଥିଲା ବା ଅଛି; ଅତଏବ ସାଧାରଣ ସିଦ୍ଧାନ୍ତ ହେଲା ଯେ, ମେଘରୁ ବୃଷ୍ଟି ହୁଏ । ଆଉ ଗୋଟିଏ ଦୃଷ୍ଟାନ୍ତ – ଏହି ମନୁଷ୍ୟର ବତ୍ରିଶ ଦାନ୍ତ ଅଛି, ସେହି ମନୁଷ୍ୟର ବତ୍ରିଶ ଦାନ୍ତ ଅଛି, ଆଉ ଯେକୌଣସି ମନୁଷ୍ୟ ଦେଖୁଛି ତାହାର ବତ୍ରିଶ ଦାନ୍ତ ଅଛି; ଅତଏବ ସବୁ ମନୁଷ୍ୟଙ୍କର ବତ୍ରିଶ ଦାନ୍ତ ଅଛି ।

ଏହିପରି ସାଧାରଣ ସିଦ୍ଧାନ୍ତର କଥା ନ୍ୟାୟଶାସ୍ତ୍ରରେ ଅଛି ।

ଠାକୁର କଥାଗୁଡ଼ିକ ଶୁଣିଲେ, ମାତ୍ର ଶୁଣୁ ଶୁଣୁ ଅନ୍ୟମନସ୍କ ହେଲେ । ସୁତରାଂ ଏ ବିଷୟରେ ଆଉ ବେଶୀ ଆଲୋଚନା ହେଲା ନାହିଁ ।
(୭)
ଶ୍ରୁତିବିପ୍ରତିପନ୍ନା ତେ ୟଦା ସ୍ଥାସ୍ୟତି ନିଶ୍ଚଳା ।
ସମାଧାବଚଳା ବୁଦ୍ଧିସ୍ତଦା ୟୋଗମବାପସ୍ୟସି ॥ ଗୀତା ୨.୫୩

ସମାଧି -ମନ୍ଦିରରେ

ସଭାଭଙ୍ଗ ହେଲା । ଭକ୍ତମାନେ ଏଣେ ତେଣେ ବୁଲିବାକୁ ଲାଗିଲେ । ମାଷ୍ଟର ମଧ୍ୟ ପଞ୍ଚବଟୀ ଇତ୍ୟାଦି ସ୍ଥାନକୁ ବୁଲିବାକୁ ଗଲେ । ସେତେବେଳେ ପ୍ରାୟ ଅପରାହ୍ନ ୫ଟା । କିଛି ସମୟ ପରେ ମାଷ୍ଟର ଠାକୁରଙ୍କ ଘର ଆଡ଼କୁ ଆସି ଘରର ଉତ୍ତର ପଟ ଛୋଟ ବାରଣ୍ଡାରେ ଏକ ଅଦ୍ଭୁତ ଘଟଣା ଦେଖିଲେ ।

ଠାକୁର ଶ୍ରୀରାମକୃଷ୍ଣ ସ୍ଥିର ହୋଇ ଠିଆ ହୋଇଛନ୍ତି । ନରେନ୍ଦ୍ର ଭଜନ ଗାଉଛନ୍ତି, ଦୁଇ ଜାରିଜଣ ଭକ୍ତ ଠିଆ ହୋଇଛନ୍ତି । ମାଷ୍ଟର ଆସି ସଙ୍ଗୀତ ଶୁଣିଲେ । ଭଜନ ଶୁଣି ଆକୃଷ୍ଟ ହୋଇ ରହିଲେ । ଠାକୁରଙ୍କ ଗୀତ ବ୍ୟତୀତ ଏପରି ମଧୁର ଗୀତ ସେ କେବେହେଲେ କେଉଁଠାରେ ଶୁଣି ନାହାଁନ୍ତି । ହଠାତ୍‌ ଠାକୁରଙ୍କ ଆଡ଼କୁ ଦୃଷ୍ଟି ପକାଇ ଅବାକ୍‌ ହୋଇ ରହିଲେ । ଦେଖିଲେ ଠାକୁର ଠିଆ ହୋଇଛନ୍ତି, ନିସ୍ପନ୍ଦ, ଚକ୍ଷୁର ପଲକ ପଡୁନାହିଁ । ନିଃଶ୍ବାସ ପ୍ରଶ୍ଵାସ ବହୁଛି କି ବହୁନାହିଁ । ପଚାରିବାରୁ ଜଣେ ଭକ୍ତ କହିଲେ, ଏହାର ନାମ ‘ସମାଧି’ ।

ମାଷ୍ଟର ଏପରି କେବେହେଲେ ଦେଖିନାହାଁନ୍ତି କି ଶୁଣିନାହାଁନ୍ତି । ଅବାକ୍‌ ହୋଇ ସେ ଭାବିବାକୁ ଲାଗିଲେ, ଭଗବାନଙ୍କୁ ଚିନ୍ତା କରି ମନୁଷ୍ୟ କଅଣ ଏତେ ବାହ୍ୟଜ୍ଞାନ ଶୂନ୍ୟ ହୁଏ ? ଜାଣେ ନା, କେତେଦୂର ବିଶ୍ୱାସ-ଭକ୍ତି ଥିଲେ ଏପରି ହୁଏ ! ଭଜନଟି ଏହି –

ଚିନ୍ତୟ ମନ ମାନସ ହରି ଚିଦ୍‌ଘନ ନିରଞ୍ଜନ ।
(କିବା) ଅନୁପମ ଭାତି, ମୋହନ ମୂରତି
ଭକତ – ହୃଦୟ ରଞ୍ଜନ ।
ନବ ରାଗେ ରଞ୍ଜିତ, କୋଟିଶଶୀ ବିନିନ୍ଦିତ,
କିବା, ବିଜୁଳୀ ଚମକେ, ସେ ରୂପ ଆଲୋକେ,
ପୁଲକେ ଶିହରେ ଜୀବନ ।

ଗୀତର ଶେଷ ପଦଟି ଗାଇଲାବେଳେ ଠାକୁର ଥରିବାକୁ ଲାଗିଲେ । ଦେହ ରୋମାଞ୍ଚିତ ହେବାକୁ ଲାଗିଲା । ଚକ୍ଷୁରୁ ଆନନ୍ଦାଶ୍ରୁ ବିଗଳିତ ହେଲା । ମଧ୍ୟେ ମଧ୍ୟେ ଯେପରି କିଛି ଦେଖି ହସିବାକୁ ଲାଗିଲେ । ହୁଏତ ‘କୋଟିଶଶୀ ବିନିନ୍ଦିତ’ ଅନୁପମ ରୂପ ଦର୍ଶନ କରୁଥିଲେ ! ଏହାର ନାମ କଅଣ ଭଗବାନଙ୍କର ଚିନ୍ମୟ ରୂପ ଦର୍ଶନ ? କେତେ ସାଧନା କଲେ, କେତେ ତପସ୍ୟା ଫଳରେ, କେତେଦୂର ଭକ୍ତି-ବିଶ୍ଵାସ ବଳରେ ଏହିପରି ଈଶ୍ୱର ଦର୍ଶନ ହୁଏ ?

ପୁଣି ଗୀତ ଚାଲିଲା –
ହୃଦି କମଲାସନେ ଭଜ ତାର ଶ୍ରୀଚରଣ,
ଦେଖ ଶାନ୍ତ ମନେ, ପ୍ରେମ ନୟନେ
ଅପରୂପ ପ୍ରିୟ ଦର୍ଶନ ।

ପୁନର୍ବାର ସେହି ଭୁବନମୋହନ ହାସ୍ୟ ! ଶରୀର ସେହିପରି ନିସ୍ପନ୍ଦ ! ସ୍ତିମିତ ଲୋଚନ ! କିନ୍ତୁ ଯେପରି କଅଣ ଅପରୂପ ଦର୍ଶନ କରୁଥିଲେ ! ଆଉ ସେହି ଅପରୂପ ରୂପ ଦର୍ଶନ କରି ଯେପରି ମହା ଆନନ୍ଦରେ ଭାସୁଥିଲେ । ଏଥର ଗୀତ ଶେଷ ହେଲା । ନରେନ୍ଦ୍ର ଗାଇଲେ –

ଚିଦାନନ୍ଦ ରସେ, ଭକ୍ତିଯୋଗାବେଶେ, ହଓରେ ଚିର ମଗନ ।
(ଚିଦାନନ୍ଦ-ରସେ) (ପ୍ରେମାନନ୍ଦ-ରସେ )

ସମାଧି ଓ ପ୍ରେମାନନ୍ଦର ଏହି ଅଦ୍ଭୁତ ଛବି ହୃଦୟ ମଧ୍ୟରେ ଗ୍ରହଣ କରି ମାଷ୍ଟର ଗୃହକୁ ଫେରିଲେ । ମଧ୍ୟେ ମଧ୍ୟେ ହୃଦୟ ମଧ୍ୟରେ ସେହି ହୃଦୟୋନ୍ମାଦକାରୀ ମଧୁର ସଙ୍ଗୀତର ସ୍ଵର ଉଠିବାକୁ ଲାଗିଲା ।
“ପ୍ରେମାନନ୍ଦ-ରସେ ହଓରେ ଚିର ମଗନ । (ହରିପ୍ରେମେ ମତ୍ତ ହୟେ)”

(୮)
ୟଂ ଲବ୍‌ଧ୍ଵା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ ।
ୟସ୍ମିନ୍‌ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚାଲ୍ୟତେ ॥ ଗୀତା ୬.୨୨

ନରେନ୍ଦ୍ର ଭବନାଥାଦି ଭକ୍ତଙ୍କ ସଙ୍ଗରେ ଆନନ୍ଦ

ତା’ ପରଦିନ ଛୁଟି ଥିଲା । ଅପରାହ୍ନ ତିନିଟାବେଳେ ମାଷ୍ଟର ପୁଣି ଆସି ଉପସ୍ଥିତ । ଠାକୁର ଶ୍ରୀରାମକୃଷ୍ଣ ସେହି ପୂର୍ବ ପରିଚିତ ଘରେ ବସିଛନ୍ତି । ତଳେ ମଣିଣା ପଡ଼ିଛି । ସେଠାରେ ନରେନ୍ଦ୍ର, ଭବନାଥ ଓ ଜଣେ ଦୁଇଜଣ ଭକ୍ତ ବସିଛନ୍ତି । ଯୁବକମାନଙ୍କ ବୟସ ଉଣେଇଶ କୋଡ଼ିଏ ବର୍ଷ । ଠାକୁର ସହାସ୍ୟ ବଦନ, ଛୋଟ ଖଟ ଉପରେ ବସିଛନ୍ତି ଏବଂ ଯୁବକମାନଙ୍କ ସହିତ ଆନନ୍ଦରେ କଥାବାର୍ତ୍ତା କରୁଛନ୍ତି । ମାଷ୍ଟର ଘର ଭିତରେ ପ୍ରବେଶ କରୁଛନ୍ତି ଦେଖି ଠାକୁର ଉଚ୍ଚ ହାସ୍ୟ କରି ଯୁବକମାନଙ୍କୁ କହିଲେ, “ହେଇରେ, ପୁଣି ଆସିଛି !” – କହିବାମାତ୍ରେ ହାସ୍ୟ । ସମସ୍ତେ ହସିବାକୁ ଲାଗିଲେ । ମାଷ୍ଟର ଆସି ଭୂମିଷ୍ଠ ହୋଇ ପ୍ରଣାମ କରି ବସିଲେ । ଆଗେ ହାତ ଯୋଡ଼ି ଠିଆ ହୋଇ ପ୍ରଣାମ କରୁଥିଲେ – ଯେପରି ଇଂରାଜୀ-ପଢ଼ା ଲୋକମାନେ କରନ୍ତି । କିନ୍ତୁ ଆଜି ସେ ଭୂମିଷ୍ଠ ହୋଇ ପ୍ରଣାମ କରିବାକୁ ଶିଖିଲେ । ସେ ଆସନ ଗ୍ରହଣ କରିବା ପରେ ଠାକୁର କାହିଁକି ହସୁଥିଲେ, ତାହା ହିଁ ନରେନ୍ଦ୍ରାଦି ଭକ୍ତମାନଙ୍କୁ ବୁଝାଇଦେଲେ । ସେ କହିଲେ, “ଦେଖ, ଗୋଟିଏ ମୟୂରକୁ ଚାରିଟାବେଳେ ଅଫିମ ଖୁଆଇ ଦିଆଯାଇଥିଲା । ତା’ ପରଦିନ ଠିକ୍‌ ଚାରିଟା ସମୟରେ ମୟୂରଟି ଆସି ହାଜର; ଅଫିମ ନିଶା ଧରିଥିଲା, ତେଣୁ ପୁଣି ଠିକ୍‌ ସମୟରେ ଅଫିମ ଖାଇବାକୁ ଆସିଛି ।” (ସମସ୍ତଙ୍କର ହାସ୍ୟ)

ମାଷ୍ଟର ମନେ ମନେ ଭାବିବାକୁ ଲାଗିଲେ, “ଏ ତ ଠିକ୍‌ କଥା କହୁଛନ୍ତି । ଘରକୁ ଯାଏ, କିନ୍ତୁ ଦିନରାତି ଏହାଙ୍କ ପାଖରେ ମନ ପଡ଼ି ରହେ – କେତେବେଳେ ଦେଖିବି, କେତେବେଳେ ଦେଖିବି ।  ଏଠାକୁ କେହି ଯେପରି ଟାଣି ଆଣେ । ଇଚ୍ଛା କଲେ ବି ଅନ୍ୟ ଜାଗାକୁ ଯିବା ପାଇଁ ଚାରା ନାହିଁ, ଏଠାକୁ ଆସିବାକୁ ହିଁ ହେବ !’ ଏହିପରି ଭାବୁଛନ୍ତି । ଏଣେ ଠାକୁର ଯୁବକମାନଙ୍କ ସଙ୍ଗରେ ଅନେକ ଥଟ୍ଟା ପରିହାସ କରିବାକୁ ଲାଗିଲେ, ଯେପରି ସେମାନେ ସମବୟସ୍କ । ହସର ଲହରୀ ଉଠିଲା, ସତେ ଯେପରି ଆନନ୍ଦର ହାଟ ବସିଛି ।

ମାଷ୍ଟର ଅବାକ୍‌ ହୋଇ ଏହି ଅଦ୍ଭୁତ ଚରିତ୍ର ଦେଖି ଭାବିଲେ – ଏହାଙ୍କର କ’ଣ ସେଦିନ ସମାଧି ଓ ଅଦୃଷ୍ଟପୂର୍ବ ପ୍ରେମାନନ୍ଦ ଦେଖିଥିଲି ! ସେହି ବ୍ୟକ୍ତି କ’ଣ ଆଜି ପ୍ରାକୃତ ଲୋକଙ୍କ ପରି ବ୍ୟବହାର କରୁଛନ୍ତି ! ଏ କ’ଣ ମୋତେ ପ୍ରଥମ ଦିନ ଉପଦେଶ ଦେବା ସମୟରେ ତିରସ୍କାର କରିଥିଲେ ? ଏ କ’ଣ ମୋତେ ‘ତୁମେ କଅଣ ଜ୍ଞାନୀ’ ବୋଲି କହିଥିଲେ ? ଏ କ’ଣ ସାକାର ନିରାକାର ଦୁଇ ସତ୍ୟ ବୋଲି କହିଥିଲେ ? ଏ କ’ଣ ମୋତେ କହିଥିଲେ ଯେ, ଈଶ୍ୱର ହିଁ ସତ୍ୟ, ଆଉ ସଂସାରର ସବୁକିଛି ଅନିତ୍ୟ ? ଏ କ’ଣ ମୋତେ ସଂସାରରେ ଦାସୀ ପରି ରହିବାକୁ କହିଥିଲେ ?

ଠାକୁର ରାମକୃଷ୍ଣ ଆନନ୍ଦ କରୁଛନ୍ତି ଓ ମାଷ୍ଟରଙ୍କୁ ଥରେ ଥରେ ଦେଖୁଛନ୍ତି । ଦେଖିଲେ, ସେ ଅବାକ୍‌ ହୋଇ ବସିଛନ୍ତି । ସେତେବେଳେ ରାମଲାଲଙ୍କୁ ସମ୍ବୋଧନ କରି କହିଲେ, “ଦେଖ, ଏହାଙ୍କର ବୟସ ଟିକିଏ ବେଶୀ କି ନା, ସେଥିପାଇଁ ଟିକିଏ ଗମ୍ଭୀର । ଏମାନେ ଏତେ ହସକୌତୁକ କରୁଛନ୍ତି, କିନ୍ତୁ ଏ ଚୁପ୍‌ କରି ବସିଛନ୍ତି ।” ମାଷ୍ଟରଙ୍କର ବୟସ ସେତେବେଳେ ସତାଇଶ ବର୍ଷ ହେବ ।

କଥା କହୁ କହୁ ପରମଭକ୍ତ ହନୁମାନଙ୍କର କଥା ଉଠିଲା । ହନୁମାନଙ୍କର ଖଣ୍ଡିଏ ଫଟୋ ଠାକୁରଙ୍କ ଘରେ କାନ୍ଥରେ ଝୁଲୁଥିଲା । ଠାକୁର କହିଲେ, “ଦେଖ, ହନୁମାନଙ୍କର କି ଭାବ ! ଧନ, ମାନ, ଦେହସୁଖ, କିଛି ହିଁ ଚାହାଁନ୍ତି ନାହିଁ, କେବଳ ଭଗବାନଙ୍କୁ ଚାହାଁନ୍ତି । ଯେତେବେଳେ ସ୍ପଟିକ ସ୍ତମ୍ଭରୁ ବ୍ରହ୍ମାସ୍ତ୍ର ନେଇ ପଳାଉଛନ୍ତି, ସେତେବେଳେ ମନ୍ଦୋଦରୀ ଅନେକ ପ୍ରକାର ଫଳ ନେଇ ଲୋଭ ଦେଖାଇବାକୁ ଲାଗିଲେ । ଭାବିଲେ ଫଳ ଲୋଭରେ ଓହ୍ଲାଇ ଆସି ଅସ୍ତ୍ରଟି ଯଦି ପକାଇଦିଏ । କିନ୍ତୁ ହନୁମାନ ଭୁଲିଯିବାର ପାତ୍ର ନୁହଁନ୍ତି । ସେ କହିଲେ –

ମୋର କେଉଁ ଫଳର ଅଭାବ ?
ପାଇଛି ଯେ ଫଳ ଜନମ ସଫଳ
ମୋକ୍ଷ-ଫଳର ବୃକ୍ଷ ରାମ ହୃଦୟେ ॥
ଶ୍ରୀରାମ-କଳ୍ପତରୁ ମୂଳେ ବସିଥାଏ,
ଯେଉଁ ଫଳ ଇଚ୍ଛା ସେହି ଫଳ ପାଏ ॥
କି ଫଳ ଦିଅ ବଢ଼ାଇ (ଧନୀ ଗୋ), ସେ ଫଳ ଗ୍ରାହକ ନୋହି,
ଯିବି ପ୍ରତିଫଳ ସଭିଙ୍କି ଦେଇ ॥

ସମାଧି-ମନ୍ଦିରରେ

ଠାକୁରେ ଏହି ଗୀତ ଗାଇବାକୁ ଲାଗିଲେ, ପୁଣି ସେହି ସମାଧି, ନିସ୍ପନ୍ଦ ଦେହ, ସ୍ତିମିତ ଲୋଚନ, ଦେହ ସ୍ଥିର, ବସିଛନ୍ତି – ଫୋଟୋଗ୍ରାଫରେ ଯେପରି ଛବି ଦେଖାଯାଏ । ଭକ୍ତମାନେ ଏତେବେଳ ଯାଏ ହସାହସି ଖେଳାଖେଳି କରୁଥିଲେ, ବର୍ତ୍ତମାନ ସମସ୍ତେ ଏକଦୃଷ୍ଟିରେ ଠାକୁରଙ୍କର ସେହି ଅଦ୍ଭୁତ ଅବସ୍ଥା ନିରୀକ୍ଷଣ କରିବାକୁ ଲାଗିଲେ । ସମାଧି ଅବସ୍ଥା ମାଷ୍ଟର ଏହି ଦ୍ଵିତୀୟ ଥର ଦର୍ଶନ କଲେ । ବହୁ ସମୟ ପରେ ଏହି ଅବସ୍ଥାର ପରିବର୍ତ୍ତନ ହେଲା । ଦେହ ଶିଥିଳ ହେଲା । ମୁଖ ସହାସ୍ୟ ହେଲା । ଇନ୍ଦ୍ରିୟଗଣ ପୁଣି ନିଜ ନିଜର କାର୍ଯ୍ୟ କଲେ । ଚକ୍ଷୁକୋଣରୁ ଆନନ୍ଦାଶ୍ରୁ ବିସର୍ଜନ କରି ଠାକୁର ‘ରାମ ରାମ’ ଏହି ନାମ ଉଚ୍ଚାରଣ କରିବାକୁ ଲାଗିଲେ !

ମାଷ୍ଟର ଭାବିଲେ – ଏହି ମହାପୁରୁଷ କଅଣ ପିଲାମାନଙ୍କ ସାଙ୍ଗରେ ଥଟ୍ଟା ପରିହାସ କରୁଥିଲେ ? ସେତେବେଳେ ଠିକ୍‌ ଯେପରି ପାଞ୍ଚ ବର୍ଷର ବାଳକ !

ଠାକୁର ପୂର୍ବପରି ପ୍ରକୃତିସ୍ଥ ହୋଇ ପୁଣି ସାଧାରଣ ଲୋକଙ୍କ ପରି ବ୍ୟବହାର କଲେ । ମାଷ୍ଟରଙ୍କୁ ଓ ନରେନ୍ଦ୍ରଙ୍କୁ ସମ୍ବୋଧନ କରି କହିଲେ, “ତୁମେ ଦୁଇଜଣ ଇଂରାଜୀରେ କଥା କୁହ ଓ ବିଚାର କର, ମୁଁ ଶୁଣିବି ।” ମାଷ୍ଟର ଓ ନରେନ୍ଦ୍ର ଉଭୟେ ଏହି କଥା ଶୁଣି ହସିଲେ । ଦୁହେଁ କିଛି ଆଲୋଚନା କଲେ କିନ୍ତୁ ବଙ୍ଗଳାରେ । ଠାକୁରଙ୍କ ସମ୍ମୁଖରେ ମାଷ୍ଟରଙ୍କ ବିଚାର ଆଉ ସମ୍ଭବ ନୁହେଁ । ତାଙ୍କର ତର୍କର ଘର ଠାକୁରଙ୍କ କୃପାରୁ ଏକପ୍ରକାର ବନ୍ଦ ହୋଇଯାଇଛି । ଆଉ କିପରି ବା ତର୍କ ବିଚାର କରିବେ ? ଠାକୁର ପୁଣି ଥରେ ଜିଦ୍‌ କଲେ; କିନ୍ତୁ ଇଂରାଜୀରେ ତର୍କ ଆଉ ହେଲା ନାହିଁ ।

(୯)
ତ୍ଵମକ୍ଷରଂ ପରମଂ ବେଦିତବ୍ୟଂ, ତ୍ଵମସ୍ୟ ବିଶ୍ୱସ୍ୟ ପରଂ ନିଧାନମ୍‌ ।
ତ୍ଵମବ୍ୟୟଃ ଶାଶ୍ୱତଧର୍ମଗୋପ୍ତା, ସନାତନସ୍ତ୍ବଂ ପୁରୁଷୋ ମତୋ ମେ ॥ ଗୀତା ୧୧.୧୮

ଅନ୍ତରଙ୍ଗ ଭକ୍ତଙ୍କ ସଙ୍ଗରେ – ‘ମୁଁ କିଏ ?’

ପାଞ୍ଚଟା ବାଜିଛି । କେତେଜଣ ଭକ୍ତ ଯେ ଯାହାର ଘରକୁ ଗଲେ । କେବଳ ମାଷ୍ଟର ଓ ନରେନ୍ଦ୍ର ରହିଲେ । ନରେନ୍ଦ୍ର ଲୋଟା ନେଇ ହଂସପୋଖରୀ ଓ ଝାଉଁତଳ ଆଡ଼କୁ ମୁହଁ ଧୋଇବାକୁ ଗଲେ । ମାଷ୍ଟର ମଧ୍ୟ ମନ୍ଦିର ଭିତରେ ଏପାଖ ସେପାଖ ବୁଲିଲେ । କିଛି ସମୟ ପରେ ହଂସପୋଖରୀ ଆଡ଼କୁ ଆସିଲେ । ଦେଖିଲେ, ପୋଖରୀର ଦକ୍ଷିଣ ଦିଗ ପାହାଚ ଚଟାଣ ଉପରେ ଠାକୁର ଠିଆ ହୋଇଛନ୍ତି, ଏବଂ ନରେନ୍ଦ୍ର ଲୋଟା ହାତରେ ଧରି ମୁହଁ ଧୋଇ ଠିଆ ହୋଇଛନ୍ତି । ଠାକୁର କହୁଛନ୍ତି, “ଦେଖ୍, ଆଉ ଟିକିଏ ବେଶୀ ବେଶୀ ଆସିବୁ । ନୂଆ ନୂଆ ଆସିଛୁ କି ନା ! ପ୍ରଥମ ଆଳାପ ପରେ ନୂଆ ସମସ୍ତେ ଘନ ଘନ ଆସନ୍ତି । ଯେପରି ନୂଆ ବର । (ନରେନ୍ଦ୍ର ଓ ମାଷ୍ଟରଙ୍କ ହାସ୍ୟ) । କ’ଣ ଆସିବୁ ତ ?” ନରେନ୍ଦ୍ର ବ୍ରାହ୍ମସମାଜର ଯୁବକ, ହସି ହସି କହିଲେ, “ହଁ, ଚେଷ୍ଟା କରିବି ।”

ପୁଣି ସମସ୍ତେ କୋଠି ବାଟେ ଠାକୁରଙ୍କ ଘରକୁ ଆସିବାକୁ ଲାଗିଲେ । କୋଠି ପାଖରେ ମାଷ୍ଟରଙ୍କୁ ଠାକୁର କହିଲେ, “ଦେଖ, ଚଷାମାନେ ହାଟକୁ ବଳଦ କିଣିବାକୁ ଯାଆନ୍ତି । ସେମାନେ ଭଲ ମନ୍ଦ ବଳଦ ବେଶ୍‌ ଚିହ୍ନନ୍ତି । ଲାଙ୍ଗୁଳ ତଳେ ହାତ ଦେଇ ଦେଖନ୍ତି । ଯେଉଁ ବଳଦର ଲାଙ୍ଗୁଳରେ ହାତ ଦେଲେ ଶୋଇପଡ଼େ ତାକୁ କିଣନ୍ତି ନାହିଁ । କିନ୍ତୁ ଯେଉଁ ବଳଦର ଲାଙ୍ଗୁଳରେ ହାତ ଦେଲେ ଚଙ୍ଗ୍‌ ଚଙ୍ଗ୍‌ ହୋଇ ଡ଼ିଆଁମାରେ, ସେହି ବଳଦକୁ ହିଁ ପସନ୍ଦ କରନ୍ତି । ନରେନ୍ଦ୍ର ଠିକ୍‌ ସେହି ଜାତିର ବଳଦ । ଭିତରେ ଖୁବ୍‌ ତେଜ ଅଛି ।” ଏହା କହି ଠାକୁରେ ହସିଲେ । “ଆଉ କେହି କେହି ଅଛନ୍ତି ଯେପରି ବୂଡ଼ାଚକଟା, ସେଥିରେ ଜୋର୍‌ ନାହିଁ କି ଆଣ୍ଟ ନାହିଁ, କେବଳ ପଚ୍‌ ପଚ୍‌ ହେଉଛି ।”

ସନ୍ଧ୍ୟା ହେଲା । ଠାକୁର ଈଶ୍ୱରଚିନ୍ତା କରିବାକୁ ଲାଗିଲେ । ମାଷ୍ଟରଙ୍କୁ କହିଲେ, “ତୁମେ ନରେନ୍ଦ୍ର ସହିତ କଥାବାର୍ତ୍ତା କର, ମୋତେ କହିବ ସେ କିଭଳି ପିଲା ।” ଆଳତି ହୋଇଗଲା । ମାଷ୍ଟର ବହୁସମୟ ପରେ ଚଉତରାର ପଶ୍ଚିମପଟେ ନରେନ୍ଦ୍ରଙ୍କୁ ଦେଖିଲେ । ପରସ୍ପର ମଧ୍ୟରେ କଥାବାର୍ତ୍ତା  ହେଲା । ନରେନ୍ଦ୍ର କହିଲେ, “ମୁଁ ସାଧାରଣ ବ୍ରାହ୍ମ ସମାଜର, କଲେଜରେ ପଢୁଛି, ଇତ୍ୟାଦି !”

ରାତି ହେଲାଣି – ମାଷ୍ଟର ଏଥର ବିଦାୟ ଗ୍ରହଣ କରିବେ; କିନ୍ତୁ ଆଉ ଯାଇପାରୁନାହାଁନ୍ତି । ସେଥିପାଇଁ ନରେନ୍ଦ୍ରଙ୍କ ନିକଟକୁ ଚାଲିଆସି ଠାକୁର ରାମକୃଷ୍ଣଙ୍କୁ ଖୋଜିଲେ । ତାଙ୍କର ଗୀତ ଶୁଣି ହୃଦୟମନ ମୁଗ୍‌ଧ ହୋଇଛି । ଖୁବ୍‌ ଇଚ୍ଛା ଯେ ପୁଣି ତାଙ୍କ ଶ୍ରୀମୁଖରୁ ଗୀତ ଶୁଣିବେ । ଖୋଜି ଖୋଜି ଦେଖିଲେ, ମା କାଳୀଙ୍କ ମନ୍ଦିର ସମ୍ମୁଖରେ ନାଟମନ୍ଦିର ମଧ୍ୟରେ ଏକାକୀ ଠାକୁର ପଦଚାରଣ କରୁଛନ୍ତି । ମାଆଙ୍କ ମନ୍ଦିରରେ ମାଆଙ୍କର ଦୁଇ ପାର୍ଶ୍ଵରେ ଆଲୁଅ ଜଳୁଥିଲା । କ୍ଷୀଣ ଆଲୋକ । ଆଲୋକ ଓ ଅନ୍ଧକାର ମିଶ୍ରିତ ହେଲେ ଯେପରି ହୁଏ ନାଟମନ୍ଦିର ସେହିପରି ଦେଖାଯାଉଥିଲା ।

ମାଷ୍ଟର ଠାକୁରଙ୍କର ଗୀତ ଶୁଣି ଆତ୍ମହରା ହୋଇଥିଲେ । ଯେପରି ମନ୍ତ୍ରମୁଗ୍‌ଧ ସର୍ପ; ବର୍ତ୍ତମାନ ସଙ୍କୁଚିତ ଭାବରେ ଠାକୁରଙ୍କୁ ପଚାରିଲେ, ‘ଆଜି ଆଉ କଅଣ ଗୀତ ହେବ ?’ ଠାକୁର ଚିନ୍ତା କରି କହିଲେ, “ନା, ଆଜି ଆଉ ଗୀତ ହେବ ନାହିଁ ।” ଏହା କହି ସତେ ଯେପରି କଅଣ ମନେ ପଡ଼ିଲା, ସଙ୍ଗେ ସଙ୍ଗେ କହିଲେ, “ତେବେ ଗୋଟେ କାମ କର । ମୁଁ ବଳରାମଙ୍କ ଘରକୁ କଲିକତା ଯିବି, ତୁମେ ଯିବ, ସେଠାରେ ଭଜନ ହେବ ।”

ମାଷ୍ଟର – ଯେ ଆଜ୍ଞା !
ଶ୍ରୀରାମକୃଷ୍ଣ – ତୁମେ ଜାଣ ? ବଳରାମ ବସୁ ?
ମାଷ୍ଟର – ଆଜ୍ଞା, ନା ।
ଶ୍ରୀରାମକୃଷ୍ଣ – ବଳରାମ ବସୁ । ବୋଷପଡ଼ାରେ ଘର ।
ମାଷ୍ଟର – ଆଜ୍ଞା ହଁ, ମୁଁ ପଚାରିନେବି ।
ଶ୍ରୀରାମକୃଷ୍ଣ – (ମାଷ୍ଟରଙ୍କ ସଙ୍ଗରେ ନାଟମନ୍ଦିରରେ ବୁଲି ବୁଲି) ଆଚ୍ଛା, ତୁମକୁ ଗୋଟିଏ କଥା ପଚାରେ, ମୋତେ ତୁମର କଅଣ ବୋଧ ହୁଏ ? ମାଷ୍ଟର ଚୁପ୍‌ କରି ରହିଲେ । ଠାକୁର ପୁଣି କହିଲେ, “ତୁମର କ’ଣ ବୋଧ ହୁଏ ? ମୋର କେତେ ଅଣା ଜ୍ଞାନ ହୋଇଛି ?
ମାଷ୍ଟର – ‘ଅଣା’ ଏକଥା ବୁଝିପାରୁ ନାହିଁ । ତେବେ ଏପରି ଜ୍ଞାନ ବା ପ୍ରେମଭକ୍ତି, ବିଶ୍ୱାସ, ବୈରାଗ୍ୟ ବା ଉଦାରଭାବ କେବେ ହେଲେ କେଉଁଠି ଦେଖିନାହିଁ ।

ଠାକୁର ହସିଲେ । ଏପରି କଥାବାର୍ତ୍ତା ପରେ ମାଷ୍ଟର ପ୍ରଣାମ କରି ବିଦାୟ ଗ୍ରହଣ କଲେ । ସଦର ଫାଟକ ପର୍ଯ୍ୟନ୍ତ ଆସି ପୁଣି କଅଣ ମନେପଡ଼ିଲା, ସଙ୍ଗେ ସଙ୍ଗେ ଫେରିଲେ । ପୁନର୍ବାର ନାଟମନ୍ଦିରରେ ଠାକୁର ରାମକୃଷ୍ଣଙ୍କ ନିକଟରେ ଆସି ଉପସ୍ଥିତ ।

ଠାକୁର ସେହି କ୍ଷୀଣାଲୋକ ମଧ୍ୟରେ ଏକାକୀ ପଦଚାରଣା କରୁଛନ୍ତି । ଏକାକୀ ନିଃସଙ୍ଗ । ପଶୁରାଜ ଯେପରି ଅରଣ୍ୟ ମଧ୍ୟରେ ନିଜ ମନ ଇଚ୍ଛାରେ ଏକାକୀ ବିଚରଣ କରୁଛି ! ଆତ୍ମାରାମ ! ସିଂହ ଏକାକୀ ରହିବାକୁ, ଏକାକୀ ବୁଲିବାକୁ ଭଲ ପାଏ ।

ଅବାକ୍‌ ହୋଇ ମାଷ୍ଟର ପୁଣି ସେହି ମହାପୁରୁଷଙ୍କୁ ଦେଖବାକୁ ଲାଗିଲେ ।

ଶ୍ରୀରାମକୃଷ୍ଣ (ମାଷ୍ଟରଙ୍କ ପ୍ରତି) – ପୁଣି ଫେରି ଆସିଲେ ଯେ ?
ମାଷ୍ଟର – ଆଜ୍ଞା, ବୋଧହୁଏ ବଡ଼ଲୋକ ଘର – ଯିବାକୁ ଦେବେ କି ନାହିଁ, ସେଥିପାଇଁ ଭାବୁଛି ଯିବି ନାହିଁ । ଏଠାକୁ ଆସି ଆପଣଙ୍କ ସଙ୍ଗେ ଦେଖା କରିବି ।
ଶ୍ରୀରାମକୃଷ୍ଣ – ନାହିଁ ନାହିଁ, ସେକଥା କାହିଁକି ହେବ ? ତୁମେ ମୋର ନାମ କହିବ – କହିବ, ତାଙ୍କ ପାଖକୁ ଯିବି । ତାହା ହେଲେ – କେହି ହେଲେ ମୋ ନିକଟକୁ ନେଇ ଆସିବ ।

ମାଷ୍ଟର ‘ଆଜ୍ଞା ହଁ’ କହି ପୁଣି ପ୍ରଣାମ କରି ବିଦାୟ ଗ୍ରହଣ କଲେ ।

ଦ୍ଵିତୀୟ ପରିଚ୍ଛେଦ – ବଳରାମ-ମନ୍ଦିରରେ

(୧)
ବଳରାମମନ୍ଦିରରେ ଭକ୍ତ ସଙ୍ଗରେ ଶ୍ରୀରାମକୃଷ୍ଣଙ୍କର ପ୍ରେମାନନ୍ଦରେ ନୃତ୍ୟ

ରାତ୍ରି ୮ଟା ୯ଟା ହେବ । ଦୋଳଯାତ୍ରା । ରାମ, ମନମୋହନ, ରାଖାଲ, ନିତ୍ୟଗୋପାଳ ପ୍ରଭୃତି ଭକ୍ତଗଣ ତାଙ୍କୁ ଘେରି ରହିଛନ୍ତି । ସମସ୍ତେ ହରିନାମ ସଂକୀର୍ତ୍ତନ କରୁ କରୁ ମତ୍ତ ହୋଇଯାଇଛନ୍ତି । କେତେଜଣ ଭକ୍ତଙ୍କର ଭାବାବସ୍ଥା ହୋଇଛି । ନିତ୍ୟଗୋପାଳଙ୍କର ଭାବାବସ୍ଥାରେ ବକ୍ଷସ୍ଥଳ ରକ୍ତିମବର୍ଣ୍ଣ ହୋଇଛି । ସମସ୍ତେ ବସିଲାରୁ ମାଷ୍ଟର ଠାକୁରଙ୍କୁ ପ୍ରଣାମ କଲେ । ଦେଖିଲେ – ରାଖାଲ ଶୋଇଛନ୍ତି, ଭାବାବିଷ୍ଠ ଓ ବାହ୍ୟଜ୍ଞାନଶୂନ୍ୟ । ଠାକୁରେ ତାଙ୍କ ଛାତିରେ ହାତ ଦେଇ ‘ଶାନ୍ତ ହୁଅ’ ‘ଶାନ୍ତ ହୁଅ’ କହୁଛନ୍ତି । ରାଖାଲଙ୍କର ଏହି ପ୍ରଥମ ଭାବାବସ୍ଥା । ସେ କଲିକତାରେ ବାପାଙ୍କ ପାଖରେ ରହନ୍ତି । ମଝିରେ ମଝିରେ ଠାକୁରଙ୍କୁ ଦର୍ଶନ କରିବାକୁ ଆସନ୍ତି । ଏହି ସମୟରେ ଶ୍ୟାମାପୁକୁରର ବିଦ୍ୟାସାଗର ମହାଶୟଙ୍କ ସ୍କୁଲରେ କେତେ ଦିନ ପଢ଼ିଥିଲେ ।

ଠାକୁର ମାଷ୍ଟରଙ୍କୁ ଦକ୍ଷିଣେଶ୍ଵରଠାରେ କହିଥିଲେ, “ମୁଁ କଲିକତାରେ ବଳରାମଙ୍କ ଘରକୁ ଯିବି, ତୁମେ ଆସିବ ।” ତେଣୁ ସେ ତାଙ୍କୁ ଦର୍ଶନ କରିବାକୁ ଆସିଛନ୍ତି । ଫାଲ୍‌ଗୁନ ମାସର ଶୁକ୍ଳପକ୍ଷ ୧୮୮୨ ଖ୍ରୀଷ୍ଟାବ୍ଦ ୧୧ ତାରିଖ ମାର୍ଚ୍ଚ, ଶନିବାର; ଶ୍ରୀଯୁକ୍ତ ବଳରାମ ଠାକୁରଙ୍କୁ ନିମନ୍ତ୍ରଣ କରି ଆଣିଛନ୍ତି ।

ଏଥର ଭକ୍ତମାନେ ବାରଣ୍ଡାରେ ବସି ପ୍ରସାଦ ପାଉଛନ୍ତି । ବଳରାମବାବୁ ଦାସ ପରି ଠିଆ ହୋଇଛନ୍ତି, ଦେଖିଲେ ବୋଧ ହୁଏ ନାହିଁ ଯେ ସେ ଏହି ଘରର କର୍ତ୍ତା ।

ମାଷ୍ଟର ଏବେ ନୂଆ ଆସୁଛନ୍ତି । ବର୍ତ୍ତମାନ ମଧ୍ୟ ଭକ୍ତମାନଙ୍କ ସଙ୍ଗରେ ପରିଚୟ ହୋଇନାହିଁ । କେବଳ ଦକ୍ଷିଣେଶ୍ଵରଠାରେ ନରେନ୍ଦ୍ରଙ୍କ ସହିତ ପରିଚୟ ହୋଇଥିଲା ।

ସର୍ବଧର୍ମ-ସମନ୍ଵୟ

କେତେ ଦିନ ପରେ ଠାକୁର ଶ୍ରୀରାମକୃଷ୍ଣ ଦକ୍ଷିଣେଶ୍ଵରରେ ଶିବ-ମନ୍ଦିରର ପାହାଚ ଉପରେ ଭାବାବିଷ୍ଟ ହୋଇ ବସିଛନ୍ତି । ସମୟ ୪ଟା ୫ଟା ହେବ । ମାଷ୍ଟର ପାଖରେ ବସିଛନ୍ତି ।

ଟିକିଏ ଆଗରୁ ଠାକୁର ନିଜ ଘରେ ତଳେ ବିଛଣା ପକାଇ ସେଥିରେ ବିଶ୍ରାମ କରୁଥିଲେ । ବର୍ତ୍ତମାନ ମଧ୍ୟ ଠାକୁରଙ୍କର ସେବା ପାଇଁ ପାଖରେ କେହି ରହନ୍ତି ନାହିଁ । ହୃଦୟ ଯିବା ପରେ ଠାକୁରଙ୍କର କଷ୍ଟ ହେଉଛି । କଲିକତାରୁ ମାଷ୍ଟର ଆସିବା ପରେ ସେ ତାଙ୍କ ସଙ୍ଗରେ କଥା କହୁ କହୁ ଶ୍ରୀଶ୍ରୀରାଧାକାନ୍ତଙ୍କର ମନ୍ଦିର ସମ୍ମୁଖସ୍ଥ ଶିବମନ୍ଦିରର ପାହାଚରେ ଆସି ବସିଥିଲେ; କିନ୍ତୁ ମନ୍ଦିର ଦେଖି ହଠାତ୍‌ ଭାବାବିଷ୍ଟ ହୋଇଛନ୍ତି ।

ଠାକୁର ଜଗନ୍ନାତାଙ୍କ ସହିତ କଥା କହୁଛନ୍ତି; କହୁଛନ୍ତି, “ମା ! ସମସ୍ତେ କହୁଛନ୍ତି – ମୋର ଘଡ଼ି ଠିକ୍‌ ଚାଲିଛି । ଖ୍ରୀଷ୍ଟିଆନ, ବ୍ରହ୍ମଜ୍ଞାନୀ, ହିନ୍ଦୁ, ମୁସଲମାନ ସମସ୍ତେ କୁହନ୍ତି ଆମର ଧର୍ମ ଠିକ୍‌ । କିନ୍ତୁ ମା, କାହାର ଘଡ଼ି ତ ଠିକ୍‌ ଚାଲୁ ନାହିଁ । ତୁମକୁ ଠିକ୍‌ କିଏ ବୁଝିପାରିବ ! ତେବେ ବ୍ୟାକୁଳ ହୋଇ ଡାକିଲେ, ତୁମର କୃପା ହେଲେ ସବୁପଥ ଦେଇ ତୁମ ନିକଟରେ ପହଞ୍ଚିହେବ । ମା, ଖ୍ରୀଷ୍ଟିଆନମାନେ ଗୀର୍ଜାରେ ତୁମକୁ କିପରି ଡାକନ୍ତି, ଥରେ ଦେଖାଅ ! କିନ୍ତୁ ମା, ଭିତରକୁ ଗଲେ ଲୋକେ କଅଣ କହିବେ ? ଯଦି କିଛି ଗଣ୍ଡଗୋଳ ହୁଏ ? ପୁଣି କାଳୀ-ଘରେ ଯଦି ପଶିବାକୁ ନ ଦିଅନ୍ତି ? ତେବେ ଗୀର୍ଜ୍ଜାର ବାହାରୁ ଦେଖାଅ ।”

ଭକ୍ତଙ୍କ ସଙ୍ଗେ ଭଜନାନନ୍ଦରେ – ରାଖାଲପ୍ରେମ ‘ପ୍ରେମସୁରା’

ଆଉଦିନେ ଠାକୁର ନିଜ ଘରେ ଛୋଟ ଖଟ ଉପରେ ବସିଛନ୍ତି । ଆନନ୍ଦମୟ ମୂର୍ତ୍ତି, ହାସ୍ୟବଦନ । ଶ୍ରୀଯୁକ୍ତ କାଳୀକୃଷ୍ଣଙ୍କ ସଙ୍ଗରେ ମାଷ୍ଟର ଆସି ଉପସ୍ଥିତ ।

କାଳୀକୃଷ୍ଣ ଜାଣନ୍ତି ନାହିଁ, ତାଙ୍କର ବନ୍ଧୁ ତାଙ୍କୁ କେଉଁଠାକୁ ନେଇ ଆସିଛନ୍ତି । ବନ୍ଧୁ କହିଥିଲେ, ଶୁଣ୍ଠିର ଦେକାନକୁ ଯିବ ତ ମୋ ସଙ୍ଗରେ ଆସ; ସେଠାରେ ଏକ ମାଠିଆ ମଦ ଅଛି । ମାଷ୍ଟର ଆସି ବନ୍ଧୁଙ୍କୁ ଯାହା କହିଥିଲେ, ପ୍ରଣାମାନନ୍ତର ଠାକୁରଙ୍କୁ ସମସ୍ତ ନିବେଦନ କଲେ । ଠାକୁର ହସିବାକୁ ଲାଗିଲେ ।

ଠାକୁରେ କହିଲେ, “ଭଜନାନନ୍ଦ, ବ୍ରହ୍ମାନନ୍ଦ – ଏହି ଆନନ୍ଦ ହିଁ ସୁରା, ପ୍ରେମର ସୁରା । ମାନବ-ଜୀବନର ଉଦ୍ଦେଶ୍ୟ ଈଶ୍ୱରଙ୍କଠାରେ ପ୍ରେମ, ଈଶ୍ୱରଙ୍କଠାରେ ଶ୍ରଦ୍ଧା । ଭକ୍ତି ହିଁ ସାର । ଜ୍ଞାନ-ବିଚାର କରି ଈଶ୍ୱରଙ୍କୁ ଜାଣିବା ଅତ୍ୟନ୍ତ କଠିନ ।” ଏହା କହି ଠାକୁର ଗୀତ ଗାଇଲେ –
“କେ ଜାନେ କାଲୀ କେମନ, ଷଡ଼ଦର୍ଶନେ ନା ପାୟ ଦରଶନ ।” ଇତ୍ୟାଦି

ଠାକୁର ଶ୍ରୀରାମକୃଷ୍ଣ ପୁଣି କହୁଛନ୍ତି, “ଇଶ୍ଵରଙ୍କୁ ଭଲ ପାଇବା – ଏହା ହିଁ ଜୀବନର ଉଦ୍ଦେଶ୍ୟ – ଯେପରି ବୃନ୍ଦାବନରେ ଗୋପଗୋପୀମାନେ ଗୋପାଳମାନେ ଶ୍ରୀକୃଷ୍ଣଙ୍କୁ ଭଲ ପାଉଥିଲେ ।  ଯେତେବେଳେ ଶ୍ରୀକୃଷ୍ଣ ମଥୁରାକୁ ଗଲେ, ଗୋପାଳମାନେ ତାଙ୍କର ବିରହରେ କାନ୍ଦିକାନ୍ଦି ବୁଲିଲେ ।” ଏହା କହି ଠାକୁର ଉର୍ଦ୍ଧ୍ୱଦୃଷ୍ଟି ହୋଇ ଗୀତ ଗାଇଲେ –
“ଦେଖେ ଏଲାମ୍‌ ଏକ ନବୀନ ରାଖାଲ, ” ଇତ୍ୟାଦି

ଠାକୁରଙ୍କର ପ୍ରେମବୋଳା ଗୀତ ଶୁଣି ମାଷ୍ଟରଙ୍କ ଆଖରେ ଲୁହ ।

(୨)
ଶ୍ରୀରାମକୃଷ୍ଣ ଭକ୍ତି-ମନ୍ଦିରରେ – ପ୍ରାଣକୃଷ୍ଣଙ୍କ ଘରେ

ଠାକୁର ଶ୍ରୀରାମକୃଷ୍ଣ ଆଜି କଲିକତାକୁ ଶୁଭାଗମନ କରିଛନ୍ତି । ଶ୍ରୀଯୁକ୍ତ ପ୍ରାଣକୃଷ୍ଣ ମୁଖୋପାଧ୍ୟାୟଙ୍କର ଶ୍ୟାମପୁକୁର ଘରେ ଦ୍ୱିତଳର ବୈଠକଖାନାରେ ଭକ୍ତଙ୍କ ସଙ୍ଗରେ ବସିଛନ୍ତି । ଏହିକ୍ଷଣି ଭକ୍ତଙ୍କ ସଙ୍ଗରେ ବସି ପ୍ରସାଦ ପାଇଛନ୍ତି । ଆଜି ଅପ୍ରେଲ ଦୁଇ ତାରିଖ, ରବିବାର, ୧୮୮୨ ଖ୍ରୀ: ଚୈତ୍ର ୨୧ ଦିନ ୧୨୮୮, ଶୁକ୍ଳ ଚତୁର୍ଦ୍ଦଶୀ; ବର୍ତ୍ତମାନ ସମୟ ୧୨ଟା ହେବ । କପ୍ତାନ ଏହି ପଡ଼ାରେ ହିଁ ରହନ୍ତି, ଠାକୁରଙ୍କର ଇଚ୍ଛା ଏହି ଘରେ ବିଶ୍ରାମ ନେଇ କପ୍ତାନଙ୍କର ଘର ହୋଇ ତାଙ୍କୁ ଦର୍ଶନ କରି, କମଳକୁଟୀରରେ ଶ୍ରୀଯୁକ୍ତ କେଶବ ସେନଙ୍କୁ ଦେଖିବାକୁ ଯିବେ । ପ୍ରାଣକୃଷ୍ଣ ବୈଠକଖାନାରେ ବସିଛନ୍ତି । ରାମ, ମନମୋହନ, କେଦାର, ସୁରେନ୍ଦ୍ର, ଗିରୀନ୍ଦ୍ର (ସୁରେନ୍ଦ୍ରଙ୍କର ଭାଇ), ରାଖାଲ, ବଳରାମ, ମାଷ୍ଟର ପ୍ରଭୃତି ଭକ୍ତମାନେ ଉପସ୍ଥିତ । ସାହିର ବାବୁମାନେ ଓ ଅନ୍ୟାନ୍ୟ ନିମନ୍ତ୍ରିତ ବ୍ୟକ୍ତିମାନେ ମଧ୍ୟ ଅଛନ୍ତି; ଠାକୁର କ’ଣ କହିବେ – ଶୁଣିବା ପାଇଁ ସମସ୍ତେ ଉତ୍ସୁକ ହୋଇ ବସିଛନ୍ତି ।

ଠାକୁର କହୁଛନ୍ତି, “ଈଶ୍ୱର ଓ ତାଙ୍କର ଐଶ୍ୱର୍ଯ୍ୟ । ଏହି ଜଗତ ତାଙ୍କର ଐଶ୍ୱର୍ଯ୍ୟ । କିନ୍ତୁ ଐଶ୍ୱର୍ଯ୍ୟ ଦେଖି ସମସ୍ତେ ଭୁଲିଯାଆନ୍ତି; ଯାହାଙ୍କର ଐଶ୍ୱର୍ଯ୍ୟ ତାଙ୍କୁ ଖୋଜନ୍ତି ନାହିଁ । କାମିନୀ-କାଞ୍ଚନ ଭୋଗ କରିବାକୁ ସମସ୍ତେ ଧାଆଁନ୍ତି କିନ୍ତୁ ଦୁଃଖ ଅଶାନ୍ତି ହିଁ ବେଶୀ । ସଂସାର ଯେପରି ‘ବିଶାଳାକ୍ଷୀଙ୍କର ଦହ’ । ନୌକା ଦହରେ ଥରେ ପଡ଼ିଲେ ଆଉ ରକ୍ଷା ନାହିଁ । କାନକୋଳି କଣ୍ଟା ପରି ଗୋଟାଏ ଛାଡ଼େ ତ ଆଉ ଗୋଟାଏ ଲାଗେ । ଗୋଲକଧନ୍ଦାରେ ଥରେ ପଶିଲେ ବାହାରିବା ମୁସ୍କିଲ । ମନୁଷ୍ୟ ଯେପରି ଦରପୋଡ଼ା ହୋଇଯାଏ ।”

ଜଣେ ଭକ୍ତ – ବର୍ତ୍ତମାନ ଉପାୟ ?

ଉପାୟ – ସାଧୁସଙ୍ଗ ଆଉ ପ୍ରାର୍ଥନା

ଶ୍ରୀରାମକୃଷ୍ଣ – ଉପାୟ ସାଧୁସଙ୍ଗ ଆଉ ପ୍ରାର୍ଥନା । ବୈଦ୍ୟଙ୍କ ପାଖକୁ ନ ଗଲେ ରୋଗ ଭଲ ହୁଏ ନାହିଁ । ସାଧୁସଙ୍ଗ ଦିନେ ଅଧେ କଲେ ହୁଏ ନାହିଁ, ସଦାସର୍ବଦା ଦରକାର । ରୋଗ ଲାଗି ରହିଛି । ପୁଣି ବୈଦ୍ୟଙ୍କ ପାଖରେ ନ ରହିଲେ ନାଡ଼ୀଜ୍ଞାନ ହୁଏ ନାହିଁ, ସଙ୍ଗେ ସଙ୍ଗେ ବୁଲିବାକୁ ହୁଏ, ତେବେ ଯାଇ କେଉଁଟି ପୀତ୍ତ-ନାଡ଼ୀ, କେଉଁଟି କଫ-ନାଡ଼ୀ ବୁଝାଯାଏ ।
ଭକ୍ତ – ସାଧୁସଙ୍ଗରେ କି ଉପକାର ହୁଏ ?
ଶ୍ରୀରାମକୃଷ୍ଣ – ଈଶ୍ୱରଙ୍କଠାରେ ଅନୁରାଗ ହୁଏ । ତାଙ୍କ ଉପରେ ଶ୍ରଦ୍ଧା ହୁଏ । ବ୍ୟାକୁଳତା ନ ଆସିଲେ କିଛି ହୁଏ ନାହିଁ । ସାଧୁ ସଙ୍ଗ କରୁ କରୁ ଈଶ୍ୱରଙ୍କ ପାଇଁ ପ୍ରାଣ ବ୍ୟାକୁଳ ହୁଏ । ଯେପରି ଘରେ କାହାରି ବେମାରି ହେଲେ ସର୍ବଦା ମନ ବ୍ୟାକୁଳ ହୁଏ, କିପରି ରୋଗୀ ଭଲ ହେବ । ପୁଣି କାହାରି ଯଦି ଚାକିରୀ ଯାଏ, ସେ ବ୍ୟକ୍ତି ଯେପରି ଏ ଅଫିସ ସେ ଅଫିସ ଘୂରି ଘୂରି ବୁଲେ, ସେହିପରି ବ୍ୟାକୁଳ ହେବାକୁ ହୁଏ; ଯଦି କେଉଁ ଅଫିସରେ କହନ୍ତି ଚାକିରୀ ଖାଲି ନାହିଁ, ପୁଣି ତା’ପରଦିନ ଆସି ପଚାରେ – ଆଜି କଅଣ କୌଣସି ଚାକିରୀ ଖାଲି ହୋଇଛି ?

ଆଉ ଗୋଟିଏ ଉପାୟ ଅଛି – ବ୍ୟାକୁଳ ହୋଇ ପ୍ରାର୍ଥନା । ସେ ଯେ ନିଜ ଲୋକ । ତାଙ୍କୁ କହିବାକୁ ହୁଏ – ତୁମେ କିପରି ? ଦେଖା ଦିଅ – ନିଶ୍ଚୟ ଦେଖା ଦେବାକୁ ହେବ – ତୁମେ ମୋତେ ସୃଷ୍ଟି କରିଛ କାହିଁକି ? ଶିଖ୍ ମାନେ କହିଥିଲେ, ‘ଈଶ୍ୱର ଦୟାମୟ ।’ ମୁଁ ସେମାନଙ୍କୁ କହିଥିଲି – ଦୟାମୟ କାହିଁକି କହିବି ? ସେ ଆମମାନଙ୍କୁ ସୃଷ୍ଟି କରିଛନ୍ତି, ଯେଉଁଥିରେ ଆମମାନଙ୍କର ମଙ୍ଗଳ ହୁଏ, ତାହା ଯଦି ସେ କରନ୍ତି, ସେଥିରେ ଆଉ ଆଶ୍ଚର୍ଯ୍ୟ କ’ଣ ! ବାପା-ମା’ ପିଲାଙ୍କୁ ପାଳନ କରିବେ, ତାହା କ’ଣ ଦୟା ! ତାହା ତ ତାଙ୍କୁ କରିବାକୁ ହିଁ ହେବ; ତେଣୁ ଜୋର୍‌ କରି ପ୍ରାର୍ଥନା କରିବାକୁ ହୁଏ । ସେ ଯେ ଆପଣାର ମା’, ଆପଣାର ବାପା । ପୁଅ ଯଦି ଖାଇବା ଛାଡ଼ି ଜିଦ୍‌ କରେ, ବାପା-ମା’ ତିନି ବର୍ଷ ପୂର୍ବରୁ ତାହାର ଭାଗ ତାକୁ ଦେଇଦିଅନ୍ତି । ପୁଣି ଯେତେବେଳେ ପିଲା ପଇସା ଚାହେଁ, ଆଉ ବାରମ୍ବାର କହେ, ମା’, ତୋ ଗୋଡ଼ତଳେ ପଡ଼ୁଛି, ମୋତେ ଦୁଇଟା ପଇସା ଦେ’, ସେତେବେଳେ ମା ବିରକ୍ତ ହୋଇ ଓ ତାର ବ୍ୟାକୁଳତା ଦେଖି ପଇସା ପକାଇ ଦିଏ ।

ସାଧୁସଙ୍ଗ କଲେ ଆଉ ଗୋଟିଏ ଉପକାର ହୁଏ । ସଦସତ୍‌ ବିଚାର । ସତ୍‌ ନିତ୍ୟ ପଦାର୍ଥ ଅର୍ଥାତ୍‌ ଈଶ୍ୱର । ଅସତ୍‌ ଅର୍ଥାତ୍‌ ଅନିତ୍ୟ । ଅସତ୍‌ ପଥକୁ ମନ ଗଲେ ବିଚାର କରିବାକୁ ହୁଏ । ହାତୀ ପରର କଦଳୀଗଛ ଖାଇବାକୁ ଶୁଣ୍ଢ ବଢ଼ାଇଲେ ମାହୁନ୍ତ ଅଙ୍କୁଶ ମାରେ ।

ପ୍ରତିବେଶୀ – ମହାଶୟ, ପାପବୁଦ୍ଧି କାହିଁକି ହୁଏ ?
ଶ୍ରୀରାମକୃଷ୍ଣ – ତାଙ୍କ ଜଗତରେ ସବୁ ପ୍ରକାରର ଅଛି; ସାଧୁ ଲୋକ ସେ କରିଛନ୍ତି, ଦୁଷ୍ଟ ଲୋକ ମଧ୍ୟ ସେ କରିଛନ୍ତି, ସଦ୍‌ବୁଦ୍ଧି ସେହି ଦିଅନ୍ତି, ଅସଦ୍‌ ବୁଦ୍ଧି ମଧ୍ୟ ସେହି ଦିଅନ୍ତି ।

ପାପୀର ଦାୟିତ୍ଵ ଓ କର୍ମଫଳ

ପ୍ରତିବେଶୀ – ତେବେ ପାପ କଲେ କ’ଣ ଆମମାନଙ୍କର କୌଣସି ଦାୟିତ୍ଵ ନାହିଁ ?
ଶ୍ରୀରାମକୃଷ୍ଣ – ଈଶ୍ୱରଙ୍କର ନିୟମ ଯେ, ପାପ କଲେ ତାହାର ଫଳ ପାଇବାକୁ ହେବ । ଲଙ୍କାମରିଚ ଖାଇବ, ଆଉ ରାଗ ଲାଗିବ ନାହିଁ ? ସେଜୋବାବୁ (ମଥୁରବାବୁ) ଯେତେବେଳେ ବୟସ ଥିଲା, କେତେ କ’ଣ କରିଥଲା, ତେଣୁ ମୃତ୍ୟୁ ବେଳକୁ କେତେ ପ୍ରକାର ରୋଗ ହେଲା । କମ୍‌ ବୟସରେ ଏତେ ଜଣାଯାଏ ନାହିଁ ! କାଳୀମନ୍ଦିରରେ ଭୋଗ ରାନ୍ଧିବା ପାଇଁ ଅନେକ ସୁନ୍ଦରୀକାଠ (ଏକ ପ୍ରକାର ଜାଳେଣି କାଠ) ଥାଏ । ଓଦା କାଠ ପ୍ରଥମେ ବେଶ୍‌ ଜଳିଯାଏ, ସେତେବେଳେ ଭିତରେ ଯେ ପାଣି ଅଛି, ଜଣାଯାଏ ନାହିଁ ! କାଠଟା ଜଳି ଜଳି ଶେଷ ଆଡ଼କୁ ଆସିଲେ ପାଣିତକ ପଛକୁ ଠେଲି ହୋଇ ଆସେ ଓ ସେଁ ସେଁ କରି ନିଆଁ ଲିଭାଇ ଦିଏ । ତେଣୁ କାମ, କ୍ରୋଧ, ଲୋଭ ଏସବୁଥିରେ ସାବଧାନ ରହିବାକୁ ହୁଏ । ଦେଖୁନ, ହନୁମାନ କ୍ରୋଧରେ ଲଙ୍କା ଦଗ୍‌ଧ କଲେ, ଶେଷରେ ମନେ ପଡ଼ିଲା, ଅଶୋକ ବନରେ ସୀତା ଅଛନ୍ତି । ସେତେବେଳେ ଛଟପଟ ହେବାକୁ ଲାଗିଲେ, କାଳେ ସୀତାଙ୍କର କିଛି ହେବ ।

ପ୍ରତିବେଶୀ – ତେବେ ଈଶ୍ୱର ଦୁଷ୍ଟ ଲୋକ କାହିଁକି କଲେ ?
ଶ୍ରୀରାମକୃଷ୍ଣ – ତାଙ୍କର ଇଚ୍ଛା, ତାଙ୍କର ଲୀଳା । ତାଙ୍କ ମାୟାରେ ବିଦ୍ୟା ଅଛି, ଅବିଦ୍ୟା ମଧ୍ୟ ଅଛି । ଅନ୍ଧକାରର ମଧ୍ୟ ପ୍ରୟୋଜନ ଅଛି; ଅନ୍ଧକାର ଥିଲେ ଆଲୋକର ଅଧିକ ମହିମା ପ୍ରକାଶ ପାଏ । କାମ, କ୍ରୋଧ, ଲୋଭ ଖରାପ ଜିନିଷ ସତ, ତେବେ ସେ ଦେଇଛନ୍ତି କାହିଁକି ? ମହତ୍‌ ଲୋକ ତିଆରି କରିବେ ବୋଲି । ଇନ୍ଦ୍ରିୟ ଜୟ କଲେ ଲୋକ ମହତ୍‌ ହୁଏ । ଜିତେନ୍ଦ୍ରିୟ କଅଣ ନ କରିପାରେ ? ଈଶ୍ୱରଲାଭ ମଧ୍ୟ ତାଙ୍କ କୃପାରୁ କରିପାରେ । ପୁଣି ଅନ୍ୟ ଦିଗରୁ ଦେଖ, କାମରୁ ହିଁ ତାଙ୍କର ସୃଷ୍ଟି-ଲୀଳା ଚାଲିଛି !

ଦୁଷ୍ଟ ଲୋକର ମଧ୍ୟ ଦରକାର ଅଛି । ଗୋଟିଏ ତାଲୁକର ପ୍ରଜାମାନେ ଭୀଷଣ ଦୁର୍ଦ୍ଦାନ୍ତ ହୋଇଥିଲେ । ସେତେବେଳେ ଗୋଲକ ଚୌଧୁରୀକୁ ପଠାଇ ଦିଆଗଲା । ତା’ର ନାଆଁ ଶୁଣି ପ୍ରଜାମାନେ ଥରିବାକୁ ଲାଗିଲେ – ଏବେ କଠୋର ଶାସନ ! ସବୁ ଦରକାର । ସୀତା କହିଲେ, ‘ରାମ, ଅଯୋଧ୍ୟାରେ ସବୁ ଅଟ୍ଟାଳିକା ହୁଅନ୍ତା ତ ବେଶ୍‌ ହୁଅନ୍ତା; ଅନେକ ଘର ଦେଖିଛି ଭଙ୍ଗା, ପୁରୁଣା ।’ ରାମ କହିଲେ, ‘ସୀତା, ସବୁ ଘର ସୁନ୍ଦର ରହିଲେ ମିସ୍ତ୍ରୀମାନେ କଅଣ କରିବେ ?’ (ସମସ୍ତଙ୍କର ହାସ୍ୟ) । ଈଶ୍ୱର ସବୁ ପ୍ରକାର କରିଛନ୍ତି – ଭଲ ଗଛ, ବିଷ ଗଛ, ପୁଣି ବାଳୁଙ୍ଗା କରିଛନ୍ତି । ଜନ୍ତୁମାନଙ୍କ ଭିତରେ ଭଲ ମନ୍ଦ ସବୁ ଅଛି – ବାଘ, ସିଂହ, ସାପ ସବୁ ଅଛନ୍ତି ।

ସଂସାରରେ ବି ଈଶ୍ୱରଲାଭ । ସମସ୍ତଙ୍କର ମୁକ୍ତି ହେବ

ପ୍ରତିବେଶୀ – ମହାଶୟ ! ସଂସାରରେ ରହି କ”ଣ ଭଗବାନଙ୍କୁ ଲାଭ କରାଯାଏ ?
ଶ୍ରୀରାମକୃଷ୍ଣ – ଅବଶ୍ୟ ଲାଭ କରାଯାଏ । ତେବେ ଯାହା କହିଲି – ସାଧୁସଙ୍ଗ ଆଉ ସର୍ବଦା ପ୍ରାର୍ଥନା କରିବାକୁ ହୁଏ । ତାଙ୍କ ପାଖରେ କାନ୍ଦିବାକୁ ହୁଏ । ମନର ମଇଳା ସବୁ ଧୋଇଗଲେ ତାଙ୍କର ଦର୍ଶନ ହୁଏ । ମନଟି ଯେପରି ମାଟିବୋଳା ଲୁହାର ଛୁଞ୍ଚି, ଈଶ୍ୱର ଚୁମ୍ବକପଥର, ମାଟି ନ ଗଲେ ଚୁମ୍ବକପଥର ସଙ୍ଗରେ ଯୋଗ ହୁଏ ନାହିଁ । କାନ୍ଦିଲେ ଛୁଞ୍ଚିର ମାଟି ଧୋଇଯାଏ; ଛୁଞ୍ଚିରେ ମାଟି ଅର୍ଥାତ – କାମ,କ୍ରୋଧ, ଲୋଭ, ପାପବୁଦ୍ଧି, ବିଷୟବୁଦ୍ଧି । ମାଟି ଧୋଇଲେ ଛୁଞ୍ଚିକୁ ଚୁମ୍ବକପଥର ଟାଣିନେବ, ଅର୍ଥାତ୍‌ ଈଶ୍ୱର-ଦର୍ଶନ ହେବ । ଚିତ୍ତଶୁଦ୍ଧି ହେଲେ ଯାଇ ତାଙ୍କୁ ଲାଭ କରାଯାଏ । ଜ୍ଵର ହୋଇଛି, ଦେହରେ ବହୁତ ରସ ରହିଛି, ସେଥିରେ କୁଇନାଇନ୍‌ ଦ୍ଵାରା କି ଫଳ ହେବ ? ସଂସାରରେ ହେବ ନାହିଁ କାହିଁକି ! ଏହି ସାଧୁସଙ୍ଗ, କାନ୍ଦି କାନ୍ଦି ପ୍ରାର୍ଥନା, ମଝିରେ ମଝିରେ ନିର୍ଜ୍ଜନବାସ । ଟିକିଏ ବାଡ଼ ନ ଦେଲେ ବାଟ ପାଖରେ ଚାରାଗଛ, ଗୋରୁ ଛେଳି ଖାଇଯାଆନ୍ତି ।

ପ୍ରତିବେଶୀ- ଯେଉଁମାନେ ସଂସାରରେ ଅଛନ୍ତି ତାହା ହେଲେ ସେମାନଙ୍କର ମଧ୍ୟ ହେବ ?
ଶ୍ରୀରାମକୃଷ୍ଣ – ସମସ୍ତଙ୍କର ମୁକ୍ତି ହେବ । ତେବେ ଗୁରୁଙ୍କ ଉପଦେଶ ଅନୁସାରେ ଚାଲିବାକୁ ହୁଏ । ବଙ୍କା ବାଟରେ ଗଲେ ଫେରି ଆସିବାକୁ କଷ୍ଟ ହୁଏ । ମୁକ୍ତି ଅନେକ ଡେରିରେ ହୁଏ । ହୁଏତ ଏ ଜନ୍ମରେ ହେଲା ନାହିଁ, ପୁଣି ହୁଏତ ଅନେକ ଜନ୍ମ ପରେ ହେଲା । ଜନକାଦି ସଂସାରରେ ମଧ୍ୟ କର୍ମ କରିଥିଲେ । ଈଶ୍ୱରଙ୍କୁ ମୁଣ୍ତରେ ଥୋଇ କାମ କରୁଥିଲେ, ନର୍ତ୍ତକୀ ଯେପରି ମୁଣ୍ଡରେ ବାସନ ରଖି ନାଚେ । ଆଉ ପଶ୍ଚିମର ସ୍ତ୍ରୀମାନଙ୍କୁ ଦେଖି ନାହଁ ? ମୁଣ୍ଡରେ ପାଣିମାଠିଆ, ହସି ହସି କଥା କହି କହି ଯାଉଛନ୍ତି ।

ପ୍ରତିବେଶୀ – ଗୁରୁଙ୍କର ଉପଦେଶ କହିଲେ । ଗୁରୁ କିପରି ପାଇବି ?
ଶ୍ରୀରାମକୃଷ୍ଣ – ଯେ ସେ ଲୋକ ଗୁରୁ ହୋଇପାରନ୍ତି ନାହିଁ । ବାହାଦୁରୀ କାଠ ନିଜେ ଭାସି ଚାଲିଯାଏ, ଅନେକ ଜୀବଜନ୍ତୁ ମଧ୍ୟ ଚଢ଼ି ଯାଇପାରନ୍ତି । ହାଲୁକା କାଠ ଉପରେ ଚଢ଼ିଲେ କାଠ ତ ବୁଡ଼ିଯାଏ, ଯେ ଚଢ଼େ ସେ ମଧ୍ୟ ବୁଡ଼ିଯାଏ । ତେଣୁ ଈଶ୍ୱର ଯୁଗେ ଯୁଗେ ଲୋକଶିକ୍ଷା ପାଇଁ ନିଜେ ଗୁରୁ ରୂପରେ ଅବତୀର୍ଣ୍ଣ ହୁଅନ୍ତି । ସଜିଦାନନ୍ଦ ହିଁ ଗୁରୁ ।

ଜ୍ଞାନ କାହାକୁ କହନ୍ତି, ଆଉ ମୁଁ କିଏ ? ଈଶ୍ୱର ହିଁ କର୍ତା, ଆଉସବୁ ଅକର୍ତ୍ତା – ଏହାର ନାମ ଜ୍ଞାନ । ମୁଁ ଅକର୍ତ୍ତା, ତାଙ୍କ ହାତରେ ଯନ୍ତ୍ର । ତେଣୁ ମୁଁ କହେ – ମାଆ ! ତୁମେ ଯନ୍ତ୍ରୀ, ମୁଁ ଯନ୍ତ୍ର; ତୁମେ ଘରଣୀ, ମୁଁ ଘର; ମୁଁ ଗାଡ଼ି, ତୁମେ ଇଞ୍ଜନିୟର; ଯେମିତି ଚଳାଅ ସେମିତି ଚାଲେ; ଯେପରି କରାଅ ସେପରି କରେ; ଯେପରି କୁହାଅ, ସେପରି କହେ; ନାହଂ ନାହଂ, ତୁହୁଁ ତୁହୁଁ ।

(୩)
କମଳକୁଟୀରରେ ଶ୍ରୀରାମକୃଷ୍ଣ ଓ ଶ୍ରୀଯୁକ୍ତ କେଶବ ସେନ୍‌

ଶ୍ରୀରାମକୃଷ୍ଣ କପ୍ତାନଙ୍କର ଘର ହୋଇ ଶ୍ରୀଯୁକ୍ତ କେଶବ ସେନ୍‌ଙ୍କର କମଳକୁଟୀରକୁ ଆସିଛନ୍ତି । ସଙ୍ଗରେ ରାମ, ମନମୋହନ, ସୁରେନ୍ଦ୍ର, ମାଷ୍ଟର ପ୍ରଭୃତି ଭକ୍ତଗଣ । ସମସ୍ତେ ଦ୍ଵିତଳ ହଲ ଘରେ ଉପବେଶନ କରିଛନ୍ତି । ଶ୍ରୀଯୁକ୍ତ ପ୍ରତାପ ମଜୁମଦାର, ଶ୍ରୀଯୁକ୍ତ ତ୍ରୈଲୋକ୍ୟ ପ୍ରଭୃତି ବ୍ରାହ୍ମଭକ୍ତଗଣ ମଧ୍ୟ ଉପସ୍ଥିତ ଅଛନ୍ତି ।

ଠାକୁର ଶ୍ରୀଯୁକ୍ତ କେଶବଙ୍କୁ ଖୁବ୍‌ ଭଲ ପାଆନ୍ତି । ଯେତେବେଳେ ବେଲଘରିଆ ଉଦ୍ୟାନରେ ସଶିଷ୍ୟ ସେ ସାଧନ-ଭଜନ କରୁଥିଲେ, ଅର୍ଥାତ୍‌ ୧୮୭୫ଖ୍ରୀ: ମାଘୋତ୍ସବର କିଛିଦିନ ମଧ୍ୟରେ, ଠାକୁରେ ଦିନେ ଉଦ୍ୟାନକୁ ଯାଇ ତାଙ୍କ ସହିତ ଦେଖା କରିଥିଲେ । ସଙ୍ଗରେ ଭଣଜା ହୃଦୟରାମ । ଏହି ଉଦ୍ୟାନରେ ସେ ତାଙ୍କୁ କହିଥିଲେ, “ତୁମର ଲାଞ୍ଜ ଖସିଛି, ଅର୍ଥାତ୍‌ ତୁମେ ସବୁ ତ୍ୟାଗ କରି ସଂସାରର ବାହାରେ ମଧ୍ୟ ରହିପାର, ପୁଣି ସଂସାରରେ ମଧ୍ୟ ରହିପାର, ଯେପରି ବେଙ୍ଗଫୁଲା ଲାଞ୍ଜ ଖସିଲେ ଜଳରେ ରହିପାରେ, ପୁଣି କୂଳରେ ମଧ୍ୟ ରହିପାରେ ।” ପରେ ଦକ୍ଷିଣେଶ୍ଵରରେ, କମଳକୁଟୀରରେ, ବ୍ରାହ୍ମ-ସମାଜ ଇତ୍ୟାଦି ସ୍ଥାନରେ ଅନେକ ଥର ଠାକୁର କଥାଛଳରେ ତାଙ୍କୁ ଉପଦେଶ ଦେଇଥିଲେ ।

ନାନା ପଥ ଦେଇ, ବିଭିନ୍ନ ଧର୍ମ ଭିତର ଦେଇ ଈଶ୍ୱରଲାଭ ହୋଇପାରେ । ମଝିରେ ମଝିରେ ନିର୍ଜ୍ଜନରେ ସାଧନ-ଭଜନ କରି ଭକ୍ତିଲାଭ କରି ସଂସାରରେ ରହିପାର । ଜନକାଦି ବ୍ରହ୍ମଜ୍ଞାନ ଲାଭକରି ସଂସାରରେ ଥିଲେ । ବ୍ୟାକୁଳ ହୋଇ ତାଙ୍କୁ ଡାକିବାକୁ ହୁଏ, ତେବେ ସେ ଦେଖା ଦିଅନ୍ତି । ତୁମେମାନେ ଯାହା କର, ନିରାକାର ସାଧନ, ତାହା ଖୁବ୍‌ ଭଲ । ବ୍ରହ୍ମଜ୍ଞାନ ହେଲେ ଠିକ୍‌ ଠିକ୍‌ ବୋଧ ହେବ – ଈଶ୍ୱର ସତ୍ୟ, ଆଉସବୁ ଅନିତ୍ୟ, ବ୍ରହ୍ମ ସତ୍ୟ, ଜଗତ୍‌ ମିଥ୍ୟା । ସନାତନ ହିନ୍ଦୁଧର୍ମରେ ସାକାର ନିରାକାର ଦୁଇ ମାନନ୍ତି, ନାନା ଭାବରେ ଈଶ୍ୱରଙ୍କର ପୂଜା କରନ୍ତି – ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମଧୁର । ରୋଷଣୀ ବାଜାବାଲାମାନଙ୍କ ଭିତରୁ ଜଣେ କେବଳ ଫୁଁ ଧରି ବଜାଏ, ଅଥଚ ତାହାର ବଂଶୀରେ ସାତଟା ଫୁକାର ଅଛି; କିନ୍ତୁ ଆଉ ଜଣେ, ତାହାର ମଧ୍ୟ ସାତୋଟି ଫୁକାର ଅଛି, ସେ ନାନା ରାଗ-ରାଗିଣୀ ବଜାଏ ।

ତୁମେମାନେ ସାକାର ମାନ ନାହିଁ, ସେଥିରେ କିଛି କ୍ଷତି ନାହିଁ, ନିରାକାରରେ ନିଷ୍ଠା ରହିଲେ ହିଁ ହେଲା; ତେବେ ସାକାରବାଦୀମାନଙ୍କର ଟାଣଟିକକ ନେବ। ‘ମା’ ବୋଲି ତାଙ୍କୁ ଡାକିଲେ ଭକ୍ତି-ପ୍ରେମ ଆହୁରି ବଢ଼ିବ । କେତେବେଳେ ଦାସ୍ୟ, କେତେବେଳେ ସଖ୍ୟ, କେତେବେଳେ ବାତ୍ସଲ୍ୟ, କେତେବେଳେ ମଧ୍ୟ ମଧୁର ଭାବ । କୌଣସି କାମନା ନାହିଁ, ତାଙ୍କୁ ଭଲପାଏ – ଏହି ଭାବଟି ଖୁବ୍‌ ଭଲ । ଏହାର ନାମ ଅହୈତୁକୀ ଭକ୍ତି । ଟଙ୍କାକଉଡ଼ି, ମାନସଂଭ୍ରମ କିଛି ଚାହେଁ ନାହିଁ, କେବଳ ତୁମ ପାଦପଦ୍ମରେ ଭକ୍ତି । ବେଦ, ପୁରାଣ, ତନ୍ତ୍ରରେ ଏକ ଈଶ୍ୱରଙ୍କର ହିଁ କଥା ଅଛି ଓ ତାଙ୍କର ଲୀଳାର କଥା, ଜ୍ଞାନ ଭକ୍ତି ଦୁଇଟି ହିଁ ଅଛି । ସଂସାରରେ ଦାସୀ ପରି ରହିବ । ଦାସୀ ସବୁ କାର୍ଯ୍ୟ କରେ; କିନ୍ତୁ ତା’ ଗାଁରେ ମନ ପଡ଼ିଥାଏ । ମୁନିବର ପିଲାମାନଙ୍କୁ ମନୁଷ୍ୟ କରେ, କହେ – ‘ମୋର ହରି’, ‘ମୋର ରାମ’; କିନ୍ତୁ ଜାଣେ, ପିଲାଏ ତା’ର ନୁହଁନ୍ତି । ତୁମେମାନେ ଯେ ନିର୍ଜ୍ଜନରେ ସାଧନ କରୁଛ ଏ ଖୁବ୍‌ ଭଲ, ତାଙ୍କର କୃପା ହେବ । ଜନକରାଜା ନିର୍ଜ୍ଜନରେ କେତେ ସାଧନା କରିଥିଲେ ! ସାଧନା କଲେ ତେବେ ସଂସାରରେ ନିର୍ଲିପ୍ତ ହୋଇପାରିବ ।

ତୁମେମାନେ ବକ୍ତୃତା ଦିଅ ସମସ୍ତଙ୍କର ଉପକାର ପାଇଁ; କିନ୍ତୁ ଈଶ୍ୱରଙ୍କୁ ଲାଭ କରି ଈଶ୍ୱରଙ୍କୁ ଦର୍ଶନ କରି ବକ୍ତୃତା ଦେଲେ ଉପକାର ହୁଏ । ତାଙ୍କରି ଆଦେଶ ନ ପାଇ ଲୋକଶିକ୍ଷା ଦେଲେ ଉପକାର ହୁଏ ନାହିଁ । ଈଶ୍ୱର ଲାଭ ନ କଲେ ତାଙ୍କର ଆଦେଶ ମିଳେ ନାହିଁ । ଈଶ୍ୱର-ଲାଭ ଯେ ହୋଇଛି, ତାହାର ଲକ୍ଷଣ ଅଛି । ଲୋକ ବାଳକବତ୍‌, ଜଡ଼ବତ୍‌, ଉନ୍ମାଦବତ୍‌, ପିଶାଚବତ୍‌ ହୋଇଯାଏ, ଯେପରି ଶୁକଦେବାଦି । ଚୈତନ୍ୟଦେବ କେତେବେଳେ ବାଳକବତ୍‌, କେତେବେଳେ ବା ଉନ୍ମାଦପରି ନୃତ୍ୟ କରୁଥିଲେ । ହସନ୍ତି, କାନ୍ଦନ୍ତି, ନାଚନ୍ତି, ଗାଆନ୍ତି । ପୁରୀ-ଧାମରେ ଯେତେବେଳେ ଥିଲେ, ସେତେବେଳେ ସେ ଅନେକ ସମୟ ଜଡ଼ସମାଧିରେ ରହୁଥିଲେ ।

ଶ୍ରୀଯୁକ୍ତ କେଶବଙ୍କର ହିନ୍ଦୁଧର୍ମ ଉପରେ ଉତ୍ତରୋତ୍ତର ଶ୍ରଦ୍ଧା

ଏହିପରି ନାନାସ୍ଥାନରେ ଶ୍ରୀଯୁକ୍ତ କେଶବଚନ୍ଦ୍ର ସେନ୍‌ଙ୍କୁ ଶ୍ରୀରାମକୃଷ୍ଣ କଥା ଛଳରେ ବହୁ ଉପଦେଶ ଦେଇଥିଲେ । ବେଲଘରିଆ ଉଦ୍ୟାନରେ ପ୍ରଥମ ଦର୍ଶନ ପରେ କେଶବ ୨୮ ତାରିଖ ମାର୍ଚ୍ଚ ୧୮୭୫ ରବିବାର ‘ମିରର୍‌’ ସମ୍ବାଦପତ୍ରରେ ଲେଖିଥିଲେ, “ଆମେମାନେ ଅଳ୍ପ ଦିନ ହେଲା ଦକ୍ଷିଣେଶ୍ଵରଠାରେ ପରମହଂସ ରାମକୃଷ୍ଣଙ୍କୁ ବେଲଘରିଆର ଉଦ୍ୟାନରେ ଦର୍ଶନ କରିଛୁ । ତାଙ୍କର ଗଭୀର ଅନ୍ତର୍ଦୃଷ୍ଟି ଓ ବାଳକସ୍ଵଭାବ ଦେଖି ଆମେମାନେ ମୁଗ୍‌ଧ ହୋଇଛୁ । ସେ ଶାନ୍ତସ୍ଵଭାବ, କୋମଳ-ପ୍ରକୃତି, ଏବଂ ଦେଖିଲେ ବୋଧହୁଏ, ସର୍ବଦା ଯୋଗରେ ଅଛନ୍ତି । ବର୍ତ୍ତମାନ ଆମମାନଙ୍କର ବୋଧ ହେଉଛି ଯେ, ହିନ୍ଦୁଧର୍ମର ଗଭୀରତମ ପ୍ରଦେଶ ଅନୁସନ୍ଧାନ କଲେ ବହୁ ସୌନ୍ଦର୍ଯ୍ୟ, ସତ୍ୟ ଓ ସାଧୁତା ଦେଖିବାକୁ ମିଳିବ । ତାହା ନ ହେଲେ ପରମହଂସଦେବଙ୍କ ପରି ଈଶ୍ୱରୀୟ ଭାବରେ ଭାବିତ ଯୋଗୀ ପୁରୁଷ କିପରି ଦେଖାଯାଉଛନ୍ତି ?”

୧୮୭୬ ଜାନୁଆରୀରେ ପୁଣି ମାଘୋତ୍ସବ ଆସିଲା । ସେ ଟାଉନହଲରେ ବକ୍ତୃତା ଦେଲେ; ବିଷୟ – ବ୍ରାହ୍ମଧର୍ମ ଓ ଆମେମାନେ କଅଣ ଶିଖିଛୁ । ସେଥିରେ ମଧ୍ୟ ହିନ୍ଦୁଧର୍ମର ସୌନ୍ଦର୍ଯ୍ୟ ବିଷୟରେ ଅନେକ କଥା କହିଥିଲେ ।

ଶ୍ରୀରାମକୃଷ୍ଣ ତାଙ୍କୁ ଯେପରି ଭଲ ପାଉଥିଲେ, କେଶବ ମଧ୍ୟ ଠାକୁରଙ୍କୁ ତଦ୍ରୁପ ଭକ୍ତି କରୁଥିଲେ । ପ୍ରାୟ ପ୍ରତିବର୍ଷ ବ୍ରାହ୍ମୋତ୍ସବ ସମୟରେ ଓ ଅନ୍ୟାନ୍ୟ ସମୟରେ ମଧ୍ୟ କେଶବ ଦକ୍ଷିଣେଶ୍ୱରକୁ  ଯାଉଥିଲେ ଓ ତାଙ୍କୁ କମଳକୁଟୀରକୁ ନେଇ ଆସୁଥିଲେ । ବେଳେବେଳେ ଏକାକୀ କମଳକୁଟୀରର ଦ୍ଵିତଳସ୍ଥ ଉପାସନା କକ୍ଷକୁ ପରମ ଅନ୍ତରଙ୍ଗ ଜ୍ଞାନରେ ତାଙ୍କୁ ଭକ୍ତି ସହକାରେ ନେଇ ଯାଉଥିଲେ ଓ ଏକାନ୍ତରେ ଈଶ୍ୱରଙ୍କର ପୂଜା ଓ ଆନନ୍ଦ କରୁଥିଲେ ।

୧୮୭୯ ଭାଦ୍ରୋତ୍ସବ ସମୟରେ କେଶବ ଶ୍ରୀରାମକୃଷ୍ଣଙ୍କୁ ନିମନ୍ତ୍ରଣ କରି ବେଲଘରିଆର ତପୋବନକୁ ନେଇଯାଇଥିଲେ; ୧୫ ସେପ୍ଟେମର ସୋମବାର । ପୁଣି ୨୧ ସେପ୍‌ଟେମ୍ବର ରବିବାର ଦିନ କମଳକୁଟୀରର ଉତ୍ସବରେ ଯୋଗଦାନ କରିବାକୁ ନେଇଯାଇଥିଲେ । ଏହି ସମୟରେ ଶ୍ରୀରାମକୃଷ୍ଣ ସମାଧିସ୍ଥ ହେବାରୁ ବ୍ରାହ୍ମଭକ୍ତଙ୍କ ସଙ୍ଗରେ ତାଙ୍କର ଫଟୋ ନିଆଯାଇଥିଲା – ଠାକୁର ଦଣ୍ଡାୟମାନ, ସମାଧିସ୍ଥ, ହୃଦୟ ଧରିଛନ୍ତି । ୨୨ ଅକ୍‌ଟୋବର ମହାଷ୍ଟମୀ – ନବମୀ ଦିନ କେଶବ ଦକ୍ଷିଣେଶ୍ଵରକୁ ଯାଇ ତାଙ୍କୁ ଦର୍ଶନ କରିଥିଲେ ।

୧୮୭୯, ୨୯ ଅକ୍ଟୋବର, ବୁଧବାର କୁମାରପୂର୍ଣିମା ଦିନ ଗୋଟାଏ ବେଳେ କେଶବ ପୁଣି ଭକ୍ତଙ୍କ ସଙ୍ଗରେ ଶ୍ରୀରାମକୃଷ୍ଣଙ୍କୁ ଦର୍ଶନ କରିବାକୁ ଦକ୍ଷିଣେଶ୍ଵର ଗଲେ । ଷ୍ଟିମର୍‌ ସଙ୍ଗରେ ଖଣ୍ଡେ ବଜରା, ଛଅଖଣ୍ଡ ନୌକା, ଦୁଇଖଣ୍ଡ ଡଙ୍ଗା, ପ୍ରାୟ ୮୦ ଜଣ ଭକ୍ତ । ସଙ୍ଗରେ ପତାକା, ପୁଷ୍ପପଲ୍ଲବ, ଖୋଳ, କରତାଳ, ଭେରୀ । ହୃଦୟ ଅଭ୍ୟର୍ଥନା କରି କେଶବଙ୍କୁ ଷ୍ଟିମରରୁ ଆଣିଲେ – ଗୀତ ଗାଇ ଗାଇ, ‘ସୂରଧୁନୀର ତୀରେ ହରି ବଲେ କେ, ବୁଝି ପ୍ରେମଦାତା ନିତାଇ ଏସେଛେ !’ ବ୍ରାହ୍ମଭକ୍ତଗଣ ମଧ୍ୟ ପଞ୍ଚବଟୀରୁ କୀର୍ତ୍ତନ କରି କରି ଠାକୁରଙ୍କ ସଙ୍ଗରେ ଆସିବାକୁ ଲାଗିଲେ । ‘ସଚ୍ଚିଦାନନ୍ଦ ବିଗ୍ରହ ରୂପାନନ୍ଦ ଘନ ।’ ଠାକୁରେ ମଝିରେ ମଝିରେ ସମାଧିସ୍ଥ । ଏହି ଦିନ ସନ୍ଧ୍ୟାପରେ ବନ୍ଧାଘାଟରେ ପୂର୍ଣ୍ଣଚନ୍ଦ୍ରର ଆଲୋକରେ କେଶବ ଉପାସନା କରିଥିଲେ ।

ଉପାସନା ପରେ ଠାକୁର କହିଲେ – ତୁମେମାନେ କୁହ ‘ବ୍ରହ୍ମ-ଆତ୍ମା-ଭଗବାନ’, ‘ବ୍ରହ୍ମ-ମାୟା-ଜୀବ-ଜଗତ୍‌’, ‘ଭାଗବତ-ଭକ୍ତ-ଭଗବାନ’ । କେଶବାଦି ବ୍ରାହ୍ମଭକ୍ତଗଣ ସେହି ଚନ୍ଦ୍ରାଲୋକରେ ଭାଗୀରଥି-ତୀରରେ ସମସ୍ଵରରେ ଶ୍ରୀରାମକୃଷ୍ଣଙ୍କ ସହିତ ଏହିସବୁ ମନ୍ତ୍ର ଭକ୍ତିଭରେ ଉଚ୍ଚାରଣ କଲେ । ଶ୍ରୀରାମକୃଷ୍ଣ ପୁଣି ଯେତେବେଳେ କହିଲେ – କୁହ ‘ଗୁରୁ-କୃଷ୍ଣ-ବୈଷ୍ଣବ’, ସେତେବେଳେ କେଶବ ଆନନ୍ଦରେ ହସି ହସି କହୁଛନ୍ତି – ମହାଶୟ, ବର୍ତ୍ତମାନ ଏତେ ଦୂର ନୁହେଁ । ‘ଗୁରୁ-କୃଷ୍ଣ-ବୈଷ୍ଣବ’ ଆମେମାନେ ଯଦି କହୁ, ଲୋକେ କହିବେ ‘ଧର୍ମାନ୍ଧ’ । ଶ୍ରୀରାମକୃଷ୍ଣ ମଧ୍ୟ ହସିବାକୁ ଲାଗିଲେ ଓ କହିଲେ – ବେଶ, ତୁମେମାନେ (ବ୍ରାହ୍ମମାନେ) ଯେତେଦୂର ପାର ସେତିକି କୁହ ।

କିଛିଦିନ ପରେ ନଭେମ୍ବର ୧୮୭୯ କାଳୀପୂଜା ପରେ ରାମ, ମନମୋହନ, ଗୋପାଳ ମିତ୍ର ଦକ୍ଷିଶେଶ୍ଵରଠାରେ ଶ୍ରୀରାମକୃଷ୍ଣଙ୍କୁ ପ୍ରଥମ ଦର୍ଶନ କରିଥିଲେ ।

୧୮୮୦ ଖ୍ରୀଷ୍ଟାବ୍ଦରେ ଦିନେ ଗ୍ରୀଷ୍ମକାଳରେ ରାମ, ମନମୋହନ କମଳକୁଟୀରରେ କେଶବଙ୍କ ସହିତ ଦେଖା କରିବାକୁ ଆସିଥିଲେ । ସେମାନଙ୍କର ଖୁବ୍‌ ଇଚ୍ଛା ଯେ, କେଶବ ବାବୁ ଠାକୁରଙ୍କୁ କି ଦୃଷ୍ଟିରେ ଦେଖନ୍ତି ଜାଣିବେ । ସେମାନେ କହିଛନ୍ତି – କେଶବବାବୁଙ୍କୁ ପଚାରିବାରୁ ସେ କହିଲେ, “ଦକ୍ଷିଣେଶ୍ଵରର ପରମହଂସ ସାମାନ୍ୟ ନୁହନ୍ତି । ବର୍ତ୍ତମାନ ପୃଥବୀରେ ଏତେ ବଡ଼ ଲୋକ କେହି ନାହାଁନ୍ତି । ଏତେ ସୁନ୍ଦର ! ଏତେ ଅସାଧାରଣ । ଏହାଙ୍କୁ ଅତି ସାବଧାନରେ ସନ୍ତର୍ପଣରେ ରଖିବାକୁ ହୁଏ; ଅଯତ୍ନ କଲେ ଏହାଙ୍କ ଦେହ ରହିବ ନାହିଁ; ଯେପରି ସୁନ୍ଦର ମୂଲ୍ୟବାନ୍‌ ଜିନିଷ ଗ୍ଳାସକେଶ୍‌ରେ ରଖାଯାଏ ।”

ଏହାର କିଛିଦିନ ପରେ ୧୮୮୧ ମାଘୋତ୍ସବ ସମୟରେ ଜାନୁଆରୀ ମାସରେ କେଶବ ଶ୍ରୀରାମକୃଷ୍ଣଙ୍କୁ ଦର୍ଶନ କରିବାକୁ ଦକ୍ଷିଣେଶ୍ଵରକୁ ଯାଇଥିଲେ । ସେତେବେଳେ ରାମ, ମନମୋହନ, ଜୟଗୋପାଳ ସେନ୍‌ ପ୍ରଭୃତି ଅନେକ ଉପସ୍ଥିତ ଥିଲେ ।

୧୮୮୧ ଖ୍ରୀଷ୍ଟାବ୍ଦ ଜୁଲାଇ ୧୫, ଶୁକ୍ରବାର, ପ୍ରଥମ ଶ୍ରାବଣ । କେଶବ ପୁଣି ଶ୍ରୀରାମକୃଷ୍ଣଙ୍କୁ ଦକ୍ଷିଣେଶ୍ଵରଠାରୁ ଷ୍ଟିମର୍‌ରେ ବୁଲାଇ ନେଇଥିଲେ ।

୧୮୮୧ ନଭେମ୍ବର ମାସରେ ମନମୋହନଙ୍କ ଘରକୁ ଯେତେବେଳେ ଠାକୁର ଶୁଭାଗମନ କଲେ ଓ ଉତ୍ସବ ହେଲା, ସେତେବେଳେ ମଧ୍ୟ କେଶବ ନିମନ୍ତ୍ରିତ ହୋଇ ଉତ୍ସବରେ ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ ତ୍ରୈଲୋକ୍ୟ ପ୍ରଭୃତି ସଙ୍ଗୀତ ଗାଇଥିଲେ ।

୧୮୮୧ ଖ୍ରୀଷ୍ଟାଦ୍ଦ ଡିସେମ୍ବର ମାସରେ ରାଜେନ୍ଦ୍ର ମିତ୍ରଙ୍କ ଘରକୁ ଶ୍ରୀରାମକୃଷ୍ଣ ନିମନ୍ତ୍ରିତ ହୋଇ ଯାଇଥିଲେ । ଶ୍ରୀଯୁକ୍ତ କେଶବ ମଧ୍ୟ ଯାଇଥିଲେ । ଘରଟି ଠନଠନିଆର ବେଚୁ ଚାଟାର୍ଜୀ ଷ୍ଟୀଟ୍‌ରେ । ରାମ ଓ ମନମୋହନଙ୍କର ରାଜେନ୍ଦ୍ର ମଉସା । କେଶବଙ୍କୁ ରାମ, ମନମୋହନ, ବ୍ରାହ୍ମଭକ୍ତ ରାଜମୋହନ ଓ ରାଜେନ୍ଦ୍ର ନିମନ୍ତ୍ରଣ କରିଥିଲେ ।

କେଶବଙ୍କୁ ଯେତେବେଳେ ସମ୍ବାଦ ଦିଆହେଲା, ସେତେବେଳେ ସେ ଭାଇ ଅଘୋରନାଥଙ୍କ ମୃତ୍ୟୁରେ ଅଶୌଚ ଗ୍ରହଣ କରିଥିଲେ । ପ୍ରଚାରକ ଭାଇ ଅଘୋର ୮ ଡିସେମ୍ବର ଗୁରୁବାର ଦିନ ଲକ୍ଷ୍ମୌ ନଗରରେ ଦେହତ୍ୟାଗ କରିଥିଲେ । ସମସ୍ତେ ଭାବିଥିଲେ କେଶବ ବୋଧହୁଏ ଆସିପାରିବେ ନାହିଁ । କେଶବ ସମ୍ବାଦ ପାଇ କହିଲେ, “କି କଥା ! ପରମହଂସ ମହାଶୟ ଆସିବେ, ଆଉ ମୁଁ ଯିବି ନାହିଁ ! ଅବଶ୍ୟ ଯିବି । ଅଶୌଚ, ତେଣୁ ମୁଁ ଅଲଗା ଜାଗାରେ ଖାଇବି ।”

ମନମୋହନଙ୍କ ଜନନୀ ପରମ ଭକ୍ତିମତୀ ଶ୍ୟାମାସୁନ୍ଦରୀ ଦେବୀ ଠାକୁରଙ୍କୁ ପରଷି ଥିଲେ । ଖାଇବା ସମୟରେ ରାମ ଠିଆ ହୋଇଥିଲେ । ଯେଉଁଦିନ ରାଜେନ୍ଦ୍ରଙ୍କ ଘରକୁ ଶ୍ରୀରାମକୃଷ୍ଣ ଶୁଭାଗମନ କରିଥିଲେ ସେହିଦିନ ଅପରାହ୍ନରେ ସୁରେନ୍ଦ୍ର ତାଙ୍କୁ ନେଇ ଚୀନା ବଜାରରେ ତାଙ୍କର ଛବି (ଫଟୋ) ଉଠାଇଥିଲେ । ଠାକୁର ଦଣ୍ଡାୟମାନ, ସମାଧିସ୍ଥ ।

ଉତ୍ସବ ଦିନ ମହେନ୍ଦ୍ର ଗୋସ୍ଵାମୀ ଭାଗବତ ପାଠ କରିଥିଲେ ।

୧୮୮୨ ଜାନୁଆରି ମାଘୋତ୍ସବ ସମୟରେ ସିମୁଳିଆ ବ୍ରାହ୍ମସମାଜର ଉତ୍ସବ ହୋଇଥିଲା । ଜ୍ଞାନ ଚୌଧୁରୀଙ୍କ ଘରେ, ବାରଣ୍ଡାରେ ଓ ଅଗଣାରେ ଉପାସନା ଏବଂ କୀର୍ତ୍ତନ ହୋଇଥିଲା । ଶ୍ରୀରାମକୃଷ୍ଣ ଓ କେଶବ ନିମନ୍ତ୍ରିତ ହୋଇ ଉପସ୍ଥିତ ଥିଲେ । ଏହି ସ୍ଥାନରେ ଠାକୁରେ ପ୍ରଥମଥର ନରେନ୍ଦ୍ରଙ୍କ ଗୀତ ଶୁଣିଲେ ଓ ତାଙ୍କୁ ଦକ୍ଷିଣେଶ୍ୱର ଯିବାକୁ କହିଲେ ।

୧୮୮୨ ଫେବୃଆରୀ ୨୩, ୧୨ ଫାଲ୍‌ଗୁନ ଗୁରୁବାର ଦିନ କେଶବ ଶ୍ରୀରାମକୃଷ୍ଣଙ୍କୁ ଦକ୍ଷିଣେଶ୍ୱରଠାରେ ଭକ୍ତଙ୍କ ସଙ୍ଗରେ ପୁଣି ଦର୍ଶନ କରିବାକୁ ଆସିଥିଲେ । ସଙ୍ଗରେ ଯୋସେଫ କୁକ୍‌, ଆମେରିକାର ପାଦରୀ ମିସ୍‌ ପିଗଟ୍‌ । ବ୍ରାହ୍ମଭକ୍ତଗଣ ଓ କେଶବ ଠାକୁରଙ୍କୁ ଷ୍ଟିମରକୁ ଉଠାଇ ନେଲେ । କୁକ୍‌ ସାହେବ ଶ୍ରୀରାମକୃଷ୍ଣଙ୍କର ସମାଧି ଅବସ୍ଥା ଦେଖିଲେ । ଶ୍ରୀଯୁକ୍ତ ନଗେନ୍ଦ୍ର ଏହି ଜାହାଜରେ ଉପସ୍ଥିତ ଥିଲେ । ତାଙ୍କ ନିକଟରୁ ସମସ୍ତ ଶୁଣି ମାଷ୍ଟର ଦଶ ପନ୍ଦର ଦିନ ମଧ୍ୟରେ ଦକ୍ଷିଣେଶ୍ଵରଠାରେ ଶ୍ରୀରାମକୃଷ୍ଣଙ୍କୁ ପ୍ରଥମ ଦର୍ଶନ କରିଥଲେ ।

ଦୁଇମାସ ପରେ ଏପ୍ରିଲ ମାସରେ ଶ୍ରୀରାମକୃଷ୍ଣ କମଳକୁଟୀରରେ କେଶବଙ୍କୁ ଦେଖିବାକୁ ଆସିଥିଲେ । ତାହାର କିଞ୍ଚିତ୍‌ ବିବରଣ ଏହି ପରିଚ୍ଛେଦରେ ଦିଆଗଲା ।

ଶ୍ରୀରାମକୃଷ୍ଣଙ୍କର କେଶବଙ୍କ ପ୍ରତି ସ୍ନେହ, ଜଗନ୍ମାତାଙ୍କୁ ପଇଡ଼ ଚିନି ମାନସିକ

ଆଜି କମଳକୁଟୀରଠାରେ ସେହି ବୈଠକଖାନା ଘରେ ଶ୍ରୀରାମକୃଷ୍ଣ ଭକ୍ତଙ୍କ ସଙ୍ଗରେ ଉପବିଷ୍ଟ । ୨ ଏପ୍ରିଲ ୧୮୮୨, ସମୟ ୫ଟା । କେଶବ ଭିତର ଘରେ ଥିଲେ । ତାହାଙ୍କୁ ସମ୍ବାଦ ଦିଆଗଲା । ସେ ଜାମା ଚାଦର ପିନ୍ଧି ପ୍ରଣାମ କଲେ । ତାଙ୍କର ଭକ୍ତ-ବନ୍ଧୁ କାଳୀନାଥ ବସୁ ପୀଡ଼ିତ, ତାଙ୍କୁ ଦେଖବାକୁ ଯାଉଥିଲେ । ଠାକୁର ଆସିଛନ୍ତି, କେଶବଙ୍କର ଆଉ ଯିବା ହେଲା ନାହିଁ । ଠାକୁର କହୁଛନ୍ତି – “ତୁମର ବହୁତ କାମ, ପୁଣି ଖବରକାଗଜରେ ଲେଖୁବାକୁ ହୁଏ, ସେଠାକୁ (ଦକ୍ଷିଣେଶ୍ଵରକୁ) ଯିବା ପାଇଁ ବେଳ ନାହିଁ, ତେଣୁ ତୁମକୁ ଦେଖିବାକୁ ଆସିଛି । ତୁମର ରୋଗ ହେବା ଶୁଣି ପଇଡ଼-ଚିନି ମାନସିକ କରିଥିଲି । ମାଆଙ୍କୁ କହିଲି, ମା, କେଶବର ଯଦି କିଛି ହୁଏ, ତାହା ହେଲେ କଲିକତାକୁ ଗଲେ କାହା ସହିତ କଥା କହିବି !”

ଶ୍ରୀଯୁକ୍ତ ପ୍ରତାପାଦି ବ୍ରାହ୍ମ-ଭକ୍ତମାନଙ୍କ ସହିତ ଶ୍ରୀରାମକୃଷ୍ଣ କଥା କହୁଛନ୍ତି । ପାଖରେ ମାଷ୍ଟର ବସିଛନ୍ତି ଦେଖି ସେ କେଶବଙ୍କୁ କହୁଛନ୍ତି – ଏ କାହିଁକି ସେଠାକୁ (ଦକ୍ଷିଣେଶ୍ୱରକୁ) ଯାଆନ୍ତି ନାହିଁ, ପଚାର ତ । ପୁଣି ଏ କହନ୍ତି ଯେ, ‘ସ୍ତ୍ରୀ-ପିଲାମାନଙ୍କ ଉପରେ ମନ ନାହିଁ !’

ମାଷ୍ଟର ମୋଟେ ମାସେ ହେଲା ଠାକୁରଙ୍କ ପାଖକୁ ନୂଆ ଯାତାୟାତ କରୁଛନ୍ତି । ଶେଷ ଆଡ଼କୁ ଯିବାରେ କେତେଦିନ ବିଳମ୍ବ ହୋଇଛି; ତେଣୁ ଠାକୁରେ ଏପରି କଥା କହୁଛନ୍ତି । ଠାକୁର କହି ଦେଇଥିଲେ, ଆସିବାକୁ ଡେରି ହେଲେ ମୋତେ ପତ୍ର ଦେବ ।’

ବ୍ରାହ୍ମଭକ୍ତମାନେ ଶ୍ରୀଯୁକ୍ତ ସମାଧ୍ୟାୟୀଙ୍କୁ ଦେଖାଇ ଠାକୁରଙ୍କୁ କହୁଛନ୍ତି : ଏ ପଣ୍ଡିତ ବେଦାଦି ଶାସ୍ତ୍ର ବେଶ୍‌ ପଢ଼ିଛନ୍ତି । ଠାକୁର କହୁଛନ୍ତି – ହଁ, ଏହାଙ୍କ ଆଖିବାଟେ ଏହାଙ୍କର ଭିତରଟା ଦେଖାଯାଉଛି, ଯେପରି କାଚକବାଟ ଭିତର ଦେଇ ଘର ଭିତରର ଜିନିଷ ଦେଖାଯାଏ ।

ଶ୍ରୀଯୁକ୍ତ ତ୍ରିଲୋକ୍ୟ ଭଜନ ଗାଉଛନ୍ତି । ଗୀତ ଗାଉ ଗାଉ ସନ୍ଧ୍ୟାଦୀପ ଜଳା ହେଲା, ଭଜନ ମଧ୍ୟ ଚାଲିଲା । ଗୀତ ଶୁଣୁ ଶୁଣୁ ଠାକୁର ହଠାତ୍‌ ଦଣ୍ଡାୟମାନ – ଆଉ ମାଆଙ୍କର ନାମ କରୁ କରୁ ସମାଧିସ୍ଥ । କିଞ୍ଚିତ ପ୍ରକୃତିସ୍ଥ ହୋଇ ନିଜେ ନୃତ୍ୟ କରୁ କରୁ ଗାଇବାକୁ ଲାଗିଲେ –
“ସୁରାପାନ କରି ନା ଆମି ସୁଧା ଖାଇ ଜୟ କାଲୀ ବଲେ ।
ମନ ମାତାଲେ ମାତାଲ କରେ ମଦ ମାତାଲେ ମାତାଲ ବଲେ।”…ଇତ୍ୟାଦି

ଶ୍ରୀଯୁକ୍ତ କେଶବଙ୍କୁ ଠାକୁରେ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି, ଯେପରିକି ଅତି ନିଜର ଲୋକ । ଆଉ ଯେପରି ଆଶଙ୍କା କରୁଛନ୍ତି, କେଶବ କାଳେ ଅନ୍ୟ କାହାର ଅର୍ଥାତ୍‌ ସଂସାରର ହୋଇଯିବେ । ତାଙ୍କ ଆଡ଼କୁ ଅନାଇଁ ପୁଣି ଗାଇଲେ –
“କଥା ବଲତେ ଡରାଇ, ନା ବଲ୍‌ଲେଓ ଡରାଇ
ମନେର ସନ୍ଦ ହୟ; ପାଛେ ତୋମା ଧନେ ହରାଇ ହା ରାଇ ॥
ଆମରା ଜାନି ଯେ ମନ୍‌-ତୋର; ଦିଲାମ୍‌ ତୋରେ ସେଇ ମନ୍ତୋର ।
ଏଖନ ମନ ତୋର, ଯେ ମନ୍ତ୍ରେ ବିପଦେତେ ତରୀ ତରାଇ ॥”

“ମୁଁ ଜାଣେ ଯେ ମନ ତୋର, ଦେଲି ତୋତେ ସେହି ମନ୍ତର, ଏବେ ମନ ତୋର – ଅର୍ଥାତ୍‌ ସବୁ ତ୍ୟାଗ କରି ଭଗବାନଙ୍କୁ ଡାକ, ସେ ହିଁ କେବଳ ସତ୍ୟ, ଆଉ ସବୁ ଅସତ୍ୟ; ତାଙ୍କୁ ଲାଭ ନ କଲେ ଜିଛି ହେଲା ନାହିଁ ! – ଏହା ମହାମନ୍ତ୍ର ।”

ପୁଣି ଉପବେଶନ କରି ଭକ୍ତମାନଙ୍କ ସହିତ କଥା କହୁଛନ୍ତି ।

ତାଙ୍କୁ ଜଳଖିଆ ଖୁଆଇବା ପାଇଁ ଉଦ୍‌ଯୋଗ ହେଉଛି । ହଲ୍‌ଘରର ଏକ ପାର୍ଶ୍ଵରେ ଜଣେ ବ୍ରାହ୍ମଭକ୍ତ ପିଆନୋ ବଜାଉଛନ୍ତି । ଶ୍ରୀରାମକୃଷ୍ଣ ସହାସ୍ୟବଦନ, ବାଳକ ପରି ପିଆନୋ ପାଖକୁ ଯାଇ ଠିଆ ହୋଇ ଦେଖୁଛନ୍ତି । ଟିକିଏ ପରେ ତାଙ୍କୁ ଅନ୍ତଃପୁରକୁ ନିଆଗଲା । ଜଳଖିଆ ଖାଇବେ ଆଉ ସ୍ତ୍ରୀଲୋକମାନେ ମଧ୍ୟ ପ୍ରଣାମ କରିବେ ।

ଶ୍ରରାମକୃଷ୍ଣଙ୍କର ଜଳଖିଆ ସରିଲା । ଏଥର ସେ ଗାଡ଼ିରେ ଚଢ଼ିଲେ । ବ୍ରାହ୍ମଭକ୍ତମାନେ ସମସ୍ତେ ଗାଡ଼ି ପାଖରେ ଠିଆ ହୋଇଛନ୍ତି । କମଳକୁଟୀରରୁ ଗାଡ଼ି ଦକ୍ଷିଣେଶ୍ୱର ମନ୍ଦିର ଆଡ଼କୁ ଯାତ୍ରା କଲା ।

ତୃତୀୟ ପରିଚ୍ଛେଦ – ଶ୍ରୀଈଶ୍ୱରଚନ୍ଦ୍ର ବିଦ୍ୟାସାଗର

(୧)
କଲିକତାରେ ଶ୍ରୀଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ସହିତ ଶ୍ରୀରାମକୃଷ୍ଣଙ୍କର ମିଳନ
(ଶ୍ରୀଯୁକ୍ତ ବିଦ୍ୟାସାଗରଙ୍କର ଘର)

ଆଜି ଶନିବାର, ଶ୍ରାବଣ କୃଷ୍ଣା ଷଷ୍ଠୀ ତିଥ, ୫ ଅଗଷ୍ଟ ୧୮୮୨ ଖ୍ରୀଷ୍ଟାବ୍ଦ, ସମୟ ଅପରାହ୍ନ ଚାରିଟା ।

ଠାକୁର ଶ୍ରୀରାମକୃଷ୍ଣ କଲିକତାର ରାଜପଥ ଦେଇ ଠିକା ଗାଡ଼ି କରି ବାଦୁଡ଼ବାଗାନ୍‌ ଆଡ଼କୁ ଯାଉଛନ୍ତି । ସଙ୍ଗରେ ଭବନାଥ, ହାଜରା ଓ ମାଷ୍ଟର । ବିଦ୍ୟାସାଗରଙ୍କ ଘରକୁ ଯିବେ ।

ଠାକୁରଙ୍କ ଜନ୍ମଭୂମି, ହୁଗୁଳି ଜିଲ୍ଲା ଅନ୍ତର୍ଗତ କାମାରପୁକୂର ଗ୍ରାମ । ଏହି ଗ୍ରାମଟି ବିଦ୍ୟାସାଗରଙ୍କର ଜନ୍ମଭୂମି ବୀରସିଂହ ନାମକ ଗ୍ରାମର ନିକଟବର୍ତ୍ତୀ । ଠାକୁର ଶ୍ରୀରାମକୃଷ୍ଣ ବାଲ୍ୟକାଳରୁ ବିଦ୍ୟାସାଗରଙ୍କ ଦୟାର କଥା ଶୁଣି ଆସୁଛନ୍ତି । ଦକ୍ଷିଣେଶ୍ଵରରେ କାଳୀମନ୍ଦିରରେ ରହିବା ବେଳେ ତାଙ୍କର ପାଣ୍ଡିତ୍ୟ ଓ ଦୟାର କଥା ଶୁଣିଥାଆନ୍ତି । ବିଦ୍ୟାସାଗରଙ୍କ ସ୍କୁଲରେ ମାଷ୍ଟର ଅଧ୍ୟାପନା କରନ୍ତି ଶୁଣି ତାଙ୍କୁ କହିଥିଲେ, “ମୋତେ ବିଦ୍ୟାସାଗରଙ୍କ ପାଖକୁ ନେଇଯିବ ? ତାଙ୍କୁ ଦେଖିବାକୁ ମୋର ଭାରୀ ଇଚ୍ଛା ।” ମାଷ୍ଟର ବିଦ୍ୟାସାଗରଙ୍କୁ ସେହି କଥା କହିଥିଲେ । ବିଦ୍ୟାସାଗର ଆନନ୍ଦିତ ହୋଇ ତାଙ୍କୁ ଦିନେ ଶନିବାର ୪ଟା ବେଳେ ସଙ୍ଗରେ ଆଣିବାକୁ କହିଲେ । ଥରେ ଖାଲି ପଚାରିଲେ, “କିପରି ପରମହଂସ ? ସେ କ’ଣ ଗେରୁଆ ପିନ୍ଧି ରହନ୍ତି ?” ମାଷ୍ଟର କହିଥିଲେ, “ଆଜ୍ଞା ନାହିଁ,  ସେ ଜଣେ ଅଦ୍ଭୂତ ପୁରଷ, ଲାଲଧଡ଼ି ଲୁଗା ପିନ୍ଧନ୍ତି, ଜାମା ପିନ୍ଧନ୍ତି, ରଙ୍ଗଦିଆ ଜୋତା ପିନ୍ଧନ୍ତି, ରାସମଣିଙ୍କ କାଳୀମନ୍ଦିରରେ ଗୋଟିଏ ଘରେ ରହନ୍ତି, ସେହି ଘରେ ଖଟ ପଡ଼ିଛି – ତାହା ଉପରେ ବିଛଣା, ମଶାରି ଅଛି, ସେହି ବିଛଣାରେ ସେ ଶୁଅନ୍ତି । କୌଣସି ବାହ୍ୟିକ ଚିହ୍ନ ନାହିଁ – ତେବେ ଈଶ୍ୱରଙ୍କ ଛଡ଼ା ଆଉ କିଛି ଜାଣନ୍ତି ନାହିଁ, ସବୁବେଳେ ତାଙ୍କରି ଚିନ୍ତା କରନ୍ତି ।”

ଗାଡ଼ି ଦକ୍ଷିଣେଶ୍ଵର ମନ୍ଦିରଠାରୁ ଛାଡ଼ିଛି । ପୋଲ ପାର ହୋଇ ଶ୍ୟାମବଜାର୍‌ ଦେଇ କ୍ରମେ ଆମହର୍ଷ୍ଟ ଷ୍ଟ୍ରୀଟ୍‌କୁ ଆସିଛି । ଭକ୍ତମାନେ କହୁଛନ୍ତି – ଏଥର ବାଦୁଡ଼ବାଗାନ୍‌ ପାଖକୁ ଆସିଛି । ଠାକୁର ବାଳକ ପରି ଆନନ୍ଦରେ ଗପ କରି କରି ଆସୁଛନ୍ତି । ଆମହର୍ଷ୍ଟ ଷ୍ଟ୍ରୀଟ୍‌ରେ ପହଞ୍ଚି ହଠାତ୍‌ ତାଙ୍କର ଭାବାନ୍ତର ହେଲା, ଯେପରି ଈଶ୍ଵରାବେଶ ହେବାର ଉପକ୍ରମ ।

ଗାଡ଼ି ରାମମୋହନ ରାୟଙ୍କ ବଗିଚାଘର ଦେଇ ଆସୁଛି । ମାଷ୍ଟର ଠାକୁରଙ୍କର ଭାବାନ୍ତର ଦେଖି ନାହାଁନ୍ତି; ତରତରରେ କହୁଛନ୍ତି, ଏହିଟି ରାମମୋହନ ରାୟଙ୍କର ଘର । ଠାକୁର ବିରକ୍ତ ହେଲେ, କହିଲେ – ବର୍ତ୍ତମାନ ଏସବୁ କଥା ଭଲ ଲାଗୁ ନାହିଁ । ଠାକୁର ଭାବାବିଷ୍ଟ ହେଉଛନ୍ତି ।

ବିଦ୍ୟାସାଗରଙ୍କ ଘର ସମ୍ମୁଖରେ ଗାଡ଼ି ଛିଡ଼ା ହେଲା । ଘରଟି ଦୁଇ ମହଲା, ଇଂରାଜୀ ଢାଞ୍ଚାରେ ତିଆରି । ଜାଗାଟିର ମଝିରେ ଘର ଓ ଚାରିପଟେ ପ୍ରାଚୀର । ଘରର ପଶ୍ଚିମ ପାଖରେ ସଦର ଦରଜା ଓ ଫାଟକ । ଫାଟକଟି ଦ୍ଵାରର ଦକ୍ଷିଣ ଦିଗରେ । ପଶ୍ଚିମର ପ୍ରାଚୀର ଓ ଦ୍ୱିତଳ ଗୃହର ମଧ୍ୟବର୍ତ୍ତୀ ସ୍ଥାନରେ ମଧ୍ୟେ ମଧ୍ୟେ ପୁଷ୍ପବୃକ୍ଷ । ପଶ୍ଚିମ ଦିଗର ତଳଘର ଭିତରେ ଶିଡ଼ିବାଟେ ଉପରକୁ ଉଠିବାକୁ ହୁଏ ।

ଠାକୁର ଗାଡ଼ିରୁ ଓହ୍ଲାଇଲେ । ମାଷ୍ଟର ବାଟ ଦେଖାଇ ଘର ଭିତରକୁ ନେଇ ଯାଉଛନ୍ତି । ଅଗଣାରେ ଫୁଲଗଛ, ତାହା ମଧ୍ୟରେ ଆସୁ ଆସୁ ଠାକୁର ବାଳକ ପରି ବୋତାମରେ ହାତ ଦେଇ ମାଷ୍ଟରଙ୍କୁ  ପଚାରୁଛନ୍ତି, “ଜାମାର ବୋତାମ ଖୋଲା ରହିଛି, ଏଥିରେ କିଛି ଦୋଷ ହେବ ନାହିଁ ତ ?” ଦେହରେ ଗୋଟିଏ ଲଙ୍ଗ୍‌ କ୍ଳଥର ଜାମା, ଲାଲଧଡ଼ି ଥିବା ପିନ୍ଧାଲୁଗାର କୁଞ୍ଚଟି କାନ୍ଧରେ ପଡ଼ିଛି । ପାଦରେ ପାଲିସ୍‌ କରା ଜୋତା । ମାଷ୍ଟର କହିଲେ, “ଆପଣ ସେଥିପାଇଁ ଭାବିବେ ନାହିଁ, ଆପଣଙ୍କର କୌଣସିଥିରେ ଦୋଷ ହେବ ନାହିଁ, ଆପଣଙ୍କର ବୋତାମ ଦେବା ଦରକାର ନାହିଁ ।” ବାଳକକୁ ବୁଝାଇଦେଲେ ଯେପରି ନିଶ୍ଚିନ୍ତ ହୁଏ, ଠାକୁର ମଧ୍ୟ ସେହିପରି ନିଶ୍ଚିନ୍ତ ହେଲେ ।

(୨)
ବିଦ୍ୟାସାଗର

ଶିଡ଼ିରେ ଉଠି ଏକାବେଳକେ ପ୍ରଥମ ବଖରାଟିରେ (ଉଠିବା ପରେ ଠିକ୍‌ ଉତ୍ତରପଟେ ବଖରାଟିଏ) ଠାକୁର ଭକ୍ତଗଣଙ୍କୁ ସଙ୍ଗରେ ନେଇ ପ୍ରବେଶ କରୁଛନ୍ତି । ବିଦ୍ୟାସାଗର ବଖରାଟିର ଉତ୍ତର ପାର୍ଶ୍ଵରେ ଦକ୍ଷିଣାଭିମୁଖ ହୋଇ ବସିଛନ୍ତି; ସମ୍ମୁଖରେ ଗୋଟିଏ ଚାରିକୋଣିଆ ଲମ୍ବା ପାଲିସ୍‌ ହୋଇଥିବା ଟେବୁଲ । ଟେବୁଲର ପୂର୍ବପଟେ ପଛଆଡ଼କୁ ଆଉଜି ବସିବା ଖଣ୍ଡିଏ ବେଞ୍ଚ । ଟେବୁଲର ଦକ୍ଷିଣ ପାର୍ଶ୍ଵରେ କେତେଖଣ୍ଡ ଚୌକି । ବିଦ୍ୟାସାଗର ଜଣେ ଦୁଇଜଣ ବନ୍ଧୁଙ୍କ ସହିତ କଥା କହୁଥିଲେ । ଠାକୁର ପ୍ରବେଶ କରିବାମାତ୍ରେ ବିଦ୍ୟାସାଗର ଦଣ୍ଡାୟମାନ ହୋଇ ଅଭ୍ୟର୍ଥନା କଲେ । ଠାକୁର ପଶ୍ଚିମାଭିମୁଖ, ଟେବୁଲର ପୂର୍ବ ପାର୍ଶ୍ୱରେ ଠିଆ ହୋଇଛନ୍ତି । ବାମ ହସ୍ତ ଟେବୁଲ ଉପରେ, ପଛପଟେ ବେଞ୍ଚ ଖଣ୍ଡିକ; ବିଦ୍ୟାସାଗରକୁ ପୂର୍ବ ପରିଚିତ ପରି ଏକଦୃଷ୍ଟିରେ ଦେଖିଛନ୍ତି ଓ ଭାବରେ ହସୁଛିନ୍ତି ।

ବିଦ୍ୟାସାଗରଙ୍କ ବୟସ ୬୨/୬୩ । ଠାକୁର ଶ୍ରୀରାମକୃଷ୍ଣଙ୍କ ଅପେକ୍ଷା ୧୬, ୧୭ ବର୍ଷ ବଡ଼ ହେବେ । ଥାନ-କନାର ଲୁଗା, ଗୋଡ଼ରେ ଜୋତା, ଦେହରେ ଗୋଟିଏ ହାତକଟା ଫ୍ଲାନେଲ୍‌ ଜାମା । ମୁଣ୍ଡରେ ଚାରିପାଖ ଓଡ଼ିଶାବାସୀଙ୍କ ପରି (ଆଗକାଳର ଗ୍ରାମର ଚାଷୀମାନଙ୍କ ପରି) କ୍ଷିଅର ହୋଇଛନ୍ତି । କଥା କହିବା ବେଳେ ଦାନ୍ତଗୁଡ଼ିକ ଉଜ୍ଵଳ ଦେଖାଯାଏ, ଦାନ୍ତଗୁଡ଼ିକ ସମସ୍ତ ବସାଦାନ୍ତ । ମୁଣ୍ଡଟି ଖୁବ୍‌ ବଡ଼ । ଉନ୍ନତ ଲଲାଟ ଓ ଟିକିଏ ଖର୍ବାକୃତି । ବ୍ରାହ୍ମଣ, ତେଣୁ କାନ୍ଧରେ ପଇତା ।

ବିଦ୍ୟାସାଗରଙ୍କର ଅନେକ ଗୁଣ । ବିଦ୍ୟାନୁରାଗ, ସର୍ବ ଜୀବେ ଦୟା, ସ୍ଵାଧୀନତାନୁରାଗ, ମାତୃଭକ୍ତି ତଥା ମାନସିକ ବଳ ଆଦି ଅନେକ ଗୁଣ ତାଙ୍କଠାରେ ପୂର୍ଣ୍ଣ ହୋଇ ରହିଛି ।

ଶ୍ରୀରାମକୃଷ୍ଣଙ୍କୁ ବିଦ୍ୟାସାଗରଙ୍କର ପୂଜା ଓ ସମ୍ଭାଷଣ

ଠାକୁର ଭାବାବିଷ୍ଟ ହେଉଛନ୍ତି ଓ କିଛିକ୍ଷଣ ଭାବସ୍ଥ ହୋଇ ଠିଆ ହୋଇଛନ୍ତି । ଭାବ ସମ୍ବରଣ ପାଇଁ ମଧ୍ୟେ ମଧ୍ୟେ କହୁଛନ୍ତି – ପାଣି ପିଇବି । ଦେଖୁ ଦେଖୁ ଘରର ପିଲାମାନେ ଓ ଆତ୍ମୀୟ ବନ୍ଧୁମାନେ ଆସି ଠିଆ ହେଲେ ।

ଠାକୁର ଭାବାବିଷ୍ଟ ହୋଇ ବେଞ୍ଚ ଉପରେ ବସିଛନ୍ତି । ଜଣେ ୧୭/୧୮ ବର୍ଷର ବାଳକ ସେହି ବେଞ୍ଚରେ ବସିଛି – ବିଦ୍ୟାସାଗରଙ୍କ ପାଖକୁ ଆସିଛି ପଢ଼ାପଢ଼ି ପାଇଁ ସାହାଯ୍ୟ ମାଗିବାକୁ । ଠାକୁର ଭାବାବିଷ୍ଟ, ଋଷିର ଅନ୍ତର୍ଦୃଷ୍ଟି, ବାଳକଟିର ଅନ୍ତରର ଭାବ ସବୁ ବୁଝିଛନ୍ତି । ଟିକିଏ ଘୁଞ୍ଚି ବସିଲେ ଓ ଭାବରେ କହିଲେ, “ମା ! ଏ ପିଲାଟିର ଭାରୀ ସଂସାରାସକ୍ତି । ତୁମର ଅବିଦ୍ୟାର ସଂସାର ! ଏ ଅବିଦ୍ୟାର ବାଳକ !”

ଯେଉଁ ବ୍ୟକ୍ତି ବ୍ରହ୍ମବିଦ୍ୟା ପାଇଁ ବ୍ୟାକୁଳ ନୁହେଁ, ଅର୍ଥକାରୀ ବିଦ୍ୟା ଉପାର୍ଜନ ତାହା ପକ୍ଷରେ ବିଡ଼ମ୍ବନା ମାତ୍ର, ଏହି କଥା କଅଣ ଠାକୁର କହିଛନ୍ତି ?

ବିଦ୍ୟାସାଗର ବ୍ୟସ୍ତ ହୋଇ ଜଣକୁ ପାଣି ଆଣିବାକୁ କହିଲେ ଓ ମାଷ୍ଟରଙ୍କୁ ପଚାରିଲେ କିଛି ଖାଦ୍ୟ ଆଣିଲେ ସେ ଖାଇବେ କି ? ସେ କହିଲେ, ‘ଆଜ୍ଞା, ଆଣନ୍ତୁନା ।’ ବିଦ୍ୟାସାଗର ଶୀଘ୍ର ଭିତରକୁ ଯାଇ କିଛି ମିଠାଇ ଆଣିଲେ ଓ କହିଲେ, ଏଗୁଡ଼ିକ ବର୍ଦ୍ଧମାନରୁ ଆସିଛି । ଠାକୁରଙ୍କୁ କିଛି ଖାଇବାକୁ ଦିଆଗଲା । ହାଜରା ଓ ଭବନାଥ ମଧ୍ୟ ଖାଇଲେ । ମାଷ୍ଟରଙ୍କୁ ଦେବାକୁ ଆସିଲାବେଳେ ବିଦ୍ୟାସାଗର କହିଲେ, ‘ସେ ଘରର ପୁଅ, ତା’ ପାଇଁ ଅଟକିବ ନାହିଁ ।’ ଠାକୁର ଜଣେ ଭକ୍ତ ବାଳକର କଥା ବିଦ୍ୟାସାଗରଙ୍କୁ କହୁଛନ୍ତି । ସେ ବାଳକଟି ଏଠାରେ ଠାକୁରଙ୍କ ସମ୍ମୁଖରେ ବସିଥିଲା । ଠାକୁର କହିଲେ, “ଏ ବାଳକଟି ଖୁବ୍‌ ସତ୍‌, ଆଉ ଅନ୍ତଃସାର, ଯେପରି ଫଲ୍‌ଗୁ ନଦୀ, ଉପରେ ବାଲି, ଟିକିଏ ଖୋଳିଲେ ଭିତରେ ପାଣି ବହୁଥିବାର ଦେଖାଯାଏ ।”

ମିଷ୍ଟାନ୍ନ ଖାଇବା ପରେ ଠାକୁରେ ସହାସ୍ୟବଦନ ହୋଇ ବିଦ୍ୟାସାଗରଙ୍କ ସଙ୍ଗରେ କଥା କହୁଛନ୍ତି । ଦେଖୁ  ଦେଖୁ ଘରେ ଘରଭର୍ତ୍ତି ଲୋକ, କେହି ବସିଛନ୍ତି, କେହି ଠିଆ ହୋଇଛନ୍ତି ।

ଶ୍ରୀରାମକୃଷ୍ଣ – ଆଜି ସାଗରରେ ଆସି ମିଶିଲି । ଏତେଦିନ ନାଳ, ଖାଲ, ହ୍ରଦ ଓ ଖୁବ୍‌ ବେଶୀ ହେଲେ ନଦୀ ଦେଖିଛି । (ସମସ୍ତଙ୍କର ହାସ୍ୟ)
ବିଦ୍ୟାସାଗର (ସହାସ୍ୟ) – ତେବେ ଲୁଣିଆ ପାଣି କିଛି ନେଇଯାଆନ୍ତୁ । (ହାସ୍ୟ)
ଶ୍ରୀରାମକୃଷ୍ଣ – ନାହିଁ ହେ ! ଲୁଣିଆ ପାଣି କାହିଁକି ? ତୁମେ ତ ଅବିଦ୍ୟାର ସାଗର ନୁହଁ, ତୁମେ ଯେ ବିଦ୍ୟାର ସାଗର ! (ସମସ୍ତଙ୍କର ହାସ୍ୟ) । ତୁମେ କ୍ଷୀର- ସମୁଦ୍ର ! (ସମସ୍ତଙ୍କର ହାସ୍ୟ)
ବିଦ୍ୟାସାଗର – ହଁ, ସେକଥା ଅବଶ୍ୟ କହିପାରନ୍ତି ।

ବିଦ୍ୟାସାଗର ନୀରବ ରହିଲେ । ଠାକୁରେ କଥା କହୁଛନ୍ତି ।

ବିଦ୍ୟାସାଗରଙ୍କର ସାତ୍ତ୍ୱିକ କର୍ମ – “ତୁମେ ମଧ୍ୟ ସିଦ୍ଧ ପୁରୁଷ”

ଶ୍ରୀରାମକୃଷ୍ଣ – ତୁମର କର୍ମ ସାତ୍ତ୍ଵିକ କର୍ମ । ସତ୍ତ୍ୱର ରଜଃ । ସତ୍ତ୍ଵ ଗୁଣରୁ ଦୟା ହୁଏ । ଦୟା ହେତୁ ଯେଉଁ କର୍ମ କରାଯାଏ, ତାହା ରାଜସିକ କର୍ମ ସତ୍ୟ; କିନ୍ତୁ ଏ ରଜୋଗୁଣ, ସତ୍ତ୍ଵର ରଜୋଗୁଣ – ଏଥିରେ ଦୋଷ ନାହିଁ । ଶୁକଦେବାଦି ଲୋକଶିକ୍ଷା ପାଇଁ ଦୟା ରଖିଥିଲେ – ଈଶ୍ୱର ବିଷୟ ଶିକ୍ଷା ଦେବା ପାଇଁ । ତୁମେ ବିଦ୍ୟାଦାନ, ଅନ୍ନଦାନ କରୁଛ, ଏ ତ ଭଲ । ନିଷ୍କାମ ଭାବରେ କରିପାରିଲେ ଏଥିରେ ଭଗବାନ ଲାଭ ହୁଏ । କେହି କରନ୍ତି ନାମ ପାଇଁ, ପୁଣ୍ୟ ପାଇଁ, ସେମାନଙ୍କ କର୍ମ ନିଷ୍କାମ କର୍ମ ନୁହେଁ । ଆଉ ତୁମେ ତ ସିଦ୍ଧ ହୋଇଯାଇଛ ।
ବିଦ୍ୟାସାଗର – ମହାଶୟ, କିପରି ?
ଶ୍ରୀରାମକୃଷ୍ଣ (ସହାସ୍ୟ) – ଆଳୁ ପୋଟଳ ସିଦ୍ଧ ହେଲେ ନରମ ହୁଏ, ଆଉ ତୁମେ ତ ଖୁବ୍‌ ନରମ । ତୁମର ଏତେ ଦୟା ! (ହାସ୍ୟ)
ବିଦ୍ୟାସାଗର (ସହାସ୍ୟ) – ବିରିବଟା ସିଦ୍ଧ ହେଲେ ତ ଟାଣ ହୁଏ ! (ସମସ୍ତଙ୍କର ହାସ୍ୟ)
ଶ୍ରୀରାମକୃଷ୍ଣ – ତୁମେ ତାହା ନୁହଁ ହେ, ତୁଚ୍ଛା ପଣ୍ଡିତଯାକ ଦରପାଠୁଆ ! ନା ଏ ପାଖ, ନା ସେ ପାଖ । ଶାଗୁଣା ଖୁବ୍‌ ଉଚ୍ଚରେ ଉଡ଼େ; କିନ୍ତୁ ତାର ନଜର ଥାଏ ମଢ଼ ଉପରେ । ଯେଉଁମାନେ ତୁଚ୍ଛା ପଣ୍ଡିତ, ଶୁଣିବାରେ ପଣ୍ଡିତ, ସେମାନଙ୍କର କାମିନୀ-କାଞ୍ଚନରେ ଆସକ୍ତି – ଶାଗୁଣା ପରି ପଚା ମଢ଼ା ଖୋଜୁଛନ୍ତି – ଅବିଦ୍ୟା-ସଂସାରରେ ଆସକ୍ତି । ଦୟା, ଭକ୍ତି, ବୈରାଗ୍ୟ ବିଦ୍ୟାର ଐଶ୍ୱର୍ଯ୍ୟ !

ବିଦ୍ୟାସାଗର ଚୁପ୍‌ ହୋଇ ଶୁଣୁଛନ୍ତି । ସମସ୍ତେ ଏକ ଦୃଷ୍ଟିରେ ଏହି ଆନନ୍ଦମୟ ପୁରୁଷଙ୍କୁ ଦର୍ଶନ ଓ ତାଙ୍କର କଥାମୃତ ପାନ କରୁଛନ୍ତି ।

(୩)
ଶ୍ରୀରାମକୃଷ୍ଣ, ଜ୍ଞାନଯୋଗ ବା ବେଦାନ୍ତ-ବିଚାର

ବିଦ୍ୟାସାଗର ମହାପଣ୍ଡିତ । ଯେତେବେଳେ ସଂସ୍କୃତ କଲେଜରେ ପଢୁଥିଲେ ସେତେବେଳେ ନିଜ ଶ୍ରେଣୀରେ ସର୍ବୋତ୍କୃଷ୍ଟ ଛାତ୍ର ଥଲେ । ପ୍ରତି ପରୀକ୍ଷାରେ ପ୍ରଥମ ହେଉଥିଲେ ଏବଂ ସ୍ୱର୍ଣ୍ଣପଦକାଦି ଓ ଛାତ୍ରବୃତ୍ତି ପାଇଥିଲେ । କ୍ରମେ ସଂସ୍କୃତ କଲେଜରେ ପ୍ରଧାନ ଅଧ୍ୟାପକ ହୋଇଥିଲେ । ସଂସ୍କୃତ ବ୍ୟାକରଣ ଓ ସଂସ୍କୃତ କାବ୍ୟରେ ବିଶେଷ ପାରଦର୍ଶିତା ଲାଭ କରିଥିଲେ । ଅଧ୍ୟବସାୟ ବଳରେ ନିଜେ ଚେଷ୍ଟା କରି ଇଂରାଜୀ ଶିଖିଥିଲେ ।

ଧର୍ମ ବିଷୟରେ ବିଦ୍ୟାସାଗର କାହାରିକୁ ଶିକ୍ଷା ଦିଅନ୍ତି ନାହିଁ । ସେ ଦର୍ଶନାଦି ଗ୍ରନ୍ଥ ପଢ଼ିଛନ୍ତି । ମାଷ୍ଟର ଦିନେ ପଚାରିଥିଲେ, “ଆପଣଙ୍କୁ ହିନ୍ଦୁ-ଦର୍ଶନ କିପରି ଲାଗେ ?” ସେ କହିଥିଲେ, “ମୋର ମନେହୁଏ – ସେମାନେ ଯାହା ବୁଝାଇବାକୁ ଚାହିଁଛନ୍ତି, ବୁଝାଇପାରି ନାହାଁନ୍ତି ।” ହିନ୍ଦୁମାନଙ୍କ ପରି ସେ ଶ୍ରାଦ୍ଧାଦି ଧର୍ମକର୍ମ ସମସ୍ତ କରନ୍ତି; କାନ୍ଧରେ ଉପବୀତ ଧାରଣ କରନ୍ତି; ବଙ୍ଗଳାରେ ଯେଉଁ ସମସ୍ତ ପତ୍ର ଲେଖନ୍ତି, ସେଥିରେ ‘ଶ୍ରୀଶ୍ରୀହରିଶରଣମ୍‌’ ଭଗବାନଙ୍କର ଏହି ବନ୍ଦନା ପ୍ରଥମେ କରନ୍ତି ।

ମାଷ୍ଟର ଆଉଦିନେ ତାଙ୍କ ମୁହଁରୁ ଶୁଣିଥିଲେ, ସେ ଈଶ୍ୱରଙ୍କ ସମ୍ବନ୍ଧରେ କଅଣ ଭାବନ୍ତି । ବିଦ୍ୟାସାଗର କହିଥିଲେ, “ତାଙ୍କୁ ତ ଜାଣିବାର ଉପାୟ ନାହିଁ । ବର୍ତ୍ତମାନ କର୍ତ୍ତବ୍ୟ କଅଣ ? ମୋ ମତରେ କର୍ତ୍ତବ୍ୟ, ଆମେମାନେ ନିଜେ ଏପରି ହେବା ଉଚିତ୍‌, ଯାହାଦ୍ଵାରା ସମସ୍ତେ ଯଦି ସେହିପରି ହୁଅନ୍ତି, ତେବେ ପୃଥିବୀ ସ୍ଵର୍ଗ ହୋଇଯିବ । ଯେଉଁଥିରେ ଜଗତର ମଙ୍ଗଳ ହେବ, ତାହା ହିଁ ପ୍ରତ୍ୟେକର ଚେଷ୍ଟା କରିବା ଉଚିତ ।”

ଵିଦ୍ୟା ଓ ଅବିଦ୍ୟା କଥା କହୁ କହୁ ଠାକୁର ବ୍ରହ୍ମଜ୍ଞାନ କଥା କହୁଛନ୍ତି । ବିଦ୍ୟାସାଗର ମହାପଣ୍ଡିତ । ଷଡ଼ଦର୍ଶନ ପାଠ କରି ବୋଧହୁଏ ଜାଣିଛନ୍ତି ଯେ ଈଶ୍ୱରଙ୍କ ବିଷୟ କିଛି ଜଣାଯାଏ ନାହିଁ ।

Problem of Evil – ବ୍ରହ୍ମ ନିର୍ଲିପ୍ତ – ଜୀବର ସମ୍ବନ୍ଧରେ ହିଁ ଦୁଃଖାଦି

ଶ୍ରୀରାମକୃଷ୍ଣ – ବ୍ରହ୍ମ – ବିଦ୍ୟା ଓ ଅବିଦ୍ୟାର ପାର । ସେ ମାୟାତୀତ । ଏହି ଜଗତରେ ବିଦ୍ୟାମାୟା, ଅବିଦ୍ୟାମାୟା ଦୁଇଟି ଯାକ ଅଛି; ଜ୍ଞାନ-ଭକ୍ତି ଅଛି, ପୁଣି କାମିନୀ-କାଞ୍ଚନ ବି ଅଛି, ସତ୍‌ ଅଛି, ଅସତ୍‌ ବି ଅଛି; ଭଲ ଅଛି, ମନ୍ଦ ବି ଅଛି । କିନ୍ତୁ ବ୍ରହ୍ମ ନିର୍ଲିପ୍ତ । ଭଲ ମନ୍ଦ ଜୀବ ପାଇଁ; ସତ୍‌ ଅସତ୍‌ ଜୀବ ପାଇଁ, ତାଙ୍କର ସେଥିରେ କିଛି ହୁଏ ନାହିଁ ।

ଯେପରି ଦୀପ ଜଳାଇ କେହି ଭାଗବତ ପଢ଼ୁଛି, ଆଉ କେହି ବା ଜାଲ୍‌ କରୁଛି । ଦୀପ ନିର୍ଲିପ୍ତ । ସୂର୍ଯ୍ୟ ଶିଷ୍ଟ ଉପରେ ଆଲୋକ ଦେଉଛନ୍ତି, ପୁଣି ଦୁଷ୍ଟ ଉପରେ ବି ଦେଉଛନ୍ତି ।

ଯଦି କୁହ – ଦୁଃଖ, ପାପ, ଅଶାନ୍ତି ଏସବୁ ତେବେ କଅଣ ? ତାହାର ଭତ୍ତର ଏହି ଯେ, ସେସବୁ ଜୀବ ପାଇଁ । ବ୍ରହ୍ମ ନିର୍ଲିପ୍ତ । ସାପ ଭିତରେ ବିଷ ଅଛି; ଅନ୍ୟକୁ କାମୁଡ଼ିଲେ ଜୀବ ମରିଯାଏ; ସାପର କିନ୍ତୁ କିଛି ହୁଏ ନାହିଁ ।

ବ୍ରହ୍ମ ଅନିର୍ବଚନୀୟ ଅବ୍ୟପଦେଶ୍ୟମ୍‌

ବ୍ରହ୍ମ ଯେ କଅଣ, ମୁହଁରେ କୁହାଯାଇପାରେ ନାହିଁ । ସବୁ ଜିନିଷ ଉଚ୍ଛିଷ୍ଟ ହୋଇଛି । ବେଦ, ପୁରାଣ, ତନ୍ତ୍ର ଷଡ଼ଦର୍ଶନ ସବୁ ଅଇଁଠା ହୋଇଯାଇଛି ! ମୁଖରେ ଉଚ୍ଚାରିତ ହୋଇଛି – ତେଣୁ ଅଇଁଠା ହୋଇଛି ! କିନ୍ତୁ ଗୋଟିଏ ଜିନିଷ କେବଳ ଉଚ୍ଛିଷ୍ଟ ହୋଇନାହିଁ, ସେହି ଜିନିଷଟି ବ୍ରହ୍ମ । ବ୍ରହ୍ମ ଯେ କି ବସ୍ତୁ, ଆଜି ପର୍ଯ୍ୟନ୍ତ କେହି ମୁହଁରେ କହିପାରି ନାହିଁ ।”
ବିଦ୍ୟାସାଗର (ବନ୍ଧୁମାନଙ୍କ ପ୍ରତି) – ବାଃ ! ବଢ଼ିଆ କଥାଟିଏ ! ଆଜି ଗୋଟିଏ ନୂଆ କଥା ଶିଖିଲି ।
ଶ୍ରୀରାମକୃଷ୍ଣ – ଜଣକର ଦୁଇଟି ପୁଅ । ବ୍ରହ୍ମବିଦ୍ୟା ଶିଖିବା ପାଇଁ ପୁଅ ଦୁହିଁଙ୍କୁ ସେ ଆଚାର୍ଯ୍ୟଙ୍କ ହାତରେ ଦେଲେ । କେତେକ ବର୍ଷ ପରେ ସେମାନେ ଗୁରୁଙ୍କ ଗୃହରୁ ଫେରିଆସିଲେ; ଆସି ବାପାଙ୍କୁ ପ୍ରଣାମ କଲେ । ବାପାଙ୍କର ଇଚ୍ଛା, ଦେଖିବେ, ଏମାନଙ୍କର ବ୍ରହ୍ମଜ୍ଞାନ କିପରି ହୋଇଛି । ବଡ଼ ପୁଅକୁ ପଚାରିଲେ, “ବାପ ! ତୁମେ ତ ସବୁ ପଢ଼ିଛ, ବହୁ କିପରି କୁହ ତ ?” ବଡ଼ ପୁଅ ବେଦରୁ ନାନା ଶ୍ଳୋକ କହି ବ୍ରହ୍ମଙ୍କର ସ୍ଵରୂପ ବୁଝାଇବାକୁ ଲାଗିଲା । ବାପା ଚୁପ୍‌ କରି ରହିଲେ । ଯେତେବେଳେ ଛୋଟ ପୁଅକୁ ପଚାରିଲେ, ସେ ମୁହଁ ତଳକୁ କରି ଚୁପ୍‌ କରି ରହିଲା । ପାଟିରେ କୌଣସି କଥା ନାହିଁ । ବାପା ସେତେବେଳେ ପ୍ରସନ୍ନ ହୋଇ ଛୋଟ ପୁଅକୁ କହିଲେ, ‘ବାବୁ ! ତୁମେ ଟିକିଏ ବୁଝିଛ । ବ୍ରହ୍ମ ଯେ କଅଣ, ମୁହଁରେ କୁହାଯାଇପାରେ ନାହିଁ ।’

ମଣିଷ ଭାବେ ଯେ, ସେ ତାଙ୍କୁ ଜାଣିଯାଇଛି । ଗୋଟିଏ ପିମ୍ପୁଡ଼ି ଚିନିର ପାହାଡ଼କୁ ଯାଇଥ୍‌ଲା । ଗୋଟିଏ ଦାନା ଖାଇ ପେଟ ପୂରିଗଲା, ଆଉ ଗୋଟିଏ ଦାନା ମୁହଁରେ ଧରି ବସାକୁ ଗଲା; ଯିବାବେଳେ ଭାବୁଛି – ଏଥର ଆସି ପୂରା ପାହାଡ଼ଟି ନେଇଯିବି ! କ୍ଷୁଦ୍ର ଜୀବମାନେ ଏହିପରି ମନେ କରନ୍ତି । ଜାଣନ୍ତି ନାହିଁ, ବ୍ରହ୍ମ ବାକ୍ୟମନର ଅତୀତ ।

ଯେ ଯେତେ ବଡ଼ ହେଉ ନା କାହିଁକି, ତାଙ୍କୁ କଅଣ ଜାଣିବ ? ଶୁକଦେବାଦି ଖୁବ୍‌ ହେଲେ ଜନ୍ଦା – ଚିନିର ଆଠ ଦଶଟା ଦାନା ହୁଏତ ମୁହଁରେ ଧରିପାରନ୍ତି ।

ବ୍ରହ୍ମ ସଚ୍ଚିଦାନନ୍ଦସ୍ଵରୂପ – ନିର୍ବିକଳ ସମାଧ ଓ ବ୍ରହ୍ମଜ୍ଞାନ

ତେବେ ବେଦ-ପୁରାଣରେ ଯାହା କୁହାଯାଇଛି – ତାହା କିପରି ଜ୍ଞାନ ? ଜଣେ ସାଗର ଦେଖି ଆସିଲେ ଯଦି କେହି ପଚାରେ – କିପରି ଦେଖିଲ ? – ସେ ଲୋକ ଏଡ଼େ ବଡ଼ ଆଁ କରି କହେ, ‘ଓଃ ! କି ହିଲ୍ଲୋଳ କଲ୍ଲୋଳ !’ ବ୍ରହ୍ମକଥା ମଧ୍ୟ ସେହିପରି । ବେଦରେ ଅଛି – ସେ ଆନନ୍ଦସ୍ୱରୂପ ସଚ୍ଚିଦାନନ୍ଦ । ଶୁକଦେବାଦି ଏହି ବ୍ରହ୍ମସାଗର ତଟରେ ଠିଆ ହୋଇ ଦର୍ଶନ ସ୍ପର୍ଶନ କରିଥିଲେ । ଏକ ମତରେ ଅଛି – ସେମାନେ ଏ ସାଗରରେ ପଶି ନାହାଁନ୍ତି । ଏ ସାଗରରେ ମିଶିଲେ ଫେରିବା ଅସାଧ୍ୟ ।

ସମାଧିସ୍ଥ ହେଲେ ବ୍ରହ୍ମଜ୍ଞାନ ହୁଏ, ବ୍ରହ୍ମଦର୍ଶନ ହୁଏ । ସେହି ଅବସ୍ଥାରେ ବିଚାର ଏକାବେଳକେ ବନ୍ଦ ହୋଇଯାଏ, ମନୁଷ୍ୟ ଚୁପ୍‌ ହୋଇଯାଏ । ବ୍ରହ୍ମ କି ବସ୍ତୁ ମୁହଁରେ କହିବାର ଶକ୍ତି ରହେ ନାହିଁ ।

ଲୁଣର କଣ୍ଢେଇ (ଲବଣ-ପୁତ୍ତଳିକା) ସମୁଦ୍ର ମାପିବାକୁ ଯାଇଥିଲା (ସମସ୍ତଙ୍କର ହାସ୍ୟ) । କେତେ ଗଭୀର ତା’ର ଖବର ଦେବ ! ଖବର ଦେବା ଆଉ ହେଲା ନାହିଁ । ଯେମିତି ପଶିଛି, ସଙ୍ଗେ ସଙ୍ଗେ ମିଳେଇଗଲା ! କିଏ ଆଉ ଖବର ଦେବ ?

ଜଣେ ପଚାରିଲେ, “ସମାଧିସ୍ଥ ବ୍ୟକ୍ତି, ଯାହାଙ୍କର ବ୍ରହ୍ମଜ୍ଞାନ ହୋଇଛି, ସେ କଅଣ ଆଉ କଥା କହନ୍ତି ନାହିଁ ?”
ଶ୍ରୀରାମକୃଷ୍ଣ (ବିଦ୍ୟାସାଗରାଦିଙ୍କ ପ୍ରତି) – ଶଙ୍କରାଚାର୍ଯ୍ୟ ଲୋକଶିକ୍ଷା ପାଇଁ ବିଦ୍ୟାର ‘ମୁଁ’ ରଖିଥିଲେ । ବ୍ରହ୍ମଦର୍ଶନ ହେଲେ ମନୁଷ୍ୟ ଚୁପ୍‌ ହୋଇଯାଏ । ଯେପର୍ଯ୍ୟନ୍ତ ଦର୍ଶନ ନ ହୁଏ, ସେପର୍ଯ୍ୟନ୍ତ ବିଚାର । ଘିଅ ଯେତେବେଳେଯାଏ କଞ୍ଚା ଥାଏ ସେତେବେଳେଯାଏ କଡ଼ କଡ଼ ଶବ୍ଦ । ତାତିଗଲେ ଘିଅର କୌଣସି ଶବ୍ଦ ରହେ ନାହିଁ । କିନ୍ତୁ ଯେତେବେଳେ ଏହି ଘିଅରେ ପୁଣି କଞ୍ଚା ଲୁଚି ପଡ଼େ – ସେତେବେଳେ ଆଉ ଥରେ ଚେଁ କଡ଼କଡ଼ ଶବ୍ଦ ହୁଏ । କଞ୍ଚା ଲୁଚି ପାଚିଗଲେ ଘିଅ ପୁଣି ଚୁପ୍‌ ହୋଇଯାଏ । ସେହିପରି ସମାଧିସ୍ଥ ପୁରୁଷ ଲୋକଶିକ୍ଷା ଦେବା ପାଇଁ ପୁଣି ଓହ୍ଲାଇ ଆସନ୍ତି, ପୁଣି କଥା କହନ୍ତି ।

ଯେତେବେଳ ଯାଏ ମହୁମାଛି ଫୁଲରେ ନ ବସେ, ସେତେବେଳେ ଯାଏ ଗୁଣୁ ଗୁଣୁ କରେ । ଫୁଲରେ ବସି ମଧୁପାନ କରିବାକୁ ଆରମ୍ଭ କଲେ ଚୁପ୍‌ ହୋଇଯାଏ । ମଧୁପାନ କରିବା ପରେ ମାତାଲ ହୋଇ ପୁଣି ବେଳେ ବେଳେ ଗୁଣୁ ଗୁଣୁ କରେ ।

ପୋଖରୀରୁ ମାଠିଆରେ ପାଣି ଭରିବା ବେଳେ ଭକ୍‌ ଭକ୍‌ ଶବ୍ଦ ହୁଏ, ପୂର୍ଣ୍ଣ ହୋଇଗଲେ ଆଉ ଶବ୍ଦ ହୁଏ ନାହିଁ (ସମସ୍ତଙ୍କର ହାସ୍ୟ) । ତେବେ ଆଉ ଗୋଟିଏ ମାଠିଆରେ ଯଦି ଢଳାଢ଼ଳି ହୁଏ ତାହାହେଲେ ପୁଣି ଶବ୍ଦ ହୁଏ । (ହାସ୍ୟ)

(୪)
ଜ୍ଞାନ ଓ ବିଜ୍ଞାନ, ଅଦ୍ଵୈତବାଦ, ବିଶିଷ୍ଟାଦ୍ୱୈତବାଦ ଓ ଦ୍ୱୈତବାଦ – ଏହି ତିନିର ସମନ୍ୱୟ

ଶ୍ରୀରାମକୃଷ୍ଣ – ରଷିମାନଙ୍କର ବ୍ରହ୍ମଜ୍ଞାନ ହୋଇଥଲା । ବିଷୟ-ବୁଦ୍ଧିର ଲେଶମାତ୍ର ଥିଲେ ଏହି ବ୍ରହ୍ମଜ୍ଞାନ ହୁଏ ନାହିଁ । ରଷିମାନେ କେତେ ଖଟୁଥିଲେ ! ସକାଳୁ ଆଶ୍ରମରୁ ଚାଲିଯାଆନ୍ତି । ଏକଲା ସାରା ଦିନ ଜପ ଧ୍ୟାନ କରନ୍ତି । ରାତିରେ ଆଶ୍ରମକୁ ଫେରିଆସି କିଛି ଫଳମୂଳ ଖାଆନ୍ତି । ଦେଖା, ଶୁଣା, ଛୁଆଁ ଏସବୁ ବିଷୟରୁ ମନକୁ ଅଲଗା ରଖନ୍ତି; ତେବେ ଯାଇ ବ୍ରହ୍ମଙ୍କୁ ଠିକ୍‌ ଠିକ୍‌ ଅନୁଭବ କରୁଥିଲେ ।

କଳିରେ ଅନ୍ନଗତ ପ୍ରାଣ, ଦେହବୁଦ୍ଧି ଯାଏ ନାହିଁ । ଏ ଅବସ୍ଥାରେ ‘ସୋଽହଂ’ କହିବା ଭଲ ନୁହେଁ । ସବୁ କରାଯାଉଛି, ପୁଣି ‘ମୁଁ ବ୍ରହ୍ମ’ କହିବା ଠିକ୍‌ ନୁହେଁ । ଯେଉଁମାନେ ବିଷୟ ତ୍ୟାଗ କରିପାରନ୍ତି ନାହିଁ, ଯେଉଁମାନଙ୍କର ‘ମୁଁ’ କୌଣସି ମତେ ଯାଉ ନାହିଁ, ସେମାନଙ୍କର ‘ମୁଁ ଦାସ’, ‘ ମୁଁ ଭକ୍ତ’ ଏହି ଅଭିମାନ ଭଲ । ଭକ୍ତି-ପଥରେ ରହିଲେ ମଧ୍ୟ ତାଙ୍କୁ ଲାଭ କରାଯାଏ ।

ଜ୍ଞାନୀ ‘ନେତି’ ‘ନେତି’ କରି ବିଷୟ-ବୁଦ୍ଧି ତ୍ୟାଗ କରେ, ତେବେ ବ୍ରହ୍ମଙ୍କୁ ଜାଣିପାରେ – ଯେପରି ଶିଡ଼ିର ପାହାଚ ଚଢ଼ି ଚଢ଼ି ଛାତରେ ପହଞ୍ଚି ହୁଏ । କିନ୍ତୁ ବିଜ୍ଞାନୀ, ଯେ ବିଶେଷ ରୂପେ ତାଙ୍କ ସହିତ ଆଳାପ କରନ୍ତି, ସେ ଆହୁରି କିଛି ଦର୍ଶନ କରନ୍ତି । ସେ ଦେଖନ୍ତି ଛାତ ଯେଉଁ ଜିନିଷରେ ତିଆରି, ସେହି ଇଟା ଚୂନ ସୁରକିରେ ଶିଡ଼ି ମଧ୍ୟ ତିଆରି । ‘ନେତି’ ‘ନେତି’ କରି ଯାହାଙ୍କୁ ବ୍ରହ୍ମ ବୋଲି ବୋଧ ହେଉଛି, ସେ ହିଁ ଜୀବଜଗତ୍‌ ହୋଇଛନ୍ତି । ବିଜ୍ଞାନୀ ଦେଖେ – ଯେ ନିର୍ଗୁଣ, ସେ ହିଁ ସଗୁଣ ।

ଛାତରେ ଲୋକମାନେ ବେଶୀ ସମୟ ରହିପାରନ୍ତି ନାହିଁ, ପୁଣି ଓହ୍ଲାଇ ଆସନ୍ତି । ଯେଉଁମାନେ ସମାଧସ୍ଥ ହୋଇ ବ୍ରହ୍ମଙ୍କୁ ଦର୍ଶନ କରନ୍ତି, ସେମାନେ ମଧ୍ୟ ଓହ୍ଲାଇ ଆସି ଦେଖନ୍ତି ଯେ, ସେ ହିଁ ଜୀବ-ଜଗତ୍‌ ହୋଇଛନ୍ତି । ସା, ରେ, ଗା, ମା, ପା, ଧା, ନି । ‘ନି’ ରେ ବେଶୀ ସମୟ ରହିହୁଏ ନାହିଁ । ‘ମୁଁ’ ଯାଏ ନାହିଁ; ସେତେବେଳେ ଦେଖେ, ସେ ହିଁ ‘ମୁଁ’, ସେ ହିଁ ଜୀବ-ଜଗତ୍‌ ସବୁ । ଏହାର ନାମ ବିଜ୍ଞାନ ।

ଜ୍ଞାନୀର ପଥ ବି ପଥ । ଜ୍ଞାନ-ଭକ୍ତିର ପଥ ବି ପଥ । ପୁଣି ଭକ୍ତିର ପଥ ମଧ୍ୟ ପଥ । ଜ୍ଞାନଯୋଗ ବି ସତ୍ୟ, ଭକ୍ତିପଥ ମଧ୍ୟ ସତ୍ୟ – ସବୁ ପଥ ଦେଇ ତାଙ୍କ ପାଖକୁ ଯାଇହୁଏ । ସେ ଯେତେବେଳ ଯାଏ ‘ମୁଁ’ ରଖି ଦେଇଛନ୍ତି, ସେତେବେଳେ ଯାଏ ଭକ୍ତିପଥ ହିଁ ସହଜ ।

ବିଜ୍ଞାନୀ ଦେଖେ ବ୍ରହ୍ମ ଅଟଳ, ନିଷ୍କ୍ରିୟ, ସୁମେରୁବତ୍‌ । ଏହି ଜଗତ୍‌ ସଂସାର ତାଙ୍କର ସତ୍ତ୍ଵ ରଜଃ ତମଃ ତିନି ଗୁଣରେ ହୋଇଛି । ସେ ନିର୍ଲିପ୍ତ ।

ବିଜ୍ଞାନୀ ଦେଖେ ଯେ, ଯିଏ ବ୍ରହ୍ମ ସେ ହିଁ ଭଗବାନ; ଯେ ଗୁଣାତୀତ ସେ ହିଁ ଷଡ଼ୈଶ୍ଵର୍ଯ୍ୟପୂର୍ଣ୍ଣ ଭଗବାନ । ଏହି ଜୀବଜଗତ୍‌, ମନ-ବୁଦ୍ଧି, ଭକ୍ତି-ବୈରାଗ୍ୟ-ଜ୍ଞାନ ଏସବୁ ତାଙ୍କର ଐଶ୍ୱର୍ଯ୍ୟ । (ସହାସ୍ୟେ) ଯେଉଁ ବାବୁର ଘରଦ୍ୱାର ନାହିଁ, ହୁଏତ ବିକ୍ରି ହୋଇଗଲା, ସେ ବାବୁ କାହିଁର ବାବୁ ! ( ସମସ୍ତଙ୍କର ହାସ୍ୟ) ଈଶ୍ୱର ଷଡ଼ୈଶ୍ଵର୍ଯ୍ୟପୂର୍ଣ୍ । ସେ ବ୍ୟକ୍ତିର ଯଦି ଐଶ୍ୱର୍ଯ୍ୟ ନ ଥାଆନ୍ତା, ତାହାହେଲେ କିଏ ମାନନ୍ତା ! (ସମସ୍ତଙ୍କର ହାସ୍ୟ)

ବିଭୁରୂପରେ ଏକ – କିନ୍ତୁ ଶକ୍ତିବିଶେଷ

ଦେଖ ନା, ଏହି ଜଗତ କି ଚମତ୍କାର । କେତେ ପ୍ରକାରର ଜିନିଷ – ଚନ୍ଦ୍ର, ସୂର୍ଯ୍ୟ, ନକ୍ଷତ୍ର । କେତେ ପ୍ରକାର ଜୀବ – ବଡ଼, ଛୋଟ, ଭଲ, ମନ୍ଦ, କାହାର ବେଶୀ ଶକ୍ତି, କାହାର କମ୍‌ ଶକ୍ତି ।

ବିଦ୍ୟାସାଗର – ସେ କ’ଣ କାହାକୁ ବେଶୀ ଶକ୍ତି, କାହାକୁ କମ୍‌ ଶକ୍ତି ଦେଇଛନ୍ତି ?

ଶ୍ରୀରାମକୃଷ୍ଣ – ସେ ବିଭୁରୂପରେ ସର୍ବଭୂତରେ ଅଛନ୍ତି, ପିମ୍ପୁଡ଼ି ପର୍ଯ୍ୟନ୍ତ, କିନ୍ତୁ ଶକ୍ତିବିଶେଷ । ତାହା ନ ହେଲେ ଜଣେ ଲୋକ ଦଶଜଣଙ୍କୁ ହରାଇ ଦିଅନ୍ତା, ପୁଣି ଜଣକ ପାଖରୁ ଅନ୍ୟ ଜଣେ ପଳାନ୍ତା; ତାହା ନ ହେଲେ ତୁମକୁ ବା ସମସ୍ତେ ମାନନ୍ତେ କାହିଁକି ? ଦୁମର କ’ଣ ଦୁଇଟା ଶିଙ୍ଗ ବାହାରିଛି ? (ହାସ୍ୟ) ତୁମର ଦୟା, ତୁମର ବିଦ୍ୟା ଅଛି – ଅନ୍ୟଠାରୁ ବେଶୀ, ତେଣୁ ତୁମକୁ ଲୋକମାନେ ମାନନ୍ତି, ଦେଖିବାକୁ ଆସନ୍ତି । ତୁମେ ଏ କଥା ମାନ କି ନାହିଁ ? (ବିଦ୍ୟାସାଗର ମୃଦୁ ମୃଦୁ ହସୁଛନ୍ତି)

କେବଳ ପାଣ୍ଡିତ୍ୟ, ପୋଥିଗତ ବିଦ୍ୟା ଅସାର, ଭକ୍ତି ହିଁ ସାର

ଶ୍ରୀରାମକୃଷ୍ଣ – ଖାଲି ପାଣ୍ଡିତ୍ୟରେ କିଛି ନାହିଁ । ତାଙ୍କୁ ପାଇବାର ଉପାୟ, ତାଙ୍କୁ ଜାଣିବା ପାଇଁ ବହି ପଢ଼ା । ଜଣେ ସାଧୁଙ୍କ ପୋଥିରେ କଅଣ ଅଛି – କେହି ଜଣେ ପଚାରିବାରୁ ସାଧୁ ଖୋଲି ଦେଖାଇଲେ । ପ୍ରତି ପୃଷ୍ଠାରେ ‘ଓଁ ରାମଃ’ ଲେଖା ଅଛି – ଆଉ କିଛି ଲେଖା ନାହିଁ ।

ଗୀତାର ଅର୍ଥ କଅଣ ? ଦଶଥର କହିଲେ ଯାହା ହୁଏ । ‘ଗୀତା’ ‘ଗୀତା’ ଦଶଥର କହିଲେ ‘ତ୍ୟାଗୀ’ ‘ତ୍ୟାଗୀ’ ହୋଇଯାଏ । ଗୀତାର ଏହି ଶିକ୍ଷା – ହେ ଜୀବ, ସବୁ ତ୍ୟାଗ କରି ଭଗବାନଙ୍କୁ ଲାଭ କରିବା ପାଇଁ ଚେଷ୍ଟା କର । ସାଧୁ ହେଉ, ସଂସାରୀ ହେଉ, ମନରୁ ସବୁ ଆସକ୍ତି ତ୍ୟାଗ କରିବାକୁ ହୁଏ ।

ଚୈତନ୍ୟଦେବ ଯେତେବେଳେ ଦକ୍ଷିଣରେ ତୀର୍ଥ ଭ୍ରମଣ କରୁଥିଲେ – ଦେଖିଲେ ଜଣେ ଗୀତା ପଢ଼ୁଛି । ଆଉ ଜଣେ ଟିକିଏ ଦୂରରେ ବସି ଶୁଣୁଛି, ଆଉ କାନ୍ଦୁଛି –  କାନ୍ଦି କାନ୍ଦି ଲୁହରେ ଭାସିଯାଉଛି । ଚୈତନ୍ୟଦେବ ପଚାରିଲେ, ‘ତୁମେ ଏସବୁ ବୁଝିପାରୁଛ ?’ ସେ କହିଲା, ‘ପ୍ରଭୁ ! ମୁଁ ଏସବୁ ଶ୍ଳୋକ କିଛି ବୁଝିପାରୁ ନାହିଁ ।’ ସେ ପଚାରିଲେ, ‘ତେବେ କାହିଁକି କାନ୍ଦୁଛ ?’ ଭକ୍ତଟି କହିଲା, ‘ମୁଁ ଦେଖୁଛି ଅର୍ଜୁନଙ୍କର ରଥ, ଆଉ ତା’ ସମ୍ମୁଖରେ ଶ୍ରୀକୃଷ୍ଣ ଓ ଅର୍ଜୁନ କଥା କହୁଛନ୍ତି । ମୁଁ ତାହା ହିଁ ଦେଖି କାନ୍ଦୁଛି ।‘

(୫)
ଭକ୍ତିଯୋଗର ରହସ୍ୟ –The Secret of Dualism

ଶ୍ରୀରାମକୃଷ୍ଣ – ବିଜ୍ଞାନୀ କାହିଁକି ଭକ୍ତି ନେଇ ରହେ ? ଏହାର ଉତ୍ତର ଏହି ଯେ, ‘ମୁଁ’ ଯାଏ ନାହିଁ । ସମାଧି ଅବସ୍ଥାରେ ଯାଏ, ମାତ୍ର ପୁଣି ଆସି ପଡ଼େ । ଆଉ ସାଧାରଣ ଜୀବର ‘ଅହଂ’ ଯାଏ ନାହିଁ । ଅଶ୍ଵତ୍ଥ ଗଛ କାଟିଦିଅ, ଦେଖିବ ପୁଣି ତା’ ପରଦିନ ଗଜା ବାହାରିଛି । (ସମସ୍ତଙ୍କର ହାସ୍ୟ )

ଜ୍ଞାନଲାଭ ପରେ ମଧ୍ୟ ପୁଣି କେଉଁଠାରୁ ‘ମୁଁ’ ଆସି ପଡ଼େ । ସ୍ଵପ୍ନରେ ବାଘ ଦେଖିଥିଲ, ତା’ପରେ ଉଠିଲ, ତଥାପି ତୁମର ଛାତି ଧଡ୍‌ ଧଡ୍‌ ହେଉଛି ! ଜୀବର ‘ମୁଁ’ ଘେନି ତ ଯେତେ ଯନ୍ତ୍ରଣା ! ଗାଈ  ‘ହାମ୍ବା’ (ମୁଁ) କରେ, ସେଥିପାଇଁ ତ ଏତେ ଯନ୍ତ୍ରଣା ! ଲଙ୍ଗଳରେ ଯୋଚାଯାଏ, ଖରା ବର୍ଷା ଦେହ ଉପରେ ପଡ଼େ, ପୁଣି କଂସେଇ କାଟନ୍ତି, ଚମଡ଼ାରେ ଜୋତା ହୁଏ, ଢ଼ୋଲ ହୁଏ – ସେତେବେଳେ ଖୁବ୍‌ ପିଟା ହୁଏ । (ହାସ୍ୟ )

ତେବେ ମଧ୍ୟ ନିସ୍ତାର ନାହିଁ । ଶେଷରେ ଅନ୍ତବୁଜୁଳିରୁ ତନ୍ତ ତିଆରି ହୁଏ । ସେହି ତନ୍ତରେ ତୁଳାଭିଣା ଯନ୍ତ୍ର ହୁଏ । ସେତେବେଳେ ଆଉ ‘ମୁଁ’ କହେ ନାହିଁ । ସେତେବେଳେ କହେ ‘ତୁହୁଁ’ ‘ତୁହୁଁ’ (ଅର୍ଥାତ୍‌ ‘ତୁମେ’, ‘ତୁମେ’) । ଯେତେବେଳେ ‘ତୁମେ’, ‘ତୁମେ’ କହେ ସେତେବେଳେ ଯାଇ ନିସ୍ତାର । ‘ଈଶ୍ୱର, ମୁଁ ଦାସ, ତୁମେ ପ୍ରଭୁ, ମୁଁ ସନ୍ତାନ, ତୁମେ ମା’ ।

ରାମ ପଚାରିଲେ – ହନୁମାନ, ତୁମେ ମୋତେ କି ଭାବରେ ଦେଖ ? ହନୁମାନ କହିଲେ – ରାମ ! ଯେତେବେଳେ ମୋର ‘ମୁଁ’ ବୋଲି ବୋଧ ଥାଏ, ସେତେବେଳେ ଦେଖେ, ତୁମେ ପୂର୍ଣ୍ଣ, ମୁଁ ଅଂଶ; ତୁମେ ପ୍ରଭୁ, ମୁଁ ଦାସ; ଆଉ ରାମ ! ଯେତେବେଳେ ତତ୍ତ୍ଵଜ୍ଞାନ ହୁଏ, ସେତେବେଳେ ଦେଖେ, ତୁମେ ହିଁ ମୁଁ, ମୁଁ ହି ତୁମେ ।

ସେବ୍ୟ-ସେବକ ଭାବ ଭଲ । ‘ମୁଁ’ ଯିବାର ନୁହେଁ । ତେବେ ଥାଉ ଶଳା, ‘ଦାସ ମୁଁ’ ହୋଇ ଥାଉ ।

ବିଦ୍ୟାସାଗରଙ୍କୁ ଶିକ୍ଷା – ‘ମୁଁ’ ଓ ‘ମୋର’ ଅଜ୍ଞାନ

‘ମୁଁ’ ଓ ‘ମୋର’ ଏହି ଦୁଇଟି ଅଜ୍ଞାନ । ‘ମୋର ଘର’, ‘ମୋର ଟଙ୍କା’, ‘ମୋର ବିଦ୍ୟା, ମୋର ଏହିସବୁ ଐଶ୍ୱର୍ଯ୍ୟ’ – ଏହି ଯେ ଭାବ – ଏହିଟି ଅଜ୍ଞାନରୁ ହୁଏ । ‘ହେ ଈଶ୍ୱର’, ‘ତୁମେ କର୍ତ୍ତା, ଆଉ ଏସବୁ ତୁମର ଜିନିଷ ।’ – ଏହି ଭାବ ଜ୍ଞାନରୁ ହୁଏ ।

ମୃତ୍ୟୁକୁ ସର୍ବଦା ମନେ ରଖିବା ଉଚିତ । ମରିବା ପରେ କିଛି ରହିବ ନାହିଁ । କେତେଗୁଡ଼ିଏ କର୍ମ କରିବାକୁ ଏଠାକୁ ଆସିଥାଉ । ଯେପରି ମଫସଲରେ ଘର – କଲିକତାକୁ କର୍ମ କରିବାକୁ ଆସନ୍ତି । ବଡ଼ଲୋକଙ୍କ ବଗିଚା ଯଦି କେହି ଦେଖିବାକୁ ଆସେ, ବଗିଚାର ଗୁମାସ୍ତା କହେ, ‘ଏ ବଗିଚାଟି ଆମର, ଏ ପୋଖରୀଟି ଆମର ପୋଖରୀ’ । କିନ୍ତୁ କୌଣସି ଦୋଷ ଦେଖି ବାବୁ ତାକୁ ଯଦି ତଡ଼ି ଦିଅନ୍ତି, ତେବେ ଆମ୍ବକାଠର ସିନ୍ଦୁକଟା ନେଇଯିବାର ଯୋଗ୍ୟତା ମଧ୍ୟ ରହେ ନାହିଁ; ଦରୱାନ ଦ୍ଵାରା ସିନ୍ଦୁକଟା ପଠାଇଦିଏ । ( ହାସ୍ୟ )

ଭଗବାନ ଦୁଇଟି କଥାରେ ହସନ୍ତି । କବିରାଜ ଯେତେବେଳେ ରୋଗୀର ମାଆକୁ କହେ, ‘ମା ! ଭୟ କଅଣ ? ମୁଁ ତୁମ ପୁଅକୁ ଭଲ କରିଦେବି’ – ସେତେବେଳେ ଥରେ ହସନ୍ତି । ଏଥିପାଇଁ ହସନ୍ତି ଯେ, ମୁଁ ମାରୁଛି, ଆଉ ଏ କହୁଛି କ’ଣ ନା ମୁଁ ବଞ୍ଚାଇବି ! କବିରାଜ ଭାବେ, ମୁଁ କର୍ତ୍ତା; ଈଶ୍ୱର ଯେ କର୍ତ୍ତା, ଏକଥା ସେ ଭୁଲିଯାଏ । ପୁଣି ଦୁଇଭାଇ ଯେତେବେଳେ ଦଉଡ଼ି ପକାଇ ଜାଗା ଭାଗ କରନ୍ତି, ଆଉ କହନ୍ତି ‘ଏ ପାଖଟା ମୋର, ସେ ପାଖଟା ତୋର’ ସେତେବେଳେ ଈଶ୍ୱର ଆଉ ଥରେ ହସନ୍ତି । ଏହି କଥା ମନେକରି ହସନ୍ତି ଯେ, ମୋର ଜଗତ୍‌ ବ୍ରହ୍ମାଣ୍ଡ; କିନ୍ତୁ ସେମାନେ କହୁଛନ୍ତି, ଏ ଜାଗା ମୋର, ଆଉ ତୋର !

ଉପାୟ – ବିଶ୍ୱାସ ଓ ଭକ୍ତି

ଶ୍ରୀରାମକୃଷ୍ଣ – ତାଙ୍କୁ କ’ଣ ବିଚାର କରି ଜଣାଯାଏ ! ତାଙ୍କର ଦାସ ହୋଇ, ତାଙ୍କର ଶରଣାଗତ ହୋଇ ତାଙ୍କୁ ଡାକ ।
(ବିଦ୍ୟାସାଗରଙ୍କ ପ୍ରତି ସହାସ୍ୟ) – “ଆଚ୍ଛା, ତୁମର କି ଭାବ ?”

ବିଦ୍ୟାସାଗର ମୃଦୁ ମୃଦୁ ହସୁଛନ୍ତି । କହୁଛନ୍ତି, “ଆଚ୍ଛା, ସେକଥା ଆପଣଙ୍କୁ ଦିନେ ଏକୁଟିଆ କହିବି ।” (ସମସ୍ତଙ୍କର ହାସ୍ୟ )
ଶ୍ରୀରାମକୃଷ୍ଣ – (ସହାସ୍ୟ) ତାଙ୍କୁ ପାଣ୍ଡିତ୍ୟ ଦ୍ଵାରା ବିଚାର କରି ଜଣାଯାଏ ନାହିଁ ।

ଏହା କହି ଠାକୁରେ ପ୍ରେମୋନ୍ମତ୍ତ ହୋଇ ଗୀତ ଗାଇ ଉଠିଲେ –
“କେ ଜାନେ କାଲୀ କେମନ ? ଷଡ଼ଦର୍ଶନେ ନା ପାୟ ଦରଶନ ।
ମୂଲାଧାରେ ସହସ୍ରାରେ ସଦା ଯୋଗୀ କରେ ମନନ ।
କାଲୀ ପଦ୍ମବନେ ହଂସ-ସନେ, ହଂସୀରୂପେ କରେ ରମଣ ।
ଆତ୍ମାରାମେର ଆତ୍ମା କାଲୀ ପ୍ରମାଣ ପ୍ରଣବେର ମତନ ।
ତିନି ଘଟେ ଘଟେ ବିରାଜ କରେନ୍‌ ଇଚ୍ଛାମୟୀର ଇଚ୍ଛା ଯେମନ ॥
ମାୟେର ଉଦରେ ବ୍ରହ୍ମାଣ୍ଡ ଭାଣ୍ଡ ପ୍ରକାଣ୍ଡ ତା ନ ଜାନ କେମନ ।
ମହାକାଲ୍‌ ଜେନେଛେନ କାଲୀର ମର୍ମ ଅନ୍ୟ କେବା ଜାନେ ତେମନ ॥…ଇତ୍ୟାଦି

ଦେଖିଲ, କାଳୀର ‘ଉଦରେ ବ୍ରହ୍ମାଣ୍ଡ ଭାଣ୍ଡ ପ୍ରକାଣ୍ଡ ତା ଜାନୋ କେମନ’ । ତାହା କିପରି ଜାଣ ! ଆଉ କହୁଛି, ‘ଷଡ଼୍‌ଦର୍ଶନେ ନା ପାଏ ଦରଶନ’ – ପାଣ୍ଡିତ୍ୟ ଦ୍ଵାରା ତାଙ୍କୁ ଲାଭ କରାଯାଏ ନାହିଁ ।

ବିଶ୍ଵାସର ଜୋର୍‌ – ଈଶ୍ୱର ବିଶ୍ୱାସ ଓ ମହାପାତକ

ବିଶ୍ୱାସ ଆଉ ଭକ୍ତି ଦରକାର – ବିଶ୍ୱାସର କେତେ ଜୋର୍‌ ଶୁଣ । ଜଣେ ଲଙ୍କାରୁ ସମୁଦ୍ର ପାର ହେବ । ବିଭୀଷଣ କହିଲେ, ଏହି ଜିନିଷଟି ଲୁଗା-କାନିରେ ବାନ୍ଧି ନିଅ । ତାହା ହେଲେ ନିର୍ବିଘ୍ନରେ ଚାଲିଯିବ; ପାଣି ଉପରେ ଚାଲିଯାଇପାରିବ । କିନ୍ତୁ ଖୋଲି ଦେଖିବ ନାହିଁ, ଖୋଲି ଦେଖିବାକୁ ଗଲେ ହିଁ ବୁଡ଼ିଯିବ । ସେହି ଲୋକଟି ସମୁଦ୍ର ଉପର ଦେଇ ବେଶ୍‌ ଚାଲିଯାଉଥିଲା । ବିଶ୍ଵାସର ଏପରି ଜୋର୍‌ । କିଛିଦୂର ଯାଇ ଭାବିଲା, ବିଭୀଷଣ କ’ଣ ଏପରି ଜିନିଷ ବାନ୍ଧି ଦେଲେ ଯେ, ପାଣି ଉପରେ ଚାଲିଯାଇପାରୁଛି ? ଏହା ଭାବି ଲୁଗାର କାନିଟି ଖୋଲି ଦେଖିଲା ଯେ କେବଳ ‘ରାମ’ ନାମ ଲେଖା ଗୋଟିଏ ପତ୍ର ରହିଛି । ସେତେବେଳେ ସେ ଭାବିଲା, ହେଃ ଏହି ଜିନିଷ ! ଏହି ଭାବନା ସଙ୍ଗେ ସଙ୍ଗେ ସେ ବୁଡ଼ିଗଲା !

କଥାରେ କହନ୍ତି, ହନୁମାନଙ୍କର ‘ରାମ’ ନାମରେ ଏତେ ବିଶ୍ୱାସ ଯେ, ବିଶ୍ୱାସ ଗୁଣରେ ସେ ସାଗର ଲଙ୍ଘନ କଲେ ! କିନ୍ତୁ ସ୍ଵୟଂ ରାମଙ୍କୁ ସମୁଦ୍ରରେ ବନ୍ଧ ବାନ୍ଧିବାକୁ ପଡ଼ିଲା ।

ଯଦି ତାଙ୍କଠାରେ ବିଶ୍ୱାସ ଥାଏ, ତାହା ହେଲେ ପାପ କରୁ ଅଥବା ମହାପାତକ କରୁ, କୌଣସିଥିରେ ଭୟ ନାହିଁ ।

ଏହା କହି ଠାକୁର ଶ୍ରୀରାମକୃଷ୍ଣ ଭକ୍ତର ଭାବ ଆରୋପ କରି ଭାବରେ ମତୁଆଲା ହୋଇ ବିଶ୍ଵାସର ମହାତ୍ମ୍ୟ ଗାଉଛନ୍ତି –
“ଆମି ଦୁର୍ଗା ଦୁର୍ଗା ବଲେ ମା ଯଦି ମରି ।”…ଇତ୍ୟାଦି

ଈଶ୍ୱରପ୍ରେମ ହିଁ ଜୀବନର ଉଦ୍ଦେଶ୍ୟ

ଶ୍ରୀରାମକୃଷ୍ଣ – ବିଶ୍ଵାସ ଆଉ ଭକ୍ତି । ତାଙ୍କୁ ଭକ୍ତିରେ ସହଜରେ ଲାଭ କରାଯାଏ । ସେ ଭାବର ବିଷୟ ।

ଏହି କଥା କହୁ କହୁ ଠାକୁର ଶ୍ରୀରାମକୃଷ୍ଣ ପୁଣି ଗୀତ ଗାଇଲେ –

“ମନ କି ତତ୍ତ୍ୱ କର ତାଁରେ, ଯେନ ଉନ୍ମତ୍ତ ଆଁଧାର ଘରେ ।
ସେ ଯେ ଭାବେର ବିଷୟ, ଭାବ ବ୍ୟତୀତ, ଅଭାବେ କି ଧରତେ ପାରେ ॥…
ସେ ଭାବ ଲାଗି ପରମ ଯୋଗୀ, ଯୋଗ କରେ ଯୁଗ ଯୁଗାନ୍ତରେ ।…
ପ୍ରସାଦ ବଲେ ମାତୃଭାବେ ଆମି ତତ୍ତ୍ଵ କରି ଯାଁରେ ।
ସେଟା ଚାତରେ କି ଭାଙ୍ଗ୍‌ବୋ ହାଁଡ଼ି ବୋଝ ନାରେ ମନ ଠାରେଠୋରେ ॥”

ସମାଧି-ମନ୍ଦିରରେ ଠାକୁର

ଗୀତ ଗାଉ ଗାଉ ଠାକୁରେ ସମାଧିସ୍ଥ ହୋଇଛନ୍ତି । ହାତ ଅଞ୍ଜଳିବଦ୍ଧ । ଦେହ ଉନ୍ନତ ଓ ସ୍ଥିର । ନେତ୍ରଦ୍ୱୟ ସ୍ପନ୍ଦନହୀନ ! ସେହି ବେଞ୍ଚ ଉପରେ ପଶ୍ଚିମାଭିମୁଖ ହୋଇ ପାଦ ଝୁଲାଇ ବସିଛନ୍ତି । ସମସ୍ତେ ଉଦ୍‌ଗ୍ରୀବ ହୋଇ ଏହି ଅଦ୍ଭୁତ ଅବସ୍ଥା ଦେଖୁଛନ୍ତି । ପଣ୍ଡିତ ବିଦ୍ୟାସାଗର ମଧ୍ୟ ନିସ୍ତବ୍ଧ ହୋଇ ଏକ ଦୃଷ୍ଟିରେ ଚାହିଁଛନ୍ତି ।

ଠାକୁର ପ୍ରକୃତିସ୍ଥ ହେଲେ । ଦୀର୍ଘ ନିଃଶ୍ୱାସ ପକାଇ ପୁଣି ହାସ୍ୟ ମୁଖରେ କଥା କହୁଛନ୍ତି – “ଭାବ ଭକ୍ତି, ଏହାର ଅର୍ଥ – ତାଙ୍କୁ ଭଲ ପାଇବା । ଯେ ବ୍ରହ୍ମ ତାଙ୍କୁ ହିଁ ମା’ ବୋଲି ଡାକନ୍ତି ।

ରାମପ୍ରସାଦ ମନକୁ କହୁଛନ୍ତି – ଠାରରେ ବୁଝିବାକୁ । ଏହା ବୁଝିବାକୁ କହୁଛନ୍ତି ଯେ, ବେଦରେ ଯାହାକୁ ବ୍ରହ୍ମ କୁହାଯାଇଛି – ତାଙ୍କୁ ହିଁ ମୁଁ ମାଆ ବୋଲି ଡାକୁଛି । ଯେ ନିର୍ଗୁଣ ସେ ହିଁ ସଗୁଣ, ଯେ ବ୍ରହ୍ମ ସେ ହିଁ ଶକ୍ତି, ଯେତେବେଳେ ନିଷ୍କ୍ରିୟ ବୋଲି ବୋଧହୁଏ, ଯେତେବେଳେ ତାଙ୍କୁ ‘ବ୍ରହ୍ମ’ ବୋଲି କହେ, ଯେତେବେଳେ ଭାବେ ସୃଷ୍ଟି ସ୍ଥିତି ପ୍ରଳୟ କରୁଛନ୍ତି, ସେତେବେଳେ ତାଙ୍କୁ ଆଦ୍ୟାଶକ୍ତି କହେ, କାଳୀ କହେ ।

ବ୍ରହ୍ମ ଆଉ ଶକ୍ତି ଅଭେଦ । ଯେପରି ଅଗ୍ନି ଆଉ ତାର ଦାହିକା ଶକ୍ତି; ଅଗ୍ନି କହିଲେ ହିଁ ଦାହିକା ଶକ୍ତି ବୁଝାଯାଏ, ଗୋଟିକୁ ମାନିଲେ ଆଉ ଗୋଟିକୁ ମାନିବାକୁ ହୁଏ ।

ତାଙ୍କୁ ହିଁ ‘ମା’ ବୋଲି ଡକା ହେଉଛି । ‘ମା’ ସବୁଠୁ ବେଶୀ ଭଲ ପାଇବାର ବସ୍ତୁ ତ ! ଈଶ୍ୱରଙ୍କୁ ଭଲ ପାଇପାରିଲେ ହିଁ ତାଙ୍କୁ ଲାଭ କରାଯାଏ । ଭାବ, ଭକ୍ତି , ଭଲ ପାଇବା ଓ ବିଶ୍ୱାସ । ଆଉ ଗୋଟିଏ ଗୀତ ଶୁଣ –

ଉପାୟ – ଆଗେ ବିଶ୍ୱାସ, ତାହାପରେ ଭକ୍ତି

“ଭାବିଲେ ଭାବେର ଉଦୟ ହୟ ।
(ଓ ସେ) ଯେମନି ଭାବ, ତେମନ ଲାଭ ମୂଲ୍‌ ସେ ପ୍ରତ୍ୟୟ ॥
କାଲୀପଦ-ସୁଧାହ୍ରଦେ, ଚିତ୍ତ ଯଦି ରୟ (ଯଦି ଚିତ୍ତ ଡୁବେ ରୟ ।)
ତବେ ପୂଜା, ହୋମ, ଯାଗ, ଯଜ୍ଞ, କିଛୁଇ କିଛୁ ନୟ ॥

ଚିତ୍ତ ତଦ୍‌ଗତ ହେବା, ତାଙ୍କୁ ଖୁବ୍‌ ଭଲ ପାଇବା । ‘ସୁଧାହ୍ରଦ’ ଅର୍ଥାତ୍‌ ଅମୃତର ହ୍ରଦ । ସେଥିରେ ବୁଡ଼ିଲେ ମନୁଷ୍ୟ ମରେ ନାହିଁ । ଅମର ହୁଏ । କେହି କେହି ଭାବନ୍ତି, ବେଶୀ ଈଶ୍ୱର ଈଶ୍ୱର କଲେ ମୁଣ୍ଡ ଖରାପ ହୋଇଯାଏ । ତାହା ନୁହେଁ । ଏ ଯେ ସୁଧାର ହ୍ରଦ ! ଅମୃତର ସାଗର ! ବେଦରେ ତାଙ୍କୁ ‘ଅମୃତ’ କୁହାଯାଇଛି, ଏଥିରେ ବୁଡ଼ିଲେ ମରନ୍ତି ନାହିଁ – ଅମର ହୁଅନ୍ତି ।

ନିଷ୍କାମ କର୍ମ ବା କର୍ମଯୋଗ ଓ ‘ଜଗତର ଉପକାର’

ପୂଜା, ହୋମ, ଯାଗ ଯଜ୍ଞ କିଛି ନୁହେଁ । ଯଦି ତାଙ୍କ ଉପରେ ଶ୍ରଦ୍ଧା ଆସେ, ତାହାହେଲେ ଏସବୁ କର୍ମ ଆଉ ବେଶୀ ଦରକାର ନାହିଁ । ଯେତେବେଳେ ପବନ ନ ବହେ, ସେତେବେଳେ ପଙ୍ଖା ଦରକାର, ଯେତେବେଳେ ଦକ୍ଷିଣରୁ ପବନ ଆପେ ଆସେ, ପଙ୍ଖା ରଖିଦିଆଯାଏ । ପଙ୍ଖା ଆଉ କ’ଣ ଦରକାର ?

ତୁମେ ଯେଉଁସବୁ କର୍ମ କରୁଛ, ସେସବୁ ସତ୍କର୍ମ । ଯଦି ‘ମୁଁ କର୍ତ୍ତା’ ଏହି ଅହଂକାର ତ୍ୟାଗ କରି ନିଷ୍କାମ ଭାବରେ କରିପାର, ତାହା ହେଲେ ଖୁବ୍‌ ଭଲ । ଏହି ନିଷ୍କାମ କର୍ମ କରୁ କରୁ ଈଶ୍ୱରଙ୍କଠାରେ ଭକ୍ତି-ଶ୍ରଦ୍ଧା ଆସେ । ଏହିପରି ନିଷ୍କାମ କର୍ମ କରୁ କରୁ ଈଶ୍ୱରଲାଭ ହୁଏ ।

କିନ୍ତୁ ତାଙ୍କ ଉପରେ ଯେତେ ଭକ୍ତି ଶ୍ରଦ୍ଧା ଆସିବ, ସେତେ ତୁମର କର୍ମ କମିଯିବ । ଘରର ବୋହୂ ପେଟରେ ଯେତେବେଳେ ପିଲା ରହେ – ଶାଶୁ ତା’ର କାମ କମାଇ ଦିଏ । ମାସ ଯେତେ ବଢ଼େ, ଶାଶୁ ସେତେ କାମ କମାଇଦିଏ ! ଦଶ ମାସ ହେଲେ ମୂଳରୁ କାମ କରିବାକୁ ଦିଏ ନାହିଁ, କାଳେ ପିଲାର କୌଣସି କ୍ଷତି ହେବ, ପ୍ରସବରେ କୌଣସି ବାଧା ହେବ, ପ୍ରସବରେ କୌଣସି ବ୍ୟାଘାତ ହେବ । (ହାସ୍ୟ) । ତୁମେ ଯେଉଁସବୁ କର୍ମ କରୁଛ, ଏଥିରେ ତୁମ ନିଜର ଉପକାର । ନିଷ୍କାମ ଭାବରେ କର୍ମ କରିପାରିଲେ ଚିତ୍ତଶୁଦ୍ଧି ହେବ, ଈଶ୍ୱରଙ୍କ ଉପରେ ଶ୍ରଦ୍ଧା ଆସିବ । ଶ୍ରଦ୍ଧା ଆସିଲେ ହିଁ ତାଙ୍କୁ ଲାଭ କରିପାରିବ । ଜଗତର ଉପକାର ମନୁଷ୍ୟ କରେ ନାହିଁ, ସେ ହିଁ କରୁଛନ୍ତି; ଯେ ଚନ୍ଦ୍ର ସୂର୍ଯ୍ୟ କରିଛନ୍ତି, ଯେ ମା’-ବାପାଙ୍କ ଭିତରେ ସ୍ନେହ, ମହତ୍‌ର ଭିତରେ ଦୟା, ସାଧୁଭକ୍ତଙ୍କ ଭିତରେ ଭକ୍ତି ଦେଇଛନ୍ତି । ଯେଉଁ ଲୋକ କାମନାଶୂନ୍ୟ ହୋଇ କର୍ମ କରିବ, ସେ ନିଜର ମଙ୍ଗଳ କରିବ ।

ନିଷ୍କାମ କର୍ମର ଉଦ୍ଦେଶ୍ୟ – ଈଶ୍ୱର-ଦର୍ଶନ

ଅନ୍ତରରେ ସୁନା ଅଛି, ବର୍ତ୍ତମାନ ସୁଦ୍ଧା ଖବର ପାଇ ନାହିଁ । ଟିକିଏ ମାଟି ଘୋଡ଼ା ହୋଇ ରହିଛି । ଯଦି ଥରେ ସନ୍ଧାନ ପାଅ, ଅନ୍ୟ କାର୍ଯ୍ୟ କମିଯିବ । ଘରେ ବୋହୁର ପିଲା ହେଲେ ସେ ପିଲାଟିକୁ ନେଇ ରହେ, ସେଇଟିକୁ ନେଇ ତା’ର ସମୟ କଟେ; ଆଉ ଘର କାମ କରିବାକୁ ଶାଶୁ ଦିଏ ନାହିଁ । (ସମସ୍ତଙ୍କର ହାସ୍ୟ) ।

ଆହୁରି ଆଗେଇ ଯାଅ । କାଠୁରିଆ କାଠ କାଟିବାକୁ ଯାଇଥଲା । ବ୍ରହ୍ମଚାରୀ କହିଲେ – ଆଗେଇ ଯାଅ । ଆଗେଇ ଯାଇ ଦେଖେ ଚନ୍ଦନ ଗଛ । ଆଉ କିଛି ଦିନ ପରେ ଭାବିଲା, ସେ ତ ଆଗେଇ ଯିବାକୁ କହିଥିଲେ, ଚନ୍ଦନ ଗଛ ପର୍ଯ୍ୟନ୍ତ ଯିବାକୁ ତ କହି ନାହାଁନ୍ତି । ଆଗେଇ ଯାଇ ଦେଖେ ରୂପାର ଖଣି ! ଆଉ କିଛିଦିନ ପରେ ଆଗେଇ ଯାଇ ଦେଖେ ସୁନାର ଖଣି । ତା’ପରେ କେବଳ ହୀରା ମାଣିକ । ଏସବୁଥିରେ ସେ ନିଜକୁ ହଜାଇ ଦେଲା ।

ନିଷ୍କାମ କର୍ମ କରିପାରିଲେ ଈଶ୍ୱରଙ୍କଠାରେ ଶ୍ରଦ୍ଧା ହୁଏ; କ୍ରମେ ତାଙ୍କ କୃପାରେ ତାଙ୍କୁ ଲାଭ କରାଯାଏ । ଈଶ୍ୱରଙ୍କୁ ଦେଖାଯାଏ, ତାଙ୍କ ସହିତ କଥା କୁହାଯାଏ, ଯେପରି ମୁଁ ତୁମ ସଙ୍ଗରେ କଥା କହୁଛି ! (ସମସ୍ତେ ନିଃଶବ୍ଦ)

ଠାକୁର ଅହେତୁକ-କୃପାସିନ୍ଧୁ

ସମସ୍ତେ ଅବାକ୍‌ ଓ ନିସ୍ତବ୍‌ଧ ହୋଇ ଏସବୁ କଥା ଶୁଣୁଛନ୍ତି । ଯେପରି ସାକ୍ଷାତ୍‌ ବାଗ୍‌ବାଦିନୀ ଶ୍ରୀରାମକୃଷ୍ଣଙ୍କ ଜିହ୍ୱାରେ ଅବତୀର୍ଣ୍ଣ ହୋଇ ବିଦ୍ୟାସାଗରଙ୍କୁ ଉପଲକ୍ଷ୍ୟ କରି ଜୀବର ମଙ୍ଗଳ ପାଇଁ କଥା କହୁଛନ୍ତି । ରାତି ହୋଇଛି, ନଅଟା ବାଜିଲା । ଠାକୁର ଏଥର ବିଦାୟ ଗ୍ରହଣ କରିବେ ।

ଶ୍ରୀରାମକୃଷ୍ଣ (ବିଦ୍ୟାସାଗରଙ୍କ ପ୍ରତି, ସହାସ୍ୟ) – ଏଇ ଯାହା କହିଲି, କହିବା ବାହୁଲ୍ୟ; ଆପଣ ସବୁ ଜାଣନ୍ତି, ତେବେ ଖବର ନାହିଁ । (ସମସ୍ତଙ୍କର ହାସ୍ୟ) । ବରୁଣଙ୍କ ଭଣ୍ଡାରରେ କେତେ କଅଣ ରତ୍ନ ଅଛି, ବରୁଣ-ରାଜାଙ୍କୁ ଜଣା ନାହିଁ ।

ବିଦ୍ୟାସାଗର (ସହାସ୍ୟ) – ଆପଣ ତାହା କହିପାରନ୍ତି ।

ଶ୍ରୀରାମକୃଷ୍ଣ (ସହାସ୍ୟ) – ହଁ ହେ, ଅନେକ ବାବୁ ତାଙ୍କ ଚାକର ବାକରଙ୍କ ନାମ ଜାଣନ୍ତି ନାହିଁ, (ସମସ୍ତଙ୍କର ହାସ୍ୟ) ବା ଘରେ କେଉଁଠାରେ କ’ଣ ମୂଲ୍ୟବାନ୍‌ ଜିନିଷ ଅଛି ଜାଣି ନ ଥାନ୍ତି ।

କଥାବାର୍ତ୍ତା ଶୁଣି ସମସ୍ତେ ଆନନ୍ଦିତ । ସମସ୍ତେ ଟିକିଏ ଚୁପ୍‌ ହୋଇ ବସିଛନ୍ତି । ଠାକୁର ପୁଣି ବିଦ୍ୟାସାଗରଙ୍କୁ ସମ୍ବୋଧନ କରି କଥା କହୁଛନ୍ତି ।

ଶ୍ରୀରାମକୃଷ୍ଣ – (ସହାସ୍ୟ) ଥରେ ବଗିଚା ଦେଖବାକୁ ଯିବେ, ରାସମଣିଙ୍କ ବଗିଚା । ଭାରୀ ଚମତ୍କାର ଜାଗା ।
ବିଦ୍ୟାସାଗର – ନିଶ୍ଚୟ ଯିବି ! ଆପଣ ଆସିଲେ, ଆଉ ମୁଁ ଯିବି ନାହିଁ !
ଶ୍ରୀରାମକୃଷ୍ଣ – ମୋ ନିକଟକୁ ? ଛି ! ଛି !
ବିଦ୍ୟାସାଗର – କ’ଣ ହେଲା ! ଏପରି କଥା କାହିଁକି କହିଲେ ମୋତେ ବୁଝାଇ ଦିଅନ୍ତୁ ।
ଶ୍ରୀରାମକୃଷ୍ଣ (ସହାସ୍ୟ) – ଆମେମାନେ ହୁଲି ଡଙ୍ଗା (ସମସ୍ତଙ୍କର ହାସ୍ୟ) । ଖାଲ, ବିଲ ଆଉ ବଡ଼ ନଦୀରେ ମଧ୍ୟ ଯାଇପାରୁ । କିନ୍ତୁ ଆପଣ ଜାହାଜ; କେଜାଣି ଯିବାବେଳେ କାଳେ ଚଡ଼ାରେ ଲାଗିଯିବ । (ସମସ୍ତଙ୍କର ହାସ୍ୟ)

ବିଦ୍ୟାସାଗର ସହାସ୍ୟବଦନ; ଚୁପ୍‌ କରି ରହିଛନ୍ତି । ଠାକୁର ହସୁଛନ୍ତି ।

ଶ୍ରୀରାମକୃଷ୍ଣ – କିନ୍ତୁ ହଁ, ଏ ସମୟରେ ଜାହାଜ ମଧ୍ୟ ଯାଇପାରେ ।
ବିଦ୍ୟାସାଗର (ସହାସ୍ୟ) – ହଁ, ଏଇଟା ଅବଶ୍ୟ ବର୍ଷାକାଳ । (ସମସ୍ତଙ୍କର ହାସ୍ୟ)
ମାଷ୍ଟର (ସ୍ଵଗତଃ) – ନବାନୁରାଗର ବର୍ଷା, ନବାନୁରାଗ ବେଳେ ମାନ-ଅପମାନବୋଧ ରହେ ନାହିଁ ।

ଠାକୁର ଗାତ୍ରୋତ୍‌ଥାନ କଲେ, ଭକ୍ତମାନେ ମଧ୍ୟ । ବିଦ୍ୟାସାଗର ଆତ୍ମୀୟମାନଙ୍କ ସହିତ ଠିଆ ହୋଇଛନ୍ତି । ଠାକୁରଙ୍କୁ ଗାଡ଼ିରେ ଉଠାଇଦେବେ ।

ଶ୍ରୀରାମକୃଷ୍ଣ ବର୍ତ୍ତମାନ ମଧ୍ୟ ଠିଆ ହୋଇ ରହିଛନ୍ତି କାହିଁକି ! ମୂଳମନ୍ତ୍ର କର ଦ୍ଵାରା ଜପୁଛନ୍ତି, ଜପୁ ଜପୁ ଭାବାବିଷ୍ଟ ହେଉଛନ୍ତି । ଅହେତୁକ-କୃପାସିନ୍ଧୁ ! ବୋଧହୁଏ ଯିବା ସମୟରେ ମହାତ୍ମା ବିଦ୍ୟାସାଗରଙ୍କ ଆଧ୍ୟାତ୍ମିକ ମଙ୍ଗଳ ପାଇଁ ମାଆଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ।

ଠାକୁର ଭକ୍ତଙ୍କ ସହିତ ଶିଡ଼ି ବାଟେ ଓହ୍ଲାଉଛନ୍ତି । ଜଣେ ଭକ୍ତଙ୍କ ହାତ ଧରିଛନ୍ତି । ବିଦ୍ୟାସାଗର ସ୍ଵଜନଙ୍କ ସହ ଆଗେ ଆଗେ ଯାଉଛନ୍ତି – ହାତରେ ଆଲୁଅ, ବାଟ ଦେଖାଇ ଆଗେ ଆଗେ ଯାଉଛନ୍ତି । ଶ୍ରାବଣ କୃଷ୍ଣା ଷଷ୍ଠୀ, ବର୍ତ୍ତମାନ ମଧ୍ୟ ଜହ୍ନ ଉଠି ନାହିଁ । ଅନ୍ଧାରୁଆ ବଗିଚା ଭିତର ଦେଇ ସମସ୍ତେ କ୍ଷୀଣାଲୋକକୁ ଲକ୍ଷ୍ୟ କରି ଫାଟକ ଆଡ଼କୁ ଆସୁଛନ୍ତି ।

ଶ୍ରୀରାମକୃଷ୍ଣ ଭକ୍ତଙ୍କ ସଙ୍ଗରେ ଫାଟକ ପାଖରେ ଯାଇ ପହଞ୍ଚିଲେ; ସମସ୍ତେ ଗୋଟିଏ ସୁନ୍ଦର ଦୃଶ୍ୟ ଦେଖି ଠିଆ ହୋଇଗଲେ । ସମ୍ମୁଖରେ ପରମଭକ୍ତ ବଳରାମବାବୁ, ମୁଣ୍ଡରେ ଶିଖମାନଙ୍କରପରି ଶୁଭ୍ର ପଗଡ଼ି ବାନ୍ଧି ଠିଆ ହୋଇଥିଲେ । ସେ ଶ୍ରୀରାମକୃଷ୍ଣଙ୍କୁ ଦେଖିଲାମାତ୍ରେ ଭୂମିଷ୍ଠ ପ୍ରଣାମ କଲେ । ଠାକୁର କହିଲେ, “ବଳରାମ ! ତୁମେ ? ଏତେ ରାତିରେ ?”

ବଳରାମ (ସହାସ୍ୟ) – ମୁଁ ବହୁତବେଳୁ ଆସିଲିଣି, ଏଠାରେ ଠିଆ ହୋଇଥିଲି ।
ଶ୍ରୀରାମକୃଷ୍ଣ – ଭିତରକୁ କାହିଁକି ଗଲ ନାହିଁ ?
ବଳରାମ – ଆଜ୍ଞା, ସମସ୍ତେ ଆପଣଙ୍କର କଥାବାର୍ତ୍ତା ଶୁଣୁଛନ୍ତି, ମଝିରେ ଯାଇ ବିରକ୍ତ କରିଥାନ୍ତି । (ଏହା କହି ବଳରାମ ହସିଲେ)

ଠାକୁର ଭକ୍ତଙ୍କ ସଙ୍ଗରେ ଗାଡ଼ିରେ ଚଢ଼ୁଛନ୍ତି ।

ବିଦ୍ୟାସାଗର (ମାଷ୍ଟରଙ୍କ ପ୍ରତି ମୃଦୁ ସ୍ଵରରେ ) – ଭଡ଼ା କଅଣ ଦେବି ?
ମାଷ୍ଟର – ଆଜ୍ଞା ନା, ସେ ହୋଇଯାଇଛି ।

ବିଦ୍ୟାସାଗର ଓ ଅନ୍ୟାନ୍ୟ ସମସ୍ତେ ଠାକୁରଙ୍କୁ ପ୍ରଣାମ କଲେ । ଗାଡ଼ି ଉତ୍ତରାଭିମୁଖରେ ଚାଲିଲା ।

ଚତୁର୍ଥ ପରିଚ୍ଛେଦ – ଦକ୍ଷିଣେଶ୍ଵରରେ କେଦାରଙ୍କ ଉତ୍ସବ

(୧)
ଦକ୍ଷିଣେଶ୍ଵରରେ କେଦାରଙ୍କ ଉତ୍ସବ

ଦକ୍ଷିଣେଶ୍ଵରର ମନ୍ଦିରରେ ଠାକୁର ଶ୍ରୀରାମକୃଷ୍ଣ କେଦାରାଦି ଭକ୍ତଙ୍କ ସହିତ କଥା କହୁଛନ୍ତି । ଆଜି ରବିବାର, ଶ୍ରାବଣ ଅମାବାସ୍ୟା, ୧୩ ଅଗଷ୍ଟ ୧୮୮୨ ସମୟ ଅପରାହ୍ନ ୫ଟା ।

ଶ୍ରୀଯୁକ୍ତ କେଦାର ଚାଟାର୍ଜୀ, ହାଲି ସହରରେ ଘର । ସରକାରୀ ଆକାଉଣ୍ଟାଣ୍ଟର କାମ କରନ୍ତି । ବହୁଦିନ ଢାକାରେ ଥିଲେ; ସେତେବେଳେ ଶ୍ରୀଯୁକ୍ତ ବିଜୟ ଗୋସ୍ଵାମୀ ତାଙ୍କ ସହିତ ସର୍ବଦା ଶ୍ରୀରାମକୃଷ୍ଣଙ୍କର କଥା ଆଲୋଚନା କରୁଥାନ୍ତି । ଈଶ୍ୱରଙ୍କ କଥା ଶୁଣିଲାବେଳେ ତାଙ୍କର ଚକ୍ଷୁ ଅଶ୍ରୁପୂର୍ଣ୍ଣ ହୁଏ । ସେ ପୂର୍ବେ ବ୍ରାହ୍ମସମାଜଭୁକ୍ତ ଥଲେ ।

ଠାକୁର ନିଜ ଘରର ଦକ୍ଷିଣପଟ ବରଣ୍ଡାରେ ଭକ୍ତଙ୍କ ସହିତ ବସିଛନ୍ତି । ରାମ, ମନମୋହନ, ସୁରେନ୍ଦ୍ର, ରାଖାଲ, ଭବନାଥ, ମାଷ୍ଟର ପ୍ରଭୃତି ଅନେକ ଭକ୍ତ ଉପସ୍ଥିତ ଅଛନ୍ତି । କେଦାର ଆଜି ଉତ୍ସବ କରିଛନ୍ତି । ସମସ୍ତ ଦିନ ଆନନ୍ଦରେ କଟୁଛି । ରାମ ଜଣେ ଓସ୍ତାଦ୍‌ ଆଣିଥିଲେ, ସେ ଗୀତ ଗାଇଛନ୍ତି । ସଙ୍ଗୀତ ସମୟରେ ଠାକୁର ସମାଧିସ୍ଥ ହୋଇ ଘରର ଛୋଟ ଖଟଟିରେ ବସିଥିଲେ । ମାଷ୍ଟର ଓ ଅନ୍ୟାନ୍ୟ ଭକ୍ତ ତାଙ୍କର ପାଦତଳେ ବସିଥିଲେ ।

ସମାଧିତତ୍ତ୍ୱ ଓ ସର୍ବଧର୍ମ ସମନ୍ଵୟ । ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିଆନ

ଠାକୁର କଥା କହୁ କହୁ ସମାଧିତତ୍ତ୍ୱ ବୁଝାଉଛନ୍ତି । କହୁଛନ୍ତି, “ସଚ୍ଚିଦାନନ୍ଦ ଲାଭ ହେଲେ ସମାଧି ହୁଏ । ସେତେବେଳେ କର୍ମତ୍ୟାଗ ହୋଇଯାଏ । ମୁଁ ଓସ୍ତାଦ୍‌ଙ୍କର ନାମ କରୁଛି, ଏପରି ସମୟରେ ଓସ୍ତାଦ୍‌ ଆସି ଉପସ୍ଥିତ; ସେତେବେଳେ ଆଉ ତାଙ୍କର ନାମ କରିବା କ’ଣ ଦରକାର ! ମହୁମାଛି କେତେବେଳେ ଗୁଣୁ ଗୁଣୁ କରେ ? ଯେପର୍ଯ୍ୟନ୍ତ ଫୁଲରେ ନ ବସେ । କିନ୍ତୁ ସାଧକ ପକ୍ଷରେ କର୍ମତ୍ୟାଗ କଲେ ଚଳିବ ନାହିଁ । ପୂଜା, ଜପ, ଧ୍ୟାନ, ସନ୍ଧ୍ୟା, କବଚାଦି, ତୀର୍ଥ ସବୁ ହିଁ କରିବାକୁ ହୁଏ ।

ଲାଭ ପରେ ଯଦି କେହି ବିଚାର କରେ, ତାହା ଯେପରି ମହୁମାଛି ମଧୁପାନ କରୁ କରୁ ଟିକିଏ ଗୁଣୁ ଗୁଣୁ କରେ ।

ଓସ୍ତାଦ୍‌ଟି ଭଲ ଗୀତ ଗାଇଥିଲେ । ଠାକୁର ପ୍ରସନ୍ନ ହୋଇଛନ୍ତି । ତାଙ୍କୁ କହୁଛନ୍ତି, “ଯେଉଁ ମନୁଷ୍ୟଠାରେ ଗୋଟିଏ ବଡ଼ ଗୁଣ ଅଛି, ଯେପରି ସଙ୍ଗୀତବିଦ୍ୟା, ତା’ ଭିତରେ ଈଶ୍ୱରଙ୍କର ଶକ୍ତି ବିଶେଷ ରୂପରେ ଅଛି ।”

ଓସ୍ତାଦ – ମହାଶୟ, ତାଙ୍କୁ କିପରି ଲାଭ କରାଯାଏ ?
ଶ୍ରୀରାମକୃଷ୍ଣ – ଭକ୍ତି ହିଁ ସାର । ଈଶ୍ୱର ତ ସର୍ବଭୂତରେ ଅଛନ୍ତି, ତେବେ ଭକ୍ତ କାହାକୁ କହନ୍ତି ? ଯାହାର ମନ ସର୍ବଦା ଈଶ୍ୱରଙ୍କଠାରେ ଅଛି । ଆଉ ଅହଙ୍କାର ଅଭିମାନ ରହିଲେ ହୁଏ ନାହିଁ । ‘ମୁଁ’ ରୂପକ ଢିପରେ ଈଶ୍ୱରଙ୍କର କୃପାରୂପକ ଜଳ ଜମେ ନାହିଁ, ଗଡ଼ିଯାଏ । ମୁଁ ଯନ୍ତ୍ର ।

(କେଦାରାଦି ଭକ୍ତମାନଙ୍କ ପ୍ରତି) ସବୁ ପଥ ଦେଇ ତାଙ୍କୁ ଲାଭ କରାଯାଏ । ସବୁ ଧର୍ମ ହିଁ ସତ୍ୟ । ଛାତରେ ଉଠିବା ନେଇ କଥା । ତୁମେ ପକ୍କା ଶିଡ଼ି ଦେଇ ଉଠିପାର କିମ୍ବା କାଠ ଶିଡ଼ି ଦେଇ ଉଠିପାର, ବାଉଁଶର ଶିଡ଼ି ଦେଇ ମଧ୍ୟ ଉଠିପାର, ଆଉ ଦଉଡ଼ି ସାହାଯ୍ୟରେ ମଧ୍ୟ ଉଠିପାର । ପୁଣି ଗୋଟିଏ ଅଚଞ୍ଛା ବାଉଁଶ ଦେଇ ମଧ୍ୟ ଉଠିପାର ।

ଯ଼ଦି କହ, ସେମାନଙ୍କ ଧର୍ମରେ ଅନେକ ଭୁଲ, କୁସଂସ୍କାର ଅଛି; ମୁଁ କହେ, ତାହା ରହିଲେ ବା, ସବୁ ଧର୍ମରେ ତ ଭୁଲ ଅଛି । ସମସ୍ତେ ଭାବନ୍ତି, ମୋ ଘଣ୍ଟାଟି ଠିକ୍‌ ଚାଲୁଛି । ବ୍ୟାକୁଳତା ଥିଲେ ହେଲା, ତାଙ୍କ ଉପରେ ଶ୍ରଦ୍ଧା, ଟାଣ ରହିଲେ ହେଲା । ସେ ଯେ ଅନ୍ତର୍ଯ୍ୟାମୀ, ଅନ୍ତରର ଟାଣ ବ୍ୟାକୁଳତା ଦେଖିପାରନ୍ତି । ମନେକର ଜଣେ ବାପର ଅନେକଗୁଡ଼ିଏ ପିଲା, ବଡ଼ ପିଲାମାନେ କେହି ‘ବାବା’,କେହି ‘ପାପା’ ଏହିସବୁ ସ୍ପଷ୍ଟ କହି ତାଙ୍କୁ ଡାକନ୍ତି । ପୁଣି ଅତି ଛୋଟ ପିଲା କେବଳ ‘ବା’ କି ‘ପା’ ବୋଲି ଡାକେ । ଯେଉଁମାନେ କେବଳ ‘ବା’ କି ‘ପା’ କହିପାରନ୍ତି, ବାପା କ’ଣ ତାଙ୍କ ଉପରେ ରାଗିବେ ? ବାପା ଜାଣନ୍ତି ଯେ, ସେମାନେ ମୋତେ ହିଁ ଡାକୁଛନ୍ତି, ତେବେ ଭଲ ଉଚ୍ଚାରଣ କରିପାରୁ ନାହାଁନ୍ତି । ବାପ ପାଖରେ ସବୁ ପିଲା ସମାନ ।

ପୁଣି ଭକ୍ତମାନେ ତାଙ୍କୁ ନାନା ନାମରେ ଡାକୁଛନ୍ତି; ଏକ ବ୍ୟକ୍ତିକୁ ହିଁ ଡାକୁଛନ୍ତି । ଗୋଟିଏ ପୋଖରୀରେ ଚାରୋଟି ଘାଟ । ହିନ୍ଦୁମାନେ ଗୋଟିଏ ଘାଟରେ ପାଣି ପିଉଛନ୍ତି – କହୁଛନ୍ତି ଜଳ; ମୁସଲମାନମାନେ ଆଉ ଗୋଟିଏ ଘାଟରେ ପିଉଛନ୍ତି – କହୁଛନ୍ତି ପାନି; ଇଂରେଜମାନେ ଆଉ ଗୋଟିଏ ଘାଟରେ ପିଉଛନ୍ତି – କହୁଛନ୍ତି ଓ୳୲ଟର; ପୁଣି ଅନ୍ୟ ଲୋକେ ଆଉ ଗୋଟିଏ ଘାଟରେ କହୁଛନ୍ତି ଆକ୍ଵା (Aqua) ।

ଏକ ଈଶ୍ୱର ତାଙ୍କର ନାନା ନାମ ।

ପଞ୍ଚମ ପରିଚ୍ଛେଦ – ଠାକୁର ଶ୍ରୀରାମକୃଷ୍ଣ ଦକ୍ଷିଣେଶ୍ୱରରେ ଭକ୍ତ ସଙ୍ଗରେ

(୧)
ଠାକୁର ଶ୍ରୀରାମକୃଷ୍ଣ ଦକ୍ଷିଣେ
ଶ୍ୱରରେ ଭକ୍ତ ସଙ୍ଗରେ

ଶ୍ରୀରାମକୃଷ୍ଣ, ଦକ୍ଷିଣେଶ୍ଵର-ମନ୍ଦିରରେ ଭକ୍ତଙ୍କ ସଙ୍ଗରେ ବିରାଜମାନ । ଗୁରୁବାର, ଶ୍ରାବଣ, ଶୁକ୍ଳଦଶମୀ, ୨୪ ଅଗଷ୍ଟ, ୧୮୮୨ ।

ଆଜିକାଲି ଠାକୁରଙ୍କ ପାଖରେ ହାଜରା ମହାଶୟ, ରାମଲାଲ, ରାଖାଲ ପ୍ରଭୃତି ରହନ୍ତି । ଶ୍ରୀଯୁକ୍ତ ରାମଲାଲ ଠାକୁରଙ୍କର ଭାତୃଷ୍ପୁତ୍ର – କାଳୀମନ୍ଦିରରେ ପୂଜା କରନ୍ତି । ମାଷ୍ଟର ଆସି ଦେଖିଲେ ଉତ୍ତରପୂର୍ବରେ ଲମ୍ବା ବାରଣ୍ଡାରେ ଠାକୁର ହାଜରା ନିକଟରେ ଠିଆ ହୋଇ କଥା କହୁଛନ୍ତି । ସେ ଆସି ଭୂମିଷ୍ଠ ହୋଇ ଠାକୁରଙ୍କର ଶ୍ରୀପାଦପଦ୍ମ ବନ୍ଦନା କଲେ ।

ଠାକୁର ହାସ୍ୟବଦନ । ମାଷ୍ଟରଙ୍କୁ କହୁଛନ୍ତି, “ଆଉ ଥରେ ଦୁଇଥର ଈଶ୍ୱର ବିଦ୍ୟାସାଗରଙ୍କୁ ଦେଖିବା ଦରକାର । ଝୋଟିରେ ଥରେ ମୋଟାମୋଟି ଆଙ୍କି ନେଇ ତା’ପରେ ବସି ବସି ରଙ୍ଗ ଚଢ଼ାଯାଏ । ପ୍ରତିମା ପ୍ରଥମରେ ଏକମାଟି, ପରେ ଦୁଇମାଟି, ତା’ପରେ ଖଡ଼ି, ତା’ପରେ ରଙ୍ଗ – ପର ପର କରିବାକୁ ହୁଏ । ଈଶ୍ୱର ବିଦ୍ୟାସାଗରର ସବୁ ପ୍ରସ୍ତୁତ, କେବଳ ଢାଙ୍କି ହୋଇ ରହିଛି । କେତେଗୁଡ଼ିଏ ସତ୍‌କାର୍ଯ୍ୟ କରୁଛି, କିନ୍ତୁ ଅନ୍ତରରେ କଅଣ ଅଛି ତାହା ଜାଣେ ନାହିଁ । ଅନ୍ତରରେ ସୁନା ଲୁଚିରହିଛି । ଅନ୍ତରରେ ଈଶ୍ୱର ଅଛନ୍ତି – ଜାଣିପାରିଲେ ସବୁ କାମ ଛାଡ଼ି ବ୍ୟାକୁଳ ହୋଇ ତାଙ୍କୁ ଡାକିବାକୁ ଇଚ୍ଛା ହୁଏ ।

ଠାକୁର ମାଷ୍ଟରଙ୍କ ସଙ୍ଗରେ ଠିଆ ହୋଇ କଥା କହୁଛନ୍ତି – ଆଉ ମଝିରେ ମଝିରେ ବାରଣ୍ଡାରେ ବୁଲୁଛନ୍ତି ।

ସାଧନା – କାମିନୀ-କାଞ୍ଚନର ଝଡ଼ ତୋଫାନ କଟାଇବା ପାଇଁ

ଶ୍ରୀରାମକୃଷ୍ଣ – ଅନ୍ତରରେ କଅଣ ଅଛି ଜାଣିବା ପାଇଁ ଟିକିଏ ସାଧନା ଆବଶ୍ୟକ ।
ମାଷ୍ଟର – ସାଧନା କଅଣ ବରାବର କରିବାକୁ ହୁଏ ?
ଶ୍ରୀରାମକୃଷ୍ଣ – ନା, ପ୍ରଥମେ ଟିକିଏ ଉଠିପଡ଼ି ଲାଗିବାକୁ ହୁଏ । ତା’ପରେ ଆଉ ବେଶୀ ପରିଶ୍ରମ କରିବାକୁ ପଡ଼େ ନାହିଁ । ଯେପର୍ଯ୍ୟନ୍ତ ଢେଉ, ଝଡ଼, ତୋଫାନ, ଆଉ ବାଙ୍କ ଦେଇ ଯିବାକୁ ହୁଏ, ସେପର୍ଯ୍ୟନ୍ତ ମଙ୍ଗୁଆଳକୁ ଠିଆ ହୋଇ ମଙ୍ଗ ଧରିବାକୁ ହୁଏ – ସେହି ଟିକକ ପାର ହୋଇଗଲେ ଆଉ କଷ୍ଟ ହୁଏ ନାହିଁ । ଯଦି ବାଙ୍କ ପାର ହୋଇଗଲା, ଆଉ ଅନୁକୂଳ ବାୟୁ ବହିଲା, ମଙ୍ଗୁଆଳ ଆରାମ କରି ବସେ, ମଙ୍ଗଧରାରେ କେବଳ ହାତଟା ପକାଇ ରଖେ – ତା’ପରେ ପାଲ ଟାଣିବାର ବନ୍ଦୋବସ୍ତ କରି ତମାଖୁ ସଜାଡ଼ି ବସେ । କାମିନୀ-କାଞ୍ଚନର ଝଡ଼-ତୋଫାନ କଟିଗଲେ, ତା’ପରେ ଶାନ୍ତି ।

ଠାକୁର ଶ୍ରୀରାମକୃଷ୍ଣ ଓ ଯୋଗତତ୍ତ୍ଵ – ଯୋଗଭ୍ରଷ୍ଟ – ଯୋଗାବସ୍ଥା – “ନିବାତନିଷ୍କମ୍ପମିବ ପ୍ରଦୀପମ୍‌” – ଯୋଗର ବ୍ୟାଘାତ

କାହାରି କାହାରିଠାରେ ଯୋଗୀର ଲକ୍ଷଣ ଦେଖାଯାଏ କିନ୍ତୁ ସେମାନଙ୍କର ମଧ୍ୟ ସାବଧାନ ହେବା ଉଚିତ । କାମିନୀକାଞ୍ଚନ ହିଁ ଯୋଗର ବ୍ୟାଘାତ । ଯୋଗଭ୍ରଷ୍ଟ ହୋଇ ସଂସାରରେ ଆସି ପଡ଼େ – ହୁଏତ କିଛି ଭୋଗର ବାସନା ଥିଲା । ସେଗୁଡ଼ିକ ହୋଇଗଲେ ପୁଣି ଈଶ୍ୱରଙ୍କ ଆଡ଼କୁ ଯିବ – ପୁଣି ସେହି ଯୋଗର ଅବସ୍ଥା । ଛିଟିକିଣି କଳ ଜାଣ ?

ମାଷ୍ଟର – ଆଜ୍ଞା ନା, ଦେଖିନାହିଁ ।
ଶ୍ରୀରାମକୃଷ୍ଣ – ସେଦେଶରେ (କାମାରପୁକୁରରେ) ଅଛି । ବାଉଁଶ ନୁଆଇଁ ରଖନ୍ତି, ସେଥିରେ ବନ୍‌ଶୀ ଲଗା ଦଉଡ଼ି ବନ୍ଧା ଥାଏ । ବନ୍‌ଶୀରେ ଥୋପ ଦିଆହୁଏ । ମାଛ ଯେତେବେଳେ ଥୋପ ଖାଏ ସଙ୍ଗେ ସଙ୍ଗେ ଚଟ୍‌କରି ବାଉଁଶଟା ଉଠିଯାଏ । ଆଗରୁ ଉପର ଆଡ଼କୁ ବାଉଁଶର ଅଗ ଯେମିତି ଥିଲା ସେହିପରି ରହିଯାଏ ।

ନିକିତିର ଗୋଟିଏ ପଟ ଭାରୀ ହେଲେ ତଳକଣ୍ଟା ଉପର କଣ୍ଟା ସହିତ ଏକ ହୁଏ ନାହିଁ । ତଳକଣ୍ଟାଟି ମନ – ଉପରକଣ୍ଟାଟି ଈଶ୍ୱର । ତଳକକଣ୍ଟାଟି ଉପରକଣ୍ଠା ସହିତ ଏକ ହେବାର ନାମ ଯୋଗ ।

ମନ ସ୍ଥିର ନ ହେଲେ ଯୋଗ ହୁଏ ନାହିଁ । ସଂସାର-ବାୟୁ ମନରୂପକ ଦୀପକୁ ସର୍ବଦା ଚଞ୍ଚଳ କରୁଛି । ଏ ଦୀପଟି ଯଦି ଆଦୌ ନ ହଲେ, ତା’ହେଲେ ଠିକ୍‌ ଯୋଗର ଅବସ୍ଥା ହୋଇଯାଏ ।

କାମିନୀକାଞ୍ଚନ ହିଁ ଯୋଗର ବ୍ୟାଘାତ । ବସ୍ତୁବିଚାର କରିବ । ସ୍ତ୍ରୀଲୋକର ଶରୀରରେ କଅଣ ଅଛି – ରକ୍ତ, ମାଂସ, ଚର୍ବି, ନାଡ଼ୀଭୁଡ଼ୀ, କୃମି, ମୂତ୍ର, ବିଷ୍ଠା, ଏହିସବୁ । ସେହି ଶରୀର ଉପରେ ଏତେ ଆସକ୍ତି କାହିଁକି !

ମୁଁ ରାଜସିକ ଭାବର ଆରୋପ କରୁଥିଲି – ତ୍ୟାଗ କରିବା ସକାଶେ । ଇଚ୍ଛା ହୋଇଥିଲା ଖାଣ୍ଟି ଜରୀର ପୋଷାକ ପିନ୍ଧିବି, ଆଙ୍ଗୁଠିରେ ମୁଦି ପିନ୍ଧିବି, ନଳ ଥିବା ହୁକ୍‌କାରେ ତମାଖୁ ଟାଣିବି । ଖାଣ୍ଟି  ଜରୀର ପୋଷାକ ପିନ୍ଧିଲି – ଏମାନେ (ମଥୁରବାବୁ) ଆଣିଦେଲେ – କିଛିକ୍ଷଣ ପରେ ମନକୁ କହିଲି – ମନ, ଏହାର ନାମ ଖାଣ୍ଟି ଜରୀର ପୋଷାକ ! ସେତେବେଳେ ସେଗୁଡ଼ିକ କାଢ଼ି ଫିଙ୍ଗିଦେଲି । ଆଉ ଭଲ ଲାଗିଲା ନାହିଁ । କହିଲି – ମନ, ଏହାର ନାମ ଶାଲ ! ଏହାର ନାମ ମୁଦି ! ଏହାର ନାମ ନଳ ଥିବା ହୁକ୍‌କାରେ ତମାଖୁ ଟାଣିବା ! ସେହି ଯେ ସବୁ ଫିଙ୍ଗିଦେଲି ଆଉ ମନରେ ଉଠିଲା ନାହିଁ ।

ସନ୍ଧ୍ୟା ଆଗତ ପ୍ରାୟ । ଘରର ଦକ୍ଷିଣ-ପୂର୍ବ ବାରଣ୍ଡାରେ, ଘରର ଦ୍ଵାର ନିକଟରେ ଠାକୁର ମଣିଙ୍କ ସହିତ ନିଭୃତରେ କଥା କହୁଛନ୍ତି ।

ଶ୍ରୀରାମକୃଷ୍ଣ (ମଣିଙ୍କ ପ୍ରତି) – ଯୋଗୀର ମନ ସର୍ବଦା ଈଶ୍ୱରଙ୍କଠାରେ ଥାଏ – ସର୍ବଦା ଆତ୍ମସ୍ଥ । ଅଧାବୁଝା ଆଖି ଦେଖିବାମାତ୍ରକେ ବୁଝାଯାଏ । ଯେପରି ପକ୍ଷୀ ଅଣ୍ଡା ଉଷୁମାଉଛି – ସବୁ ମନଟା ସେହି ଅଣ୍ଡା ଉପରେ, ବାହାରେ ନାମକୁ ମାତ୍ର ଚାହିଁ ରହିଛି ! ଆଚ୍ଛା, ମୋତେ ସେହି ଛବି ଦେଖାଇପାରିବ ?
ମଣି – ଯେ ଆଜ୍ଞା ! ମୁଁ ଚେଷ୍ଠା କରିବି, ଯଦି କେଉଁଠୁ ପାଏ ।

(୨)
ଗୁରୁ ଶିଷ୍ୟ ସମ୍ବାଦ – ଗୁହ୍ୟ କଥା

ସନ୍ଧ୍ୟା ହେଲା । ଭୃତ୍ୟ କାଳୀମନ୍ଦିରରେ, ରାଧାକାନ୍ତଙ୍କ ମନ୍ଦିରରେ ଓ ଅନ୍ୟାନ୍ୟ ଘରେ ଆଲୁଅ ଜାଳି ଦେଲା । ଠାକୁର ଛୋଟ ଖଟଟିରେ ବସି ଜଗନ୍ମାତାଙ୍କର ଚିନ୍ତା ଓ ତତ୍ପରେ ଈଶ୍ୱରଙ୍କ ନାମ ନେଉଛନ୍ତି । ଘରେ ଝୁଣା ଦିଆହୋଇଛି । ଏକ ପାର୍ଶ୍ଵରେ ଗୋଟିଏ ରୁଖା ଉପରେ ଦୀପ ଜଳୁଛି । ଟିକିଏ ପରେ ଶଙ୍ଖ, ଘଣ୍ଟ, ବାଜି ଉଠିଲା । କାଳୀମନ୍ଦିରରେ ଆଳତି ହେଉଛି । ଶୁକ୍ଳା ଦଶମୀ ତିଥି । ଜ୍ୟୋତ୍ସ୍ନାରେ ଚତୁର୍ଦ୍ଦିଗ ଆଲୋକିତ ।

ଆଳତି ପରେ ଶ୍ରୀରାମକୃଷ୍ଣ ଛୋଟ ଖଟଟିରେ ବସି ମଣିଙ୍କ ସହିତ ଏକାକୀ ନାନା ବିଷୟକ କଥା କହୁଛନ୍ତି । ମଣି ତଳେ ବସିଛନ୍ତି ।

“କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ”

ଶ୍ରୀରାମକୃଷ୍ଣ (ମଣିଙ୍କ ପ୍ରତି) – ନିଷ୍କାମ କର୍ମ କରିବ । ଈଶ୍ୱର ବିଦ୍ୟାସାଗର ଯେଉଁ କାର୍ଯ୍ୟ କରନ୍ତି, ତାହା ଭଲ କାମ –  ନିଷ୍କାମ କର୍ମ କରିବା ପାଇଁ ଚେଷ୍ଟା କରନ୍ତି ।
ମଣି – ଆଜ୍ଞା ହଁ । ଆଚ୍ଛା, ଯେଉଁଠାରେ କର୍ମ, ସେଠାରେ କଅଣ ଈଶ୍ୱରରପ୍ରାପ୍ତି ହୁଏ ? ରାମ ଆଉ କାମ କଅଣ ଏକସଙ୍ଗରେ ହୁଏ ? ହିନ୍ଦୀରେ ଗୋଟିଏ କଥା ସେଦିନ ପଢ଼ିଲି – ‘ଯହାଁ ରାମ ତାହାଁ ନହିଁ କାମ, ଯହାଁ କାମ ତାହାଁ ନହିଁ ରାମ ।’
ଶ୍ରୀରାମକୃଷ୍ଣ – କର୍ମ ସମସ୍ତେ କରନ୍ତି – ତାଙ୍କର ନାମ ଗୁଣ ଗାନ କରିବା, ଏହା ମଧ୍ୟ କର୍ମ । ସୋଽହଂବାଦୀମାନଙ୍କର ‘ମୁଁ କେବଳ ସେହି’ ଏହି ଚିନ୍ତା ମଧ୍ୟ କର୍ମ – ନିଃଶ୍ୱାସ ମାରିବା ମଧ୍ୟ କର୍ମ । କର୍ମ ତ୍ୟାଗ କରିବାର ଯୁ ନାହିଁ । ତେଣୁ କର୍ମ କରିବ; କିନ୍ତୁ ଫଳ ଈଶ୍ୱରଙ୍କଠାରେ ସମର୍ପଣ କରିବ ।
ମଣି – ଆଜ୍ଞା, ଯଦ୍ୱାରା ବେଶୀ ଅର୍ଥ ହେବ, ସେପରି ଚେଷ୍ଟା କଅଣ କରିପାରେ ?
ଶ୍ରୀରାମକୃଷ୍ଣ – ବିଦ୍ୟାର ସଂସାର ପାଇଁ କରିପାର । ବେଶୀ ଉପାର୍ଜନର ଚେଷ୍ଟା କରିପାର, କିନ୍ତୁ ସଦୁପାୟରେ । ଉପାର୍ଜନ କରିବା ଉଦ୍ଦେଶ୍ୟ ନୁହେଁ । ଈଶ୍ୱରଙ୍କର ସେବା କରିବା ହିଁ ଉଦ୍ଦେଶ୍ୟ । ଟଙ୍କାରେ ଯଦି ଈଶ୍ୱରଙ୍କର ସେବା ହୁଏ, ତାହା ହେଲେ ସେହି ଟଙ୍କାରେ ଦୋଷ ନାହିଁ ।
ମଣି – ଆଜ୍ଞା, ପରିବାର ପ୍ରତି କର୍ତ୍ତବ୍ୟ କେତେଦିନ ?
ଶ୍ରୀରାମକୃଷ୍ଣ – ଯେପର୍ଯ୍ୟନ୍ତ ସେମାନଙ୍କର ଖାଇବା-ପିନ୍ଧିବାରେ କଷ୍ଟ ନ ହୁଏ । କିନ୍ତୁ ସନ୍ତାନ ନିଜେ ସମର୍ଥ ହେଲେ ଆଉ ତାଙ୍କର ଭାର ନେବା ଦରକାର ନାହିଁ । ପକ୍ଷୀର ଛୁଆ ଖୁଣ୍ଟି ଖାଇ ଶିଖିଲା ପରେ ମା ପାଖକୁ ଖାଇବାକୁ ଆସିଲେ, ମା ଖୁମ୍ପି ଗୋଡ଼ାଏ ।
ମଣି – ଆଜ୍ଞା, କର୍ମ କେତେ ଦିନ କରିବାକୁ ହେବ ?
ଶ୍ରୀରାମକୃଷ୍ଣ – ଫଳ ଲାଭ ହେଲେ ଆଉ ଫୁଲ ରହେ ନାହିଁ । ଈଶ୍ୱରଲାଭ ହେଲେ ଆଉ କର୍ମ କରିବାକୁ ପଡ଼େ ନାହିଁ । ମନ ବି ଲାଗେ ନାହିଁ ।

ମାତାଲ ବେଶୀ ମଦ ଖାଇଲେ ହୋସ୍‌ ରଖିପାରେ ନାହିଁ – ଦୁଇ ଅଣାର ଖାଇଲେ କାମଦାମ ଚାଲିପାରେ । ଈଶ୍ୱରଙ୍କ ଆଡ଼େ ଯେତେ ଆଗେଇବ ସେତେ କର୍ମ ସେ କମାଇ ଦେବେ । ଭୟ ନାହିଁ । ଘରର ବୋହୁ ଅନ୍ତସତ୍ତ୍ଵା ହେଲେ ଶାଶୁ କ୍ରମେ କ୍ରମେ କାମ କମାଇ ଦିଏ । ଦଶମାସ ହେଲେ ଆଦୌ କାମ କରିବାକୁ ଦିଏ ନାହିଁ । ପିଲା ହେଲେ ସେଇଟିକୁ ନେଇ ଉଠାବସା କରେ ।

ଯେଉଁ କେତେଟା କର୍ମ ଅଛି, ସେହିତକ ଶେଷ ହୋଇଗଲେ ନିଶ୍ଚିନ୍ତ । ଗୃହିଣୀ ଘରର ରନ୍ଧାବଢ଼ା ଆଦି କାମ ସାରି ଯେତେବେଳେ ଗାଧୋଇବାକୁ ଯାଏ, ସେତେବେଳେ ଡକାଡକି କଲେ ମଧ୍ୟ ଆସିବ ନାହିଁ ।

ଈଶ୍ୱରଲାଭ ଓ ଈଶ୍ୱରଦର୍ଶନ କଅଣ ? ଉପାୟ କଅଣ ?

ମଣି – ଆଜ୍ଞା, ଈଶ୍ୱରଲାଭ କରିବା ଅର୍ଥ କଅଣ ? ଈଶ୍ୱରଦର୍ଶନ କାହାକୁ କହନ୍ତି ? ପୁଣି ଏହି ଦର୍ଶନ କିପରି ହୁଏ ?
ଶ୍ରୀରାମକୃଷ୍ଣ – ବୈଷ୍ଣବମାନେ କହନ୍ତି ଯେ, ଈଶ୍ୱରଙ୍କ ପଥରେ ଯେଉଁମାନେ ଯାଉଛନ୍ତି, ଆଉ ଯେଉଁମାନେ ତାଙ୍କୁ ଲାଭ କରିଛନ୍ତି, ସେମାନଙ୍କର ଭିନ୍ନ ଭିନ୍ନ ସ୍ତର ଅଛି – ପ୍ରବର୍ତ୍ତକ, ସାଧକ, ସିଦ୍ଧ ଓ ସିଦ୍ଧର ସିଦ୍ଧ । ଯେ ନୂଆ କରି ପଥକୁ ଉଠିଛନ୍ତି ତାଙ୍କୁ ପ୍ରବର୍ତ୍ତକ କହନ୍ତି । ଯେ ସାଧନ ଭଜନ କରୁଛନ୍ତି – ପୂଜା, ଜପ, ଧ୍ୟାନ, ନାମଗୁଣ-କୀର୍ତ୍ତନ କରୁଛନ୍ତି, ସେ ସାଧକ । ଯେଉଁ ବ୍ୟକ୍ତି ଈଶ୍ୱର ଅଛନ୍ତି ବୋଲି ଠିକ୍‌ରୂପେ ଉପଲବ୍‌ଧ୍‌ କରନ୍ତି ତାଙ୍କୁ ହିଁ ସିଦ୍ଧ କୁହାଯାଏ – ଯେପରି ବେଦାନ୍ତରେ ଉପମା ଅଛି – ଅନ୍ଧକାର ଘର, ବାବୁ ଶୋଇଛନ୍ତି, ବାବୁଙ୍କୁ ଜଣେ ଦରାଣ୍ଡି ଦରାଣ୍ଡି ଖୋଜୁଛନ୍ତି – ଗୋଟିଏ ସୋଫାରେ ହାତ ଦେଇ କହୁଛନ୍ତି, ଏ ନୁହେଁ; ଝରକାରେ ହାତ ଦେଇ କହୁଛନ୍ତି, ଏ ନୁହେଁ, ଦରଜାରେ ହାତ ଦେଇ କହୁଛନ୍ତି, ଏ ନୁହେଁ – ନେତି, ନେତି, ନେତି । ଶେଷରେ ବାବୁଙ୍କ ଦେହରେ ହାତ
ପଡ଼ିଛି, ସେତେବେଳେ କହୁଛନ୍ତି, ‘ଇହ’, ଏଇ ବାବୁ – ଅର୍ଥାତ୍‌ ‘ଅସ୍ତି’ ବୋଧ ହୋଇଛି । ବାବୁଙ୍କୁ ମିଳିଛି, କିନ୍ତୁ ବିଶେଷରୂପେ ଜଣା ହୋଇନାହିଁ ।

ଆଉ ଏକ ସ୍ତର ଅଛନ୍ତି, ତାଙ୍କୁ କହନ୍ତି ସିଦ୍ଧର ସିଦ୍ଧ । ବାବୁଙ୍କ ସଙ୍ଗରେ ଯଦି ବିଶେଷ ଆଳାପ ହୁଏ, ତାହା ହେଲେ ଆଉ ଏକପ୍ରକାର ଅବସ୍ଥା – ସେହିପରି ଈଶ୍ୱରଙ୍କ ସଙ୍ଗରେ ପ୍ରେମଭକ୍ତି ଦ୍ଵାରା ବିଶେଷ ଆଳାପ ହୁଏ । ଯେ ସିଦ୍ଧ ସେ ଇଶ୍ୱରଙ୍କୁ ପାଇଛନ୍ତି – ଯେ ସିଦ୍ଧର ସିଦ୍ଧ ସେ ଈଶ୍ୱରଙ୍କ ସହିତ ବିଶେଷରୂପେ ଆଳାପ କରିଛନ୍ତି ।

କିନ୍ତୁ ତାଙ୍କୁ ଲାଭ କରିବାକୁ ହେଲେ ଗୋଟିଏ ଭାବ ଆଶ୍ରୟ କରିବାକୁ ହୁଏ । ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ବା ମଧୁର ।

ଶାନ୍ତ – ଋଷିମାନଙ୍କର ଥିଲା । ସେମାନଙ୍କ ଅନ୍ୟ କିଛି ଭୋଗ କରିବାର ବାସନା ନ ଥିଲା । ଯେପରି ସ୍ତ୍ରୀର ସ୍ଵାମୀଠାରେ ନିଷ୍ଠା – ସେ ଜାଣେ ମୋର ପତି କନ୍ଦର୍ପ ।

ଦାସ୍ୟ – ଯେପରି ହନୁମାନଙ୍କର । ରାମଙ୍କ କାର୍ଯ୍ୟ କରିବା ସମୟରେ ସିଂହତୁଲ୍ୟ । ସ୍ତ୍ରୀର ଦାସ୍ୟ ଭାବ ଥାଏ – ପ୍ରାଣପଣେ ସ୍ୱାମୀଙ୍କର ସେବା କରେ । ମାଆର କିଛି କିଛି ଥାଏ – ଯଶୋଦାଙ୍କର ମଧ୍ୟ ଥିଲା ।

ସଖ୍ୟ –  ବନ୍ଧୁଭାବ । ଆସ, ପାଖରେ ଆସି ବସ । ସୁଦାମାଦି କୃଷ୍ଣଙ୍କୁ କେତେବେଳେ ଅଇଁଠା ଫଳ ଖୁଆଉଛନ୍ତି ତ କେତେବେଳେ ପିଠିରେ ଚଢ଼ୁଛନ୍ତି ।

ବାତ୍ସଲ୍ୟ – ଯେପରି ଯଶୋଦାଙ୍କର । ସ୍ତ୍ରୀ ବି କିଛିଟା ଥାଏ – ସ୍ୱାମୀକୁ ପ୍ରାଣଭରି ଖୁଆଏ । ପିଲାଟି ପେଟଭରି ଖାଇଲେ ତେବେ ମା’ ସନ୍ତୁଷ୍ଟ । କୃଷ୍ଣ ଖାଇବେ ବୋଲି ଯଶୋଦା ଲବଣୀ ହାତରେ ଧରି ବୁଲୁଥାନ୍ତି ।

ମଧୁର – ଯେପରି ଶ୍ରୀମତୀଙ୍କର ! ସ୍ତ୍ରୀର ବି ମଧୁର ଭାବ । ଏ ଭାବ ଭିତରେ ସମସ୍ତ ଅଛି – ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ।

ମଣି – ଈଶ୍ୱରଙ୍କୁ କ’ଣ ଏହି ଚକ୍ଷୁରେ ଦର୍ଶନ କରିହୁଏ ?
ଶ୍ରୀରାମକୃଷ୍ଣ – ତାଙ୍କୁ ଚର୍ମଚକ୍ଷୁରେ ଦେଖାଯାଏ ନାହିଁ । ସାଧନା କରୁ କରୁ ପ୍ରେମର ଶରୀର ହୁଏ – ତାହାର ପ୍ରେମର ଚକ୍ଷୁ, ପ୍ରେମର କର୍ଣ୍ଣ । ସେହି ଚକ୍ଷୁରେ ତାଙ୍କୁ ଦେଖାଯାଏ, ସେହି କର୍ଣ୍ଣରେ ତାଙ୍କର ବାଣୀ ଶୁଣାଯାଏ । ପୁଣି ପ୍ରେମର ଲିଙ୍ଗ ଯୋନି ହୁଏ ।

ଏହି କଥା ଶୁଣି ମଣି ହୋ ହୋ କରି ହସି ପକାଇଲେ । ଠାକୁର ବିରକ୍ତ ନ ହୋଇ ପୁଣି କହୁଛନ୍ତି ।

ଶ୍ରୀରାମକୃଷ୍ଣ – ଏହି ପ୍ରେମ-ଶରୀରରେ ଆତ୍ମା ସହିତ ରମଣ ହୁଏ । ମଣି ପୁଣି ଗମ୍ଭୀର ହେଲେ ।
ଶ୍ରୀରାମକୃଷ୍ଣ – ଈଶ୍ୱରରଙ୍କ ପ୍ରତି ଖୁବ୍‌ ଭଲ ପାଇବା ନ ହେଲେ ହୁଏ ନାହିଁ । ଭଲ ପାଇବା ବେଶୀ ହେଲେ ତେବେ ତ ଚତୁର୍ଦ୍ଦିଗ ଈଶ୍ୱରମୟ ଦେଖାଯାଏ ! କାମଳରୋଗ ହେଲେ ଯେପରି ଚାରିଆଡ଼େ ହଳଦିଆ ଦେଖାଯାଏ ।

ସେତେବେଳେ ପୁଣି ‘ସେ ହିଁ ମୁଁ’ ଏହି ବୋଧ ହୁଏ । ମାତାଲର ନିଶା ବେଶୀ ହେଲେ କହେ, ‘ମୁଁ କାଳୀ’ ।

ଗୋପୀମାନେ ପ୍ରେମୋନ୍ମତ୍ତ ହୋଇ କହିବାକୁ ଲାଗିଲେ, ‘ମୁଁ କୃଷ୍ଣ’ ।

ତାଙ୍କୁ ଦିନ ରାତି ଚିନ୍ତା କଲେ ସବୁଆଡ଼େ ତାଙ୍କୁ ଦେଖାଯାଏ – ଯେପରି ଦୀପର ଶିଖା ଆଡ଼କୁ ଯଦି ଏକଦୃଷ୍ଟିରେ ଚାହିଁ ରହ, ତେବେ କିଛିକ୍ଷଣ ପରେ ଚାରିଆଡ଼େ ଶିଖାମୟ ଦେଖାଯାଏ ।

ଈଶ୍ୱର-ଦର୍ଶନ କ‘ଣ ମସ୍ତିଷ୍କର ଭୁଲ୍‌ ? ‘ସଂଶୟାତ୍ମା ବିନଶ୍ୟତି’

ମଣି ଭାବୁଛନ୍ତି ଯେ, ସେହି ଶିଖା ସତ୍ୟ ଶିଖା ନୁହେଁ ।

ଠାକୁର ଅନ୍ତର୍ଯ୍ୟାମୀ, କହୁଛନ୍ତି – “ଚୈତନ୍ୟକୁ ଚିନ୍ତା କଲେ କେହି ଅଚୈତନ୍ୟ ହୁଏ ନାହିଁ । ଶିବନାଥ କହିଥିଲା – ଈଶ୍ୱରଙ୍କୁ ଶହେ ଥର ଭାବିଲେ ବେହୋସ୍‌ ହୋଇଯାଆନ୍ତି । ମୁଁ ତାକୁ କହିଲି – ଚୈତନ୍ୟକୁ ଚିନ୍ତା କଲେ କ’ଣ କେହି ଅଚୈତନ୍ୟ ହୁଏ ?”

ମଣି – ଆଜ୍ଞା, ବୁଝିଛି । ଏହା ତ କୌଣସି ଅନିତ୍ୟ ବିଷୟ ଚିନ୍ତା କରିବା ନୁହେଁ ? ଯେ ନିତ୍ୟ ଚୈତନ୍ୟ ସ୍ଵରୂପ, ତାଙ୍କଠାରେ ମନ ଲଗାଇ ଦେଲେ ମନୁଷ୍ୟ କାହିଁକି ଅଚୈତନ୍ୟ ହେବ ?
ଶ୍ରୀରାମକୃଷ୍ଣ (ପ୍ରସନ୍ନ ହୋଇ) – ଏହିଟି ତାଙ୍କର କୃପା ! ତାଙ୍କର କୃପା ନ ହେଲେ ସନ୍ଦେହଭଞ୍ଜନ ହୁଏ ନାହିଁ ।

ଆତ୍ମାର ସାକ୍ଷାତ୍‌କାର ନହେଲେ ସନ୍ଦେହଭଞ୍ଜନ ହୁଏ ନାହିଁ । ତାଙ୍କର କୃପା ହେଲେ ଆଉ ଭୟ ନାହିଁ । ବାପାଙ୍କ ହାତ ଧରି ଗଲେ ପିଲା ବରଂ ପଡ଼ିଯାଇପାରେ; କିନ୍ତୁ ପିଲାର ହାତ ଯଦି ବାପା ଧରନ୍ତି ଆଉ ଭୟ ନାହିଁ । ସେ କୃପା କରି ଯଦି ସନ୍ଦେହଭଞ୍ଜନ କରନ୍ତି ଓ ଦେଖା ଦିଅନ୍ତି, ଆଉ କଷ୍ଟ ନାହିଁ । ତେବେ ତାଙ୍କୁ ପାଇବା ପାଇଁ ଖୁବ୍‌ ବ୍ୟାକୁଳ ହୋଇ ଡାକି ଡାକି ସାଧନା କରୁ କରୁ ତେବେ କୃପା ହୁଏ । ପୁଅ ବହୁତ ଦୌଡ଼ା ଦୌଡ଼ି କରୁଛି ଦେଖି ମାଆର ଦୟା ହୁଏ । ମା ଲୁଚିଥିଲେ, ଆସି ଦେଖାଦିଏ ।

ମଣି ଭାବୁଛନ୍ତି – ସେ ଦୌଡ଼ାଦୌଡ଼ି କାହିଁକି କରାନ୍ତି ? ଠାକୁର ସଙ୍ଗେ ସଙ୍ଗେ କହୁଛନ୍ତି, “ତାଙ୍କର ଇଚ୍ଛା ଯେ କିଛି ଦୌଡ଼ାଦୌଡ଼ି ହେଉ, ତେବେ ଆମୋଦ ହୁଏ । ସେ ଲୀଳାରେ ଏହି ସଂସାର ରଚନା କରିଛନ୍ତି । ଏହାର ନାମ ମହାମାୟା । ତେଣୁ ସେହି ଶକ୍ତିରୂପିଣୀ ମାଆଙ୍କର ଶରଣାଗତ ହେବାକୁ ହୁଏ । ମାୟାପାଶରେ ବାନ୍ଧି ପକାଇଛନ୍ତି, ଏହି ପାଶ ଛେଦନ କରିପାରିଲେ ତେବେ ଈଶ୍ୱରଦର୍ଶନ ହୋଇପାରେ ।

ଆଦ୍ୟାଶକ୍ତି ମହାମାୟା ଓ ଶକ୍ତି-ସାଧନା

ଶ୍ରୀରାମକୃଷ୍ଣ – ତାଙ୍କର କୃପା ପାଇବାକୁ ହେଲେ ଆଦ୍ୟାଶକ୍ତିରୂପିଣୀ ତାଙ୍କୁ ପ୍ରସନ୍ନ କରିବାକୁ ହୁଏ । ସେ ହିଁ ମହାମାୟା । ଜଗତକୁ ମୁଗ୍‌ଧ କରି ସୃଷ୍ଟି ସ୍ଥିତି ପ୍ରଳୟ କରୁଛନ୍ତି । ସେ ଅଜ୍ଞାନ କରି ରଖି ଦେଇଛନ୍ତି । ସେହି ମହାମାୟା ଦ୍ଵାର ଛାଡ଼ିଦେଲେ, ତେବେ ଭିତରକୁ ଯାଇପାର । ବାହାରେ ପଡ଼ି ରହିଲେ କେବଳ ବାହାରର ଜିନିଷ ଦେଖାଯାଏ; ସେହି ନିତ୍ୟ ସଚ୍ଚିଦାନନ୍ଦ ପୁରୁଷଙ୍କୁ ଜାଣିହୁଏ ନାହିଁ । ସେଥିପାଇଁ ପୁରାଣରେ କଥା ଅଛି – ଚଣ୍ଡୀରେ – ମଧୁକୈଟଭ ବଧ ସମୟରେ ବ୍ରହ୍ମାଦି ଦେବତାମାନେ ମହାମାୟାଙ୍କର ସ୍ତବ କରୁଛନ୍ତି (ତ୍ଵଂ ସ୍ୱାହା ତ୍ଵଂ ସ୍ଵଧା ତ୍ଵଂ ହି ବଷଟ୍‌କାରସ୍ଵରାତ୍ମିକା । ସୁଧା ତ୍ଵମକ୍ଷରେ ନିତ୍ୟେ ତ୍ରିଧାମାତ୍ରାତ୍ମିକା ସ୍ଥିତା ॥ — ଚଣ୍ଡୀ, ମଧୁକୈଟଭବଧ) ।

ଶକ୍ତି ହଁ ଜଗତର ମୂଳାଧାର । ସେହି ଆଦ୍ୟାଶକ୍ତି ଭିତରେ ବିଦ୍ୟା ଓ ଅବିଦ୍ୟା ଉଭୟ ଅଛି । ଅବିଦ୍ୟା ମୁଗ୍‌ଧ କରେ । ଅବିଦ୍ୟା – ଯେଉଁଥିରେ କାମିନୀକାଞ୍ଚନ – ମୁଗ୍‌ଧ କରେ । ବିଦ୍ୟା – ଯେଉଁଥିରେ ଭକ୍ତି, ଦୟା, ଜ୍ଞାନ, ପ୍ରେମ – ଈଶ୍ୱରଙ୍କ ପଥରେ ନେଇଯାଏ ।

ସେହି ଅବିଦ୍ୟାକୁ ପ୍ରସନ୍ନ କରିବାକୁ ହେବ। ତେଣୁ ଶକ୍ତିର ପୂଜାପଦ୍ଧତି ।

ତାଙ୍କୁ ପ୍ରସନ୍ନ କରିବା ପାଇଁ ନାନା ଭାବରେ ପୂଜା – ଦାସୀଭାବ, ବୀରଭାବ, ସନ୍ତାନଭାବ । ବୀରଭାବ – ଅର୍ଥାତ୍‌ ରମଣ ଦ୍ଵାରା ତାଙ୍କୁ ପ୍ରସନ୍ନ କରିବା ।

ଶକ୍ତିସାଧନା – ଏସବୁ ଭାରୀ ଉତ୍କଟ ସାଧନା, ଚାଲାକି ନୁହେଁ ।

ମୁଁ ମାଆଙ୍କର ଦାସୀଭାବରେ, ସଖୀଭାବରେ ଦୁଇ ବର୍ଷ ଥିଲି । ମୋର କିନ୍ତୁ ସନ୍ତାନଭାବ – ସ୍ତ୍ରୀଲୋକଙ୍କର ସ୍ତନକୁ ମାତୃସ୍ତନ ବୋଲି ମନେକରେ ।

ସ୍ତ୍ରୀଲୋକମାନେ ଗୋଟିଏ ଗୋଟିଏ ଶକ୍ତିର ରୂପ । ପଶ୍ଚିମରେ ବିବାହ ସମୟରେ ବର ହାତରେ ଛୁରୀ ଥାଏ, ବଙ୍ଗଳା ଦେଶରେ ଗୁଆକାତି ଥାଏ – ଅର୍ଥାତ୍‌ ସେହି ଶକ୍ତିରୂପା କନ୍ୟା ସାହାଯ୍ୟରେ ବର ମାୟାପାଶ ଛେଦନ କରିବ । ଏହିଟି ବୀରଭାବ । ମୁଁ ବୀରଭାବରେ ପୂଜା କରି ନାହିଁ । ମୋର ସନ୍ତାନ ଭାବ ।

କନ୍ୟା ଶକ୍ତିରୂପା । ବିବାହ ସମୟରେ ଦେଖିନାହଁ – ବର ବୋକାଟି ପରି ପଛରେ ବସିଥାଏ ? କନ୍ୟା କିନ୍ତୁ ନିଃଶଙ୍କ ।

ଦର୍ଶନ ପରେ ଐଶ୍ୱର୍ଯ୍ୟ ଭୁଲ୍‌ ହୋଇଯାଏ – ନାନା ଜ୍ଞାନ, ଅପରାବିଦ୍ୟା – Religion and Science – ସାତ୍ତ୍ଵିକ ଓ ରାଜସିକ ଜ୍ଞାନ

ଶ୍ରୀରାମକୃଷ୍ଣ – ଈଶ୍ୱରଙ୍କୁ ଲାଭ କଲେ ତାଙ୍କର ବାହ୍ୟ ଐଶ୍ୱର୍ଯ୍ୟ, ତାଙ୍କ ଜଗତର ଐଶ୍ୱର୍ଯ୍ୟ ଭୁଲ୍‌ ହୋଇଯାଏ । ତାଙ୍କୁ ଦେଖିଲେ ତାଙ୍କର ଐଶ୍ୱର୍ଯ୍ୟରେ ମନ ରହେ ନାହିଁ । ଈଶ୍ୱରଙ୍କ ଆନନ୍ଦରେ ମଗ୍ନ ହୋଇ ଭକ୍ତର ଆଉ ହିସାବ ରହେ ନାହିଁ । ନରେନ୍ଦ୍ରଙ୍କୁ ଦେଖିଲେ – ‘ତୁମର ନାମ କଅଣ, ତୁମର ଘର କେଉଁଠାରେ’ – ଏସବୁ ପ୍ରଶ୍ନ ଦରକାର ହୁଏ ନାହିଁ । ପଚାରିବାର ଅବସର କାହିଁ ? ହନୁମାନଙ୍କୁ ଜଣେ ପଚାରିଲେ, ‘ଆଜି କି ତିଥି ?’ ହନୁମାନ କହିଲେ, ‘ଭାଇ, ମୁଁ ବାର ତିଥି ନକ୍ଷତ୍ର ଏସବୁ କିଛି ଜାଣେ ନାହିଁ; ଏକମାତ୍ର ରାମଙ୍କୁ ଚିନ୍ତା କରେ ।’

ଷଷ୍ଠ ପରିଚ୍ଛେଦ – ପୂର୍ବକଥା – ଶ୍ରୀରାମକୃଷ୍ଣଙ୍କର ପ୍ରଥମ ପ୍ରେମୋନ୍ମାଦ କଥା, ୧୮୫୮

 

ପୂର୍ବକଥା – ଶ୍ରୀରାମକୃଷ୍ଣଙ୍କର ପ୍ରଥମ ପ୍ରେମୋନ୍ମାଦ କଥା, ୧୮୫୮
(କୃଷ୍ଣକିଶୋର, ଏଁଡ଼େଦାର ସାଧୁ, ହଳଧାରୀ, ଯତୀନ୍ଦ୍ର, ଜୟ ମୁଖାର୍ଜୀ, ରାସମଣି)

ଆଜି ଶ୍ରୀରାମକୃଷ୍ଣ ମହା ଆନନ୍ଦରେ ଅଛନ୍ତି । ଦକ୍ଷିଣେଶ୍ଵର କାଳୀମନ୍ଦିରକୁ ନରେନ୍ଦ୍ର ଆସିଛନ୍ତି । ଆଉ ମଧ୍ୟ କେତେ ଜଣ ଅନ୍ତରଙ୍ଗ ଅଛନ୍ତି । ନରେନ୍ଦ୍ର ମନ୍ଦିରକୁ ଆସି ସ୍ନାନ କରି ପ୍ରସାଦ ପାଇଛନ୍ତି ।

ଆଜି ଆଶ୍ୱିନ ଶୁକ୍ଳଚତୁର୍ଥୀ ତିଥି, ୧୬ ଅକ୍ଟୋବର ୧୮୮୨, ସୋମବାର । ଅଗାମୀ ଗୁରୁବାର ସପ୍ତମୀ ତିଥିରେ ଶ୍ରୀଶ୍ରୀଦୁର୍ଗାପୂଜା ।

ଶ୍ରୀରାମକୃଷ୍ଣଙ୍କ ପାଖରେ ରାଖାଲ, ରାମଲାଲ ଓ ହାଜରା ଅଛନ୍ତି । ନରେନ୍ଦ୍ରଙ୍କ ସଙ୍ଗରେ ଆଉ ଜଣେ ଦୁଇଜଣ ବ୍ରହ୍ମଜ୍ଞାନୀ ଯୁବକ ଆସିଛନ୍ତି । ଆଜି ମାଷ୍ଟର ମଧ୍ୟ ଆସିଛନ୍ତି ।

ନରେନ୍ଦ୍ର ଠାକୁରଙ୍କ ପାଖରେ ଭୋଜନ କଲେ । ଆହାରାନ୍ତେ ଠାକୁର ଶ୍ରୀରାମକୃଷ୍ଣ ତାଙ୍କ ଘରର ଚଟାଣରେ ବିଛଣା କରି ଦେବାକୁ କହିଲେ, ନରେନ୍ଦ୍ରାଦି ଭକ୍ତମାନେ ବିଶେଷତଃ ନରେନ୍ଦ୍ର – ବିଶ୍ରାମ କରିବେ । ସପ ଉପରେ ଶେଯ ଓ ତକିଆ ପଡ଼ିଛି । ଠାକୁର ମଧ୍ୟ ବାଳକ ପରି ନରେନ୍ଦ୍ରଙ୍କ ପାଖରେ ବସିଲେ । ଭକ୍ତମାନଙ୍କ ସହିତ ବିଶେଷତଃ ନରେନ୍ଦ୍ରଙ୍କ ସହିତ, ଆଉ ତାଙ୍କ ଆଡ଼କୁ ମୁହଁ କରି, ହସ ହସ ମୁହଁରେ ମହା ଆନନ୍ଦରେ କଥା କହୁଛନ୍ତି ।

ଶ୍ରୀରାମକୃଷ୍ଣ ନରେନ୍ଦ୍ରାଦି ଭକ୍ତଙ୍କ ପ୍ରତି – “ମୋର ଏହି ଅବସ୍ଥା ପରେ କେବଳ ଈଶ୍ୱରଙ୍କ କଥା ଶୁଣିବା ପାଇଁ ବ୍ୟାକୁଳତା ହେଉଥିଲା । କେଉଁଠାରେ ଭାଗବତ, କେଉଁଠାରେ ଅଧ୍ୟାତ୍ମ, କେଉଁଠାରେ ମହାଭାରତ ଖୋଜି ବୁଲୁଥିଲି । ଏଁଡ଼େଦାର କୃଷ୍ଣକିଶୋର ପାଖକୁ ଅଧ୍ୟାତ୍ମ ଶୁଣିବାକୁ ଯାଉଥିଲି ।

କୃଷ୍ଣକିଶୋରର କି ବିଶ୍ଵାସ ! ବୃନ୍ଦାବନକୁ ଯାଇଥଲା; ସେଠାରେ ଦିନେ ଶୋଷ ହେଲା । କୂଅ ପାଖକୁ ଯାଇ ଦେଖେ, ଜଣେ ଠିଆ ହୋଇ ରହିଛି । ପଚାରିବାରୁ ସେ କହିଲା ‘ମୁଁ ନୀଚ ଜାତି, ଆପଣ ବ୍ରାହ୍ମଣ, କିପରି ଆପଣଙ୍କୁ ପାଣି ଦେବି ?’ କୃଷ୍ଣକିଶୋର କହିଲା –  ତୁ କହ, ‘ଶିବ’ । ‘ଶିବ’ ‘ଶିବ’ କହିବାମାତ୍ରେ ତୁ ଶୁଦ୍ଧ ହୋଇଯିବୁ । ସେ ‘ଶିବ’ ‘ଶିବ’ କହି ପାଣି ଗଡ଼ାଇ ଦେଲା । ଏପରି ଆଚାରୀ ବ୍ରାହ୍ମଣ ! ସେହି ପାଣି ପିଇଲା । କି ବିଶ୍ଵାସ !

ଏଁଡ଼େଦାର ଘାଟକୁ ଜଣେ ସାଧୁ ଆସିଥିଲେ । ଆମେମାନେ ଦିନେ ଦେଖବାକୁ ଯିବୁ ବୋଲି ଭାବିଲୁ । ମୁଁ କାଳୀମନ୍ଦିରରେ ହଳଧାରୀକୁ କହିଲି – କୃଷ୍ଣକିଶୋର ଆଉ ମୁଁ ସାଧୁ ଦେଖିବାକୁ ଯିବୁ । ତୁମେ ଯିବ ? ହଳଧାରୀ କହିଲା – ଗୋଟାଏ ମାଟିର ପିଞ୍ଜରା ଦେଖିବାକୁ ଯାଇ କଅଣ ହେବ ? ହଳଧାରୀ ଗୀତା, ବେଦାନ୍ତ ପଢ଼େ କି ନା ! ତେଣୁ ସାଧୁଙ୍କୁ କହିଲା – ‘ମାଟିର ପିଞ୍ଜରା’ । କୃଷ୍ଣକିଶୋରକୁ ଯାଇ ମୁଁ ଏହି କଥା କହିଲି । ସେ ଭାରୀ ରାଗିଗଲା । ଆଉ କହିଲା, ‘କଅଣ ! ହଳଧାରୀ ଏପରି କଥା କହିଛି, ଯେ ଈଶ୍ୱର ଚିନ୍ତା କରନ୍ତି, ଯେ ରାମ ଚିନ୍ତା କରନ୍ତି, ଆଉ ସେଥିପାଇଁ ସର୍ବତ୍ୟାଗ କରିଛନ୍ତି, ତାଙ୍କ ଦେହ ମାଟିର ପିଞ୍ଜରା ! ସେ ଜାଣେ ନାହିଁ ଯେ, ଭକ୍ତର ଦେହ ଚିନ୍ମୟ !’ ଏତେ ରାଗ – କାଳୀମନ୍ଦିରର ବଗିଚାକୁ ଫୁଲ ତୋଳିବାକୁ ଆସେ, ହଳଧାରୀ ସଙ୍ଗରେ ଦେଖା
ହେଲେ ମୁହଁ ଫେରାଇନିଏ ! କଥା କହେ ନାହିଁ !

ମୋତେ କହିଥିଲା । ‘ପଇତାଟା ଫିଙ୍ଗିଦେଲ କାହିଁକି ?’ ଯେତେବେଳେ ମୋର ଏହି ଅବସ୍ଥା ହେଲା ସେତେବେଳେ ଆଶ୍ଵିନ ଝଡ଼ ପରି କଅଣ ଗୋଟାଏ ଆସି କେଉଁଠାକୁ କଅଣ ଉଡ଼ାଇ ନେଇଗଲା । ଆଗର ଚିହ୍ନ କିଛି ରହିଲା ନାହିଁ । ହୋସ୍‌ ନାହିଁ । ଲୁଗା ପଡ଼ିଯାଇଛି, ସେତେବେଳେ ପଇତା କିପରି ରହିବ ? ମୁଁ କହିଲି, ‘ତୁମର ଥରେ ଉନ୍ମାଦ ହେଲେ, ତୁମେ ବୁଝିପାରିବ ।’

ତାହା ମଧ୍ୟ ହେଲା । ତା’ର ନିଜର ଉନ୍ମାଦ ହେଲା । ସେତେବେଳେ ସେ କେବଳ ‘ଓଁ ଓଁ’ କହେ ଆଉ ଗୋଟିଏ ଘରେ ଚୁପ୍‌ କରି ବସିଥାଏ । ସମସ୍ତେ ମୁଣ୍ଡ ଗରମ ହୋଇଛି ବୋଲି କବିରାଜ ଡାକିଲେ । ନାଟାଗଡ଼ର ରାମ କବିରାଜ ଆସିଲା । କୃଷ୍ଣ କିଶୋର ତାକୁ କହିଲା, ‘ଆହେ, ମୋର ରୋଗ ଭଲ କର, କିନ୍ତୁ ଦେଖ, ଯେପରି ମୋର ଓଁ କାରଟି ଭଲ ନ କର !’ (ସମସ୍ତଙ୍କର ହାସ୍ୟ)

ଦିନେ ଯାଇ ଦେଖେ, ବସି ଭାବୁଛି । ପଚାରିଲି, ‘କଅଣ ହୋଇଛି ?’ କହିଲା, ‘ଟ୍ୟାକ୍ସବାଲା ଆସିଥିଲା, ତେଣୁ ଭାବୁଛି । କହିଛନ୍ତି – ଟଙ୍କା ନ ଦେଲେ କଂସାବାସନ ବିକି ନେବେ ।’ ମୁଁ କହିଲି, ‘କଅଣ ହେବ ଭାବି ? କଂସାବାସନ ନେଲେ ନେଇଯିବେ । ବାନ୍ଧି ନେଇଯିବେ, ତୁମକୁ ତ ନେଇ ଯାଇପାରିବେ ନାହିଁ ! ତୁମେ ତ ‘ଖ’ ହେ !’ (ନରେନ୍ଦ୍ରାଦିଙ୍କର ହାସ୍ୟ) । କୃଷ୍ଣକିଶୋର କହେ, ‘ମୁଁ ଆକାଶବତ୍‌ ।‘ ଅଧ୍ୟାତ୍ମ ପଢ଼େ କି ନା ! ମଝିରେ ମଝିରେ ‘ତୁମେ ଖ’ ବୋଲି ଥଟ୍ଟା କରେ । ହସି କହିଲି – ତୁମେ ‘ଖ’, ଟ୍ୟାକ୍ସ ତ ତୁମକୁ ଟାଣିପାରିବ ନାହିଁ !

ଉନ୍ମାଦ ଅବସ୍ଥାରେ ଲୋକଙ୍କୁ ଠିକ୍‌ ଠିକ୍‌ କଥା, ହକ୍‌ କଥା କହୁଥିଲି । କାହାରିକୁ ମାନୁ ନ ଥିଲି । ବଡ଼ ଲୋକ ଦେଖିଲେ ଭୟ ହେଉ ନ ଥିଲା ।

ଯଦୁ ମଲ୍ଲିକଙ୍କ ଉଦ୍ୟାନକୁ ଯତୀନ୍ଦ୍ର ଆସିଥିଲା । ମୁଁ ମଧ୍ୟ ସେଠାରେ ଥିଲି । ମୁଁ ତାକୁ କହିଲି – କର୍ତ୍ତବ୍ୟ କଅଣ ? ଈଶ୍ୱରଚିନ୍ତା କରିବା ଆମମାନଙ୍କର କ’ଣ କର୍ତ୍ତବ୍ୟ ନୁହେଁ ? ଯତୀନ୍ଦ୍ର କହିଲା – ଆମେମାନେ ସଂସାରୀ ଲୋକ । ଆମମାନଙ୍କର କଅଣ ଆଉ ମୁକ୍ତି ଅଛି ! ରାଜା ଯୁଧିଷ୍ଠିର ତ ନରକ ଦର୍ଶନ କରିଥିଲେ ! ସେତେବେଳେ ମୋର ଖୁବ୍‌ ରାଗ ହେଲା । କହିଲି –  ତୁମେ କିପରି ଲୋକ ହେ ! ଯୁଧିଷ୍ଠିରଙ୍କର କେବଳ ନରକ-ଦର୍ଶନ ମନେ ରଖିଛ ? ଯୁଧିଷ୍ଠିରଙ୍କର ସତ୍ୟ କଥା, କ୍ଷମା, ଧୈର୍ଯ୍ୟ, ବିବେକ, ବୈରାଗ୍ୟ, ଈଶ୍ୱରଙ୍କଠାରେ ଭକ୍ତି ଏସବୁ କିଛି ମନେପଡ଼େ ନାହିଁ ! ଆଉ ମଧ୍ୟ କେତେ କଅଣ କହିବାକୁ ଯାଉଥିଲି । ହୃଦୁ ମୋର ପାଟିକୁ ଚାପି ଧରିଲା । ଯତୀନ୍ଦ୍ର ଟିକିଏ ପରେ ‘ମୋର ଟିକିଏ କାମ ଅଛି’ କହି ଚାଲିଗଲା ।

ଅନେକଦିନ ପରେ କପ୍ତାନ୍‌ଙ୍କ ସଙ୍ଗରେ ସୌରୀନ୍ଦ୍ର ଠାକୁର ଘରକୁ ଯାଇଥିଲି । ତାକୁ ଦେଖି କହିଲି, ‘ତୁମକୁ ରାଜା ଫାଜା କହିପାରିବି ନାହିଁ; କାରଣ, ତାହା ମିଥ୍ୟା କଥା ହେବ ।’ ମୋ ସାଙ୍ଗରେ କିଛି ସମୟ କଥାବାର୍ତ୍ତା କଲା । ତା’ପରେ ଦେଖିଲି, ସାହେବ-ଟାହେବ ଯିବା ଆସିବା କଲେ । ରଜୋଗୁଣୀ ଲୋକ, ନାନା କାର୍ଯ୍ୟରେ ବ୍ୟସ୍ତ । ଯତୀନ୍ଦ୍ର ପାଖକୁ ଖବର ପଠାଗଲା । ସେ କହି ପଠାଇଲା – ମୋ ଗଳାରେ ଦରଜ ହୋଇଛି ।

ସେହି ଉନ୍ମାଦ ଅବସ୍ଥାରେ ଆଉଦିନେ ବରାହନଗର ଘାଟରେ ଦେଖିଲି ଜୟ ମୁଖାର୍ଜୀ ଜପ କରୁଛି, କିନ୍ତୁ ଅନ୍ୟମନସ୍କ । ସେତେବେଳେ ପାଖକୁ ଯାଇ ଦୁଇ ଚାପୁଡ଼ା ଦେଲି ।

ଦିନେ ମନ୍ଦିରକୁ ରାସମଣି ଆସିଥାଏ । କାଳୀଘରକୁ ଆସିଲା । ପୂଜାବେଳେ ଆସେ ଓ ଗୋଟାଏ ଦୁଇଟା ଗୀତ ଗାଇବାକୁ କହେ । ଗୀତ ଗାଉଛି, ଦେଖେ ଯେ ସେ ଅନ୍ୟମନସ୍କା ହୋଇ ଫୁଲ ବାଛୁଛି । ସଙ୍ଗେ ସଙ୍ଗେ ଦୁଇ ଚାପୁଡ଼ା । ସେତେବେଳେ ତ୍ରସ୍ତ ବ୍ୟସ୍ତ ହୋଇ ହାତ ଯୋଡ଼ି ରହିଲା ।

ହଳଧାରୀକୁ କହିଲି, ଭାଇ – ଏ କି ସ୍ଵଭାବ ହେଲା ! କ’ଣ ଉପାୟ କରିବି ! ତା’ପରେ ମାଆଙ୍କୁ ଡାକି ଡାକି ସେ ସ୍ଵଭାବ ଗଲା ।

ମଥୁରଙ୍କ ସଙ୍ଗରେ ତୀର୍ଥ, ୧୮୬୮ – କାଶୀରେ ବିଷୟକଥା ଶ୍ରବଣରେ ଠାକୁରଙ୍କର କ୍ରନ୍ଦନ

ଏହି ଅବସ୍ଥାରେ ଈଶ୍ୱରଙ୍କର କଥା ବ୍ୟତୀତ ଅନ୍ୟ କିଛି ଭଲ ଲାଗେ ନାହିଁ । ବିଷୟ କଥା ହେଉଛି ଶୁଣିଲେ ବସି ବସି କାନ୍ଦେ । ମଥୁରବାବୁ ଯେତେବେଳେ ସଙ୍ଗରେ ତୀର୍ଥକୁ ନେଇଥିଲା, ସେତେବେଳେ କାଶୀରେ ରାଜାବାବୁଙ୍କ ଘରେ କିଛିଦିନ ଆମେମାନେ ଥିଲୁ । ମଥୁରବାବୁ ସଙ୍ଗରେ ବୈଠକଖାନାରେ ବସିଛି, ରାଜାବାବୁମାନେ ମଧ୍ୟ ବସିଥାନ୍ତି । ଦେଖେ, ସେମାନେ ବିଷୟର କଥା କହୁଛନ୍ତି – ‘ଏତେ ଟଙ୍କା କ୍ଷତି ହୋଇଛି’ -ଏହିସବୁ କଥା । ମୁଁ କାନ୍ଦିବାକୁ ଲାଗିଲି ମା’ କେଉଁଠାକୁ ଆଣିଲ ! ମୁଁ ଯେ ରାସମଣିଙ୍କ ମନ୍ଦିରରେ ଖୁବ୍‌ ଭଲ ଥିଲି । ତୀର୍ଥ କରିବାକୁ ଆସି ମଧ୍ୟ ସେହି କାମିନୀକାଞ୍ଚନର କଥା । କିନ୍ତୁ ସେଠାରେ (ଦକ୍ଷିଣେଶ୍ୱରରେ) ତ ବିଷୟର କଥା ଶୁଣିବାକୁ ପଡ଼େ ନାହିଁ !

ଠାକୁର ଭକ୍ତମାନଙ୍କୁ ବିଶେଷତଃ ନରେନ୍ଦ୍ରଙ୍କୁ ଟିକିଏ ବିଶ୍ରାମ ନେବାକୁ କହିଲେ, ନିଜେ ମଧ୍ୟ ଛୋଟ ଖଟଟିରେ ବିଶ୍ରାମ ନେବାକୁ ଗଲେ ।

(୨)
କିର୍ତ୍ତନାନନ୍ଦରେ ନରେନ୍ଦ୍ର ପ୍ରଭୃତିଙ୍କ ସଙ୍ଗେ – ନରେନ୍ଦ୍ରଙ୍କୁ ପ୍ରେମାଲିଙ୍ଗନ

ଅପରାହ୍ନ ହେଲା । ନରେନ୍ଦ୍ର ଗୀତ ଗାଉଛନ୍ତି ! ରାଖାଲ, ଲାଟୁ, ମାଷ୍ଟର, ନରେନ୍ଦ୍ରର ବ୍ରାହ୍ମବନ୍ଧୁ, ପ୍ରିୟ, ହାଜରା – ସମସ୍ତେ ଅଛନ୍ତି ।

ନରେନ୍ଦ୍ର କୀର୍ଭନ ଗାଇଲେ, ଖୋଳ ବାଜିଲା –
“ଚିନ୍ତୟ ମମ ମାନସ ହରି ଚିଦ୍‌ଘନ ନିରଞ୍ଜନ ।…”

ନରେନ୍ଦ୍ର ପୁଣି ଗାଇଲେ –
“ସତ୍ୟ ଶିବ ସୁନ୍ଦର ରୂପ ଭାତି ହୃଦମନ୍ଦିରେ !”

ପୁନଶ୍ଚ ଗାଇଲେ –
“ଆନନ୍ଦବଦନେ ବଲ ମଧୁର ବ୍ରହ୍ମ ନାମ ।
ନାମେ ଉଥଲିବେ ସୁଧାସିନ୍ଧୁ ପ୍ରିୟ ଅବିରାମ ।…”

ଖୋଳ କରତାଳ ନେଇ କୀର୍ତ୍ତନ ଚାଲିଛି । ନରେନ୍ଦ୍ରାଦି ଭକ୍ତଗଣ ଠାକୁରଙ୍କୁ ଘେରି କୀର୍ତ୍ତନ କରୁଛନ୍ତି । କେତେବେଳେ ଗାଉଛନ୍ତି – “ପ୍ରେମାନନ୍ଦ ରସେ ହଓରେ ଚିରମଗନ !” ପୁଣି କେତେବେଳେ ଗାଉଛନ୍ତି – “ସତ୍ୟ ଶିବ ସୁନ୍ଦର – ରୂପ ଭାତି ହୃଦମନ୍ଦିରେ ।”

ଅବଶେଷରେ ନିଜେ ନରେନ୍ଦ୍ର ଖୋଳ ଧରିଛନ୍ତି ଓ ମତ୍ତ ହୋଇ ଠାକୁରଙ୍କ ସଙ୍ଗରେ ଗାଉଛନ୍ତି – “ଆନନ୍ଦ-ବଦନେ ବଲ ମଧୁର ହରିନାମ ।”

କୀର୍ତ୍ତନାନ୍ତେ ନରେନ୍ଦ୍ରଙ୍କୁ ଠାକୁର ବହୁ ସମୟ ଧରି ଥରକୁ ଥର ଆଲିଙ୍ଗନ କରୁଛନ୍ତି । କହୁଛନ୍ତି, “ତୁମେ ଆଜି ମୋତେ ଯାହା ଆନନ୍ଦ ଦେଲ !”

ଆଜି ଠାକୁରଙ୍କର ହୃଦୟସ୍ଥ ପ୍ରେମନିର୍ଝର ଉଚ୍ଛ୍ୱସିତ ହୋଇଛି । ରାତ୍ରି ପ୍ରାୟ ଆଠଟା, ତଥାପି ପ୍ରେମୋନ୍ମତ୍ତ ହୋଇ ଏକାକୀ ବାରଣ୍ଡାରେ ବିଚରଣ କରୁଛନ୍ତି । ଉତ୍ତରର ଲମ୍ବା ବାରଣ୍ଡାକୁ ଆସି ଦ୍ରୁତ ପଦରେ ବାରଣ୍ଡାରେ ଗୋଟିଏ ପାଖରୁ ଅନ୍ୟ ପାଖକୁ ପଦ-ଚାରଣ କରୁଛନ୍ତି । ମଝିରେ ମଝିରେ ମାଆଙ୍କ ସଙ୍ଗରେ କ’ଣ କଥା କହୁଛନ୍ତି । ହଠାତ୍‌ ଉନ୍ମତ୍ତ ପରି କହି ଉଠିଲେ – “ତୁ ମୋର କଣ କରିବୁ ?” ମାଆ ଯାହାର ସହାୟ, ତା’ର ମାୟା କଅଣ କରିପାରେ ?” – ଏହି କଥା କଅଣ କହୁଛନ୍ତି ?

ନରେନ୍ଦ୍ର, ମାଷ୍ଟର, ପ୍ରିୟ ରାତିରେ ରହିବେ । ନରେନ୍ଦ୍ର ରହିବେ; ଠାକୁରଙ୍କର ଆନନ୍ଦର ସୀମା ନାହିଁ । ରାତ୍ରିକାଳୀନ ଆହାର ପ୍ରସ୍ତୁତ । ଶ୍ରୀଶ୍ରୀମା ନହବତରେ ଅଛନ୍ତି । ରୁଟି, ବୁଟଡ଼ାଲି ଇତ୍ୟାଦି ପ୍ରସ୍ତୁତ କରି ଭକ୍ତମାନେ ଖାଇବେ ବୋଲି ପଠାଇଛନ୍ତି । ଭକ୍ତମାନେ ମଝିରେ ମଝିରେ ରହନ୍ତି, ସୁରେନ୍ଦ୍ର ମାସକୁ ମାସ କିଛି ଖର୍ଚ୍ଚ ଦିଅନ୍ତି ।

ଆହାର ପ୍ରସ୍ତୁତ । ଘରର ଦକ୍ଷିଣ-ପୂର୍ବ ବାରଣ୍ଡାରେ ଜାଗା ହେଉଛି ।

ନରେନ୍ଦ୍ର ପ୍ରଭୃତିଙ୍କୁ ସ୍କୁଲ ଓ ଅନ୍ୟାନ୍ୟ ବିଷୟକଥା କହିବାକୁ ନିଷେଧ

ଘରର ପୂର୍ବଦିଗରେ ଦରଜା ପାଖରେ ନରେନ୍ଦ୍ରାଦି ଗଳ୍ପ କରୁଛନ୍ତି ।

ନରେନ୍ଦ୍ର – ଆଜିକାଲି ଯୁବକମାନଙ୍କୁ କିମିତି କ’ଣ ଦେଖୁଛନ୍ତି ?
ମାଷ୍ଟର – ମନ୍ଦ ନୁହଁନ୍ତି, ତେବେ ଧର୍ମୋପଦେଶ କିଛି ହୁଏ ନାହିଁ ।
ନରେନ୍ଦ୍ର – ମୁଁ ନିଜେ ଯାହା ଦେଖୁଛି, ସେଥିରୁ ଜଣାଯାଉଛି, ସବୁ ଖରାପ ହେଉଛନ୍ତି । ଚୁରୁଟ୍‌ ପିଇବା, ଥଟ୍ଟାପରିହାସ, ବାବୁଗିରି, ସ୍କୁଲ୍‌ରୁ ପଳାଇବା, ଏସବୁ ସର୍ବଦା ଦେଖାଯାଏ ! ଏପରି କି, ଦେଖୁଛି ଯେ କୁସ୍ଥାନକୁ ମଧ୍ୟ ଯାଆନ୍ତି ।
ମାଷ୍ଟର – ପିଲାବେଳେ ଯେତେବେଳେ ଆମେମାନେ ପଢୁଥିଲୁ, ସେତେବେଳେ ଏପରି ଶୁଣିନାହୁଁ କି ଦେଖିନାହୁଁ ।
ନରେନ୍ଦ୍ର – ଆପଣ ବୋଧହୁଏ ସେତେ ମିଳାମିଶା କରୁ ନ ଥଲେ । ଏପରିକି, ଦେଖିଛି ଯେ, ଖରାପ ଲୋକମାନେ ସେମାନଙ୍କୁ ନାମ ଧରି ଡାକନ୍ତି, କେଜାଣି କେବେ କଥାବାର୍ତ୍ତା କରିଛନ୍ତି ନା କଅଣ ।
ମାଷ୍ଟର – କି ଆଶ୍ଚର୍ଯ୍ୟ !
ନରେନ୍ଦ୍ର – ମୁଁ ଜାଣେ, ଅନେକଙ୍କର ଚରିତ୍ର ଖରାପ ହୋଇଯାଇଛି । ସ୍କୁଲର କର୍ତ୍ତୃପକ୍ଷମାନେ ଓ ପିଲାମାନଙ୍କର ଅଭିଭାବକମାନେ ଏସବୁ ବିଷୟ ଯଦି ଦେଖନ୍ତେ, ତାହାହେଲେ ଭଲ ହୁଅନ୍ତା ।

ଈଶ୍ୱରଙ୍କ କଥା ହିଁ କଥା – “ଆତ୍ମାନଂ ବା ବିଜାନୀଥ ଅନ୍ୟାଂ ବାଚଂ ବିମୁଞ୍ଚଥ”

ଏହପରି କଥାବାର୍ତ୍ତା ଚାଲିଛି, ଠାକୁର ଶ୍ରୀରାମକୃଷ୍ଣ ଘର ଭିତରୁ ସେମାନଙ୍କ ପାଖକୁ ଆସିଲେ ଓ ହସି ହସି କହିଲେ, “କଅଣ ହେ, ତୁମମାନଙ୍କର କ’ଣ କଥା ପଡ଼ିଛି ?” ନରେନ୍ଦ୍ର କହିଲେ, “ଏହାଙ୍କ ସହିତ ସ୍କୁଲର କଥାବାର୍ତ୍ତା ହେଉଥିଲା । ପିଲାମାନଙ୍କର ଚରିତ୍ର ଭଲ ରହୁନାହିଁ ।” ଠାକୁର ଟିକିଏ ଏହି ସମସ୍ତ କଥା ଶୁଣି ମାଷ୍ଟରଙ୍କୁ ଗମ୍ଭୀର ଭାବରେ କହୁଛନ୍ତି, “ଏସବୁ କଥାବାର୍ତ୍ତା ଭଲ ନୁହେଁ । ଈଶ୍ୱରଙ୍କ କଥା ବ୍ୟତୀତ ଅନ୍ୟ କଥା ଭଲ ନୁହେଁ । ତୁମେ ଏମାନଙ୍କ ଅପେକ୍ଷା ବୟସରେ ବଡ଼; ବୁଦ୍ଧି ହୋଇଛି; ତୁମର ଏସବୁ କଥା ଉଠାଇବାକୁ ଦେବା ଉଚିତ ନ ଥିଲା ।” (ନରେନ୍ଦ୍ରଙ୍କର ବୟସ ସେତେବେଳେ ୧୯/୨୦, ମାଷ୍ଟରଙ୍କ ୨୭/୨୮) ।

ମାଷ୍ଟର ଅପ୍ରସ୍ତୁତ । ନରେନ୍ଦ୍ରାଦି ଭକ୍ତଗଣ ମଧ୍ୟ ଚୁପ୍‌ କରି ରହିଲେ ।

ଠାକୁର ଶ୍ରୀରାମକୃଷ୍ଣ ଠିଆ ହୋଇ ହସି ହସି ନରେନ୍ଦ୍ରାଦି ଭକ୍ତଗଣଙ୍କୁ ଖୁଆଉଛନ୍ତି । ଠାକୁରଙ୍କର ଆଜି ମହା ଆନନ୍ଦ ।

ନରେନ୍ଦ୍ରାଦି ଭକ୍ତମାନେ ଆହାର କରି ଠାକୁରଙ୍କ ଘରର ଚଟାଣରେ ବସି ବିଶ୍ରାମ କରୁଛନ୍ତି ଓ ଠାକୁରଙ୍କ ସଙ୍ଗରେ ଗପ କରୁଛନ୍ତି । ଆନନ୍ଦର ହାଟ ବସିଛି । କଥା କହୁ କହୁ ନରେନ୍ଦ୍ରଙ୍କୁ ଠାକୁର କହୁଛନ୍ତି, “ଚିଦାକାଶେ ହଲ ପୂର୍ଣ୍ଣ ପ୍ରେମଚନ୍ଦ୍ରୋଦୟ ହେ – ଏହି ଗୀତଟି ଥରେ ଗାଆ। ନା !”

ନରେନ୍ଦ୍ର ଗାଇବାକୁ ଆରମ୍ଭ କଲେ । ସଙ୍ଗେ ସଙ୍ଗେ ଅନ୍ୟଭକ୍ତମାନେ ଖୋଳ କରତାଳ ବଜାଇଲେ –
“ଚିଦାକାଶେ ହଲ ପୂର୍ଣ୍ଣ ପ୍ରେମଚନ୍ଦ୍ରୋଦୟ ହେ ।…”

କୀର୍ତ୍ତନ କରୁ କରୁ ଠାକୁର ଶ୍ରୀରାମକୃଷ୍ଣ ନୃତ୍ୟ କରୁଛନ୍ତି । ଭକ୍ତମାନେ ମଧ୍ୟ ତାଙ୍କୁ ଘେରି ନୃତ୍ୟ କରୁଛନ୍ତି । କୀର୍ତ୍ତନାନ୍ତେ ଠାକୁର ଉତ୍ତର-ପୂର୍ବ ବାରଣ୍ଡାରେ ବୁଲୁଛନ୍ତି । ହାଜରା ମହାଶୟ ବାରଣ୍ଡାରେ ଉତ୍ତରାଂଶରେ ବସିଛନ୍ତି । ଠାକୁର ସେହିଠାକୁ ଯାଇ ବସିଲେ; ମାଷ୍ଟର ସେଠାରେ ବସିଛନ୍ତି ଓ ହାଜରାଙ୍କ ସଙ୍ଗେ କଥା କହୁଛନ୍ତି । ଠାକୁର ଜଣେ ଭକ୍ତଙ୍କୁ ପଚାରିଲେ “ତୁମେ ସ୍ଵପ୍ନ-ଫପ୍ନ ଦେଖ ?”

ଭକ୍ତ – ମୁଁ ଗୋଟିଏ ଆଶ୍ଚର୍ଯ୍ୟ ସ୍ଵପ୍ନ ଦେଖିଛି – ଏହି ଜଗତ୍‌ ଜଳମୟ । ଅନନ୍ତ ଜଳରାଶି ! କେତେ ଖଣ୍ଡ ନୌକା ଭାସୁଥିଲା; ହଠାତ୍‌ ଜଳୋଚ୍ଛ୍ୱାସରେ ବୁଡ଼ିଗଲା । ମୁଁ ଆଉ କେତେ ଜଣ ଲୋକ ଜାହାଜରେ ଉଠିଛୁ; ଏପରି ସମୟରେ ସେହି ଅକୂଳ ସମୁଦ୍ର ଉପର ଦେଇ ଜଣେ ବ୍ରାହ୍ମଣ ଚାଲି ଯାଉଛନ୍ତି । ମୁଁ ପଚାରିଲି – ଆପଣ କିପରି ଯାଉଛନ୍ତି ? ବ୍ରାହ୍ମଣଟି ଟିକିଏ ହସି କହିଲେ – ଏଠାରେ କୌଣସି କଷ୍ଟ ନାହିଁ; ପାଣି ତଳେ ବରାବର ପୋଲ ଅଛି । ପଚାରିଲି – ଆପଣ କେଉଁଠାକୁ ଯାଉଛନ୍ତି ? ସେ କହିଲେ – ଭବାନୀପୁର ଯାଉଛି । ମୁଁ କହିଲି – ଟିକିଏ ଠିଆ ହୁଅନ୍ତୁ, ମୁଁ ମଧ୍ୟ ଆପଣଙ୍କ ସଙ୍ଗରେ ଯିବି ।
ଶ୍ରୀରାମକୃଷ୍ଣ – ଏକଥା ଶୁଣି ମୋର ରୋମାଞ୍ଚ ହେଉଛି ।
ଭକ୍ତ –  ବ୍ରାହ୍ମଣ ଜଣକ କହିଲେ, ମୁଁ ବର୍ତ୍ତମାନ ଖୁବ୍‌ ତରତରରେ ଅଛି, ତୁମର ଓହ୍ଲାଇବାକୁ ଡେରି ହେବ । ମୁଁ ଯାଉଛି, ଏହି ପଥ ଦେଖି ରଖ, ପଛରେ ତୁମେ ଆସିବ ।
ଶ୍ରୀରାମକୃଷ୍ଣ – ମୋର ରୋମାଞ୍ଚ ହେଉଛି, ତୁମେ ମନ୍ତ୍ର ନିଅ ।

ରାତି ଏଗାରଟା ହୋଇଛି । ନରେନ୍ଦ୍ରାଦି ଭକ୍ତଗଣ ଠାକୁରଙ୍କ ଘରେ ତଳେ ବିଛଣା କରି ଶୟନ କଲେ ।

(୩)
ନିଦ୍ରାଭଙ୍ଗ ପରେ ଭକ୍ତମାନେ କେହି କେହି ଦେଖୁଛନ୍ତି ଯେ, ପ୍ରଭାତ ହୋଇଛି । ୧୭ ଅକ୍ଟୋବର ୧୮୮୨ । ଶ୍ରୀରାମକୃଷ୍ଣ ବାଳକ ପରି ଦିଗମ୍ବର, ଠାକୁରମାନଙ୍କର ନାମ କରି କରି ଘରେ ବୁଲୁଛନ୍ତି । କେତେବେଳେ ଗଙ୍ଗାଦର୍ଶନ, କେତେବେଳେ ଠାକୁରମାନଙ୍କ ପାଖକୁ ଯାଇ ପ୍ରଣାମ, କେତେବେଳେ ବା ମଧୁର ସ୍ଵରରେ ନାମ-କୀର୍ତ୍ତନ । କେତେବେଳେ କହୁଛନ୍ତି – “ବେଦ, ପୁରାଣ, ତନ୍ତ୍ର; ଗୀତା, ଗାୟତ୍ରୀ; ଭାଗବତ-ଭକ୍ତ-ଭଗବାନ ।” ଗୀତାକୁ ଉଦ୍ଦେଶ୍ୟ କରି ଅନେକ ଥର କହୁଛନ୍ତି – ତ୍ୟାଗୀ, ତ୍ୟାଗୀ, ତ୍ୟାଗୀ, ତ୍ୟାଗୀ । କେତେବେଳେ ବା – ତୁମେ ହିଁ ବ୍ରହ୍ମ, ତୁମେ ହିଁ ଶକ୍ତି; ତୁମେ ହିଁ ପୁରୁଷ, ତୁମେ ହିଁ ପ୍ରକୃତି; ତୁମେ ହିଁ ବିରାଟ, ତୁମେ ହିଁ ସ୍ଵରାଟ; ତୁମେ ହିଁ ନିତ୍ୟ, ତୁମେ ହିଁ ଲୀଳାମୟୀ, ତୁମେ ହିଁ ଚତୁର୍ବିଂଶତି ତତ୍ତ୍ଵ !”

ଏଣେ କାଳୀମନ୍ଦିରରେ ଓ ରାଧାକାନ୍ତଙ୍କ ମନ୍ଦିରରେ ମଙ୍ଗଳଆଳତି ହେଉଛି ଓ ଶଙ୍ଖଘଣ୍ଟାଧ୍ଵନି ସହିତ ପ୍ରଭାତୀ ରାଗର ଲହରୀ ଉଠାଇ ନହବତ ବାଜୁଛି ।

ନରେନ୍ଦ୍ରାଦି ଭକ୍ତଗଣ ପ୍ରାତଃକୃତ୍ୟ ସମାପନ କରି ଠାକୁରଙ୍କ ପାଖକୁ ଆସିଲେ । ଠାକୁର ହାସ୍ୟମୁଖ, ଉତ୍ତର-ପୂର୍ବ ବାରଣ୍ଡାରେ ପଶ୍ଚିମାଂଶରେ ଠିଆ ହୋଇଛନ୍ତି ।

ନରେନ୍ଦ୍ର – ପଞ୍ଚବଟୀରେ କେତେ ଜଣ ନାନକପନ୍ଥୀ ସାଧୁ ବସିଛନ୍ତି, ଦେଖିଲି ।
ଶ୍ରୀରାମକୃଷ୍ଣ – ହଁ, ସେମାନେ କାଲି ଆସିଥିଲେ । ( ନରେନ୍ଦ୍ରଙ୍କୁ) ତୁମେ ସମସ୍ତେ ଏକସଙ୍ଗରେ ମଶିଣାରେ ବସ, ମୁଁ ଦେଖେ ।

ଭକ୍ତମାନେ ସମସ୍ତେ ବସିବାରୁ ଠାକୁର ଆନନ୍ଦରେ ଦେଖବାକୁ ଲାଗିଲେ ଓ ସେମାନଙ୍କ ସହିତ ଗପ କରିବାକୁ ଲାଗିଲେ । ନରେନ୍ଦ୍ର ସାଧନାର କଥା ଉଠାଇଲେ ।

ନରେନ୍ଦ୍ରାଦିଙ୍କୁ ସ୍ତ୍ରୀଲୋକ ନେଇ ସାଧନ ନିଷେଧ – ସନ୍ତାନଭାବ ଅତି ଶୁଦ୍ଧ

ଶ୍ରୀରାମକୃଷ୍ଣ (ନରେନ୍ଦ୍ରାଦିଙ୍କ ପ୍ରତି) – ଭକ୍ତି ହିଁ ସାର । ତାଙ୍କୁ ଭଲ ପାଇଲେ ବିବେକବୈରାଗ୍ୟ ଆପେ ଆସେ ।
ନରେନ୍ଦ୍ର – ଆଚ୍ଛା, ସ୍ତ୍ରୀ-ଲୋକ ନେଇ ସାଧନ ତନ୍ତ୍ରରେ ଅଛି ?
ଶ୍ରୀରାମକୃଷ୍ଣ – ସେସବୁ ପଥ ଭଲ ନୁହେଁ, ଅତି କଠିନ, ଆଉ ପ୍ରାୟ ପତନ ହୁଏ । ବୀର ଭାବରେ ସାଧନ, ଦାସୀଭାବରେ ସାଧନ ଆଉ ମାତୃଭାବରେ ସାଧନ । ମୋର ମାତୃଭାବ । ଦାସୀ ଭାବ ମଧ୍ୟ ଭଲ । ବୀରଭାବରେ ସାଧନ ଅତି କଠିନ । ସନ୍ତାନଭାବ ଅତ୍ୟନ୍ତ ଶୁଦ୍ଧ ଭାବ ।

ନାନକପନ୍ଥୀ ସାଧୁମାନେ ଠାକୁରଙ୍କୁ ଅଭିବାଦନ କରି କହିଲେ – ‘ନମୋ ନାରାୟଣାୟ ।’ ଠାକୁର ସେମାନଙ୍କୁ ଆସନ ଗ୍ରହଣ କରିବାକୁ କହିଲେ ।

ଈଶ୍ୱରଙ୍କର ପାଖରେ ସବୁକିଛି ସମ୍ଭବ – Miracles

ଠାକୁରେ କହୁଛନ୍ତି, “ଈଶ୍ୱରଙ୍କ ପକ୍ଷରେ ଅସମ୍ଭବ କିଛି ନାହିଁ । ତାଙ୍କର ସ୍ଵରୂପ କେହି ମୁହଁରେ କହିପାରନ୍ତି ନାହିଁ । ସବୁକିଛି ସମ୍ଭବ । ଦୁଇଜଣ ଯୋଗୀ ଥିଲେ; ଈଶ୍ୱରଙ୍କର ସାଧନ କରୁଥିଲେ ।  ନାରଦ ରଷି ଯାଉଥିଲେ । ଜଣେ ତାଙ୍କର ପରିଚୟ ପାଇ କହିଲେ, ‘ତୁମେ ନାରାୟଣଙ୍କ ପାଖରୁ ଆସୁଛ; ସେ କ’ଣ କରୁଛନ୍ତି ?’ ନାରଦ କହିଲେ, ଦେଖି ଆସିଲି, ‘ସେ ଛୁଞ୍ଚି ଭିତର ଦେଇ ଓଟ, ହାତୀ ପୂରାଉଛନ୍ତି ଓ ବାହାର କରୁଛନ୍ତି ।’ ଜଣେ କହିଲେ, ‘ସେଥିରେ ଆଶ୍ଚର୍ଯ୍ୟ ହେବାର କଅଣ ଅଛି ! ତାଙ୍କ ପକ୍ଷରେ ସବୁ ସମ୍ଭବ ।’ କିନ୍ତୁ ଅପର ଜଣକ କହିଲେ, ‘ତା କଅଣ ହୋଇପାରେ ! ତୁମେ କେବେହେଲେ ସେଠାକୁ ଯାଇ ନାହଁ ।’

ସମୟ ପ୍ରାୟ ନଅଟା । ଠାକୁରେ ନିଜ ଘରେ ବସିଛନ୍ତି । ମନମୋହନ କୋନ୍ନଗରରୁ ସସ୍ତ୍ରୀକ ଆସିଛନ୍ତି । ମନମୋହନ ପ୍ରଣାମ କରି କହିଲେ, ‘ଏମାନଙ୍କୁ କଲିକତା ନେଇ ଯାଉଛି ।’ ଠାକୁରେ କୁଶଳ-ପ୍ରଶ୍ନ କରି କହିଲେ, “ଆଜି ପହିଲା ଅଗଷ୍ଟ, କଲିକତାକୁ ଯାଉଛ, କେଜାଣି ବାବୁ !” ଏହା କହି ଟିକିଏ ହସି ଅନ୍ୟ କଥା କହିବାକୁ ଲାଗିଲେ ।

ନରେନ୍ଦ୍ରଙ୍କୁ ମଗ୍ନ ହୋଇ ଧ୍ୟାନର ଉପଦେଶ

ନରେନ୍ଦ୍ର ଓ ବନ୍ଧୁମାନେ ସ୍ନାନ କରି ଆସିଲେ । ଠାକୁରେ ବ୍ୟଗ୍ର ହୋଇ ନରେନ୍ଦ୍ରଙ୍କୁ କହିଲେ, “ଯାଅ ପଞ୍ଚବଟୀରେ ଧାନ କର, ଆସନ ଦେବି ?”

ନରେନ୍ଦ୍ର ଓ ତାଙ୍କର କେତେ ଜଣ ବ୍ରାହ୍ମବନ୍ଧୁ ପଞ୍ଚବଟୀ ମୂଳରେ ଧ୍ୟାନ କରୁଛନ୍ତି । ସମୟ ସାଢ଼େ ଦଶଟା । ଠାକୁର ଶ୍ରୀରାମକୃଷ୍ଣ କିଛି ସମୟ ପରେ ସେଠାରେ ଉପସ୍ଥିତ, ମାଷ୍ଟର ମଧ୍ୟ ଆସିଛନ୍ତି । ଠାକୁରେ କଥା କହୁଛନ୍ତି ।

ଶ୍ରୀରାମକୃଷ୍ଣ (ବ୍ରାହ୍ମଭକ୍ତମାନଙ୍କ ପ୍ରତି) – ଧ୍ୟାନ କରିବା ସମୟରେ ତାଙ୍କଠାରେ ମଗ୍ନ ହେବାକୁ ହୁଏ । ଉପରେ ଭାସିଲେ କ’ଣ ପାଣି ତଳେ ଥିବା ରତ୍ନ ମିଳେ ?

“ଡୁବ୍ ଦେରେ ମନ କାଲୀ ବଲେ ।
ହୃଦି-ରତ୍ନାକରେର ଅଗାଧ ଜଲେ ॥…”

ବ୍ରାହ୍ମସମାଜ, ବକ୍ତୃତା ଓ ସମାଜ-ସଂସ୍କାର – ଆଗେ ଈଶ୍ୱରଲାଭ, ପରେ ଲୋକଶିକ୍ଷା ପ୍ରଦାନ

ନରେନ୍ଦ୍ର ଓ ତାଙ୍କ ବନ୍ଧୁଗଣ ପଞ୍ଚବଟୀର ଚଉତରାରୁ ଓହ୍ଲାଇ ଠାକୁରଙ୍କ ପାଖରେ ଆସି ଠିଆ ହେଲେ । ଠାକୁର ଦକ୍ଷିଣାଭିମୁଖ ହୋଇ ନିଜର ଘର ଆଡ଼କୁ ସେମାନଙ୍କ ସହିତ କଥା କହି କହି ଆସୁଛନ୍ତି ।

ଠାକୁର କହୁଛନ୍ତି, “ପାଣିରେ ବୁଡ଼ିଲେ କୁମ୍ଭୀର ଧରିପାରେ, କିନ୍ତୁ ହଳଦି ଲଗାଇଲେ କୁମ୍ଭୀର ଛୁଏଁ ନାହିଁ । ‘ହୃଦୟ-ସମୁଦ୍ରର ଅଗାଧ ଜଳରେ’ କାମାଦି ଛଅଟି କୁମ୍ଭୀର ଅଛନ୍ତି । କିନ୍ତୁ ବିବେକ-ବୈରାଗ୍ୟ ରୂପକ ହଳଦି ଲଗାଇଲେ ସେମାନେ ଆଉ ତୁମକୁ ଛୁଇଁବେ ନାହିଁ ।

ପାଣ୍ଡିତ୍ୟ ବା ଲେକ୍ଚର୍‌ରେ କଅଣ ହେବ ଯଦି ବିବେକ-ବୈରାଗ୍ୟ ନ ଆସେ ? ଈଶ୍ୱର ସତ୍ୟ ଆଉସବୁ ଅନିତ୍ୟ; ସେ କେବଳ ବସ୍ତୁ ଆଉ ସବୁ ଅବସ୍ତୁ – ଏହାର ନାମ ବିବେକ ।

ତାଙ୍କୁ ହୃଦୟ-ମନ୍ଦିରରେ ଆଗେ ପ୍ରତିଷ୍ଠା କର । ବକ୍ତୃତା, ଲେକ୍ଚର, ତାହା ପରେ ଇଚ୍ଛା ହୁଏ ତ କର । କେବଳ ବ୍ରହ୍ମ କହିଲେ କଅଣ ହେବ ଯଦି ବିବେକ-ବୈରାଗ୍ୟ ନ ଥାଏ ? ସେ ତ ଫାଙ୍କା ଶଙ୍ଖଧ୍ଵନି ?

ଗୋଟିଏ ଗାଁଆରେ ପଦ୍ମଲୋଚନ ବୋଲି ଜଣେ ବାଳକ ଥିଲା । ଲୋକେ ତାକୁ ‘ପୋଦୋ’ ‘ପୋଦୋ’ ବୋଲି ଡାକନ୍ତି । ସେହି ଗ୍ରାମରେ ଗୋଟିଏ ଭଙ୍ଗା ମନ୍ଦିର ଥିଲା । ଭିତରେ ଠାକୁର-ବିଗ୍ରହ ନାହିଁ । ମନ୍ଦିର-ଦେହରେ ଅଶ୍ୱତ୍ଥ ଗଛ ଓ ଅନ୍ୟାନ୍ୟ ଗଛପତ୍ର ହୋଇଛି । ମନ୍ଦିର ଭିତରେ ଚେମେଣି ବସା କରିଛନ୍ତି । ତଳେ ଧୂନି ଓ ଚେମେଣିର ବିଷ୍ଠା । ମନ୍ଦିରରେ ଲୋକମାନଙ୍କର ଯାତାୟାତ ନାହିଁ ।

ଦିନେ ସନ୍ଧ୍ୟାର କିଛି ସମୟ ପରେ ଗ୍ରାମରେ ଲୋକମାନେ ଶଙ୍ଖଧ୍ୱନି ଶୁଣିବାକୁ ପାଇଲେ । ମନ୍ଦିରଆଡୁ ଭୋଁ ଭୋଁ ଶଙ୍ଖ ଶୁଭୁଛି । ଗ୍ରାମର ଲୋକମାନେ ଭାବିଲେ, ହୁଏତ କେହି ଠାକୁର ପ୍ରତିଷ୍ଠା କରିଛି – ସନ୍ଧ୍ୟା ପରେ ଆଳତି ହେଉଛି । ପିଲା, ବୁଢ଼ା, ପୁରୁଷ, ସ୍ତ୍ରୀ ସମସ୍ତେ ଦୌଡ଼ି ଦୌଡ଼ି ଯାଇ ମନ୍ଦିର ପାଖରେ ହାଜର – ଠାକୁର ଦର୍ଶନ କରିବେ ଆଉ ଆଳତି ଦେଖିବେ । ସେମାନଙ୍କ ମଧ୍ୟରୁ ଜଣେ ମନ୍ଦିରର ଦ୍ଵାର ଆସ୍ତେ ଆସ୍ତେ ଖୋଲି ଦେଖେ, ପଦ୍ମଲୋଚନ ଗୋଟିଏ ପାଖରେ ଠିଆ ହୋଇ ଭୋଁ ଭୋଁ ଶଙ୍ଖ ଫୁଙ୍କୁଛି । ଠାକୁର ପ୍ରତିଷ୍ଠା ହୋଇ ନାହିଁ, ମନ୍ଦିର ଝାଡ଼ୁ ହୋଇ ନାହିଁ, ଚେମେଣିର ବିଷ୍ଠା ରହିଛି । ସେତେବେଳେ ସେ ଉଚ୍ଚ ସ୍ଵରରେ କହିଲା –

‘ମନ୍ଦିର ତୋର ନାହିଁରେ ମାଧବ
ପୋଦୋ, ଶଙ୍ଖ ଫୁଙ୍କି ତୁହି କରିଲୁ ଗୋଳ !’

ଯଦି ହୃଦୟ-ମନ୍ଦିରରେ ମାଧବ ପ୍ରତିଷ୍ଠା କରିବାକୁ ଚାହଁ, ଯଦି ଭଗବାନଙ୍କୁ ଲାଭ କରିବାକୁ ଚାହଁ, ଖାଲି ଭୋଁ ଭୋଁ କରି ଶଙ୍ଖ ଫୁଙ୍କିଲେ କଅଣ ହେବ ? ଆଗେ ଚିତ୍ତଶୁଦ୍ଧି । ମନ ଶୁଦ୍ଧ ହେଲେ ଭଗବାନ୍‌ ପବିତ୍ର ଆସନରେ ଆସି ବସିବେ । ଚେମେଣିଙ୍କର ବିଷ୍ଠା ରହିଲେ ମାଧବଙ୍କୁ ଅଣାଯାଏ ନାହିଁ । ‘ଏଗାରଟା ଚେମେଣି’ ଅର୍ଥାତ୍‌ ଏକାଦଶ ଇନ୍ଦ୍ରିୟ – ପଞ୍ଚ ଜ୍ଞାନେନ୍ଦିୟ, ପଞ୍ଚ କର୍ମେନ୍ଦ୍ରିୟ, ଆଉ ମନ । ଆଗେ ମାଧବ-ପ୍ରତିଷ୍ଠା, ତାହା ପରେ ଇଚ୍ଛା ହୁଏ ତ ବକ୍ତୃତା ଲେକ୍‌ଚର୍‌ ଦିଅ ।

ଆଗେ ବୁଡ଼ । ବୁଡ଼ି ରତ୍ନ କାଢ଼, ତାହା ପରେ ଅନ୍ୟ କାମ ।

କେହି ବୁଡ଼ିବାକୁ ଚାହାଁନ୍ତି ନାହିଁ । ସାଧନ ନାହିଁ, ଭଜନ ନାହିଁ, ବିବେକ-ବୈରାଗ୍ୟ ନାହିଁ, ଦୁଇ ଚାରିଟା କଥା ମାତ୍ର ଶିଖି ସଙ୍ଗେ ସଙ୍ଗେ ଲେକ୍ଚର୍‌ !

ଲୋକଶିକ୍ଷା ଦେବା କଠିନ । ଭଗବାନଙ୍କ ଦର୍ଶନ ପରେ ଯଦି କେହି ତାଙ୍କର ଆଦେଶ ପାଏ, ତାହା ହେଲେ ଲୋକଶିକ୍ଷା ଦେଇପାରେ !

ଅବିଦ୍ୟା ସ୍ତ୍ରୀ – ଆନ୍ତରିକ ଭକ୍ତି ହେଲେ ସମସ୍ତେ ବଶ ହୁଅନ୍ତି

କଥା କହୁ କହୁ ଠାକୁର ଉତ୍ତର ବାରଣ୍ଡାରେ ପଶ୍ଚିମାଂଶକୁ ଆସି ଠିଆ ହେଲେ । ମଣି ନିକଟରେ ଦଣ୍ଡାୟମାନ । ଠାକୁର ବାରମ୍ବାର କହୁଛନ୍ତି, “ବିବେକ-ବୈରାଗ୍ୟ ନ ହେଲେ ଭଗବାନଙ୍କୁ ଲାଭ କରାଯାଏ ନାହିଁ । ମଣି ବିବାହ କରିଛନ୍ତି, ତେଣୁ ବ୍ୟାକୁଳ ହୋଇ ଭାବୁଛନ୍ତି କଅଣ ହେବ ! ବୟସ ୨୮, କଲେଜରେ ପଢ଼ି ଇଂରାଜୀ ଲେଖାପଢ଼ା ଶିଖିଛନ୍ତି । ଭାବୁଛନ୍ତି – ‘ବିବେକ-ବୈରାଗ୍ୟ’ର ଅର୍ଥ କାମିନୀ-କାଞ୍ଚନ ତ୍ୟାଗ ?

ମଣି (ଶ୍ରୀରାମକୃଷ୍ଣଙ୍କ ପ୍ରତି ) – ସ୍ତ୍ରୀ ଯଦି କହେ ମୋତେ ଦେଖୁନାହଁ, ମୁଁ ଆତ୍ମହତ୍ୟା କରିବି, ତାହା ହେଲେ କଅଣ ହେବ ?
ଶ୍ରୀରାମକୃଷ୍ଣ (ଗମ୍ଭୀର ସ୍ଵରରେ) – ଏପରି ସ୍ତ୍ରୀକୁ ତ୍ୟାଗ କରିବ, ଯେ ଈଶ୍ୱରଙ୍କ ପଥରେ ବିଘ୍ନ କରେ ! ଆତ୍ମହତ୍ୟା କରୁ କି ଆଉ ଯାହା କରୁ ! ଯେ ଈଶ୍ୱରଙ୍କ ପଥରେ ବିଘ୍ନ କରେ, ସେ ଅବିଦ୍ୟା ସ୍ତ୍ରୀ ।

ଗଭୀର ଚିନ୍ତାମଗ୍ନ ହୋଇ ମଣି କାନ୍ଥରେ ଠେସ ଦେଇ ଗୋଟିଏ ପାଖରେ ଠିଆ ହୋଇ ରହିଲେ । ନରେନ୍ଦ୍ରାଦି ଭକ୍ତଗଣ ମଧ୍ୟ କିଛି ସମୟ ଅବାକ୍‌ ହୋଇ ରହିଲେ !

ଠାକୁର ସେମାନଙ୍କ ସହିତ ଟିକିଏ କଥା କହୁଛନ୍ତି, ହଠାତ୍‌ ମଣିଙ୍କ ପାଖକୁ ଆସି ଏକାନ୍ତରେ ଆସ୍ତେ ଆସ୍ତେ କହୁଛନ୍ତି, “କିନ୍ତୁ ଯାହାର ଈଶ୍ୱରଙ୍କଠାରେ ଆନ୍ତରିକ ଭକ୍ତି ଅଛି, ସମସ୍ତେ ତା’ର ବଶ ହୁଅନ୍ତି – ରାଜା, ଦୁଷ୍ଟଲୋକ, ସ୍ତ୍ରୀ । ନିଜର ଆନ୍ତରିକ ଭକ୍ତି ଥିଲେ ସ୍ତ୍ରୀ ମଧ୍ୟ କ୍ରମେ ଈଶ୍ୱରଙ୍କ ପଥରେ ଯାଇପାରେ; ନିଜେ ଭଲ ହେଲେ ଈଶ୍ୱରଙ୍କ ଇଚ୍ଛାରେ ସେ ମଧ୍ୟ ଭଲ ହୋଇପାରେ ।”

ମଣିଙ୍କର ଚିନ୍ତାଗ୍ନିରେ ପାଣି ପଡ଼ିଲା । ସେ ଏତେ ସମୟ ଧରି ଭାବୁଥିଲେ – ସ୍ତ୍ରୀ ଆତ୍ମହତ୍ୟା କରୁ, ମୁଁ କଅଣ କରିବି ?

ମଣି (ଶ୍ରୀରାମକୃଷ୍ଣଙ୍କ ପ୍ରତି) – ସଂସାରରେ ଭାରୀ ଭୟ !
ଶ୍ରୀରାମକୃଷ୍ଣ (ମଣି ଓ ନରେନ୍ଦ୍ରାଦିଙ୍କ ପ୍ରତି) – ତେଣୁ ଚୈତନ୍ୟଦେବ କହୁଥିଲେ, ‘ଶୁଣ ଶୁଣ ନିତ୍ୟାନନ୍ଦ ଭାଇ, ସଂସାରୀ ଜୀବର କେବେ ଗତି ନାହିଁ !’

(ମଣିଙ୍କୁ ଏକାନ୍ତରେ ଦିନେ କହିଥିଲେ) “ଈଶ୍ୱରଙ୍କଠାରେ ଯଦି ଶ୍ରଦ୍ଧା ଭକ୍ତି ନ ହୁଏ, ତା’ହେଲେ କୌଣସି ଗତି ନାହିଁ । କେହି ଯଦି ଈଶ୍ୱରଲାଭ କରି ସଂସାରରେ ରହେ, ତାହାର କୌଣସି ଭୟ ନାହିଁ । ନିର୍ଜ୍ଜନରେ ମଝିରେ ମଝିରେ ସାଧନ କରି କେହି ଯଦି ଶ୍ରଦ୍ଧା ଭକ୍ତି ଲାଭ କରିପାରେ, ସଂସାରରେ ରହିଲେ ତାହାର କୌଣସି ଭୟ ନାହିଁ । ଚୈତନ୍ୟଦେବଙ୍କର ସଂସାରୀ ଭକ୍ତ ମଧ୍ୟ ଥିଲେ । ସେମାନେ ସଂସାରରେ ନାମମାତ୍ର ଥିଲେ । ଅନାସକ୍ତ ହୋଇଥିଲେ ।

ଦେବଦେବୀଙ୍କର ଭୋଗାଳତି ହୋଇଗଲା । ସଙ୍ଗେ ସଙ୍ଗେ ନହବତ ବାଜିଲା । ଏଥର ସେମାନେ ବିଶ୍ରାମ କରିବେ । ଠାକୁର ଶ୍ରୀରାମକୃଷ୍ଣ ଆହାରରେ ବସିଲେ । ନରେନ୍ଦ୍ରାଦି ଭକ୍ତଗଣ ଆଜି ମଧ୍ୟ ଠାକୁରଙ୍କ ପାଖରେ ପ୍ରସାଦ ପାଇବେ ।

ସପ୍ତମ ପରିଚ୍ଛେଦ – ବିଜୟା ଦଶମୀରେ ଦକ୍ଷିଣେଶ୍ୱର-ମନ୍ଦିରରେ ଭକ୍ତଙ୍କ ସଙ୍ଗରେ ଶ୍ରୀରାମକୃଷ୍ଣ

(୧)
ବିଜୟା ଦଶମୀରେ ଦକ୍ଷିଣେଶ୍ୱର-ମନ୍ଦିରରେ ଭକ୍ତଙ୍କ ସଙ୍ଗରେ ଶ୍ରୀରାମକୃଷ୍ଣ

ଶ୍ରୀରାମକୃଷ୍ଣ ଦକ୍ଷିଣେଶ୍ଵର-ମନ୍ଦିରରେ ନିଜ ଘରେ ଅଛନ୍ତି । ସମୟ ୯ଟା ହେବ; ଠାକୁର ଛୋଟ ଖଟଟିରେ ବିଶ୍ରାମ କରୁଛନ୍ତି, ମଣି ତଳେ ବସିଛନ୍ତି । ତାଙ୍କ ସହିତ କଥା କହୁଛନ୍ତି ।

ଆଜି ଦଶହରା (ବିଜୟା), ରବିବାର, ୨୨ ଅକ୍ଟୋବର ୧୮୮୨ ଖ୍ରୀଷ୍ଟାବ୍ଦ; ଆଶ୍ଵିନ ଶୁକ୍ଳା ଦଶମୀ ତିଥି ! ଆଜିକାଲି ରାଖାଲ ଠାକୁରଙ୍କ ପାଖରେ ରହୁଛନ୍ତି । ନରେନ୍ଦ୍ର, ଭବନାଥ ମଝିରେ ମଝିରେ ଯାତାୟାତ କରନ୍ତି । ଠାକୁରଙ୍କ ସଙ୍ଗରେ ତାଙ୍କର ଭ୍ରାତୁଷ୍ପୁତ୍ର ଶ୍ରୀଯୁକ୍ତ ରାମଲାଲ ଓ ହାଜରା ମହାଶୟ ବାସ କରୁଛନ୍ତି । ରାମ, ମନମୋହନ, ସୁରେଶ, ମାଷ୍ଟର, ବଳରାମ ଏମାନେ ମଧ୍ୟ ପ୍ରାୟ ପ୍ରତି ସପ୍ତାହରେ ଠାକୁରଙ୍କୁ ଦର୍ଶନ କରିବାକୁ ଆସନ୍ତି । ବାବୁରାମ କେବଳ ଥରେ ଦୁଇଥର ଦର୍ଶନ କରିଛନ୍ତି ।

ଶ୍ରୀରାମକୃଷ୍ଣ – ତୁମର ପୂଜାଛୁଟି ହୋଇଛି ?
ମଣି – ଆଜ୍ଞା ହଁ, ମୁଁ ସପ୍ତମୀ, ଅଷ୍ଟମୀ, ନବମୀ ପ୍ରତ୍ୟହ କେଶବ ସେନ୍‌ଙ୍କ ଘରକୁ ଯାଉଥିଲି ।
ଶ୍ରୀରାମକୃଷ୍ଣ – କଅଣ କହୁଛ !
ମଣି – ଦୁର୍ଗାପୂଜାର ବେଶ୍‌ ବ୍ୟାଖ୍ୟା ଶୁଣିଛି ।
ଶ୍ରୀରାମକୃଷ୍ଣ – କଅଣ କହିଲ ଦେଖି ।
ମଣି – କେଶବ ସେନ୍‌ଙ୍କ ଘରେ ପ୍ରତିଦିନ ସକାଳେ ଉପାସନା ହୁଏ, ଦଶଟା ଏଗାରଟା ପର୍ଯ୍ୟନ୍ତ । ସେହି ଉପାସନା ବେଳେ ସେ ଦୁର୍ଗାପୂଜାର ବ୍ୟାଖ୍ୟା କରୁଥିଲେ । ସେ କହିଲେ, ‘ଯଦି ମାଆଙ୍କୁ ଲାଭ କରାଯାଏ, ଯଦି ମା ଦୁର୍ଗାଙ୍କୁ କେହି ହୃଦୟ-ମନ୍ଦିରକୁ ଆଣିପାରେ, ତାହାହେଲେ ଲକ୍ଷ୍ମୀ, ସରସ୍ୱତୀ, କାର୍ତ୍ତିକ, ଗଣେଶ ନିଜେ ନିଜେ ଆସନ୍ତି । ଲକ୍ଷ୍ମୀ ଅର୍ଥାତ୍‌ ଐଶ୍ୱର୍ଯ୍ୟ, ସରସ୍ଵତୀ ଅର୍ଥାତ୍‌ ଜ୍ଞାନ, କାର୍ତ୍ତିକ ଅର୍ଥାତ୍‌ ବିକ୍ରମ, ଗଣେଶ ଅର୍ଥାତ୍‌ ସିଦ୍ଧି, ଏସବୁ ମନକୁ ହୋଇଯାଏ – ମା’ ଯଦି ଆସନ୍ତି ।

ଠାକୁର ଶ୍ରୀରାମକୃଷ୍ଣଙ୍କର ନରେନ୍ଦ୍ରାଦି ଅନ୍ତରଙ୍ଗ

ଠାକୁର ସମସ୍ତ ବିବରଣ ଶୁଣିଲେ ଓ ମଝିରେ ମଝିରେ କେଶବଙ୍କ ଉପାସନା ସମ୍ବନ୍ଧରେ କେତେକ ପ୍ରଶ୍ନ ପଚାରିବାକୁ ଲାଗିଲେ । ଅବଶେଷରେ କହୁଛନ୍ତି, “ତୁମେ ଏଠାକୁ ସେଠାକୁ ଯାଅ ନାହିଁ, ଏହିଠାକୁ ଆସିବ ।”

ଯେଉଁମାନେ ଅନ୍ତରଙ୍ଗ ସେମାନେ କେବଳ ଏହିଠାକୁ ଆସିବେ । ନରେନ୍ଦ୍ର, ଭବନାଥ, ରାଖାଲ – ଏମାନେ ମୋର ଅନ୍ତରଙ୍ଗ । ଏମାନେ ସାମାନ୍ୟ ନୁହଁନ୍ତି । ତୁମେ ଏମାନଙ୍କୁ ଦିନେ ଖୁଆଅ । ନରେନ୍ଦ୍ରଙ୍କୁ ତୁମର କିପରି ବୋଧହୁଏ ?

ମଣି – ଆଜ୍ଞା, ଖୁବ୍‌ ଭଲ ।
ଶ୍ରୀରାମକୃଷ୍ଣ – ଦେଖ, ନରେନ୍ଦ୍ରର କେତେ ଗୁଣ –  ଗାଇବା, ବଜାଇବା, ବିଦ୍ୟା, ପୁଣି ଜିତେନ୍ଦିୟ, କହୁଛି ବିବାହ କରିବ ନାହିଁ – ପିଲାଦିନରୁ ଈଶ୍ୱରଙ୍କଠାରେ ମନ ।

ସାକାର ନା ନିରାକାର – ଚିନ୍ମୟୀ ମୂର୍ତ୍ତି ଧ୍ୟାନ, ମାତୃଧ୍ୟାନ

ଶ୍ରୀରାମକୃଷ୍ଣ – ତୁମର ଆଜିକାଲି ଈଶ୍ୱରଚିନ୍ତା କିପରି ହେଉଛି ? ତୁମର ‘ସାକାର’ ଭଲ ଲାଗେ, ନା ‘ନିରାକାର’ ?
ମଣି – ଆଜ୍ଞା, ସାକାରକୁ ବର୍ତ୍ତମାନ ମନ ଯାଏ ନାହିଁ ! ପୁଣି ନିରାକାରରେ ମଧ୍ୟ ମନ ସ୍ଥିର କରିପାରେ ନାହିଁ ।
ଶ୍ରୀରାମକୃଷ୍ଣ – ଦେଖିଲ ! ଆରମ୍ଭରୁ ନିରାକାରରେ ମନ ସ୍ଥିର ହୁଏ ନାହିଁ । ପ୍ରଥମେ ପ୍ରଥମେ ସାକାର ତ ବେଶ୍‌ !
ମଣି – ଏହିସବୁ ମାଟିମୂର୍ତ୍ତିର ଧ୍ୟାନ ଚିନ୍ତା ?
ଶ୍ରୀରାମକୃଷ୍ଣ – କାହିଁକି ? ଚିନ୍ମୟୀ ମୂର୍ତ୍ତି ।
ମଣି – ଆଜ୍ଞା, ତାହା ହେଲେ ତ ହାତ ଗୋଡ଼ ଭାବିବାକୁ ହେବ ? ମାତ୍ର ପୁଣି ମଧ୍ୟ ଭାବୁଛି ଯେ, ପ୍ରଥମାବସ୍ଥାରେ ରୂପ ଚିନ୍ତା ନ କଲେ ମନ ସ୍ଥିର ହେବ ନାହିଁ – ଆପଣ କହି ଦେଇଛନ୍ତି । ଆଚ୍ଛା, ସେ ତ ନାନା ରୂପ ଧରିପାରନ୍ତି । ନିଜର ମାଆଙ୍କ ରୂପ କଅଣ ଧ୍ୟାନ କରାଯାଇପାରେ ?
ଶ୍ରୀରାମକୃଷ୍ଣ – ହଁ, ସେ (ମା) ଗୁରୁ – ଆଉ ବ୍ରହ୍ମମୟୀ ସ୍ୱରୂପା ।

ମଣି ଚୁପ୍‌ ହୋଇ ରହିଛନ୍ତି ।

କିଛିକ୍ଷଣ ପରେ ଠାକୁରଙ୍କୁ ପୁଣି ପଚାରୁଛନ୍ତି – ଆଜ୍ଞା, ନିରାକାରରେ କିପରି ଦେଖାଯାଏ ? ତାହା କଅଣ ବର୍ଣ୍ଣନା କରାଯାଏ ନାହିଁ ?
ଶ୍ରୀରାମକୃଷ୍ଣ (ଟିକିଏ ଚିନ୍ତା କରି) – ସେ କିପରି ଜାଣ ?

ଏହି କଥା କହି ଠାକୁରେ ଟିକିଏ ନୀରବ ହେଲେ । ତା’ପରେ ସାକାର-ନିରାକାର ଦର୍ଶନ କିପରି ଅନୁଭୂତ ହୁଏ, ଗୋଟିଏ କଥା କହିଦେଲେ । ପୁଣି ଠାକୁର ଚୁପ୍‌ ହୋଇ ରହିଛନ୍ତି ।

ଶ୍ରୀରାମକୃଷ୍ଣ – କଅଣ ଜାଣ, ଏହିଟି ଠିକ୍‌ ବୁଝିବାକୁ ସାଧନା ଦରକାର । ଘର ଭିତରର ରତ୍ନ ଯଦି ଦେଖିବାକୁ ଚାହଁ, ଆଉ ନେବାକୁ ଚାହଁ, ତାହା ହେଲେ ପରିଶ୍ରମ କରି ଚାବି ଆଣି କବାଟର ତାଲା ଖୋଲିବାକୁ ହୁଏ । ତାପରେ ରତ୍ନ ବାହାର କରି ଆଣିବାକୁ ହୁଏ । ତାହା ନ ହେଲେ ତାଲାଦିଆ ଘରର ଦ୍ଵାର ପାଖରେ ଠିଆହୋଇ ଭାବୁଛି, ବର୍ତ୍ତମାନ ମୁଁ କବାଟ ଖୋଲିଲି, ସିନ୍ଦୁକର ତାଲା ଭାଙ୍ଗିଲି, ହେଇଟି ରତ୍ନ ବାହାର କଲି । କେବଳ ଠିଆ ହୋଇ ଭାବିଲେ ତ ହୁଏ ନାହିଁ । ସାଧନା କରିବା ଦରକାର ।

(୨)
ଠାକୁର ଅନନ୍ତ ଓ ଅନନ୍ତ ଈଶ୍ୱର – ସକଳ ହିଁ ପନ୍ଥା – ଶ୍ରୀବୃନ୍ଦାବନ ଦର୍ଶନ
(ଜ୍ଞାନୀଙ୍କ ମତରେ ଅସଂଖ୍ୟ ଅବତାର । କୁଟୀଚକ-ତୀର୍ଥ କାହିଁକି?)

ଶ୍ରୀରାମକୃଷ୍ଣ – ଜ୍ଞାନୀମାନେ ନିରାକାର ଚିନ୍ତା କରନ୍ତି । ସେମାନେ ଅବତାର ମାନନ୍ତି ନାହିଁ । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ସ୍ତବ କରୁଛନ୍ତି – ତୁମେ ପୂର୍ଣ୍ଣବ୍ରହ୍ମ ! ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ – ମୁଁ ପୂର୍ଣ୍ଣ ବ୍ରହ୍ମ କି କଅଣ ଦେଖିବ ଆସ – ଏହା କହି ଗୋଟିଏ ଜାଗାକୁ ନେଇଯାଇ ପଚାରିଲେ – ତୁମେ କଅଣ ଦେଖୁଛ ? ଅର୍ଜୁନ କହିଲେ –  ମୁଁ ଏକ ବୃହତ୍‌ ଗଛ ଦେଖୁଛି, ସେଥିରେ ପେନ୍ଥା ପେନ୍ଥା କଳାଜାମୁପରି ଫଳ ଫଳି ରହିଛି । ଶ୍ରୀକୃଷ୍ଣ କହିଲେ – ଆହୁରି ପାଖକୁ ଆସି ଦେଖ ଦେଖି, ତାହା ପେନ୍ଥା ପେନ୍ଥା କଳାଫଳ ନୁହେଁ, ପେନ୍ଥା ପେନ୍ଥା କୃଷ୍ଣ ଅସଂଖ୍ୟ ଫଳି ରହିଛି – ମୋ ପରି । ଅର୍ଥାତ୍‌ ସେହି ପୂର୍ଣ୍ଣବ୍ରହ୍ମ-ରୂପକ ବୃକ୍ଷରୁ ଅସଂଖ୍ୟ ଅବତାର ହେଉଛନ୍ତି, ଯାଉଛନ୍ତି ।

କବୀର ଦାସଙ୍କର ନିରାକାର ଉପରେ ଖୁବ୍‌ ଝୁଙ୍କ୍‌ ଥିଲା । କୃଷ୍ଣ କଥାରେ କବୀର ଦାସ କହୁଥିଲେ – ତାଙ୍କୁ କଅଣ ଭଜିବି ? ଗୋପୀମାନେ ହାତତାଳି ଦେଉଥିଲେ, ଆଉ ସେ ମାଙ୍କଡ଼-ନାଚ ନାଚୁଥିଲେ ! (ସହାସ୍ୟ) ମୁଁ ସାକାରବାଦୀଙ୍କ ପାଖରେ ସାକାର, ଆଉ ନିରାକାରବାଦୀଙ୍କ ପାଖରେ ନିରାକାର ।

ମଣି (ସହାସ୍ୟ) – ଯାହାଙ୍କ କଥା ହେଉଛି ସେ (ଈଶ୍ୱର) ଯେପରି ଅନନ୍ତ, ଆପଣ ମଧ୍ୟ ସେହିପରି ଅନନ୍ତ ! ଆପଣଙ୍କ ଅନ୍ତ ମିଳେ ନାହିଁ ।
ଶ୍ରୀରାମକୃଷ୍ଣ (ସହାସ୍ୟ) – ତୁମେ ବୁଝି ନେଇଛ ! କଅଣ ଜାଣ – ସବୁଧର୍ମ ଥରେ ଥରେ କରିନେବାକୁ ହୁଏ । ସବୁ ପଥ ଦେଇ ଚାଲି ଆସିବାକୁ ହୁଏ । ଖେଳର ଗୋଟି ସବୁ ଘର ପାରି ନ ହେଲେ କଅଣ ପାଚେ ? ଗୋଟି ଯେତେବେଳେ ପାଚେ ତାକୁ ଆଉ କେହି ଧରିପାରେ ନାହିଁ ।
ଶ୍ରୀରାମକୃଷ୍ଣ – ଯୋଗୀ ଦୁଇ ପ୍ରକାର – ବହୁଦକ ଆଉ କୁଟୀଚକ । ଯେଉଁ ସାଧୁ ବହୁ ତୀର୍ଥ କରି ବୁଲୁଛି, ଯାହାର ମନରେ ବର୍ତ୍ତମାନ ସୁଦ୍ଧା ଶାନ୍ତି ଆସି ନାହିଁ, ତାକୁ ବହୁଦକ କହନ୍ତି । ଯେଉଁ ଯୋଗୀ ସବୁ ବୁଲି ମନ ସ୍ଥିର କରିଛି, ମନ ଯାହାର ଶାନ୍ତ ହୋଇଯାଇଛି, ସେ ଗୋଟିଏ ଜାଗାରେ ଆସନ କରି ବସେ, ଆଉ ହଲେ ନାହିଁ । ସେହି ଏକ ସ୍ଥାନରେ ବସି ମଧ୍ୟ ତାହାର ଆନନ୍ଦ । ତାହାର ତୀର୍ଥକୁ ଯିବାର କୌଣସି ପ୍ରୟୋଜନ ନାହିଁ । ଯଦି ସେ ତୀର୍ଥକୁ ଯାଏ ସେ କେବଳ ଉଦ୍ଦୀପନା ପାଇଁ । ସେ କୁଟୀଚକ ।

ମୋତେ ସବୁଧର୍ମ ଥରେ ଥରେ କରି ନେବାକୁ ହୋଇଥିଲା – ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ପୁଣି ଶାକ୍ତ, ବୈଷ୍ଣବ, ବେଦାନ୍ତ, ଏସବୁ ପଥ ଦେଇ ଆସିବାକୁ ହୋଇଛି । ଦେଖିଲି ସେହି ଏକ ଈଶ୍ୱର – ତାଙ୍କ ପାଖକୁ ସମସ୍ତେ ଆସନ୍ତି – ଭିନ୍ନ ଭିନ୍ନ ପଥ ଦେଇ ।

ତୀର୍ଥକୁ ଗଲି, କିନ୍ତୁ ଥରେ ଥରେ ଭାରୀ କଷ୍ଟ ହେଉଥିଲା । କାଶୀରେ ସେଜୋବାବୁଙ୍କ ସଙ୍ଗରେ ରାଜାବାବୁଙ୍କ ବୈଠକଖାନାକୁ ଯାଇଥିଲି । ସେଠାରେ ଦେଖେ – ସେମାନେ ବିଷୟ କଥା କହୁଛନ୍ତି ! ଟଙ୍କା, ଜମି ଏହିସବୁ କଥା । କଥା ଶୁଣି ମୁଁ କାନ୍ଦିବାକୁ ଲାଗିଲି । କହିଲି – ମା, କେଉଁଠାକୁ ଆଣିଲୁ ? ଦକ୍ଷିଣେଶ୍ଵରରେ ଯେ ମୁଁ ବେଶ୍‌ ଥିଲି । ପ୍ରୟାଗରେ ଦେଖିଲି – ସେହି ପୋଖରୀ, ସେହି ଦୁର୍ବା, ସେହି ଗଛ, ସେହି ତେନ୍ତୁଳିପତ୍ର ! କେବଳ ତଫାତ୍‌ – ପଶ୍ଚିମା ଲୋକଙ୍କର କୁଣ୍ଡା ପରି ମଳ । (ଠାକୁର ଓ ମଣିଙ୍କର ହାସ୍ୟ)

ତେବେ ତୀର୍ଥରେ ଉଦ୍ଦୀପନା ହୁଏ । ମଥୁରବାବୁଙ୍କ ସଙ୍ଗରେ ବୃନ୍ଦାବନ ଗଲି । ମଥୁରବାବୁର ଘରର ସ୍ତ୍ରୀମାନେ ମଧ୍ୟ ଥିଲେ – ହୃଦୁ ବି ଥିଲା । କାଳୀୟଦମନ ଘାଟ ଦେଖିବାମାତ୍ରେ ଉଦ୍ଦୀପନା ହେଉଥିଲା, ମୁଁ ବିହ୍ଵଳ ହୋଇଯାଉଥିଲି – ହୃଦୁ ମୋତେ ଯମୁନାର ସେହି ଘାଟରେ ପିଲାଟି ପରି ଗାଧୋଇ ଦେଉଥିଲା ।

ଯମୁନା-ତୀରରେ ସନ୍ଧ୍ୟା ସମୟରେ ବୁଲିବାକୁ ଯାଉଥିଲି । ଯମୁନାର ତୀର ଦେଇ ସେଇ ସମୟରେ ଗୋଠରୁ ଗୋରୁସବୁ ଫେରିଆସନ୍ତି । ଦେଖିଲାମାତ୍ରେ ମୋର କୃଷ୍ଣଙ୍କର ଉଦ୍ଦୀପନ ହେଲା, ଉନ୍ମତ୍ତ ପରି ମୁଁ ଦୌଡ଼ିବାକୁ ଲାଗିଲି –  ‘କୃଷ୍ଣ କାହାଁନ୍ତି, କୃଷ୍ଣ କାହାଁନ୍ତି’ ବୋଲି କହି କହି ।

ପାଲିଙ୍କି ଚଢ଼ି ଶ୍ୟାମକୁଣ୍ଡ ରାଧାକୁଣ୍ଡ ବାଟରେ ଯାଉଛି, ଗୋବର୍ଦ୍ଧନ ଦେଖିବାକୁ ଓହ୍ଲାଇଲି, ଗୋବର୍ଦ୍ଧନ ଦେଖିବାମାତ୍ରେ ଏକାବେଳକେ ବିହ୍ଵଳ, ଦୌଡ଼ିଯାଇ ଗୋବର୍ଦ୍ଧନ ଉପରେ ଠିଆ ହୋଇ ପଡ଼ିଲି – ଆଉ ବାହ୍ୟ-ଜ୍ଞାନଶୂନ୍ୟ ହୋଇଗଲି । ସେତେବେଳେ ବ୍ରଜବାସୀମାନେ ଯାଇ ମୋତେ ତଳକୁ ଆଣିଲେ । ଶ୍ୟାମକୁଣ୍ଡ ରାଧାକୁଣ୍ଡ ବାଟରେ ସେହି କ୍ଷେତ ଆଉ ଗଛପତ୍ର, ପକ୍ଷୀ, ହରିଣ – ଏହିସବୁ ଦେଖି ବିହ୍ଵଳ ହୋଇଗଲି । ଲୁହରେ ଆଖି ଓଦା ହୋଇଗଲା । ମନେହେଲା – କୃଷ୍ଣରେ ! ସବୁ ରହିଛି, କେବଳ ତୋତେ ଦେଖିପାରୁ ନାହିଁ । ପାଲିଙ୍କି ଭିତରେ ବସେ, କିନ୍ତୁ ଥରଟିଏ ପଦେ କଥା କହିବାର ଶକ୍ତି ନ ଥାଏ – ଚୁପ୍‌ କରି ବସେ ! କିନ୍ତୁ ହୃଦୁ ପାଲିଙ୍କି ପଛରେ ଆସୁଥାଏ । ବାହକମାନଙ୍କୁ କହି ଦେଇଥିଲା – ‘ଖୁବ୍‌ ହୁସିଆର’ ।

ଗଙ୍ଗାମାୟୀ ବହୁଯତ୍ନ କରୁଥିଲା । ବହୁତ ବୟସ । ନିଧୁବନ ପାଖରେ କୁଟୀରରେ ଏକୁଟିଆ ରହୁଥିଲା । ମୋର ଅବସ୍ଥା ଆଉ ଭାବ ଦେଖି କହୁଥିଲା – ଏ ସାକ୍ଷାତ୍‌ ରାଧା, ଦେହ ଧାରଣ କରି ଆସିଛନ୍ତି । ମୋତେ ‘ଦୁଲାଳୀ’ ବୋଲି ଡାକୁଥିଲା । ତାକୁ ପାଇଲେ ମୋର ଖାଇବା, ପିଇବା, ବସାକୁ ଫେରିଯିବା ସବୁ ଭୁଲ ହୋଇଯାଉଥିଲା । ହୃଦୁ ଦିନେ ଦିନେ ବସାରୁ ଖାଦ୍ୟ ଆଣି ଖୁଆଇ ଯାଉଥିଲା – ସେ ମଧ୍ୟ ଖାଇବା ଜିନିଷ ତିଆରି କରି ଖୁଆଉଥିଲା ।

ଗଙ୍ଗାମାୟୀର ଭାବ ହେଉଥିଲା । ତା’ର ଭାବ ଦେଖିବା ପାଇଁ ଲୋକଙ୍କର ଭିଡ଼ ହେଉଥିଲା । ଭାବରେ ଦିନେ ହୃଦୁର କାନ୍ଧରେ ଚଢ଼ିଥିଲା ।

ଗଙ୍ଗାମାୟୀ ପାଖରୁ ଦେଶକୁ ଚାଲିଆସିବାର ମୋର ଇଚ୍ଛା ନ ଥିଲା । ସବୁ ଠିକ୍‌ଠାକ୍‌; ମୁଁ ସିଦ୍ଧ ଚାଉଳର ଭାତ ଖାଇବି – ଗଙ୍ଗାମାୟୀର ବିଛଣା ଘରର ଏପଟେ ହେବ, ମୋର ବିଛଣା ସେପଟେ ହେବ । ସବୁ ଠିକ୍‌ଠାକ୍‌, ହୃଦୁ ସେତେବେଳେ କହିଲା, ‘ତୁମର ଏତେ ପେଟ-ରୋଗ – କିଏ ଦେଖିବ ?’ ଗଙ୍ଗାମାୟୀ କହିଲା, ‘କାହିଁକି, ମୁଁ ଦେଖିବି, ମୁଁ ସେବା କରିବି ।’ ହୃଦୁ ଗୋଟିଏ ହାତ ଧରି ଟାଣେ, ଗଙ୍ଗାମାୟୀ ଆଉ ଗୋଟିଏ ହାତ ଧରି ଟାଣେ – ଏତିକିବେଳେ ମା’ଙ୍କ କଥା ମନେ ପଡ଼ିଲା ! ମା ସେତେବେଳେ ଏକା ଦକ୍ଷିଣେଶ୍ଵର କାଳୀମନ୍ଦିରର ନହବତ୍‌ରେ । ଆଉ ରହିବା ହେଲା ନାହିଁ । ସେତେବେଳେ କହିଲି – ନା, ମୋତେ ଯିବାକୁ ହେବ ।

ବୃନ୍ଦାବନର ଭାବଧାରାଟି ବେଶ୍‌ । ନୂତନ ଯାତ୍ରୀ ଗଲେ ବ୍ରଜ-ବାଳକମାନେ କହନ୍ତି, ‘ହରିବୋଲ, ଗଣ୍ଠିଲି ଖୋଲ’ !

ଦିନ ଏଗାରଟା ପରେ ଠାକୁର ଶ୍ରୀରାମକୃଷ୍ଣ ମା’-କାଳୀଙ୍କର ପ୍ରସାଦ ଗ୍ରହଣ କଲେ । ମଧ୍ୟାନ୍ନରେ ଟିକିଏ ବିଶ୍ରାମ କରି ଓପରଓଳି ପୁଣି ଭକ୍ତଙ୍କ ସଙ୍ଗରେ କଥାବାର୍ତ୍ତାରେ କଟାଉଛନ୍ତି – କେବଳ ମଧ୍ୟେ ମଧ୍ୟେ ଥରେ ଥରେ ପ୍ରଣବଧ୍ୱନି ବା ‘ହା ଚୈତନ୍ୟ’ ଏହି ନାମ ଉଚ୍ଚାରଣ କରୁଛନ୍ତି ।

ଦିଅଁଙ୍କ ମନ୍ଦିରରେ ସନ୍ଧ୍ୟାରେ ଆଳତି ହେଲା । ଆଜି ବିଜୟା – ଶ୍ରୀରାମକୃଷ୍ଣ କାଳୀଘରକୁ ଆସିଛନ୍ତି । ମାଆଙ୍କୁ ପ୍ରଣାମ ପରେ ଭକ୍ତମାନେ ତାଙ୍କର ପାଦଧୂଳି ଗ୍ରହଣ କଲେ । ରାମଲାଲ ମା’ କାଳୀଙ୍କର ଆଳତି କରିଛନ୍ତି । ଠାକୁରେ ରାମଲାଲଙ୍କୁ ସମ୍ବୋଧନ କରି କହୁଛନ୍ତି, “ଓ ରାମଲାଲ, କାହିଁରେ ?”

ମା’ କାଳୀଙ୍କୁ ଭାଙ୍ଗପଣା ନିବେଦନ କରାଯାଇଛି । ଠାକୁର ସେହି ପ୍ରସାଦ ସ୍ପର୍ଶ କରିବେ – ସେଥିପାଇଁ ରାମଲାଲଙ୍କୁ ଡାକୁଛନ୍ତି । ଆଉ ଭକ୍ତମାନଙ୍କୁ ସମସ୍ତଙ୍କୁ ଟିକିଏ ଟିକିଏ ଦେବାକୁ କହୁଛନ୍ତି ।

(୩)
ଦକ୍ଷିଣେଶ୍ୱର ମନ୍ଦିରରେ ବଳରାମାଦିଙ୍କ ସଙ୍ଗରେ ବଳରାମଙ୍କୁ ଶିକ୍ଷା
(ଲକ୍ଷଣ – ସତ୍ୟକଥା – ସର୍ବଧର୍ମସମନ୍ଵୟ – ‘କାମିନୀ-କାଞ୍ଚନ ହିଁ ମାୟା’)

ମଙ୍ଗଳବାର ଅପରାହ୍ନ ୨୪ ଅକ୍ଟୋବର, ସମୟ ୩ଟା ୪ଟା ହେବ । ଠାକୁରେ ଖାଇବା ଜିନିଷର ଥାକ ପାଖରେ ଠିଆ ହୋଇଛନ୍ତି । ବଳରାମ ଓ ମାଷ୍ଟର ଖଣ୍ଡେ ଗାଡ଼ିରେ କଲିକତାରୁ ଆସିଛନ୍ତି ଓ ପ୍ରଣାମ କରୁଛନ୍ତି । ପ୍ରଣାମ କରି ବସିଲା ପରେ ଠାକୁର ହସି ହସି କହୁଛନ୍ତି, “ଥାକ ଉପରୁ ଖାଇବା ଜିନିଷ ଆଣିବାକୁ ଯାଉଥିଲି, ଖାଦ୍ୟରେ ହାତ ଦେଇଛି, ଏତିକି ବେଳେ ଝିଟିପିଟି ପଡ଼ିଲା – ସଙ୍ଗେ ସଙ୍ଗେ ଛାଡ଼ି ଦେଇଛି ।” (ସମସ୍ତଙ୍କର ହାସ୍ୟ)

ଶ୍ରୀରାମକୃଷ୍ଣ – ହଁ ହେ, ସେସବୁ ମାନିବାକୁ ହୁଏ । ଏଇ ଦେଖୁନ, ରାଖାଲର ଦେହ ଖରାପ, ମୋର ହାତ ଗୋଡ଼ ବିନ୍ଧୁଛି । କ’ଣ ହେଲା ଜାଣ ? ମୁଁ ସକାଳେ ବିଛଣାରୁ ଉଠିବାବେଳେ ରାଖାଲ ଆସିଛି ଭାବି ଅମୁକର ମୁହଁ ଚାହିଁଛି । (ସମସ୍ତଙ୍କର ହାସ୍ୟ) । ହଁ ହେ, ଲକ୍ଷଣ ଦେଖିବାକୁ ହୁଏ । ସେଦିନ ନରେନ୍ଦ୍ର ଜଣେ କଣା ପିଲା ଆଣିଥିଲା, ତାର ବନ୍ଧୁ; ଯାହା ହେଉ ପୂରା କଣା ନୁହେ; ମୁଁ ଭାବିଲି ଏ ପୁଣି କଅଣ ଘଟିଲା !

ଆଉ ଜଣେ ଆସେ, ମୁଁ ତା’ର ଜିନିଷ ଖାଇପାରେ ନାହିଁ । ସେ ଅଫିସ୍‌ରେ ଚାକିରୀ କରେ । ତାହାର ମାସିକ ବେତନ ୨୦ଟଙ୍କା । ଆଉ ୨୦ଟଙ୍କା କଅଣ ମିଥ୍ୟା (ବିଲ୍‌) ଲେଖି ପାଏ । ମିଛ କଥା କହେ ବୋଲି ସେ ଆସିଲେ ମୁଁ ବିଶେଷ କଥା କହେ ନାହିଁ । ହୁଏତ ଦୁଇ ଚାରିଦିନ ଅଫିସକୁ ଗଲା ନାହିଁ, ଏହିଠାରେ ପଡ଼ି ରହିଲା । କ’ଣ ଜାଣ, ମତଲବ ଯେ ଯଦି କାହାକୁ କହି ବୋଲି ଦିଏ, ତାହା ହେଲେ ଅନ୍ୟ ଜାଗାରେ ଚାକିରୀ ହୋଇପାରେ ।

ବଳରାମଙ୍କର ବଂଶ ପରମ ବୈଷ୍ଣବ ବଂଶ । ବଳରାମଙ୍କ ପିତା ବୃଦ୍ଧ ହୋଇଗଲେଣି, ପରମ ବୈଷ୍ଣବ । ମସ୍ତକରେ ଶିଖା, ଗଳାରେ ତୁଳସୀର ମାଳା, ଆଉ ହସ୍ତରେ ସର୍ବଦା ହରିନାମର ମାଳା ଜପ କରୁଥାନ୍ତି । ଏହାଙ୍କର ଓଡ଼ିଶାରେ ଅନେକ ଜମିଦାରୀ ଅଛି । ଆଉ କୋଠାରରେ, ଶ୍ରୀବୃନ୍ଦାବନରେ ଓ ଅନ୍ୟାନ୍ୟ ଅନେକ ସ୍ଥାନରେ ଶ୍ରୀଶ୍ରୀରାଧାକୃଷ୍ଣ ବିଗ୍ରହଙ୍କର ସେବା ଅଛି ଓ ଅତିଥିଶାଳା ଅଛି । ବଳାରାମ ନୂଆ କରି ଆସିଛନ୍ତି, ଠାକୁରେ ଗଳ୍ପ ଛଳରେ ତାଙ୍କୁ ନାନା ଉପଦେଶ ଦେଉଛନ୍ତି ।

ଶ୍ରୀରାମକୃଷ୍ଣ – ସେଦିନ ଅମୁକ ଆସିଥିଲା; ଶୁଣିଛି, ସେ କୁଆଡ଼େ ସେହି କାଳୀ ମାଇପିଟାର ଗୋଲାମ ! ଈଶ୍ୱରଙ୍କ ଦର୍ଶନ କାହିଁକି ହେଉ ନାହିଁ ? କାମିନୀକାଞ୍ଚନ ମଝିରେ ଆଢୁଆଳ ହୋଇ ରହିଛି ବୋଲି । ଆଉ ତୁମ ସାମନାରେ କିପରି ସେଦିନ ଏକଥା କହିଲା ଯେ, ମୋ ବାପାଙ୍କ ପାଖକୁ ଜଣେ ପରମହଂସ ଆସିଥିଲେ, ବାବା ତାଙ୍କୁ କୁକୁଡ଼ା ରାନ୍ଧି ଖୁଆଇଲେ । (ବଳାରାମଙ୍କର ହାସ୍ୟ) । ‘ମୋର ଅବସ୍ଥା’ ବର୍ତ୍ତମାନ ମାଛର ଝୋଳ ମାଆଙ୍କର ପ୍ରସାଦ ହେଲେ ଟିକିଏ ଖାଇପାରେ । କିନ୍ତୁ ମାଆଙ୍କ ପ୍ରସାଦ ମାଂସ ବର୍ତ୍ତମାନ ପାରେ ନାହିଁ । ତେବେ ଆଙ୍ଗୁଠିରେ ନେଇ ଟିକିଏ ଚାଖେ, କାଳେ ମା’ ରାଗିବେ । (ସମସ୍ତଙ୍କର ହାସ୍ୟ) ।

ପୂର୍ବକଥା – ବର୍ଦ୍ଧମାନ ପଥେ ଦେଶଯାତ୍ରା – ନକୁଡ଼ ଆଚାର୍ଯ୍ୟଙ୍କ ଗୀତ ଶ୍ରବଣ

ଆଚ୍ଛା, ମୋର ଏ କି ଅବସ୍ଥା କହ ତ ! ମୁଁ ସେଦେଶକୁ ‘କାମାରପୁକୁରକୁ’ ଯାଉଛି ବର୍ଦ୍ଧମାନରୁ ଓହ୍ଲାଇ, ଗୋରୁଗାଡ଼ିରେ ବସି – ଏପରି ସମୟରେ ଝଡ଼ ବୃଷ୍ଟି । ପୁଣି ଗାଡ଼ି ପାଖରେ କେଉଁଠାରୁ ଲୋକ ଆସି ଜୁଟିଲେ । ମୋ ସଙ୍ଗୀ ଲୋକମାନେ କହିଲେ, ଏମାନେ ଡକାଏତ ! ମୁଁ ସେତେବେଳେ ଈଶ୍ୱରଙ୍କ ନାମ କରିବାକୁ ଲାଗିଲି । କିନ୍ତୁ କେତେବେଳେ ରାମ ରାମ କହୁଛି ତ କେତେବେଳେ କାଳୀ, କାଳୀ, ପୁଣି କେତେବେଳେ ହନୁମାନ ହନୁମାନ, ସବୁ ପ୍ରକାର କହୁଛି – ଏ କ’ଣ କହିଲ !

ଠାକୁର ଏହି କଥା କ’ଣ କହୁଛନ୍ତି ଯେ, ଏକ ଈଶ୍ୱର, ତାଙ୍କର ଅସଂଖ୍ୟ ନାମ – ଭିନ୍ନ ଧର୍ମାବଲମ୍ବୀ ବା ସଂପ୍ରଦାୟର ଲୋକେ ଅଯଥା ବିବାଦ କରି ମରନ୍ତି ?

ଶ୍ରୀରାମକୃଷ୍ଣ (ବଳରାମଙ୍କ ପ୍ରତି) – କାମିନୀ-କାଞ୍ଚନ ହିଁ ମାୟା । ତାହା ଭିତରେ ଅନେକ ଦିନ ରହିଲେ ହୋସ୍‌ ଚାଲିଯାଏ – ମନେହୁଏ ବେଶ୍‌ ଅଛି । ମେହେନ୍ତର ମଇଳା ବୋଝ ବୋହେ – ବୋହି ବୋହି ଆଉ ଘୃଣା ରହେ ନାହିଁ । ଈଶ୍ୱରଙ୍କ ନାମ-ଗୁଣ କୀର୍ତ୍ତନ କରିବା ଅଭ୍ୟାସ କଲେ କ୍ରମେ ଭକ୍ତି ହୁଏ ।

(ମାଷ୍ଟରଙ୍କ ପ୍ରତି) ସେଥିରେ ଲଜ୍ଜା କରିବାର କିଛି ନାହିଁ । ‘ଲଜ୍ଜା, ଘୃଣା, ଡର – ଏ ତିନିକୁ କର ଦୂର ।’

ସେଦେଶରେ ବେଶ୍‌ କୀର୍ତ୍ତନ ଗୀତ ହୁଏ – ଖୋଳ ନେଇ କୀର୍ତ୍ତନ । ନକୁଡ଼ ଆଚାର୍ଯ୍ୟଙ୍କର ଗୀତ ଚମତ୍କାର ! ତୁମମାନଙ୍କର ବୃନ୍ଦାବନରେ ସେବା ଅଛି ?

ବଳରାମ – ଆଜ୍ଞା ହଁ । ଗୋଟିଏ କୁଞ୍ଜ ଅଛି – ଶ୍ୟାମସୁନ୍ଦରଙ୍କର ସେବା ।
ଶ୍ରୀରାମକୃଷ୍ଣ – ମୁଁ ବୃନ୍ଦାବନ ଯାଇଥିଲି । ନିଧୁବନ ବେଶ୍‌ ସ୍ଥାନଟିଏ ।

ଅଷ୍ଟମ ପରିଚ୍ଛେଦ – ଶ୍ରୀଯୁକ୍ତ କେଶବଚନ୍ଦ୍ର ସେନ୍‌ଙ୍କ ସହିତ ନୌକାବିହାର

(୧)
ଶ୍ରୀଯୁକ୍ତ କେଶବଚନ୍ଦ୍ର ସେନ୍‌ଙ୍କ ସହିତ ନୌକାବିହାର

ଆଜି କୁମାରପୂର୍ଣ୍ଣିମା, ଲକ୍ଷ୍ମୀପୂଜା; ଶୁକ୍ରବାର, ୨୭ ଅକ୍ଟୋବର ୧୮୮୨ ।

ଠାକୁର ଦକ୍ଷିଣେଶ୍ୱରର କାଳୀମନ୍ଦିରରେ ସେହି ପୂର୍ବ-ପରିଚିତ ଘରେ ବସିଛନ୍ତି । ବିଜୟ (ଗୋସ୍ଵାମୀ) ଓ ହରଲାଲଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ଜଣେ ଆସି କହିଲେ, କେଶବ ସେନ୍‌ ଜାହାଜରେ ଚଢ଼ି ଘାଟରେ ଆସି ଉପସ୍ଥିତ ! କେଶବଙ୍କ ଶିଷ୍ୟମାନେ ଆସି ଠାକୁରଙ୍କୁ ପ୍ରଣାମ କରି କହିଲେ, ‘ମହାଶୟ, ଜାହାଜ ଆସିଛି, ଆପଣଙ୍କୁ ଯିବାକୁ ହେବ; ଚାଲନ୍ତୁ ଟିକିଏ ବୁଲି ଆସିବେ । କେଶବ ବାବୁ ଜାହାଜରେ ଅଛନ୍ତି, ଆମମାନଙ୍କୁ ପଠାଇଲେ ।’

ଅପରାହ୍ନ ୪ଟା ପରେ । ଠାକୁର ନୌକା କରି ଜାହାଜକୁ ଉଠୁଛନ୍ତି । ସଙ୍ଗରେ ବିଜୟ । ନୌକାକୁ ଉଠିବା ମାତ୍ରେ ବାହ୍ୟଜ୍ଞାନଶୂନ୍ୟ, ସମାଧିସ୍ଥ । ମାଷ୍ଟର ଜାହାଜରେ ଠିଆ ହୋଇ ଏହି ସମାଧିଚିତ୍ର ଦେଖୁଛନ୍ତି । ସେ ୩ଟା ବେଳେ କେଶବଙ୍କ ଜାହାଜରେ ଚଢ଼ି କଲିକତାରୁ ଆସିଛନ୍ତି । ଭାରୀ ଇଚ୍ଛା, ଦେଖିବେ – ଠାକୁର ଓ କେଶବଙ୍କର ମିଳନ, ସେମାନଙ୍କର ଆନନ୍ଦ, ଶୁଣିବେ ସେମାନଙ୍କର କଥାବାର୍ତ୍ତା । କେଶବ ତାଙ୍କର ସାଧୁ ଚରିତ୍ରରେ ଓ ବକ୍ତୃତା ବଳରେ ମାଷ୍ଟରଙ୍କ ପରି ଅନେକ ବଙ୍ଗୀୟ ଯୁବକଙ୍କର ମନ ହରଣ କରିଛନ୍ତି । ଅନେକେ ମଧ୍ୟ ତାହାଙ୍କୁ ପରମ ଆତ୍ମୀୟବୋଧର ହୃଦୟର ପ୍ରୀତି ଦେଇଛନ୍ତି । କେଶବ ଇଂରାଜୀ-ପଢ଼ା ଲୋକ, ଇଂରାଜୀ ଦର୍ଶନ, ସାହିତ୍ୟ ପଢ଼ିଛନ୍ତି । ସେ ପୁଣି ହିନ୍ଦୁଙ୍କର ଦେବଦେବୀ ପୂଜାକୁ ପୌତ୍ତଳିକତା କହୁଛନ୍ତି । ଏପରି ଲୋକ ଠାକୁର ଶ୍ରୀରାମକୃଷ୍ଣଙ୍କୁ ଭକ୍ତି-ଶ୍ରଦ୍ଧା କରନ୍ତି, ପୁଣି ମଝିରେ ମଝିରେ ତାଙ୍କୁ ଦର୍ଶନ କରିବାକୁ ଆସନ୍ତି – ଏହା ଅତି ଆଶ୍ଚର୍ଯ୍ୟ । ସେମାନଙ୍କର ମନର ମିଳନ କେଉଁଠାରେ ବା କିପରି ହେଲା, ଏହି ରହସ୍ୟ ଭେଦ କରିବା ପାଇଁ ମାଷ୍ଟରାଦି ଅନେକେ କୌତୁହଳାକ୍ରାନ୍ତ ହୋଇଛନ୍ତି । ଠାକୁର ଶ୍ରୀରାମକୃଷ୍ଣ ନିରାକାରବାଦୀ ସତ୍ୟ, କିନ୍ତୁ ପୁଣି ସାକାରବାଦୀ । ବ୍ରହ୍ମଙ୍କର ଚିନ୍ତା କରନ୍ତି, ପୁଣି ଦେବଦେବୀ ପ୍ରତିମା ସମ୍ମୁଖରେ ଫୁଲ, ଚନ୍ଦନ ଦେଇ ପୂଜା ମଧ୍ୟ କରନ୍ତି ଓ ପ୍ରେମରେ ମତୁଆଲା ହୋଇ ନୃତ୍ୟ ଗୀତ କରନ୍ତି । ଖଟ ବିଛଣାରେ ବସନ୍ତି, ଲାଲଧଡ଼ି ଲୁଗା, ଜାମା, ମୋଜା, ଜୋତା ପିନ୍ଧନ୍ତି । କିନ୍ତୁ ସଂସାର କରନ୍ତି ନାହିଁ । ଭାବଗୁଡ଼ିକ ଠିକ୍‌ ସନ୍ନ୍ୟାସୀ ପରି, ତେଣୁ ଲୋକେ ପରମହଂସ କହନ୍ତି । ଏଣେ କେଶବ ନିରାକାରବାଦୀ, ସ୍ତ୍ରୀ-ପୁତ୍ର ନେଇ ସଂସାର କରନ୍ତି, ଇଂରାଜୀରେ ଲେକ୍‌ଚର୍‌ ଦିଅନ୍ତି, ସମ୍ବାଦପତ୍ର ଲେଖନ୍ତି ଓ ବିଷୟ-କର୍ମ ମଧ୍ୟ କରନ୍ତି ।

ଜାହାଜରେ ସମବେତ କେଶବ ପ୍ରମୁଖ ବ୍ରାହ୍ମ ଭକ୍ତଗଣ ଜାହାଜ ଉପରୁ ଦେବୀ ମନ୍ଦିରର ଶୋଭା ସନ୍ଦର୍ଶନ କରୁଛନ୍ତି । ଜାହାଜର ପୂର୍ବ ଦିଗରେ ଅନତିଦୂରରେ ବନ୍ଧା-ଘାଟ ଓ ମନ୍ଦିରର ମଣ୍ଡପ । ଆରୋହୀମାନଙ୍କର ବାମ ପାର୍ଶ୍ୱରେ ମଣ୍ଡପର ଉତ୍ତରରେ ଦ୍ଵାଦଶ ଶିବମନ୍ଦିର ମଧ୍ୟରୁ କ୍ରମାନ୍ଵୟରେ ଛଅଟି ମନ୍ଦିର । ଦକ୍ଷିଣ ପାର୍ଶ୍ଵରେ ମଧ୍ୟ ଛଅଟି ଶିବମନ୍ଦିର । ଶରତ୍‌କାଳର ନୀଳ ଆକାଶ ଚିତ୍ରପଟରେ ଭବତାରିଣୀ ମନ୍ଦିରର ଚୂଡ଼ା ଓ ଉତ୍ତର ଦିଗରେ ପଞ୍ଚବଟୀ ଏବଂ ଝାଉଁଗଛର ଉପରିଭାଗଗୁଡ଼ିକ ଦେଖାଯାଉଛି । ବକୁଳତଳ ନିକଟରେ ଗୋଟିଏ ଓ କାଳୀମନ୍ଦିରର ଦକ୍ଷିଣ ପ୍ରାନ୍ତରେ ଆଉ ଗୋଟିଏ ନହବତ୍‌ଖାନା । ଦୁଇ ନହବତ୍‌ଖାନାର ମଧ୍ୟବର୍ତ୍ତୀ ଉଦ୍ୟାନପଥ ଓ ତାହାର ଧାରେ ଧାରେ ଧାଡ଼ି ଧାଡ଼ି ପୁଷ୍ପବୃକ୍ଷ । ଶରତ୍‌ର ନୀଳାକାଶର ନୀଳିମା ଜାହ୍ନବୀର ଜଳରେ ପ୍ରତିଭାସିତ ହେଉଛି । ବହିର୍ଜଗତରେ କୋମଳ ଭାବ, ବ୍ରାହ୍ମଭକ୍ତଙ୍କର ହୃଦୟ ମଧ୍ୟରେ କୋମଳ ଭାବ । ଉର୍ଦ୍ଧ୍ୱରେ ସୁନ୍ଦର ସୁନୀଳ ଅନନ୍ତ ଆକାଶ, ସମ୍ମୁଖରେ ସୁନ୍ଦର ଦେବାଳୟ, ନିମ୍ନରେ ପବିତ୍ରସଲିଳା ଗଙ୍ଗା, ଯାହାଙ୍କର ତୀରରେ ଆର୍ଯ୍ୟଋଷିଗଣ ଭଗବାନଙ୍କର ଚିନ୍ତା କରୁଛନ୍ତି । ପୁଣି ଆସିଛନ୍ତି ଜଣେ ମହାପୁରୁଷ, ଯେପରି ସାକ୍ଷାତ୍‌ ସନାତନ ଧର୍ମ । ଏପରି ଦର୍ଶନ ମନୁଷ୍ୟର କପାଳରେ ସର୍ବଦା ଘଟେ ନାହିଁ । ଏପରି ସ୍ଥଳେ ସମାଧିସ୍ଥ ମହାପୁରୁଷଙ୍କଠାରେ କାହାର ବା ଭକ୍ତିର ଉଦ୍ରେକ ନ ହେବ ! କେଉଁ ପାଷାଣ-ହୃଦୟ ବା ବିଗଳିତ ନ ହେବ !

(୨)
ବାସାଂସି ଜୀର୍ଣ୍ଣାନି ୟଥା ବିହାୟ, ନବାନି ଗୃହ୍‌ଣାତି ନରୋଽପରାଣି ।
ତଥା ଶରୀରାଣି ବିହାୟ ଜୀର୍ଣ୍ଣାନ୍ୟନ୍ୟାନି ସଂୟାତି ନବାନି ଦେହୀ ॥ –ଗୀତା ୨.୨୨

ସମାଧିମନ୍ଦିରରେ – ଆତ୍ମା ଅବିନଶ୍ଵର – ପୱାହାରୀ ବାବା

ନୌକା ଆସି ଲାଗିଲା । ସମସ୍ତେ ଠାକୁର ଶ୍ରୀରାମକୃଷ୍ଣଙ୍କୁ ଦେଖିବା ପାଇଁ ବ୍ୟସ୍ତ । ଭିଡ଼ ହୋଇଛି । ଠାକୁରଙ୍କୁ ନିରାପଦରେ ଓହ୍ଲାଇ ଦେବା ପାଇଁ କେଶବ ବ୍ୟସ୍ତ ହେଲେ । ଠାକୁରଙ୍କୁ ଅନେକ କଷ୍ଟରେ ହୋସ୍‌ କରାଇ ଘର ଭିତରକୁ ନିଆଗଲା । ବର୍ତ୍ତମାନ ମଧ୍ୟ ଭାବସ୍ଥ । ଜଣେ ଭକ୍ତଙ୍କ ଉପରେ ଭରା ଦେଇ ଆସୁଛନ୍ତି । ପାଦ ପଡ଼ୁଛି ମାତ୍ର । କ୍ୟାବିନ୍‌ ଘରେ ପ୍ରବେଶ କଲେ । କେଶବାଦି ଭକ୍ତମାନେ ପ୍ରଣାମ କଲେ, କିନ୍ତୁ କିଛି ହୋସ୍‌ ନାହିଁ । ଘର ମଧ୍ୟରେ ଗୋଟିଏ ଟେବୁଲ, କେତୋଟି ଚୌକି । ଖଣ୍ଡେ ଚୌକିରେ ଠାକୁରଙ୍କୁ ବସାଇ ଦିଆଗଲା । କେଶବ ଖଣ୍ଡକରେ ବସିଲେ । ବିଜୟ ବସିଲେ । ଅନ୍ୟାନ୍ୟ ଯେ ଯେପରି ପାଇଲେ, ତଳେ ବସିଲେ । ଅନେକ ଲୋକଙ୍କୁ ସ୍ଥାନ ହେଲା ନାହିଁ । ସେମାନେ ବାହାରୁ ଉଙ୍କିମାରି ଦେଖୁଛନ୍ତି ।  ଠାକୁର ବସି ପୁଣି ସମାଧିସ୍ଥ । ସଂପୂର୍ଣ୍ଣ ବାହ୍ୟଜ୍ଞାନଶୂନ୍ୟ । ସମସ୍ତେ ଏକ ଦୃଷ୍ଟିରେ ଦେଖୁଛନ୍ତି ।

କେଶବ ଦେଖିଲେ ଘର ମଧ୍ୟରେ ଅନେକ ଲୋକ, ଠାକୁରଙ୍କୁ କଷ୍ଟ ହେଉଛି । ବିଜୟ ତାଙ୍କୁ ଛାଡ଼ିଯାଇ ସାଧାରଣ ବ୍ରାହ୍ମସମାଜଭୁକ୍ତ ହୋଇଛନ୍ତି ଓ ତାଙ୍କ କନ୍ୟାଙ୍କର ବିବାହ ଇତ୍ୟାଦି କାର୍ଯ୍ୟ ବିରୋଧରେ ଅନେକ ବକ୍ତୃତା ଦେଇଛନ୍ତି । ତେଣୁ ବିଜୟଙ୍କୁ ଦେଖି କେଶବ ଟିକିଏ ଅପ୍ରସ୍ତୁତ ହେଲେ । କେଶବ ଆସନ ତ୍ୟାଗ କରି ଉଠିଲେ । ଘରର ଝରକା ଖୋଲିଦେଲେ ।

ବ୍ରାହ୍ମ ଭକ୍ତମାନ ଏକ ଦୃଷ୍ଟିରେ ଚାହିଁଛନ୍ତି । ଠାକୁରଙ୍କର ସମାଧି ଭଙ୍ଗ ହେଲା । ବର୍ତ୍ତମାନ ମଧ୍ୟ ଭାବ ପୂର୍ଣ୍ଣମାତ୍ରାରେ ରହିଛି । ଠାକୁରେ ନିଜେ ନିଜେ ଅସ୍ପୁଟ ସ୍ଵରରେ କହୁଛନ୍ତି, “ମା, ମୋତେ ଏଠାକୁ କାହିଁକି ଆଣିଲୁ ? ମୁଁ କ’ଣ ଏମାନଙ୍କୁ ବନ୍ଧନରୁ ରକ୍ଷା କରିପାରିବି ?”

ଠାକୁର କ’ଣ ଦେଖୁଛନ୍ତି ଯେ, ସଂସାରୀ ବ୍ୟକ୍ତିମାନେ ପାଚେରୀ ଭିତରେ ବଦ୍ଧ, ବାହାରକୁ ଆସିପାରୁ ନାହାଁନ୍ତି, ବାହାରର ଆଲୋକ ମଧ୍ୟ ଦେଖିବାକୁ ପାଉନାହାଁନ୍ତି, ସମସ୍ତଙ୍କର ବିଷୟ-କର୍ମ, ହାତ ଗୋଡ଼ ବନ୍ଧା ! ସେମାନେ କେବଳ ଘର ଭିତରର ଜିନିଷଗୁଡ଼ିକ ଦେଖିବାକୁ ପାଉଛନ୍ତି, ଆଉ ମନେ କରୁଛନ୍ତି ଯେ, ଜୀବନର ଉଦ୍ଦେଶ୍ୟ କେବଳ ଦେହସୁଖ ଓ ବିଷୟକର୍ମ, ‘କାମିନୀ ଓ କାଞ୍ଚନ’ । ସେଥିପାଇଁ ଠାକୁର କ’ଣ ଏପରି କଥା କହିଲେ ? “ମା, ମୋତେ ଏଠାକୁ କାହିଁକି ଆଣିଲୁ? ମୁଁ କ’ଣ ଏମାନଙ୍କୁ ବନ୍ଧନରୁ ରକ୍ଷା କରିପାରିବି ?

ଠାକୁରଙ୍କର କ୍ରମେ କ୍ରମେ ବାହ୍ୟଜ୍ଞାନ ହେଉଛି । ଗାଜିପୁରର ନୀଳମାଧବ ବାବୁ ଓ ଜଣେ ବ୍ରାହ୍ମଭକ୍ତ ପଓହାରୀ ବାବାଙ୍କ କଥା ପକାଇଲେ ।

ଜଣେ ବ୍ରାହ୍ମଭକ୍ତ (ଠାକୁରଙ୍କ ପ୍ରତି) – ଆଜ୍ଞା, ଏମାନେ ସମସ୍ତେ ପଓହାରୀ ବାବାଙ୍କୁ ଦେଖିଛନ୍ତି । ସେ ଗାଜିପୁରରେ ଥାଆନ୍ତି । ଆପଣଙ୍କ ପରି ଆଉ ଜଣେ ।

ଠାକୁର ଏପର୍ଯ୍ୟନ୍ତ କଥା କହି ପାରୁନାହାଁନ୍ତି । ଈଷତ୍‌ ହାସ୍ୟ କଲେ ।

ବ୍ରାହ୍ମଭକ୍ତ (ଠାକୁରଙ୍କ ପ୍ରତି) – ମହାଶୟ, ପୱାହାରୀ ବାବା ନିଜ ଘରେ ଆପଣଙ୍କର ଫଟୋଗ୍ରାଫ୍‌ ରଖିଛନ୍ତି ।

ଠାକୁର ଈଷତ୍‌ ହାସ୍ୟ କରି କହିଲେ, “ଖୋଳଟାଏ ।”

(୩)
ୟତ୍‌ସାଂଖ୍ୟୈଃ ପ୍ରାପ୍ୟତେ ସ୍ଥାନଂ ତଦ୍‌ୟୋଗୈରପି ଗମ୍ୟତେ ।
ଏକଂ ସାଂଖ୍ୟଂ ଚ ଯୋଗଂ ଚ ୟଃ ପଶ୍ୟତି ସ ପଶ୍ୟତି ॥ — ଗୀତା ୫.୫

ଜ୍ଞାନଯୋଗ, ଭକ୍ତିଯୋଗ ଓ କର୍ମଯୋଗର ସମନ୍ୱୟ

‘ତକିଆ ଓ ତାହାର ଖୋଳ’ – ଦେହୀ ଓ ଦେହ । ଠାକୁର କ’ଣ କହୁଛନ୍ତି ଯେ, ଦେହ ବିନଶ୍ଵର, ରହିବ ନାହିଁ? ଦେହ ଭିତରେ ଯେ ଦେହୀ ସେ ଅବିନାଶୀ, ଅତଏବ ଦେହର ଫଟୋଗ୍ରାଫ୍‌ ନେଇ କଅଣ ହେବ ? ଦେହ ଅନିତ୍ୟ ପଦାର୍ଥ, ଏହା ଆଦର କରି କଅଣ ହେବ ? ବରଂ ଯେଉଁ ଭଗବାନ ଅନ୍ତର୍ଯ୍ୟାମୀ ରୂପରେ ମନୁଷ୍ୟର ହୃଦୟ ମଧ୍ୟରେ ବିରାଜ କରୁଛନ୍ତି ତାଙ୍କୁ ପୂଜା କରିବା ଉଚିତ ।

ଠାକୁର ଏବେ ଟିକିଏ ପ୍ରକୃତିସ୍ଥ ହୋଇଛନ୍ତି । କହୁଛନ୍ତି, “ତେବେ ଗୋଟିଏ କଥା ଅଛି । ଭକ୍ତର ହୃଦୟ ତାଙ୍କର ଆବାସସ୍ଥାନ । ସେ ସର୍ବଭୂତରେ ଅଛନ୍ତି ସତ୍ୟ; କିନ୍ତୁ ଭକ୍ତହୃଦୟରେ ସେ ବିଶେଷରୂପରେ ଅଛନ୍ତି । ଯେପରି କୌଣସି ଜମିଦାର ତାଙ୍କ ଜମିଦାରୀର ସବୁ ସ୍ଥାନରେ ରହିପାରନ୍ତି; କିନ୍ତୁ ଅମୁକ ବୈଠକଖାନାରେ ସେ ପ୍ରାୟ ରହନ୍ତି, ଏହା ଲୋକେ କହନ୍ତି । ଭକ୍ତର ହୃଦୟ ଭଗବାନଙ୍କ ବୈଠକଖାନା । (ସମସ୍ତଙ୍କର ଆନନ୍ଦ )

ଏକ ଈଶ୍ୱର – ତାଙ୍କର ଭିନ୍ନ ନାମ – ଜ୍ଞାନୀ, ଯୋଗୀ ଓ ଭକ୍ତ

ଜ୍ଞାନୀମାନେ ଯାହାଙ୍କୁ ବ୍ରହ୍ମ କହନ୍ତି, ଯୋଗୀମାନେ ତାହାଙ୍କୁ ହିଁ ଆତ୍ମା କହନ୍ତି, ଆଉ ଭକ୍ତମାନେ ତାଙ୍କୁ ହିଁ ଭଗବାନ କହନ୍ତି ।

ଜଣେ ବ୍ରାହ୍ମଣ – ଯେତେବେଳେ ପୂଜା କରେ, ତା’ର ନାମ ପୂଜାରୀ, ଯେତେବେଳେ ରାନ୍ଧେ, ସେତେବେଳେ ସେ ରୋଷେୟା ବ୍ରାହ୍ମଣ । ଯେ ଜ୍ଞାନୀ, ଜ୍ଞାନଯୋଗ ଧରି ରହିଛନ୍ତି; ସେ ନେତି ନେତି ବିଚାର କରନ୍ତି – ବ୍ରହ୍ମ ଏହା ନୁହେଁ, ତାହା ନୁହେଁ, ଜୀବ ନୁହେଁ, ଜଗତ୍‌ ନୁହେଁ – ଏପରି ବିଚାର କରୁ କରୁ ଯେତେବେଳେ ମନ ସ୍ଥିର ହୁଏ, ମନର ଲୟ ହୁଏ, ସମାଧି ହୁଏ, ସେତେବେଳେ ବ୍ରହ୍ମଜ୍ଞାନ । ବ୍ରହ୍ମଜ୍ଞାନୀର ଠିକ୍‌ ଧାରଣା – ବ୍ରହ୍ମ ସତ୍ୟ, ଜଗତ୍‌ ମିଥ୍ୟା । ନାମ-ରୂପ – ଏସମସ୍ତ ସ୍ଵପ୍ନପରି; ବ୍ରହ୍ମ କଅଣ ସେ କଥା ମୁହଁରେ କୁହାଯାଇପାରେ ନାହିଁ; ସେ ଜଣେ ବ୍ୟକ୍ତି (Personal God) – ଏହା ମଧ୍ୟ କହିବାର ବାଟ ନାହିଁ ।

ଜ୍ଞାନୀମାନେ ଏହିପରି କହନ୍ତି – ଯେପରି ବେଦାନ୍ତବାଦୀମାନେ । ଭକ୍ତମାନେ କିନ୍ତୁ ସବୁ ଅବସ୍ଥା ମାନନ୍ତି । ଜାଗ୍ରତ ଅବସ୍ଥାକୁ ମଧ୍ୟ ସତ୍ୟ ବୋଲି କହନ୍ତି । ଜଗତ୍‌କୁ ସ୍ଵପ୍ନବତ୍‌ କହନ୍ତି ନାହିଁ । ଭକ୍ତମାନେ କହନ୍ତି, ଏହି ଜଗତ ଭଗବାନଙ୍କର ଐଶ୍ୱର୍ଯ୍ୟ । ଆକାଶ, ନକ୍ଷତ୍ର, ଚନ୍ଦ୍ର, ପର୍ବତ, ସମୁଦ୍ର, ଜୀବ, ଜନ୍ତୁ, ଏସବୁ ଈଶ୍ୱର କରିଛନ୍ତି । ତାଙ୍କର ହିଁ ଐଶ୍ୱର୍ଯ୍ୟ । ସେ ଅନ୍ତରରେ, ହୃଦୟ ମଧ୍ୟରେ, ଆହୁରି ମଧ୍ୟ ବାହାରେ । ଉତ୍ତମ ଭକ୍ତ କହନ୍ତି – ସେ ନିଜେ ଏହି ଚତୁବିଂଶତି ତତ୍ତ୍ୱ, ଜଗତ ହୋଇଛନ୍ତି । ଭକ୍ତର ଇଚ୍ଛା ଯେ, ସେ ଚିନି ଖାଇବ । ନିଜେ ଚିନି ହେବାକୁ ଭଲପାଏ ନାହିଁ । (ସମସ୍ତଙ୍କର ହାସ୍ୟ)

ଭକ୍ତର ଭାବ କିପରି ଜାଣ ? ହେ ଭଗବାନ୍‌, ‘ତୁମେ ପ୍ରଭୁ, ମୁଁ ତୁମର ଦାସ; ତୁମେ ମା, ମୁଁ ତୁମର ସନ୍ତାନ: ଆଉ ତୁମେ ମୋର ସନ୍ତାନ, ମୁଁ ତୁମର ପିତା ବା ମାତା, ତୁମେ ପୂର୍ଣ୍ଣ, ମୁଁ ତୁମର ଅଂଶ । ଭକ୍ତ ଏପରି କହିବାକୁ ଇଚ୍ଛା କରେ ନାହିଁ ଯେ ‘ମୁଁ ବ୍ରହ୍ମ’ ।

ଯୋଗୀ ମଧ୍ୟ ପରମାତ୍ମାଙ୍କୁ ସାକ୍ଷାତ୍‌କାର କରିବାକୁ ଚେଷ୍ଟା କରେ । ଉଦ୍ଦେଶ୍ୟ ଜୀବାତ୍ମା ଓ ପରମାତ୍ମାଙ୍କର ଯୋଗ । ଯୋଗୀ ବିଷୟରୁ ମନକୁ କାଢ଼ି ନିଏ ଓ ପରମାତ୍ମାଙ୍କଠାରେ ମନ ସ୍ଥିର କରିବାକୁ ଚେଷ୍ଟା କରେ । ତେଣୁ ପ୍ରଥମ ଅବସ୍ଥାରେ ନିର୍ଜ୍ଜନରେ ସ୍ଥିର ଆସନରେ ଅନନ୍ୟମନା ହୋଇ ଧ୍ୟାନ ଚିନ୍ତା କରେ ।

କିନ୍ତୁ ଗୋଟିଏ ମାତ୍ର ବସ୍ତୁ; ନାମରେ କେବଳ ଯାହା ଭେଦ । ଯେ ବ୍ରହ୍ମ, ସେ ହିଁ ଆତ୍ମା, ସେ ହିଁ ଭଗବାନ୍‌ । ବ୍ରହ୍ମଜ୍ଞାନୀର ବ୍ରହ୍ମ, ଯୋଗୀର ପରମାତ୍ମା, ଭକ୍ତର ଭଗବାନ ।

(୪)
ତ୍ଵମେବ ସୂକ୍ଷ୍ମା ତ୍ଵଂ ସ୍ଥୁଲା ବ୍ୟକ୍ତାବ୍ୟକ୍ତସ୍ଵରୂପିଣୀ ।
ନିରାକାରାପି ସାକାରା କସ୍ତ୍ଵାଂ ବେଦିତୁମର୍ହତି ॥ — ମହାନିର୍ବାଣତନ୍ତ୍ର ୪.୧୫

ବେଦ ଓ ତନ୍ତ୍ରର ସମନ୍ଵୟ – ଆଦ୍ୟାଶକ୍ତିର ଐଶ୍ୱର୍ଯ୍ୟ

ଏଣେ ଆଗ୍ନେୟପୋତ କଲିକତା ଅଭିମୁଖେ ଚାଲିଛି । ଘର ଭିତରେ ଶ୍ରୀରାମକୃଷ୍ଣଙ୍କୁ ଯେଉଁମାନେ ଦର୍ଶନ କରୁଥିଲେ ଓ ତାଙ୍କର ଅମୃତମୟୀ ବାଣୀ ଶ୍ରବଣ କରୁଥିଲେ, ସେମାନେ ଜାହାଜ ଚାଲୁଛି କି ନାହିଁ, ଏକଥା ଜାଣିପାରିଲେ ନାହିଁ । ଭ୍ରମର ପୁଷ୍ପରେ ବସିଲେ ଆଉ କ’ଣ ଭଁ ଭଁ କରେ ?

ଆସ୍ତେ ଆସ୍ତେ ଜାହାଜ ଦକ୍ଷିଣେଶ୍ଵରଠାରୁ ଦୂରକୁ ଚାଲିଗଲା । ସୁନ୍ଦର ଦେବାଳୟର ଛବି ଦୃଶ୍ୟପଟର ବହିର୍ଭୂତ ହେଲା । ପୋତଚତ୍ରବିକ୍ଷୁବ୍‌ଧ ନୀଳାଭ ଗଙ୍ଗାବାରି ତରଙ୍ଗାୟିତ, ଫେନିଳ, କଲ୍ଲୋଳପୂର୍ଣ୍ଣ ହେବାକୁ ଲାଗିଲା । ଭକ୍ତମାନଙ୍କର କାନରେ ସେ କଲ୍ଲୋଳ ଆଉ ପହଞ୍ଚିଲା ନାହିଁ । ସେମାନେ ମୁଗ୍ଧ ହୋଇ ଦେଖୁଛନ୍ତି – ସହାସ୍ୟବଦନ, ଆନନ୍ଦମୟ, ପ୍ରେମାନୁରଞ୍ଜିତନୟନ, ପ୍ରିୟଦର୍ଶନ ଅଭୁତ ଏକ ଯୋଗୀ ! ସେମାନେ ବିଭୋର ହୋଇ ଦେଖୁଛନ୍ତି – ଜଣେ ସର୍ବତ୍ୟାଗୀ ପ୍ରେମିକ ବୈରାଗୀ ! ଈଶ୍ୱର ଭିନ୍ନ ଆଉ କିଛି ସେ ଜାଣନ୍ତି ନାହିଁ । ଏଣେ ଠାକୁରଙ୍କର କଥା ଚାଲିଛି ।

ଶ୍ରୀରାମକୃଷ୍ଣ – ବେଦାନ୍ତବାଦୀ ବ୍ରହ୍ମଜ୍ଞାନୀମାନେ କହନ୍ତି, ‘ସୃଷ୍ଟି ସ୍ଥିତି, ପ୍ରଳୟ, ଜୀବ, ଜଗତ – ଏସମସ୍ତ ଶକ୍ତି ଖେଳ । ବିଚାର କରିବାକୁ ଗଲେ, ଏସମସ୍ତ ସ୍ଵପ୍ନବତ୍‌; ବ୍ରହ୍ମ ହିଁ ବସ୍ତୁ, ଆଉ ସବୁ ଅବସ୍ତୁ । ଶକ୍ତି ମଧ୍ୟ ସ୍ଵପ୍ନବତ୍‌ ଅବସ୍ତୁ ।’

କିନ୍ତୁ ହଜାର ବିଚାର କର, ସମାଧିସ୍ଥ ନ ହେଲେ ଶକ୍ତିର ଇଲାକା ଛାଡ଼ି ଯିବାର ଯୁ ନାହିଁ । ‘ମୁଁ ଧ୍ୟାନ କରୁଛି’, ‘ମୁଁ ଚିନ୍ତା କରୁଛି’ – ଏସବୁ ଶକ୍ତି ଇଲାକା ମଧ୍ୟରେ, ଶକ୍ତିର ଐଶ୍ୱର୍ଯ୍ୟ ମଧ୍ୟରେ ।

ତେଣୁ ବ୍ରହ୍ମ ଓ ଶକ୍ତି ଅଭେଦ । ଗୋଟିକୁ ମାନିଲେ ଆଉ ଗୋଟିକୁ ମାନିବାକୁ ହୁଏ । ଯେପରି ଅଗ୍ନି ଆଉ ତାହାର ଦାହିକାଶକ୍ତି – ଅଗ୍ନି ମାନିଲେ ଦାହିକାଶକ୍ତି ମାନିବାକୁ ହୁଏ; ଦାହିକାଶକ୍ତି ବ୍ୟତୀତ ଅଗ୍ନିକୁ ଭାବି ହୁଏ ନାହିଁ । ସୂର୍ଯ୍ୟଙ୍କୁ ବାଦ ଦେଇ ସୂର୍ଯ୍ୟଙ୍କର ରଶ୍ମିକୁ ଭାବି ହୁଏ ନାହିଁ ଓ ସୂର୍ଯ୍ୟଙ୍କର ରଶ୍ମିକୁ ଛାଡ଼ି ସୂର୍ଯ୍ୟଙ୍କୁ ଭାବି ହୁଏ ନାହିଁ ।

ଦୁଧ କିପରି ? ନା, ଧଳା ଧଳା । ଦୁଧକୁ ଛାଡ଼ି ଦୁଧର ଧବଳତ୍ୱ ଭାବି ହୁଏ ନାହିଁ; ପୁଣି ଦୁଧର ଧବଳତ୍ଵକୁ ଛାଡ଼ି ଦୁଧକୁ ଭାବି ହୁଏ ନାହିଁ ।

ତେଣୁ ବ୍ରହ୍ମଙ୍କୁ ଛାଡ଼ି ଶକ୍ତିକୁ ବା ଶକ୍ତିକୁ ଛାଡ଼ି ବ୍ରହ୍ମଙ୍କୁ ଭାବି ହୁଏ ନାହିଁ । ନିତ୍ୟକୁ ଛାଡ଼ି ଲୀଳା, ଆଉ ଲୀଳାକୁ ଛାଡ଼ି ନିତ୍ୟ ଭାବି ହୁଏ ନାହିଁ ।

କେଶବ (ସହାସ୍ୟ) – କାଳୀ କେତେ ଭାବରେ ଲୀଳା କରୁଛନ୍ତି, ସେହି କଥା ଥରେ କୁହନ୍ତୁ ।

କେଶବଙ୍କ ସହିତ କଥୋପକଥନ – ମହାକାଳୀ ଓ ସୃଷ୍ଟିପ୍ରକରଣ

ଶ୍ରୀରାମକୃଷ୍ଣ (ହସି ହସି) – ସେ ନାନା ଭାବରେ ଲୀଳା କରୁଛନ୍ତି । ସେ ମହାକାଳୀ, ନିତ୍ୟକାଳୀ, ଶ୍ମଶାନକାଳୀ, ରକ୍ଷାକାଳୀ, ଶ୍ୟାମାକାଳୀ ।

ମହାକାଳୀ ଓ ନିତ୍ୟକାଳୀର କଥା ତନ୍ତ୍ରରେ ଅଛି । ଯେତେବେଳେ ସୃଷ୍ଟି ହୋଇ ନଥିଲା – ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ, ପୃଥିବୀ ନ ଥିଲେ – ନିବିଡ଼ ଅନ୍ଧକାର, ସେତେବେଳେ କେବଳ ମା ନିରାକାର ମହାକାଳୀ ମହାକାଳଙ୍କ ସଙ୍ଗରେ ବିରାଜ କରୁଥିଲେ ।

ଶ୍ୟାମାକାଳୀଙ୍କର ବହୁପରିମାଣରେ କୋମଳ ସ୍ଵଭାବ – ବରାଭୟଦାୟିନୀ । ଗୃହସ୍ଥର ଘରେ ତାଙ୍କର ପୂଜା ହୁଏ । ଯେତେବେଳେ ମହାମାରୀ, ଦୁର୍ଭିକ୍ଷ, ଭୂମିକମ୍ଫ, ଅନାବୃଷ୍ଟି, ଅତିବୃଷ୍ଟି ହୁଏ, ସେତେବେଳେ ରକ୍ଷାକାଳୀଙ୍କର ପୂଜା କରିବାକୁ ହୁଏ । ଶ୍ମଶାନକାଳୀଙ୍କର ସଂହାରମୂର୍ତ୍ତି – ଶବ, ଶିବା, ଡାକିନୀ, ଯୋଗିନୀ, ଶ୍ମଶାନ ଭିତରେ ରହନ୍ତି  – ରୁଧିରଧାରା, ଗଳାରେ ମୁଣ୍ଡମାଳା, କଟିରେ ନରହସ୍ତର କଟିବନ୍ଧନ ।

ଯେତେବେଳେ ଜଗତର ବିନାଶ ହୁଏ, ମହାପ୍ରଳୟ ହୁଏ, ସେତେବେଳେ ମା ସୃଷ୍ଟିର ବୀଜସବୁ ଗୋଟାଇ ରଖନ୍ତି । ଗୃହିଣୀ ନିକଟରେ ଯେପରି ଗୋଟିଏ ଆଳିମାଳିକା ହାଣ୍ଡିଥାଏ, ଆଉ ସେହି ହାଣ୍ଡିରେ ଗୃହିଣୀ ପାଞ୍ଚ ପ୍ରକାର ଜିନିଷ ଗୋଟାଇ ରଖେ । (କେଶବ ଓ ସମସ୍ତଙ୍କର ହାସ୍ୟ)

ଶ୍ରୀରାମକୃଷ୍ଣ (ସହାସ୍ୟ) – ହଁ ହେ, ଘରଣୀଙ୍କର ଏହିପରି ଗୋଟିଏ ହାଣ୍ଡିଥାଏ । ଭିତରେ ସମୁଦ୍ରଫେଣ, ନୀଳବଡ଼ି, କନାପୁଡ଼ିଆରେ କାକୁଡ଼ି ମଞ୍ଜି, କଖାରୁ ମଞ୍ଜି, ଲାଉ ମଞ୍ଜି, ଏହିସବୁ ରଖିଥାନ୍ତି; ଦରକାର ହେଲେ ବାହାର କରନ୍ତି । ମା ବ୍ରହ୍ମମୟୀ ସୃଷ୍ଟିନାଶ ପରେ ଏହିପରି ସବୁ ବୀଜ ଗୋଟାଇ ରଖନ୍ତି । ସୃଷ୍ଟି ପରେ ଆଦ୍ୟାଶକ୍ତି ଜଗତ ଭିତରେ ହିଁ ଥାଆନ୍ତି । ଜଗତ ପ୍ରସବ କରନ୍ତି, ଆଉ ଜଗତ ମଧ୍ୟରେ ରହନ୍ତି । ବେଦରେ ଅଛି ଉର୍ଣ୍ଣନାଭିର କଥା – ବୁଢ଼ୀଆଣୀ ଆଉ ତା’ର ଜାଲ । ବୁଢ଼ୀଆଣୀ ନିଜ ଭିତରୁ ଜାଲ ବାହାର କରେ, ଆଉ ନିଜେ ସେହି ଜାଲରେ ରହେ । ଈଶ୍ୱର ଜଗତର ଆଧାର ଓ ଆଧେୟ ଦୁଇ ।

କାଳୀବ୍ରହ୍ମ – କାଳୀ ନିର୍ଗୁଣା ଓ ସଗୁଣା

କାଳୀ କ’ଣ କଳା ? ଦୂରରୁ କଳା, ଜାଣିପାରିଲେ କଳା ନୁହେଁ ।

ଆକାଶ ଦୂରରୁ ନୀଳବର୍ଣ୍ଣ । ପାଖରେ ଦେଖ, କୌଣସି ରଙ୍ଗ ନାହିଁ । ସମୁଦ୍ରର ଜଳ ଦୂରରୁ ଦେଖିଲେ ନୀଳ, ପାଖକୁ ଯାଇ ହାତରେ ଉଠାଇ ଦେଖ, କୌଣସି ରଙ୍ଗ ନାହିଁ ।

ଏହି କଥା କହି ପ୍ରେମୋନ୍ମତ୍ତ  ହୋଇ ଠାକୁର ଶ୍ରୀରାମକୃଷ୍ଣ ଗୀତ ଗାଇଲେ –

“ମା କି ଆମାର କାଲୋରେ ।
କାଲୋରୂପେ ଦିଗମ୍ବରୀ ହୃତ୍‌ପଦ୍ମ କରେ ଆଲୋ ରେ ॥”

(୫)
ତ୍ରିଭିର୍ଗୁଣମୟୈର୍ଭାବୈରେଭିଃ ସର୍ବମିଦଂ ଜଗତ୍‌ ।
ମୋହିତଂ ନାଭିଜାନାତି ମାମେଭ୍ୟଃ ପରମବ୍ୟୟମ୍‌ ॥ — ଗୀତା ୭.୧୩

ଏ ସଂସାର କାହିଁକି ?

ଶ୍ରୀରାମକୃଷ୍ଣ (କେଶବାଦି ଭକ୍ତମାନଙ୍କ ପ୍ରତି) – ବନ୍ଧନ ଆଉ ମୁକ୍ତି, ଉଭୟର କର୍ତ୍ତା ମଧ୍ୟ ସେହି । ତାଙ୍କର ମାୟାରେ ସଂସାରୀ ଜୀବ କାମିନୀ ଓ କାଞ୍ଚନରେ ବଦ୍ଧ, ପୁଣି ତାଙ୍କର ଦୟା ହେଲାମାତ୍ରେ ମୁକ୍ତ ହୋଇଯାଏ । ସେ ‘ଭବବନ୍ଧନର ବନ୍ଧନହାରିଣୀ ତାରିଣୀ’ ।

ଏହା କହି ଠାକୁର ଗନ୍ଧର୍ବନିନ୍ଦିତକଣ୍ଠରେ ରାମପ୍ରସାଦଙ୍କର ଗୀତ ଗାଇଲେ –

“ଶ୍ୟାମା ମା ଭଡ଼ାଚ୍ଛେ ଘୁଡ଼ି (ଭବ-ସଂସାର-ବାଜାର ମାଝେ)
ଆଶା-ବାୟୁ ଭରେ ଉଡ଼େ, ବାଁଧା ତାହେ ମାୟାଦଡ଼ୀ ॥…
ବିଷୟେ ମେଜେଛ ମାଞ୍ଜା, କର୍କଶା ହଯେଛେ ଦଡ଼ି ।
ଘୁଡ଼ି ଲକ୍ଷେର ଦୁଟା ଏକଟା କାଟେ, ହେସେ ଦାଓ ମା ହାତଚାପଡ଼ି ॥…

ସେ ଲୀଳାମୟୀ, ଏ ସଂସାର ତାଙ୍କର ଲୀଳା । ସେ ଇଚ୍ଛାମୟୀ, ଆନନ୍ଦମୟୀ । ଲକ୍ଷେକରେ ଜଣେ ଦୁଇଜଣଙ୍କୁ ମୁକ୍ତି ଦିଅନ୍ତି ।

ବ୍ରାହ୍ମଭକ୍ତ – ମହାଶୟ, ସେ ତ ଇଚ୍ଛା କଲେ ସମସ୍ତଙ୍କୁ ମୁକ୍ତି ଦେଇପାରନ୍ତି । ତେବେ କାହିଁକି ଆମକୁ ସଂସାରରେ ବଦ୍ଧ କରି ରଖିଛନ୍ତି ?

ଶ୍ରୀରାମକୃଷ୍ଣ – ତାଙ୍କର ଇଚ୍ଛା । ତାଙ୍କର ଇଚ୍ଛା ଯେ, ସେ ଏସବୁ ନେଇ ଲୀଳାକରିବେ । ବୁଢ଼ୀକୁ ଆଗରୁ ଛୁଇଁଦେଲେ, ଆଉ ଦୌଡ଼ାଦୌଡ଼ି ହୁଏ ନାହିଁ । ସମସ୍ତେ ଯଦି ଛୁଇଁ ଦେବେ ତାହାହେଲେ ଖେଳ ହେବ କିପରି ? ସମସ୍ତେ ଛୁଇଁ ଦେଲେ ବୁଢ଼ୀ ଅସନ୍ତୁଷ୍ଟ ହୁଏ । ଖେଳ ଚାଲୁଥିଲେ ବୁଢ଼ୀର ଆହ୍ଲାଦ ହୁଏ । ତେଣୁ ‘ଲକ୍ଷେର ଦୁଟା ଏକଟା କାଟେ, ହେସେ ଦାଓ ମା ହାତଚାପଡ଼ି’ । (ସମସ୍ତଙ୍କର ଆନନ୍ଦ)

ସେ ମନକୁ ଆଖି ଠାରି ଇସାରା କରି କହିଦେଇଛନ୍ତି – ଯା, ବର୍ତ୍ତମାନ ସଂସାର କରିବୁ ଯା । ମନର କି ଦୋଷ ? ସେ ଯଦି ପୁଣି ଦୟା କରି ମନକୁ ଫେରାଇ ନିଅନ୍ତି, ତାହା ହେଲେ ବିଷୟବୁଦ୍ଧି  ହାତରୁ ମୁକ୍ତି ମିଳେ । ସେତେବେଳେ ପୁଣି ତାଙ୍କର ପାଦ-ପଦ୍ମରେ ମନ ରହେ !

ଠାକୁର ସଂସାରୀ-ଭାବରେ ମାଆଙ୍କ ନିକଟରେ ଅଭିମାନ କରି ଗୀତ ଗାଇଲେ –

“ଆମି ଏଇ ଖେଦେ ଖେଦ କରି ।
ତୁମି ମାତା ଥାକ୍‌ତେ ଆମାର ଜାଗାଘରେ ଚୁରି ॥
ମନେ କରି ତୋମାର ନାମ କରି, କିନ୍ତୁ ସମୟେ ପାସୋରି ।…
ପ୍ରସାଦ ବଲେ ମନ ଦିୟେଛ, ମନରେ ଆଁଖିଠାରି ।
(ଓମା) ତୋମାର ସୃଷ୍ଟି ଦୃଷ୍ଟିପୋଡ଼ା, ମିଷ୍ଟି ବଲେ ଘୂରି ॥

ତାଙ୍କରି ମାୟାରେ ଭୁଲି ମନୁଷ୍ୟ ସଂସାରୀ ହୋଇଛି । ‘ପ୍ରସାଦ ବଲେ ମନ ଦିୟେଛ ମନରେ ଆଁଖିଠାରି ।’

କର୍ମଯୋଗ ସମ୍ବନ୍ଧରେ ଶିକ୍ଷା – ସଂସାର ଓ ନିଷ୍କାମ କର୍ମ

ବ୍ରାହ୍ମଭକ୍ତ – ମହାଶୟ, ସମସ୍ତ ତ୍ୟାଗ ନ କଲେ କ’ଣ ଈଶ୍ୱରଲାଭ ହେବ ନାହିଁ ?
ଶ୍ରୀରାମକୃଷ୍ଣ ( ସହାସ୍ୟ ) – ନା ହେ, ତୁମମାନଙ୍କୁ ସବୁ ତ୍ୟାଗ କରିବାକୁ ହେବ କାହିଁକି ? ତୁମେମାନେ ତ ବେଶ୍‌ ହସ ଖୁସି ମଜାରେ ଅଛ । “ସା-ରେ-ମା-ତେ’ ! ନକ୍ସ ଖେଳ ଜାଣ ? ମୁଁ ବେଶୀ କାଟି ଜଳିଯାଇଛି । ତୁମେ ଭାରୀ ଚାଲାକ୍‌ । କେହି ଦଶରେ ଅଛ, କେହି ଛଅରେ ଅଛ, କେହି ପାଞ୍ଚରେ ଅଛ । ବେଶୀ କଟାଇ ନାହଁ, ତେଣୁ ମୋ ପରି ଜଳି ଯାଇନାହଁ । ଖେଳ ଚାଲିଛି, ଏ ତ ବେଶ୍‌ ! (ସମସ୍ତଙ୍କର ହାସ୍ୟ)

ସତ କହୁଛି, ତୁମେମାନେ ସଂସାର କରୁଛ, ଏଥିରେ ଦୋଷ ନାହିଁ । ତେବେ ଈଶ୍ୱରଙ୍କଠାରେ ମନ ରଖିବାକୁ ହେବ । ତାହା ନ ହେଲେ ହେବ ନାହିଁ । ଗୋଟିଏ ହାତରେ କାମ କର, ଆର ହାତରେ ଈଶ୍ୱରଙ୍କୁ ଧରି ରହ । କର୍ମ ଶେଷ ହେଲେ ଦୁଇ ହାତରେ ଈଶ୍ୱରଙ୍କୁ ଧରିବ ।

ମନ ନେଇ କଥା । ମନରେ ହିଁ ବଦ୍ଧ ମନରେ ହିଁ ମୁକ୍ତି । ମନକୁ ଯେଉଁ ରଙ୍ଗରେ ରଙ୍ଗାଇବ, ତାହା ସେହି ରଙ୍ଗର ହୋଇଯିବ । ଯେପରି ଧୋବାଘରର ଲୁଗା । ନାଲିରେ ବୁଡ଼ାଅ ନାଲି, ନୀଳରେ ବୁଡ଼ାଅ ନୀଳ, ସବୁଜରେ ରଙ୍ଗାଅ ସବୁଜ । ଯେଉଁ ରଙ୍ଗରେ ବୁଡ଼ାଅ, ସେହି ରଙ୍ଗର ହୋଇଯିବ । ଦେଖୁନ, ଯଦି ଟିକିଏ ଇଂରାଜୀ ପଢ଼ିବ, ତାହା ହେଲେ ମୁହଁରୁ ସଙ୍ଗେ ସଙ୍ଗେ ଇଂରାଜୀ କଥା ବାହାରିବ । ଫୁଟ୍‌ ଫାଟ୍‌, ଇଟ୍‌ମିଟ୍‌ । (ସମସ୍ତଙ୍କର ହାସ୍ୟ) । ପୁଣି ପାଦରେ ବୁଟ୍‌ ଜୋତା, ସୁଶୁରି ମାରି ଗୀତ ଗାଇବା, ଏହିସବୁ ଆସି ଜୁଟିବ । ପୁଣି ଯଦି ପଣ୍ଡିତ ସଂସ୍କୃତ ପଢ଼େ, ତାହା ହେଲେ ସଙ୍ଗେ ସଙ୍ଗେ ଶ୍ଳୋକ ଝାଡ଼ିବ । ମନକୁ ଯଦି କୁସଙ୍ଗରେ ରଖ, ତାହା ହେଲେ ସେହି ପ୍ରକାର କଥାବାର୍ତ୍ତା, ଚିନ୍ତା ହୋଇଯିବ । ଯଦି ଭକ୍ତଙ୍କ ସଙ୍ଗରେ ରଖ, ତାହା ହେଲେ ଈଶ୍ୱର-ଚିନ୍ତା, ହରିକଥା, ଏହିସବୁ ହେବ ।

ମନ ନେଇ ସବୁ । ଏକ ପାଖରେ ସ୍ତ୍ରୀ, ଅନ୍ୟ ପାଖରେ ସନ୍ତାନ; ଜଣକୁ ଗୋଟିଏ ଭାବରେ, ସନ୍ତାନକୁ ଆଉ ଗୋଟିଏ ଭାବରେ ଆଦର କରେ; କିନ୍ତୁ ମନ ଗୋଟିଏ ।

(୬)
ସର୍ବଧର୍ମାନ୍‌ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ।
ଅହଂ ତ୍ଵା ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ ॥ — ଗୀତା ୧୮.୬୬

ବ୍ରାହ୍ମମାନଙ୍କୁ ଉପଦେଶ – ଖ୍ରୀଷ୍ଟଧର୍ମ, ବ୍ରାହ୍ମସମାଜ ଓ ପାପବାଦ

ଶ୍ରୀରାମକୃଷ୍ଣ (ବ୍ରାହ୍ମଭକ୍ତଙ୍କ ପ୍ରତି) – ମନରେ ବଦ୍ଧ, ମନରେ ହିଁ ମୁକ୍ତ । ମୁଁ ମୁକ୍ତ ପୁରୁଷ – ସଂସାରରେ ରହେ ବା ଅରଣ୍ୟରେ ଥାଏ, ମୋର ବନ୍ଧନ କ’ଣ ? ମୁଁ ଈଶ୍ୱରଙ୍କର ସନ୍ତାନ, ରାଜାଧିରାଜଙ୍କର ପୁତ୍ର, ମୋତେ ପୁଣି କିଏ ବାନ୍ଧିବ ? ଯଦି ସାପ କାମୁଡ଼େ, ତେବେ ‘ବିଷ ନାହିଁ’ ବୋଲି ଜୋର୍‌ କରି କହିଲେ ବିଷ ଛାଡିଯାଏ । ସେହିପରି ‘ମୁଁ ବଦ୍ଧ ନୁହେଁ’ ‘ମୁଁ ମୁକ୍ତ’ – ଏହି କଥା ଜୋର୍‌ କରି କହୁ କହୁ ମୁକ୍ତ ହିଁ ହୋଇଯାଏ ।

ପୂର୍ବକଥା – ଶ୍ରୀରାମକୃଷ୍ଣଙ୍କର ବାଇବେଲ ଶ୍ରବଣ – କୃଷ୍ଣକିଶୋରର ବିଶ୍ୱାସ

ଖ୍ରୀଷ୍ଟିଆନ୍‌ଙ୍କର ଖଣ୍ଡିଏ ବହି ଜଣେ ଆଣିଦେଲା । ମୁଁ ପଢ଼ି ଶୁଣାଇବାକୁ କହିଲି । ସେଥିରେ କେବଳ ‘ପାପ’ ଆଉ ‘ପାପ’ । (କେଶବଙ୍କ ପ୍ରତି) ତୁମ ବ୍ରାହ୍ନସମାଜରେ ମଧ୍ୟ କେବେଳ ‘ପାପ’ । ଯେଉଁ ଲୋକ ‘ମୁଁ ବଦ୍ଧ, ମୁଁ ବଦ୍ଧ’ ବୋଲି ବାରମ୍ବାର କହେ, ସେ ଶଳା ବଦ୍ଧ ହୋଇଯାଏ । ରାତିଦିନ ଯିଏ ‘ମୁଁ ପାପୀ, ମୁଁ ପାପୀ’ ବୋଲି କହୁଥାଏ, ସେ ସେଇୟା ହିଁ ହୋଇଯାଏ ।

ଈଶ୍ୱରଙ୍କ ନାମରେ ଏପରି ବିଶ୍ୱାସ ହେବା ଦରକାର – କଣ ! ମୁଁ ତାଙ୍କର ନାମ ନେଇଛି, ମୋର ପୁଣି ପାପ କ’ଣ ! ମୋର ପୁଣି ବନ୍ଧନ କ’ଣ ? ଭଗବାନଙ୍କର ନାମ ନେଲେ ମନୁଷ୍ୟର ଦେହ ମନ ସବୁ ଶୁଦ୍ଧ ହୋଇଯାଏ ।

କେବଳ ‘ପାପ’ ଆଉ ‘ନରକ’ ଏସବୁ କଥା କାହିଁକି ? ଥରେ କୁହ ଯେ, ଅନ୍ୟାୟ କାମ ଯାହା କରିଛି, ଆଉ କରିବି ନାହିଁ । ଆଉ ତାଙ୍କ ନାମରେ ବିଶ୍ଵାସ କର ।

ଠାକୁର ପ୍ରେମୋନ୍ମତ୍ତ ହୋଇ ଗାଇଲେ —
“ଆମି ଦୁର୍ଗା ଦୁର୍ଗା ବୋଲେ ମା ଯଦି ମରି ।…”

ମୁଁ ମା’ଙ୍କ ନିକଟରେ କେବଳ ଭକ୍ତି ଚାହିଁଥିଲି । ହାତରେ ଫୁଲ ନେଇ ମା’ଙ୍କ ପାଦପଦ୍ମରେ ଦେଇଥିଲି, କହିଥିଲି – ମା, ଏଇ ନିଅ ତୁମର ପାପ, ଏଇ ନିଅ ତୁମର ପୁଣ୍ୟ, ମୋତେ ଶୁଦ୍ଧା ଭକ୍ତି ଦିଅ; ଏଇ ନିଅ ତୁମର ଜ୍ଞାନ, ଏଇ ନିଅ ତୁମର ଅଜ୍ଞାନ, ମୋତେ ଶୁଦ୍ଧା ଭକ୍ତି ଦିଅ; ଏଇ ନିଅ ତୁମର ଶୁଚି, ଏଇ ନିଅ ତୁମର ଅଶୁଚି, ମୋତେ ଶୁଦ୍ଧା ଭକ୍ତି ଦିଅ; ଏଇ ନିଅ ତୁମର ଧର୍ମ, ଏଇ ନିଅ ତୁମର ଅଧର୍ମ, ମୋତେ ଶୁଦ୍ଧା ଭକ୍ତି ଦିଅ ।

ବ୍ରାହ୍ମସମାଜ ଓ ଜନକରାଜା – ଗୃହସ୍ଥର ଉପାୟ –  ନିର୍ଜ୍ଜନବାସ ଓ ବିବେକ

ଶ୍ରୀରାମକୃଷ୍ଣ – ସଂସାରରେ ଈଶ୍ୱର-ଲାଭ ହେବ ନାହିଁ କାହିଁକି ? ଜନକଙ୍କର ହୋଇଥିଲା । …କିନ୍ତୁ ଭୁସ୍‌କରି କ’ଣ ଜନକରାଜା ହୋଇଯିବ ? ଜନକରାଜା ନିର୍ଜ୍ଜନରେ ଅନେକ ତପସ୍ୟା କରିଥିଲେ । ସଂସାରରେ ରହି ମଧ୍ୟ ଥରେ ଥରେ ନିର୍ଜ୍ଜନରେ ବାସ କରିବାକୁ ହୁଏ । ସଂସାରର ବାହାରକୁ ଯାଇ ଯଦି ଏକୁଟିଆ ଭଗବାନଙ୍କ ପାଇଁ ତିନି ଦିନ କାନ୍ଦିପାର, ସେ ବି ଭଲ । ଏପରିକି ଅବସର ପାଇ ଯଦି ଦିନେ ମାତ୍ର ତାଙ୍କୁ ଚିନ୍ତା କରିପାର, ତା’ ମଧ୍ୟ ଭଲ । ନିର୍ଜ୍ଜନରେ ରହି ମଝିରେ ମଝିରେ ଭଗବାନଙ୍କ ପାଇଁ ସାଧନା କରିବାକୁ ହୁଏ । ସଂସାର ଭିତରେ, କର୍ମ ଭିତରେ ରହି ପ୍ରଥମାବସ୍ଥାରେ ମନ ସ୍ଥିର କରିବାରେ ଅନେକ ବାଧା ଆସେ । ଫୁଟ୍‌ପାଥ୍‌ର ଗଛ ଯେତେବେଳେ ଚାରା ଥାଏ, ବାଡ଼ ନ ଦେଲେ ଗୋରୁ ଛେଳି ଖାଇଯାଆନ୍ତି । ପ୍ରଥମାବସ୍ଥାରେ ବାଡ଼ ଦେବାକୁ ହୁଏ; ଗଣ୍ଡି ହେଲେ ଆଉ ବାଡ଼ ଦରକାର ହୁଏ ନାହିଁ । ସେତେବେଳେ ଗଣ୍ଡିରେ ହାତୀ ବାନ୍ଧିଦେଲେ ମଧ୍ୟ କିଛି ହୁଏ ନାହିଁ ।

ରୋଗଟି ହେଉଛି ବିକାର । ପୁଣି ଯେଉଁ ଘରେ ବିକାର-ରୋଗୀ, ସେହି ଘରେ ପାଣିମାଠିଆ ଆଉ ତେନ୍ତୁଳି ଆଚ଼ାର ! ଯଦି ବିକାରର ରୋଗୀକୁ ଭଲ କରିବାକୁ ଚାହଁ, ତେବେ ସେଗୁଡ଼ିକୁ ସେଠାରୁ କାଢ଼ି ନେବାକୁ ହେବ । ସଂସାରୀ ଜୀବ – ବିକାର-ରୋଗୀ; ବିଷୟ – ପାଣିମାଠିଆ; ବିଷୟ – ଭୋଗତୃଷ୍ଣା – ଜଳତୃଷ୍ଣା । ତେନ୍ତୁଳି-ଆଚାର ଭାବିଲେ ହିଁ ଜିଭରୁ ଲାଳ ବାହାରେ, ପାଖକୁ ଆଣିବା ଦରକାର ନାହିଁ । ଏପରି ଜିନିଷ ମଧ୍ୟ ଘରେ ରହିଛି – ଯୋଷିତ୍ସଙ୍ଗ । ତେଣୁ ନିର୍ଜ୍ଜନରେ ଚିକିତ୍ସା ଦରକାର ।

ବିବେକ-ବୈରାଗ୍ୟ ଲାଭ କରି ସଂସାର କରିବାକୁ ହୁଏ । ସଂସାର-ସମୁଦ୍ରରେ କାମକ୍ରୋଧାଦି କୁମ୍ଭୀର ଅଛନ୍ତି । ଦେହରେ ହଳଦି ଲଗାଇ ପାଣିକୁ ଗଲେ କୁମ୍ଭୀରର ଭୟ ରହେ ନାହିଁ । ବିବେକ-ବୈରାଗ୍ୟ ହଳଦି । ସଦସତ୍‌-ବିଚାରର ନାମ ବିବେକ । ଈଶ୍ୱର ସତ୍‌, ନିତ୍ୟବସ୍ତୁ; ଆଉସବୁ ଅସତ୍‌, ଅନିତ୍ୟ, ଦୁଇଦିନ ପାଇଁ । ଏହି ବୋଧ, ଆଉ ଈଶ୍ୱରଙ୍କ ଉପରେ ଅନୁରାଗ । ତାଙ୍କ ଉପରେ ଟାଣ – ଭଲପାଇବା । ଗୋପୀମାନଙ୍କର କୃଷ୍ଣଙ୍କ ଉପରେ ଯେପରି ଟାଣ ଥିଲା । ଗୋଟିଏ ଗୀତ ଶୁଣ :

ଆଉ ଉପାୟ – ଈଶ୍ୱରଙ୍କଠାରେ ଅନୁରାଗ – ଗୋପୀମାନଙ୍କ ଭଳି ଟାଣ ବା ସ୍ନେହ

ଗୀତ – ବଂଶୀ ବାଜିଲ ବିପିନେ… ଇତ୍ୟାଦି ।

ଠାକୁର ଅଶ୍ରୁପୂର୍ଣ୍ଣ ନୟନରେ ଏହି ଗୀତଟି ଗାଇ ଗାଇ କେଶବାଦି ଭକ୍ତମାନଙ୍କୁ କହିଲେ, “ରାଧାକୃଷ୍ଣ ମାନ ବା ନ ମାନ, ଏହି ଟାଣଟିକକ ନେବ; ଭଗବାନଙ୍କ ପାଇଁ କେଉଁଥିରେ ଏହିପରି ବ୍ୟାକୁଳତା ହୁଏ, ଚେଷ୍ଟା କର । ବ୍ୟାକୁଳତା ଥିଲେ ହିଁ ତାଙ୍କୁ ଲାଭ କରାଯାଏ ।

(୭)
ସଂନିୟମ୍ୟେନ୍ଦିୟଗ୍ରାମଂ ସର୍ବତ୍ର ସମବୁଦ୍ଧୟଃ ।
ତେ ପ୍ରାପ୍ନୁବନ୍ତି ମାମେବ ସର୍ବଭୂତହିତେ ରତାଃ ॥ — ଗୀତା ୧୨.୪

ଶ୍ରୀଯୁକ୍ତ କେଶବ ସେନଙ୍କ ସହିତ ନୌକା ବିହାର – ସର୍ବଭୂତହିତେ ରତାଃ

ଗଙ୍ଗାରେ ଜୁଆର ଯାଇ ଭଟ୍ଟା ପଡ଼ିଲା । ଜାହାଜଟି କଲିକତା ଅଭିମୁଖରେ ଦ୍ରୁତ ଗତିରେ ଚାଲିଛି । ପୋଲ ପାର ହୋଇ କମ୍ପାନୀର ବଗିଚା ଆଡ଼କୁ ଆଉ କିଛିଟା ବୁଲି ଆସିବା ପାଇଁ କ୍ୟାପ୍‌ଟେନଙ୍କୁ ହୁକୁମ ହୋଇଛି । କେତେ ଦୂର ଜାହାଜ ଯାଇଥିଲା – ଅନେକଙ୍କର ଜ୍ଞାନ ନାହିଁ – ସେମାନେ ମଗ୍ନ ହୋଇ ଶ୍ରୀରାମକୃଷ୍ଣଙ୍କର କଥା ଶୁଣୁଛନ୍ତି । କେତେ ସମୟ ହେଲାଣି ଖିଆଲ ନାହିଁ ।

ଏଥର ମୁଢ଼ି ନଡ଼ିଆ ଖିଆ ହେଉଛି । ସମସ୍ତେ କିଛି କିଛି ଅଣ୍ଟିରେ ନେଲେ ଓ ଖାଇବାକୁ ଲାଗିଲେ । ଆନନ୍ଦର ହାଟ । କେଶବ ମୁଢ଼ି ଆୟୋଜନ କରିଥିଲେ । ଏତିକି ବେଳେ ଠାକୁରେ ଦେଖିଲେ – ବିଜୟ ଓ କେଶବ ଦୁଇଜଣଯାକ ସଙ୍କୁଚିତ ଭାବରେ ବସିଛନ୍ତି । ଯେପରି ଦୁଇଜଣ ଅବୋଧ ବାଳକଙ୍କ ଭିତରେ ମିଳାମିଶା କରାଇଦେବେ, ସେହିପରି ଭାବରେ ଠାକୁରେ କଥା କହୁଛନ୍ତି !

ଶ୍ରୀରାମକୃଷ୍ଣ (କେଶବଙ୍କ ପ୍ରତି) – ଆହେ ! ଏଇ ବିଜୟ ଆସିଛନ୍ତି । ତୁମର ଝଗଡ଼ା ବିବାଦ – ଯେପରି ଶିବ ଓ ରାମଙ୍କର ଯୁଦ୍ଧ (ହାସ୍ୟ) । ରାମଙ୍କର ଗୁରୁ ଶିବ । ଯୁଦ୍ଧ ବି ହେଲା, ଦୁଇଜଣଙ୍କର ମିଳାମିଶା ବି ହେଲା । କିନ୍ତୁ ଶିବଙ୍କର ଭୁତପ୍ରେତ ଆଉ ରାମଙ୍କର ମାଙ୍କଡଙ୍କ ଭିତରେ ଝଗଡା କିଚିରି-ମିଚିରି ଆଉ ନ ତୁଟେ (ଉଚ୍ଚ ହାସ୍ୟ) । ନିଜ ଲୋକ – ଏପରି ହୋଇଥାଏ । ଲବ-କୁଶ ତ ପୁଣି ରାମଙ୍କ ସହିତ ଯୁଦ୍ଧ କରିଥିଲେ । ପୁଣି ଜାଣ, ମା ଝିଅ ଅଲଗା ମଙ୍ଗଳବାର କରନ୍ତି ! ମା’ର ମଙ୍ଗଳ ଓ ଝିଅର ମଙ୍ଗଳ ଯେପରି ଅଲଗା ! କିନ୍ତୁ ଏହାର ମଙ୍ଗଳରେ ତା’ର ମଙ୍ଗଳ ହୁଏ, ତା’ର ମଙ୍ଗଳରେ ଏହାର ମଙ୍ଗଳ ହୁଏ । ସେମିତି ତୁମମାନଙ୍କ ଭିତରୁ ଏହାଙ୍କର ଗୋଟିଏ ସମାଜ ଅଛି, ପୁଣି ତାଙ୍କର ଗୋଟିଏ ଦରକାର (ସମସ୍ତଙ୍କର ହାସ୍ୟ) । ତେବେ, ଏସବୁ ଦରକାର । ଯଦି କୁହ, ଭଗବାନ ନିଜେ ଲୀଳା କରିଛନ୍ତି, ସେଠାରେ ‘ଜଟିଳାକୁଟିଳା’ ର କ’ଣ ଦରକାର ? ‘ଜଟିଳା-କୁଟିଳା’ ନ ରହିଲେ ଲୀଳା ‘ପୁଷ୍ଟି’ ହୁଏ ନାହିଁ (ସମସ୍ତଙ୍କର ହାସ୍ୟ) । ‘ଜଟିଳା-କୁଟିଳା’ ନ ରହିଲେ ଜମେ ନାହିଁ । (ଉଚ୍ଚ ହାସ୍ୟ)

ରାମାନୁଜ ବିଶିଷ୍ଟାଦ୍ୱୈତବାଦୀ । ତାଙ୍କର ଗୁରୁ ଥିଲେ ଅଦ୍ୱୈତବାଦୀ । ଶେଷରେ ଦୁଇଜଣଙ୍କ ମଧ୍ୟରେ ମତାନ୍ତର । ଗୁରୁଶିଷ୍ୟ ପରସ୍ପରଙ୍କ ମତ ଖଣ୍ଡନ କରିବାକୁ ଲାଗିଲେ । ଏହିଭଳି ପ୍ରାୟ ହୋଇଥାଏ । ଯାହାହେଉ, ତେବେ ଆପଣାର ଲୋକ ।

(୮)
ପିତାସି ଲୋକସ୍ୟ ଚରାଚରସ୍ୟ ତ୍ଵମସ୍ୟ ପୂଜ୍ୟଶ୍ଚ ଗୁରୁର୍ଗରୀୟାନ୍‌ ।
ନ ତ୍ଵତ୍ସମୋଽସ୍ତ୍ୟଭ୍ୟଧିକଃ କୁତୋଽନ୍ୟ ଲୋକତ୍ରୟେଽପ୍ୟପ୍ରତିମପ୍ରଭାବ ॥ — ଗୀତା ୧୧.୪୩

କେଶବକୁ ଶିକ୍ଷା – ଗୁରୁଗିରି ଓ ବ୍ରାହ୍ମସମାଜ – ଗୁରୁ ଏକ ସଚ୍ଚିଦାନନ୍ଦ

ସମସ୍ତେ ଆନନ୍ଦ କରୁଛନ୍ତି । ଠାକୁରେ କେଶବଙ୍କୁ କହୁଛନ୍ତି, “ତୁମେ ପ୍ରକୃତି ଦେଖି ଶିଷ୍ୟ କରୁନ, ତେଣୁ ଏପରି ଭାଙ୍ଗି ଭାଙ୍ଗି ଯାଉଛି ।”

ମଣିଷମାନେ ଦେଖିବାକୁ ସବୁ ଏକାପରି, କିନ୍ତୁ ଭିନ୍ନ ଭିନ୍ନ ପ୍ରକୃତି । କାହା ଭିତରେ ସତ୍ତ୍ଵଗୁଣ ବେଶୀ, କାହାର ରଜୋଗୁଣ ବେଶୀ, କାହାର ତମୋଗୁଣ । ପୁଳିସବୁ ଦେଖିବାକୁ ଏକାପରି; କିନ୍ତୁ କାହା ଭିତରେ କ୍ଷୀରର ପୁର, କାହା ଭିତରେ ନଡ଼ିଆପୁର, ଆଉ କାହା ଭିତରେ ବିରିଡାଲିପୁର । (ସମସ୍ତଙ୍କର ହାସ୍ୟ)

ମୋର କି ଭାବ ଜାଣ ? ମୁଁ ଖାଏ ପିଏ ରହେ, ଆଉ ସବୁ ମା ଜାଣେ । ତିନୋଟି କଥାରେ ମୋ ଦେହରେ କଣ୍ଟା ଫୁଟେ – ଗୁରୁ, କର୍ତ୍ତା ଆଉ ବାବା ।

ଗୁରୁ ଏକ ସଚ୍ଚିଦାନନ୍ଦ । ସେ ହିଁ ଶିକ୍ଷା ଦେବେ । ମୋର ସନ୍ତାନ ଭାବ । ମନୁଷ୍ୟ-ଗୁରୁ ଲକ୍ଷ ଲକ୍ଷ ମିଳେ । ସମସ୍ତେ ଗୁରୁ ହେବାକୁ ଚାହାଁନ୍ତି । ଶିଷ୍ୟ ହେବାକୁ କିଏ ଚାହେଁ ?

ଲୋକଶିକ୍ଷା ଦେବା ଅତି କଠିନ । ଯଦି ସେ ସାକ୍ଷାତ୍‌କାର ହୁଅନ୍ତି ଏବଂ ଆଦେଶ ଦିଅନ୍ତି, ତାହା ହେଲେ ହୋଇପାରେ । ନାରଦ, ଶୁକଦେବାଦି, ଶଙ୍କର – ଏମାନଙ୍କୁ ଆଦେଶ ମିଳିଥିଲା । ଆଦେଶ ନ ପାଇଲେ ତୁମ କଥା କିଏ ଶୁଣିବ ?

ପୁଣି ମନେ ମନେ ଆଦେଶ ଦେଲେ ହୁଏ ନାହିଁ । ସେ ପ୍ରକୃତରେ ସାକ୍ଷାତ୍‌କାର ହୁଅନ୍ତି ଓ କଥା କୁହନ୍ତି । ସେତେବେଳେ ଆଦେଶ ହୋଇପାରେ । ସେକଥାର କେତେ ଜୋର୍‌ ! ପର୍ବତ ଟଳି ପଡ଼େ । ଖାଲି ଲେକ୍ଚର ? ଦିନାକେତେ ଲୋକେ ଶୁଣିବେ, ତା’ ପରେ ଭୁଲିଯିବେ । କଥା ଅନୁସାରେ କାମ କରିବେ ନାହିଁ ।

ପୂର୍ବକଥା – ଭାବଚକ୍ଷୁରେ ହାଲ୍‌ଦାର ପୋଖରୀ ଦର୍ଶନ

ସେ ଦେଶରେ (କାମାରପୁକୁରରେ) ହାଲ୍‌ଦାର ପୋଖରୀ ବୋଲି ଗୋଟିଏ ପୋଖରୀ ଅଛି । ପୋଖରୀ-ବନ୍ଧରେ ପ୍ରତିଦିନ ଲୋକେ ଭୋରବେଳେ ମଳତ୍ୟାଗ କରନ୍ତି । ସକାଳେ ଯେଉଁମାନେ ଆସନ୍ତି, ଖୁବ୍‌ ଗାଳିଗୁଲଜ କରନ୍ତି । ତା’ପରଦିନ ମଧ୍ୟ ସେହିପରି । ଯେଉଁ ମଇଳାକୁ ସେଇ ମଇଳା । ଲୋକମାନେ କମ୍ପାନୀକୁ ଜଣାଇଦେଲେ । ସେମାନେ ଜଣେ ଚାପରାସୀ ପଠାଇଦେଲେ । ଚାପରାସୀ କାଗଜରେ ଲେଖି ନୋଟିସ୍‌ ମାରିଦେଲା – ‘ଏଠାରେ ମଳତ୍ୟାଗ ନିଷିଦ୍ଧ’; ସେତେବେଳେ ସବୁ ବନ୍ଦ । (ସମସ୍ତଙ୍କର ହାସ୍ୟ)

ଆଦେଶ ନ ଥିଲେ – ‘ମୁଁ ଲୋକଶିକ୍ଷା ଦେଉଛି’ – ଏହି ଅହଂକାର ହୁଏ । ଅଜ୍ଞାନରୁ ଅହଂକାର ହୁଏ । ଅଜ୍ଞାନରୁ ବୋଧହୁଏ, ‘ମୁଁ କର୍ତ୍ତା’ । ‘ଈଶ୍ୱର କର୍ତ୍ତା, ଈଶ୍ୱର ହିଁ ସବୁ କରୁଛନ୍ତି’ -ଏହି ବୋଧ ହେଲେ ତ ସେ ଜୀବନ୍‌ମୁକ୍ତ ! ‘ମୁଁ କର୍ତ୍ତା’ – ଏହି ବୋଧରୁ ହିଁ ଯେତେ ଦୁଃଖ, ଅଶାନ୍ତି ।

(୯)
ତସ୍ମାଦସକ୍ତଃ ସତତଂ କାର୍ୟଂ କର୍ମ ସମାଚର ।
ଅସକ୍ତୋ ହ୍ୟାଚରନ୍‌ କର୍ମ ପରମାପ୍ନୋତି ପୁରୁଷଃ ॥ — ଗୀତା ୩.୧୯

କେଶବାଦି ବ୍ରାହ୍ମମାନଙ୍କୁ କର୍ମଯୋଗ ସମ୍ବନ୍ଧରେ ଉପଦେଶ

ଶ୍ରୀରାମକୃଷ୍ଣ (କେଶବାଦି ଭକ୍ତଙ୍କ ପ୍ରତି) – ତୁମେସବୁ କୁହ ଜଗତର ଉପକାର କରିବା କଥା । ଜଗତ କଅଣ ଏତେ ଟିକିଏ ? ଆଉ ତୁମେ କିଏ ଯେ ଜଗତର ଉପକାର କରିବ ? ତାଙ୍କୁ ସାଧନଦ୍ଵାରା ସାକ୍ଷାତ୍‌କାର କର । ତାଙ୍କୁ ଲାଭ କର । ସେ ଶକ୍ତି ଦେଲେ ଯାଇ ତୁମେ ସମସ୍ତଙ୍କର ହିତ କରିପାର । ନଚେତ୍‌ ନୁହେଁ ।
ଜଣେ ଭକ୍ତ – ଯେପର୍ଯ୍ୟନ୍ତ ଭଗବାନ-ଲାଭ ନ ହୁଏ, ସେତେଦିନ କ’ଣ ସବୁ କର୍ମ ତ୍ୟାଗ କରିବାକୁ ପଡ଼ିବ ?
ଶ୍ରୀରାମକୃଷ୍ଣ – ନା, କର୍ମ କାହିଁକି ତ୍ୟାଗ କରିବ ? ଈଶ୍ୱରଙ୍କର ଚିନ୍ତା, ତାଙ୍କର ନାମ ଗୁଣଗାନ, ନିତ୍ୟକର୍ମ, ଏସବୁ କରିବାକୁ ହେବ ।
ବ୍ରାହ୍ମଭକ୍ତ – ସଂସାରର କର୍ମ ? ବିଷୟ-କର୍ମ ?
ଶ୍ରୀରାମକୃଷ୍ଣ – ହଁ, ତା’ ବି କରିବ, ସଂସାର-ଯାତ୍ରା ପାଇଁ ଯେତିକି ଦରକାର; କିନ୍ତୁ ନିର୍ଜ୍ଜନରେ ତାଙ୍କ ନିକଟରେ ପ୍ରାର୍ଥନା କରିବାକୁ ହେବ, ଯେପରି ଏହି କର୍ମସବୁ ନିଷ୍କାମ ଭାବରେ କରିପାରିବ । ଆଉ କହିବ – ହେ ଈଶ୍ୱର, ମୋର ବିଷୟ-କର୍ମ କମାଇ ଦିଅ; କାରଣ, ହେ ପ୍ରଭୁ, ବେଶୀ କାମ ଜୁଟିଲେ ତୁମକୁ ଭୁଲିଯାଏ । ମନେ ମନେ ଭାବୁଛି ନିଷ୍କାମ କର୍ମ କରୁଛି, କିନ୍ତୁ ସକାମ ହୋଇଯାଏ । ହୁଏତ ଦାନ ସଦାବ୍ରତ ବେଶୀ କରିବାକୁ ଯାଇ ଯଶ-ଲୋକମାନ୍ୟର ଇଚ୍ଛା ଆସିଯାଏ ।

କର୍ମଯୋଗ ଖୁବ୍‌ କଠିନ । ଶାସ୍ତ୍ରରେ ଯେଉଁସବୁ କର୍ମ କରିବାକୁ କହିଛି, କଳିକାଳରେ ସେସବୁ କରିବା କଷ୍ଟକର । ଅନ୍ନଗତ ପ୍ରାଣ । ବେଶୀ କର୍ମ କରି ହୁଏ ନାହିଁ । ଜ୍ଵରର କବିରାଜୀ ଚିକିତ୍ସା କରିବାକୁ ଗଲେ ଏଆଡ଼େ ରୋଗୀର ହୋଇଯାଏ । ବେଶୀ ଡେରି ସହେ ନାହିଁ । ବର୍ତ୍ତମାନ ଡି.ଗୁପ୍ତ । କଳିଯୁଗରେ ଭକ୍ତିଯୋଗ, ଭଗବାନଙ୍କର ନାମ ଗୁଣଗାନ ଆଉ ପ୍ରାର୍ଥନା । ଭକ୍ତିଯୋଗ ହିଁ ଯୁଗଧର୍ମ । (ବ୍ରାହ୍ମଭକ୍ତମାନଙ୍କ ପ୍ରତି) ତୁମମାନଙ୍କର ବି ଭକ୍ତିଯୋଗ, ତୁମେ ସବୁ ହରିନାମ କର, ମାଆଙ୍କ ନାମ-ଗୁଣଗାନ କର । ତୁମେମାନେ ଧନ୍ୟ ! ତୁମର ଭାବଟି ବେଶ୍‌ । ବେଦାନ୍ତବାଦୀଙ୍କ ପରି ତୁମେ ଜଗତକୁ ସ୍ଵପ୍ନବତ୍‌ କୁହ ନାହିଁ । ସେପରି ବ୍ରହ୍ମଜ୍ଞାନୀ ତୁମେ ନୁହଁ, ତୁମେସବୁ ଭକ୍ତ । ତୁମେମାନେ ଈଶ୍ୱରଙ୍କୁ ବ୍ୟକ୍ତି (Person) କୁହ, ଏହା ମଧ୍ୟ ଖୁବ୍‌ ଭଲ । ବ୍ୟାକୁଳ ହୋଇ ଡାକିଲେ ତାଙ୍କୁ ଅବଶ୍ୟ ପାଇବ ।

ନବମ ପରିଚ୍ଛେଦ – ଉତ୍ସବ-ମନ୍ଦିରରେ

(୧)
ଉତ୍ସବ-ମନ୍ଦିରରେ
(ସିଁଥି ବ୍ରାହ୍ମସମାଜ ଦର୍ଶନ ଓ ଶ୍ରୀଯୁକ୍ତ ଶିବନାଥ ଇତ୍ୟାଦି ବ୍ରାହ୍ମଭକ୍ତମାନଙ୍କ ସହିତ କଥୋପକଥନ ଓ ଆନନ୍ଦ)

ଶ୍ରୀଶ୍ରୀରାମକୃଷ୍ଣପରମହଂସଦେବ ସିଁଥିର ବ୍ରାହ୍ମସମାଜ ଦର୍ଶନ କରିବାକୁ ଆସିଛନ୍ତି । ୨୮ ଅକ୍ଟୋବର ୧୮୮୨, ଶନିବାର, ଆଶ୍ୱିନ କୃଷ୍ଣଦ୍ଵିତୀୟା ।

ଆଜି ଏଠାରେ ବ୍ରାହ୍ମସମାଜର ଷାଣ୍ମାସିକ ମହୋତ୍ସବ । ତେଣୁ ଭଗବାନ ଶ୍ରୀରାମକୃଷ୍ଣଙ୍କୁ ଏଠାକୁ ନିମନ୍ତ୍ରଣ । ଅପରାହ୍ନ ତିନିଟା ଚାରିଟାବେଳେ ସେ କେତେଜଣ ଭକ୍ତଙ୍କ ସହିତ ଗାଡ଼ିରେ ଦକ୍ଷିଣେଶ୍ଵର କାଳୀମନ୍ଦିରରୁ ଆସି ଶ୍ରୀଯୁକ୍ତ ବେଣୀମାଧବ ପାଲଙ୍କର ମନୋହର ଉଦ୍ୟାନବାଟୀରେ ଉପସ୍ଥିତ ହେଲେ । ଏହି ଉଦ୍ୟାନବାଟୀରେ ବ୍ରାହ୍ମସମାଜର ଅଧିବେଶନ ହୋଇଥାଏ । ବ୍ରାହ୍ମସମାଜକୁ ସେ ଭାରି ଭଲ ପାଆନ୍ତି । ବ୍ରାହ୍ମଭକ୍ତମାନେ ତାଙ୍କୁ ସାତିଶୟ ଭକ୍ତିଶ୍ରଦ୍ଧା କରନ୍ତି ।

ଏହାର ପୂର୍ବଦିନ ଅର୍ଥାତ୍‌ ଶୁକ୍ରବାର ଉପରଓଳି କେତେ ଆନନ୍ଦ କରି କରି ସଶିଷ୍ୟ ଶ୍ରୀଯୁକ୍ତ କେଶବଚନ୍ଦ୍ର ସେନ୍‌ଙ୍କ ସହିତ ଭାଗୀରଥ୍‌-ବକ୍ଷରେ କାଳୀମନ୍ଦିରରୁ କଲିକତା ପର୍ଯ୍ୟନ୍ତ ଭକ୍ତଙ୍କ ସହିତ ଷ୍ଟିମର ଚଢ଼ି ବୁଲି ଆସିଥିଲେ ।

ସିଁଥି ପାଇକପଡ଼ା ନିକଟରେ । କଲିକତାଠାରୁ ଦେଢ଼କୋଶ ଉତ୍ତରରେ । ଉଦ୍ୟାନବାଟୀଟି ମନୋହର ବୋଲି କୁହାଯାଇଛି । ସ୍ଥାନଟି ଅତ୍ୟନ୍ତ ନିଭୃତ । ଭଗବାନଙ୍କ ଉପାସନା ପକ୍ଷରେ ବିଶେଷ ଉପଯୋଗୀ । ଉଦ୍ୟାନସ୍ଵାମୀ ବର୍ଷରେ ଦୁଇଥର ମହୋତ୍ସବ କରିଥାନ୍ତି । ଥରେ ଶରତ୍‌କାଳରେ, ଆଉଥରେ ବସନ୍ତରେ । ଏହି ମହୋତ୍ସବ ଉପଲକ୍ଷରେ ସେ କଲିକତା ଓ ସିଁଥିର ନିକଟବର୍ତୀ ଗ୍ରାମର ଅନେକ ଭକ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି । ତେଣୁ ଆଜି କଲିକତାରୁ ଶିବନାଥାଦି ଅନେକ ଭକ୍ତ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ସକାଳ ଉପସାନାରେ ଯୋଗଦାନ କରିଛନ୍ତି । ପୁଣି ସନ୍ଧ୍ୟାକାଳୀନ ଉପାସନା ହେବ, ସେଥିପାଇଁ ପ୍ରତୀକ୍ଷା କରିଛନ୍ତି । ବିଶେଷତଃ ସେମାନେ ଶୁଣିଛନ୍ତି ଯେ, ଅପରାହ୍ନରେ ମହାପୁରୁଷଙ୍କର ଆଗମନ ହେବ ଓ ସେମାନେ ତାଙ୍କର ଆନନ୍ଦମୂର୍ତ୍ତି ଦେଖିପାରିବେ, ତାଙ୍କର ହୃଦୟମୁଗ୍ଧକାରୀ କଥାମୃତ ପାନ କରିବାକୁ ପାଇବେ, ତାଙ୍କର ସେହି ମଧୁର ସଂକୀର୍ତ୍ତନ ଶୁଣିବାକୁ ଓ ଦେବଦୁର୍ଲ୍ଲଭ ହରି-ପ୍ରେମମୟ ନୃତ୍ୟ ଦେଖିବାକୁ ପାଇବେ ।

ଅପରାହ୍ନରେ ଉଦ୍ୟାନଟି ବହୁଲୋକରେ ସମାକୀର୍ଣ୍ଣ ହୋଇଛି । କେହି ଲତାମଣ୍ଡପ ଛାୟାରେ କାଷ୍ଠାସନରେ ଉପବିଷ୍ଟ । କେହି ଅବା ସୁନ୍ଦର ବାପୀତଟରେ ବନ୍ଧୁମାନଙ୍କ ଗହଣରେ ବିଚରଣ କରୁଛନ୍ତି । ଅନେକେ ସମାଜ-ଗୃହରେ ଶ୍ରୀରାମକୃଷ୍ଣଙ୍କର ଆଗମନ ପ୍ରତୀକ୍ଷା କରି ପୂର୍ବରୁ ଉତ୍ତମ ଆସନ ଅଧିକାର କରି ବସିଛନ୍ତି । ଉଦ୍ୟାନର ପ୍ରବେଶ-ଦ୍ୱାରରେ ପାନ ଦୋକାନ । ପ୍ରବେଶ କଲେ ବୋଧହୁଏ ଯେପରି ପୂଜାଘର – ରାତ୍ରିକାଳରେ ଯାତ୍ରା ହେବ । ଚତୁର୍ଦ୍ଦିଗ ଆନନ୍ଦରେ ପରିପୂର୍ଣ୍ଣ । ଶରତ୍‌ର ନୀଳ-ଆକାଶରେ ଆନନ୍ଦ ପ୍ରତିଭାସିତ । ଉଦ୍ୟାନର ବୃକ୍ଷ, ଲତା, ଗୁଳ୍ମ ମଧ୍ୟରେ ପ୍ରଭାତରୁ ଆନନ୍ଦ-ସମୀରଣ ବହୁଥିଲା । ଆକାଶ, ଜୀବଜନ୍ତୁ, ବୃକ୍ଷଲତା ଯେପରି ଏକତାନରେ ସଙ୍ଗୀତ ଗାନ କରୁଛନ୍ତି –
“ଆଜି କି ହରଷ ସମୀର ବହେ ପ୍ରାଣେ,
ଭାଗବତ ମଙ୍ଗଳ କିରଣେ ।”

ସମସ୍ତେ ଯେପରି ଭଗବତ୍‌-ଦର୍ଶନ-ପିପାସୁ । ଏପରି ସମୟରେ ପରମହଂସଦେବଙ୍କର ଗାଡ଼ି ଆସି ସମାଜଗୃହ ସମ୍ମୁଖରେ ଉପସ୍ଥିତ ହେଲା । ସମସ୍ତେ ଗାତ୍ରୋତ୍‌ଥାନ କରି ମହାପୁରୁଷଙ୍କର ଅଭ୍ୟର୍ଥନା କଲେ । ସେ ଆସିଛନ୍ତି । ଚାରିଆଡ଼ୁ ଲୋକମାନେ ତାଙ୍କୁ ମଣ୍ଡଳାକାରରେ ଘେରିବାକୁ ଲାଗିଲେ ।

ସମାଜ-ଗୃହର ପ୍ରଧାନ ପ୍ରକୋଷ୍ଠମଧ୍ୟରେ ବେଦୀ ନିର୍ମାଣ କରାଯାଇଛି । ସେହି ସ୍ଥାନ ଲୋକରେ ପରିପୂର୍ଣ୍ଣ । ସମ୍ମୁଖରେ ବାରଣ୍ଡା, ସେଠାରେ ପ୍ରଭୁ ପରମହଂସଦେବ ସମାସୀନ, ସେଠାରେ ମଧ୍ୟ ଲୋକ । ବାରଣ୍ଡାର ଦୁଇପାର୍ଶ୍ୱରେ ଦୁଇଟି ଘର – ସେ ଘରେ ମଧ୍ୟ ଲୋକ – ଘରର ଦ୍ଵାରଦେଶରେ ଉଦ୍‌ଗ୍ରୀବ ହୋଇ ଲୋକେ ଦଣ୍ଡାୟମାନ । ବାରଣ୍ଡାକୁ ଉଠିବାର ସୋପାନ-ପରମ୍ପରା ଏକପ୍ରାନ୍ତରୁ ଅପରପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତୃତ । ସେହି ପାହାଚ ମଧ୍ୟ ଲୋକରେ ପରିପୂର୍ଣ୍ଣ; ସୋପାନର ଅନତିଦୂରରେ ଦୁଇ ତିନୋଟି ବୃକ୍ଷ, ପାର୍ଶ୍ଵରେ ଲତାମଣ୍ଡପ, ସେଠାରେ କେତେ ଖଣ୍ଡ କାଷ୍ଠାସନ । ସେଠାରେ ମଧ୍ୟ ଲୋକେ ଉଦ୍‌ଗ୍ରୀବ ଓ ଉତ୍କୀର୍ଣ୍ଣ ହୋଇ ମହାପରୁଷଙ୍କ ଆଡ଼କୁ ଦୃଷ୍ଟିପାତ କରୁଛନ୍ତି । ଧାଡ଼ି ଧାଡ଼ି ଫଳ ଓ ଫୁଲର ଗଛ ମଧ୍ୟରେ ପଥ । ବୃକ୍ଷଗୁଡ଼ିକ ସମୀରଣରେ ଅଳ୍ପ ଅଳ୍ପ ହଲୁଛନ୍ତି – ଯେପରି କି ଆନନ୍ଦରେ ମସ୍ତକ ଅବନତ କରି ତାଙ୍କୁ ଅଭ୍ୟର୍ଥନା କରୁଛନ୍ତି ।

ଠାକୁର ପରମହଂସଦେବ ହସି ହସି ଆସନ ଗ୍ରହଣ କଲେ । ବର୍ତ୍ତମାନ ସମସ୍ତଙ୍କର ଚକ୍ଷୁ ଏକାବେଳକେ ତାଙ୍କର ଆନନ୍ଦମୂର୍ତ୍ତି ଉପରେ ପତିତ ହେଲା । ଯେତେବେଳେ ପର୍ଯ୍ୟନ୍ତ ନାଟ୍ୟଶାଳାରେ ଅଭିନୟ ଆରମ୍ଭ ହୋଇ ନାହିଁ, ସେପର୍ଯ୍ୟନ୍ତ ଦର୍ଶକମାନଙ୍କ ମଧ୍ୟରୁ କେହି ହସୁଛି, କେହି ବିଷୟକର୍ମର କଥା କହୁଛି, କେହି ଏକାକୀ ଅଥବା ବନ୍ଧୁସଙ୍ଗରେ ପଦଚାରଣ କରୁଛି, କେହି ପାନ ଖାଉଛି, କେହି ଅବା ତମାଖୁ ସେବନ କରୁଛି, କିନ୍ତୁ ଡ୍ରପ୍‌ସିନ୍‌ ଯେତେବେଳେ ଉଠେ ସେତେବେଳେ ସମସ୍ତେ କଥାବାର୍ତ୍ତା ବନ୍ଦ କରି ଅନନ୍ୟମନା ହୋଇ ଏକଦୃଷ୍ଟିରେ ନାଟ୍ୟରଙ୍ଗ ଦେଖିବାକୁ ଲାଗନ୍ତି । ଯେପରି ନାନାପୁଷ୍ପ-ପରିଭ୍ରମଣକାରୀ ଷଟ୍‌ପଦବୃନ୍ଦ ପଦ୍ମର ସନ୍ଧାନ ପାଇଲେ ଅନ୍ୟ କୁସୁମ ତ୍ୟାଗ କରି ପଦ୍ମମଧୁ ପାନ କରିବାକୁ ଛୁଟି ଆସନ୍ତି ।

(୨)
ମାଞ୍ଚ ୟୋଽବ୍ୟଭିଚାରେଣ ଭକ୍ତିୟୋଗେନ ସେବତେ ।
ସ ଗୁଣାନ୍‌ ସମତୀତୈତାନ୍‌ ବ୍ରହ୍ମଭୂୟାୟ କଲ୍ପତେ ॥ — ଗୀତା ୧୪.୨୬

ଭକ୍ତ-ସମ୍ଭାଷଣ

ସହାସ୍ୟବଦନରେ ଠାକୁର ଶ୍ରୀଯୁକ୍ତ ଶିବନାଥ ଆଦି ଭକ୍ତମାନଙ୍କ ଆଡ଼କୁ ଦୃଷ୍ଟି ନିକ୍ଷେପ କରି କହିଲେ, “ଏଇ ଯେ ଶିବନାଥ ! ଦେଖ, ତୁମେମାନେ ଭକ୍ତ, ତୁମମାନଙ୍କୁ ଦେଖିଲେ ଭାରୀ ଆନନ୍ଦ ହୁଏ । ଗଞ୍ଜେଇଖୋର୍‌ର ସ୍ଵଭାବ, ଆଉ ଜଣେ ଗଞ୍ଜେଇଖୋର୍‌କୁ ଦେଖିଲେ ଭାରୀ ଖୁସି ହୁଏ । ହୁଏତ ତାକୁ କୁଣ୍ଢାକୁଣ୍ଢି କରେ ।” (ଶିବନାଥଙ୍କର ଓ ସମସ୍ତଙ୍କର ହାସ୍ୟ)

ସଂସାରୀ ଲୋକର ସ୍ଵଭାବ –  ନାମ ମାହାତ୍ମ୍ୟ

ଶ୍ରୀରାମକୃଷ୍ଣ – ଯେଉଁମାନଙ୍କୁ ଦେଖେ ଈଶ୍ୱରଙ୍କଠାରେ ମନ ନାହିଁ, ସେମାନଙ୍କୁ ମୁଁ କହେ, ‘ତୁମେମାନେ ଟିକିଏ ସେଠାରେ ଯାଇ ବସ ।’ ଅଥବା କହେ, ‘ଯାଅ, ବିଲ୍ଡ଼ିଂ (ଅର୍ଥାତ୍‌ କାଳୀମନ୍ଦିର ପ୍ରଭୃତି) ଯାଇ ଦେଖ ।’ (ସମସ୍ତଙ୍କର ହାସ୍ୟ)

ପୁଣି ଦେଖିଛି ଯେ, ଭକ୍ତମାନଙ୍କ ସଙ୍ଗରେ ସ୍ରୋତରେ ଲୋକେ ଚାଲି ଆସନ୍ତି । ସେମାନଙ୍କର ଭାରୀ ବିଷୟ-ବୁଦ୍ଧି; ଈଶ୍ୱରଙ୍କର କଥା ଭଲ ଲାଗେ ନାହିଁ । ଏମାନେ ହୁଏତ ମୋ ସହିତ ବହୁ ସମୟ ଧରି ଲଈଶ୍ୱରଙ୍କ କଥା କହୁଛନ୍ତି । ତେଣେ ସେମାନେ ଆଉ ବସି ରହିପାରନ୍ତି ନାହିଁ; ଛଟ୍‌ପଟ୍‌ ହୁଅନ୍ତି । ଥରକୁ ଥର ଏମାନଙ୍କ କାନରେ ଫୁସ୍‌ଫୁସ୍‌ କରି କହନ୍ତି, ‘କେତେବେଳେ ଯିବ – କେତେବେଳେ ଯିବ ?’ ଏମାନେ ହୁଏତ କହନ୍ତି, ‘ରହ ନା, ଆଉ ଟିକେ ପରେ ଯିବା ।’ ସେତେବେଳେ ସେମାନେ ବିରକ୍ତ ହୋଇ କହନ୍ତି, ‘ତେବେ ତୁମେମାନେ କଥା କୁହ, ଆମେ ଡଙ୍ଗାରେ ଯାଇ ବସୁଛୁ । (ସମସ୍ତଙ୍କର ହାସ୍ୟ) “ସଂସାରୀ ଲୋକମାନଙ୍କୁ ଯଦି କହ ଯେ, ସବୁ ତ୍ୟାଗକରି ଈଶ୍ୱରଙ୍କ ପାଦପଦ୍ମରେ ମଗ୍ନ ହୁଅ, ସେମାନେ କେବେହେଲେ ତାହା ଶୁଣିବେ ନାହିଁ । ସେଥ୍‌ପାଇଁ ବିଷୟୀ ଲୋକମାନଙ୍କୁ ଟାଣିବା ପାଇଁ ଗୌର ନିତାଇ ଦୁଇଭାଇ ମିଳି ପରାମର୍ଶ କରି ଏହି ବ୍ୟବସ୍ଥା କରିଥିଲେ – ‘ମାଗୁର ମାଛର ଝୋଳ, ଯୁବତୀ ଝିଅର କୋଳ, ବୋଲ ହରି ବୋଲ ।’ ପ୍ରଥମ ଦୁଇଟିର ଲୋଭରେ ଅନେକେ ହରିବୋଲ କହିବାକୁ ଆସୁଥିଲେ । ହରିନାମ-ସୁଧାର ଟିକିଏ ଆସ୍ଵାଦ ପାଇଲେ ସେମାନେ ବୁଝିପାରୁଥିଲେ ଯେ, ‘ମାଗୁର ମାଛର ଝୋଳ’ ଆଉ କିଛି ନୁହେଁ, ହରିପ୍ରେମରେ ଯେଉଁ ଅଶ୍ରୁ ପଡ଼େ ତାହା; ଆଉ ‘ଯୁବତୀ ସ୍ତ୍ରୀ’ ହେଉଛି – ପୃଥିବୀ ! ‘ଯୁବତୀ ସ୍ତ୍ରୀର କୋଳ’ ଅର୍ଥାତ୍‌ – ଧୂଳିରେ ହରିପ୍ରେମରେ ଗଡ଼ାଗଡ଼ି ।

ନିତାଇ କୌଣସି ପ୍ରକାରରେ ହରିନାମ କରାଇ ନିଅନି । ଚୈତନ୍ୟଦେବ କହୁଥିଲେ, ‘ଈଶ୍ୱରଙ୍କ ନାମର ଭାରୀ ମାହାତ୍ମ୍ୟ । ଶୀଘ୍ର ଫଳ ନ ହୋଇପାରେ; କିନ୍ତୁ କେଵେ ନା କେବେ ଏହାର ଫଳ ହେବ ହିଁ ହେବ ।’ ଯେପରି କେହି ଘରର କାର୍ଣ୍ଣିସ୍‌ ଉପରେ ମଞ୍ଜି ରଖିଦେଇଥିଲା । ଅନେକ ଦିନ ପରେ ଘର ଭୂମିସାତ୍‌ ହୋଇଗଲା; ସେତେବେଳେ ସେହି ମଞ୍ଜି ମାଟିରେ ପଡ଼ି ଗଛ ହେଲା ଓ ତାହାର ଫଳ ମଧ୍ୟ ହେଲା ।”

ମନୁଷ୍ୟପ୍ରକୃତି ଓ ଗୁଣତ୍ରୟ – ଭକ୍ତିର ସତ୍ତ୍ଵ, ରଜଃ, ତମଃ

ଶ୍ରୀରାମକୃଷ୍ଣ – ଯେପରି ସଂସାରୀମାନଙ୍କ ଭିତରେ ସତ୍ତ୍ଵ, ରଜଃ, ତମଃ ତିନିଗୁଣ ଅଛି, ସେହିପରି ଭକ୍ତିର ମଧ୍ୟ ସତ୍ତ୍ଵ, ରଜଃ, ତମଃ, ତିନିଗୁଣ ଅଛି ।

ସଂସାରୀର ସତ୍ତ୍ଵଗୁଣ କିପରି ଜାଣିଛ ? ଘରଟି ଏଠି ସେଠି ଭଙ୍ଗା, ମରାମତି କରେ ନାହିଁ । ମନ୍ଦିର ବାରଣ୍ଡାରେ ପାରାଗୁଡ଼ିକ ହଗୁଛନ୍ତି । ଅଗଣାରେ ଶିଉଳି ଜମିଛି, ଖିଆଲ ନାହିଁ । ସରଞ୍ଜାମଗୁଡ଼ିକ ପୁରୁଣା, ଫିଟ୍‌ଫାଟ୍‌ କରିବାର ଚେଷ୍ଟା ନାହିଁ । ଲୁଗା ଯାହା ତାହା ଖଣ୍ଡେ ହେଲେ ମଧ୍ୟ ହେଲା । ଲୋକଟି ଖୁବ୍‌ ଶାନ୍ତ, ଶିଷ୍ଟ, ଦୟାଳୁ, ଅମାୟିକ, କାହାରି କୌଣସି ଅନିଷ୍ଟ କରେ ନାହିଁ ।

ସଂସାରୀ ରଜୋଗୁଣର ମଧ୍ୟ ଲକ୍ଷଣ ଅଛି । ଘଡ଼ି, ଘଡ଼ିର ଚେନ୍‌, ହାତରେ ଦୁଇ ତିନିଟା ମୁଦି । ଘରର ଜିନିଷପତ୍ର ଖୁବ୍‌ ଫିଟ୍‌ଫାଟ୍‌ । ଘର କାନ୍ଥରେ କୁଇନ୍‌ଙ୍କ (ରାଣୀଙ୍କର) ଛବି, ରାଜପୁତ୍ରଙ୍କ ଛବି, କୌଣସି ବଡ଼ ଲୋକର ଛବି । ଘରଟିରେ ଚୂନ କାମ ହୋଇଛି, କେଉଁଠାରେ ହେଲେ ଟିକିଏ ଦାଗ ନାହିଁ । ନାନା ପ୍ରକାରର ଭଲ ଭଲ ପୋଷାକ, ଚାକରମାନଙ୍କର ମଧ୍ୟ ଭଲ ପୋଷାକ । ଏହିପରି ସମସ୍ତ ।

ସଂସାରୀ ତମୋଗୁଣର ଲକ୍ଷଣ – ନିଦ୍ରା, କାମ, କ୍ରୋଧ, ଅହଂକାର ଏହିସବୁ ।

ଆଉ ଭକ୍ତିର ସତ୍ତ୍ଵ ଅଛି। ଯେଉଁ ଭକ୍ତର ସତ୍ତ୍ଵଗୁଣ, ସେ ଅତି ଗୋପନରେ ଧ୍ୟାନ କରେ । ସେ ହୁଏତ ମଶାରି ଭିତରେ ଧ୍ୟାନ କରେ – ସମସ୍ତେ ଜାଣନ୍ତି, ବୋଧହୁଏ ଶୋଇଛନ୍ତି । ବୋଧହୁଏ ରାତିରେ ନିଦ ହୋଇ ନାହିଁ, ତେଣୁ ଉଠିବାକୁ ଏତେ ଡେରି ହେଉଛି । ଏଣେ ଦେହ ଉପରେ ଆଦର କେବଳ ପେଟ ଚଳିବା ପର୍ଯ୍ୟନ୍ତ, ଶାକାନ୍ନ ପାଇଲେ ହେଲା, ଖାଇବାର ଆଡ଼ମ୍ବର ନାହିଁ । ପୋଷାକରେ ଜାକଜମକ ନାହିଁ । ଘରର ଜିନିଷପତ୍ରର ଜାକଜମକ ନାହିଁ । ଆଉ ସତ୍ତ୍ଵଗୁଣୀ ଭକ୍ତ କେତେବେଳେ ହେଲେ ଖୋସାମତ୍‌ କରି ଧନ ନିଏ ନାହିଁ ।

ଭକ୍ତିର ରଜଃ ଥିଲେ ସେ ଭକ୍ତର ହୁଏତ ତିଳକ ଅଛି, ରୁଦ୍ରାକ୍ଷମାଳ ଅଛି । ସେହି ମାଳାର ମଝିରେ ପୁଣି ଗୋଟିଏ ଗୋଟିଏ ସୁନାର ଦାନା (ସମସ୍ତଙ୍କର ହାସ୍ୟ) । ଯେତେବେଳେ ପୂଜା କରେ, ସେତେବେଳେ ପାଟଲୁଗା ପିନ୍ଧି ପୂଜା କରେ ।

ଭକ୍ତିର ତମଃ ଯାହାର ହୁଏ, ତାହାର ବିଶ୍ୱାସ ଜ୍ୱଳନ୍ତ । ଈଶ୍ୱରଙ୍କ ପାଖରେ ସେପରି ଭକ୍ତ ଜୋର୍‌ କରେ । ଯେପରି ଡକାୟତି କରି ଧନ କାଢ଼ିନେବା । ‘ମାର୍‌, କାଟ, ବାନ୍ଧ’ – ଏହିପରି ଡକାୟତି କରିବା ଭାବ ।”

(୩)
କ୍କୈବ୍ୟଂ ମା ସ୍ମ ଗମଃ ପାର୍ଥ ନୈତତ୍ତ୍ୱୟ୍ୟୁପପଦ୍ୟତେ ।
କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୟକ୍ତ୍ବୋତ୍ତିଷ୍ଠ ପରନ୍ତପ ॥ — ଗୀତା ୨.୩

ଠାକୁରେ ତାଙ୍କର ପ୍ରେମରସାଭିଷିକ୍ତ କଣ୍ଠରେ ଉର୍ଦ୍ଧ୍ୱଦୃଷ୍ଟି ହୋଇ ଗାଇବାକୁ ଲାଗିଲେ –
“ଗୟା ଗଙ୍ଗା ପ୍ରଭାସାଦି କାଶୀ କାଞ୍ଚୀ କେବା ଚାୟ ।
କାଲୀ କାଲୀ କାଲୀ ବଲେ ଅଜପା ଯଦି ଫୁରାୟ ॥
ତ୍ରିସନ୍ଧ୍ୟା ଯେ ବଲେ କାଲୀ, ପୂଜା ସନ୍ଧ୍ୟା ସେ କି ଚାୟ ।
ସନ୍ଧ୍ୟା ତାର ସନ୍ଧାନେ ଫେରେ କଭୁ ସଛି ନାହିଁ ପାୟ ॥..”

ଠାକୁର ଭାବୋନ୍ମତ, ଯେପରି ଅଗ୍ନିମନ୍ତ୍ରରେ ଦୀକ୍ଷିତ ହୋଇ ଗାଉଛନ୍ତି –

ନାମ-ମାହାତ୍ମ୍ୟ ଓ ପାପ – ତିନି ପ୍ରକାର ଆଚାର୍ଯ୍ୟ

“ଆମି ଦୁର୍ଗା ଦୁର୍ଗା ବଲେ ମା ଯଦି ମରି ।…”

କ’ଣ ! ମୁଁ ତାଙ୍କର ନାମ ନେଇଛି – ମୋର ପୁଣି ପାପ ! ମୁଁ ତାଙ୍କର ପୁଅ, ତାଙ୍କ ଐଶ୍ୱର୍ଯ୍ୟର ଅଧିକାରୀ । ଏହିପରି ଜିଦ୍‌ ଦରକାର !

ତମୋଗୁଣର ଦିଗ ବଦଳେଇ ଦେଲେ ଈଶ୍ୱର ଲାଭ ହୁଏ । ତାଙ୍କ ପାଖରେ ଜୋର୍‌ କର, ସେ ତ ପର ନୁହଁନ୍ତି, ସେ ତ ଆପଣାର ଲୋକ !

ପୁଣି ଦେଖ, ଏହି ତମୋଗୁଣକୁ ପରର ମଙ୍ଗଳ ସକାଶେ ମଧ୍ୟ ବ୍ୟବହାର କରାଯାଏ । ବୈଦ୍ୟ ତିନି ପ୍ରକାର – ଭତ୍ତମ ବୈଦ୍ୟ, ମଧ୍ୟମ ବୈଦ୍ୟ, ଅଧମ ବୈଦ୍ୟ । ଯେଉଁ ବୈଦ୍ୟ ଆସି ନାଡ଼ି ଚିପେ ଓ ‘ଔଷଧ ଖାଅ ହେ’ ଏହି କଥା କହି ଚାଲିଯାଏ, ସେ ଅଧମ ବୈଦ୍ୟ – ରୋଗୀ ଖାଇଲା କି ନାହିଁ, ଏ ଖବର ସେ ନିଏ ନାହିଁ । ଯେଉଁ ବୈଦ୍ୟ ରୋଗୀକୁ ଔଷଧ ଖାଇବାକୁ ବହୁତ କରି ବୁଝାଏ – ମିଠା କଥାରେ କହେ, ‘ହଇ ହେ, ଔଷଧ ନ ଖାଇଲେ କିପରି ଭଲ ହେବ ? ସୁନାଟି ପରା, ଖାଅ; ମୁଁ ନିଜେ ଔଷଧ ଘୋରି ଦେଉଛି, ଖାଅ’ – ସେ ମଧ୍ୟମ ବୈଦ୍ୟ । ଆଉ ଯେଉଁ ବୈଦ୍ୟ, ରୋଗୀ କୌଣସିମତେ ଖାଇଲା ନାହିଁ ଦେଖି, ଛାତିରେ ଆଣ୍ଠୁ ଦେଇ ଜୋର୍‌ କରି ଔଷଧ ଖୁଆଇ ଦିଏ – ସେ ଉତ୍ତମ ବୈଦ୍ୟ । ଏଇଟି ବୈଦ୍ୟର ତମୋଗୁଣ, କିନ୍ତୁ ଏ ଗୁଣରେ ରୋଗୀର ମଙ୍ଗଳ ହୁଏ, ଅପକାର ହୁଏ ନାହିଁ ।

ବୈଦ୍ୟପରି ଆଚାର୍ଯ୍ୟ ମଧ୍ୟ ତିନି ପ୍ରକାର । ଯେ ଧର୍ମ ଉପଦେଶ ଦେଇ ଶିଷ୍ୟ ମାନଙ୍କର ଆଉ କୌଣସି ଖବର ନିଅନ୍ତି ନାହିଁ – ସେ ଅଧମ ଆଚାର୍ଯ୍ୟ । ଯେ ଶିଷ୍ୟମାନଙ୍କ ମଙ୍ଗଳ ପାଇଁ ସେମାନଙ୍କୁ ଥରକୁ ଥର ବୁଝାନ୍ତି, ଯେଉଁଥିରେ ସେମାନଙ୍କ ଉପଦେଶଗୁଡ଼ିକ ଧାରଣା କରିପାରିବେ, ଅନେକ ଅନୁନୟ ବିନୟ କରନ୍ତି, ଭଲ ପାଆନ୍ତି – ସେ ମଧ୍ୟମ ସ୍ତରର ଆଚାର୍ଯ୍ୟ । ଆଉ ଯେତେବେଳେ ଶିଷ୍ୟମାନେ କୌଣସିମତେ ଶୁଣୁନାହାଁନ୍ତି ଦେଖି କୌଣସି ଆଚାର୍ଯ୍ୟ ଜୋର୍‌ ପର୍ଯ୍ୟନ୍ତ କରନ୍ତି, ତାଙ୍କୁ କହେ – ଉତ୍ତମ ଆଚାର୍ଯ୍ୟ ।

(୪)
ୟତୋ ବାଚୋ ନିବର୍ତନ୍ତେ ଅପ୍ରାପ୍ୟ ମନସା ସହ । — ତୈ. ଉପନିଷଦ୍‌ ୨.୪

ବ୍ରହ୍ମଙ୍କର ସ୍ଵରୂପ ମୁଖରେ କହିହୁଏ ନାହିଁ

ଜଣେ ବ୍ରାହ୍ମଭକ୍ତ ପଚାରିଲେ – ଈଶ୍ୱର ସାକାର ନା ନିରାକାର ?
ଶ୍ରୀରାମକୃଷ୍ଣ – ତାଙ୍କର ଇତି କରାଯାଏ ନାହିଁ । ସେ ନିରାକାର, ପୁଣି ସାକାର । ଭକ୍ତଙ୍କ ପାଇଁ ସେ ସାକାର । ଯେଉଁମାନେ ଜ୍ଞାନୀ ଅର୍ଥାତ୍‌ ଜଗତକୁ ସ୍ଵପ୍ନପରି ମନେକରନ୍ତି, ସେମାନଙ୍କ ପାଇଁ ସେ ନିରାକାର । ଭକ୍ତ ଜାଣେ, ମୁଁ ଗୋଟିଏ ଜିନିଷ, ଜଗତ ଗୋଟିଏ ଜିନିଷ । ସେଥିପାଇଁ ଭକ୍ତଙ୍କ ନିକଟରେ ଈଶ୍ୱର ‘ବ୍ୟକ୍ତି’ ହୋଇ ଦେଖାଦିଅନ୍ତି । ଜ୍ଞାନୀ – ଯେପରି ବେଦାନ୍ତବାଦୀ – କେବଳ ନେତି ନେତି ବିଚାର କରେ । ବିଚାର କରି ଜ୍ଞାନୀର ଠିକ୍‌ ଠିକ୍‌ ବୋଧହୁଏ ଯେ, ‘ମୁଁ ମିଥ୍ୟା, ଜଗତ ବି ମିଥ୍ୟା – ସ୍ୱପ୍ନବତ୍‌’ । ଜ୍ଞାନୀ ବ୍ରହୁଙ୍କୁ ଅନୁଭବ କରନ୍ତି; ସେ ଯେ କଅଣ, ତାହା ମୁଖରେ କହିପାରନ୍ତି ନାହିଁ ।

କିପରି ଜାଣ ? ଯେପରି ସଚ୍ଚଦାନନ୍ଦ ସମୁଦ୍ର – ଥଳ କୂଳ ନାହିଁ – ଭକ୍ତିହିମରେ ସ୍ଥାନେ ସ୍ଥାନେ ଜଳ ବରଫ ହୋଇଯାଏ । ବରଫ ଆକାରରେ ଜମାଟ ବାନ୍ଧେ; ଅର୍ଥାତ୍‌ ଭକ୍ତ ନିକଟରେ ସେ ବ୍ୟକ୍ତି ଭାବରେ କେବେ କେବେ ସାକାର ରୂପ ଧରି ଦେଖା ଦିଅନ୍ତି । ଜ୍ଞାନ-ସୂର୍ଯ୍ୟ ଉଠିଲେ ବରଫ ତରଳିଯାଏ; ସେତେବେଳେ ଆଉ ଈଶ୍ୱରଙ୍କୁ ବ୍ୟକ୍ତି ବୋଲି ବୋଧହୁଏ ନାହିଁ, ତାଙ୍କର ରୂପ ମଧ୍ୟ ଦର୍ଶନ ହୁଏ ନାହିଁ । ସେ କଅଣ, ମୁଖରେ କୁହାଯାଇ ପାରେ ନାହିଁ । କିଏ କହିବ ? ଯେ କହିବେ, ସେ ନାହାଁନ୍ତି; ତାଙ୍କର ‘ମୁଁ’ ଆଉ ଖୋଜି ପାଇପାରନ୍ତି ନାହିଁ ।

ବିଚାର କରୁ କରୁ ମୁଁ ଫୁଁ ଆଉ କିଛି ରହେ ନାହିଁ । ଯେପରି ପିଆଜର ପ୍ରଥମେ ନାଲି ଚୋପା ତୁମେ ଛଡ଼ାଇଲ, ତା’ପରେ ଫିକା ମୋଟା ଚୋପା – ଏହିପରି ବରାବର ଛଡ଼ାଇ ଛଡ଼ାଇ କିଛି ଖୋଜି ମିଳେ ନାହିଁ ।

ଯେଉଁଠାରେ ନିଜର ‘ମୁଁ’ ଖୋଜି ମିଳେ ନାହିଁ – ଆଉ ଖୋଜିବ ବା କିଏ ? ସେଠାରେ ବ୍ରହ୍ମଙ୍କର ସ୍ଵରୂପ ଅନୁଭୂତ ହୁଏ; କିପରି ହୁଏ, ସେକଥା କିଏ କହିବ ?

ଗୋଟିଏ ଲୁଣର ପିତୁଳା ସମୁଦ୍ର ମାପିବାକୁ ଯାଇଥିଲା । ସମୁଦ୍ରରେ ଯେମିତି ପଶିଛି, ସଙ୍ଗେ ସଙ୍ଗେ ମିଳେଇ ମିଶିଗଲା । ସେତେବେଳେ କିଏ ଖବର ଦେବ ?

ପୂର୍ଣ୍ଣ ଜ୍ଞାନର ଲକ୍ଷଣ – ପୂର୍ଣ ଜ୍ଞାନ ହେଲେ ମନୁଷ୍ୟ ଚୁପ୍‌ ହୋଇଯାଏ । ସେତେବେଳେ ମୁଁ-ରୂପକ ଲୁଣର ପିତୁଳା ସଚ୍ଚିଦାନନ୍ଦ – ସାଗରରେ ମିଶି ଏକ ହୋଇଯାଏ, ଆଉ ଟିକିଏ ହେଲେ ଭେଦବୁଦ୍ଧି ରହେ ନାହିଁ ।

ଚାଷୀମାନେ ପୋଖରୀରୁ ଚାଷ ପାଇଁ ପଡ଼ିଆକୁ ପାଣି ଆଣନ୍ତି । ଯେତେବେଳେ ପୋଖରୀର ପାଣି ଓ ପଡ଼ିଆର ପାଣି ସମାନ ହୋଇଯାଏ, ସେତେବେଳେ ଆଉ ଶବ୍ଦ ହୁଏ ନାହିଁ ।

ବିଚାର କରିବା ଯେପର୍ଯ୍ୟନ୍ତ ଶେଷ ନ ହୁଏ, ଲୋକମାନେ ସେତେବେଳଯାଏ ଫଡ଼୍‌ ଫଡ଼୍‌ କରି ତର୍କ କରନ୍ତି । ବିଚାର ଶେଷ ହେଲେ ଚୁପ୍‌ ହୋଇଯାଆନ୍ତି । ମାଠିଆ ପୂର୍ଣ୍ଣ ହେଲେ, ମାଠିଆର ପାଣି ଓ ପୋଖରୀର ପାଣି ସମାନ ହେଲେ, ଆଉ ଶବ୍ଦ ହୁଏ ନାହିଁ । ଯେପର୍ଯ୍ୟନ୍ତ ମାଠିଆ ପୂର୍ଣ୍ଣ ନ ହୁଏ, ସେପର୍ଯ୍ୟନ୍ତ ଶବ୍ଦ ।

ଆଗ କାଳରେ ଲୋକେ କହୁଥିଲେ – କଳାପାଣିକୁ ଜାହାଜ ଗଲେ ଆଉ ଫେରେ ନାହିଁ ।

ମୁଁ କିନ୍ତୁ ଯାଏ ନାହିଁ

ମୁଁ ମଲେ ଘୁଞ୍ଚିବ ଜଞ୍ଜାଳ (ସମସ୍ତଙ୍କର ହାସ୍ୟ) – କିନ୍ତୁ ହଜାର ବିଚାର କର, ‘ମୁଁ’ ଯାଏ ନାହିଁ । ତେଣୁ ତୁମ ଆମ ପକ୍ଷରେ ‘ଭକ୍ତ ମୁଁ’ ଏ ଅଭିମାନ ଭଲ ।

ଭକ୍ତ ପକ୍ଷରେ ସଗୁଣ ବ୍ରହ୍ମ, ଅର୍ଥାତ୍‌ ସେ ସଗୁଣ – ଜଣେ ବ୍ୟକ୍ତ ହୋଇ, ରୂପ ନେଇ ଦେଖା ଦିଅନ୍ତି । ସେ ହିଁ ପ୍ରାର୍ଥନା ଶୁଣନ୍ତି । ତୁମେମାନେ ଯେଉଁ ପ୍ରାର୍ଥନା କର, ତାଙ୍କୁ ହିଁ କର । ତୁମେମାନେ ବେଦାନ୍ତବାଦୀ ନୁହଁ, ଜ୍ଞାନୀ ନୁହଁ, ତୁମେମାନେ ଭକ୍ତ । ସାକାର ରୂପ ମାନ ବା ନ ମାନ, କିଛି ଯାଏ ଆସେ ନାହିଁ । ଈଶ୍ୱର ଜଣେ ବ୍ୟକ୍ତି ବୋଲି ବୋଧ ହେଲେ ହେଲା – ଯେ ବ୍ୟକ୍ତି ପ୍ରାର୍ଥନା ଶୁଣନ୍ତି, ସୃଷ୍ଟି ସ୍ଥିତି ପ୍ରଳୟ କରନ୍ତି, ଯେ ବ୍ୟକ୍ତି ଅନନ୍ତ-ଶକ୍ତି । ଭକ୍ତି ପଥରେ ହିଁ ସେ ସହଜରେ ମିଳନ୍ତି ।

(୫)
ଭକ୍ତ୍ୟା ତ୍ଵନନ୍ୟୟା ଶକ୍ୟ ଅହମେବଂବିଧୋଽର୍ଜୁନ ।
ଜ୍ଞାତୁଂ ଦ୍ରଷ୍ଟୁଂ ଚ ତତ୍ତ୍ଵେନ ପ୍ରବେଷ୍ଟୁଂ ଚ ପରନ୍ତପ ॥ — ଗୀତା ୧୧.୫୪

ଈଶ୍ୱରଦର୍ଶନ – ସାକାର ନା ନିରାକାର ?

ଜଣେ ବ୍ରାହ୍ମଭକ୍ତ – ମହାଶୟ ! ଈଶ୍ୱରଙ୍କୁ କ’ଣ ଦେଖାଯାଏ ? ଯଦି ଦେଖାଯାଏ, ଆମେ କାହିଁକି ଦେଖିପାରୁ ନାହିଁ ?
ଶ୍ରୀରାମକୃଷ୍ଣ – ହଁ, ଅବଶ୍ୟ ଦେଖାଯାଆନ୍ତି – ସାକାର ରୂପ ଦେଖାଯାଏ ଆଉ ଅରୂପ ମଧ୍ୟ ଦେଖାଯାଏ । ସେକଥା ତୁମକୁ କିପରି ବୁଝାଇବି ?
ବ୍ରାହ୍ମଭକ୍ତ – କି ଉପାୟରେ ଦେଖା ମିଳିପାରେ ?
ଶ୍ରୀରାମକୃଷ୍ଣ – ବ୍ୟାକୁଳ ହୋଇ ତାଙ୍କ ପାଇଁ କାନ୍ଦିପାର ?

ଲୋକମାନେ ପୁଅ ପାଇଁ, ସ୍ତ୍ରୀ ପାଇଁ, ଟଙ୍କା ପାଇଁ ମାଠିଆ ମାଠିଆ କାନ୍ଦନ୍ତି । କିନ୍ତୁ ଈଶ୍ୱରଙ୍କ ପାଇଁ କିଏ କାନ୍ଦୁଛି ? ଯେପର୍ଯ୍ୟନ୍ତ ପୁଅ ଚୁଚୁମା ନେଇ ଭୁଲିଥାଏ, ମା ରନ୍ଧାବଢ଼ା ଓ ଘରର ଅନ୍ୟାନ୍ୟ କାମଦାମ କରେ । ଯେତେବେଳେ ଆଉ ଚୁଚୁମା ଭଲ ଲାଗେ ନାହିଁ – ପିଲାଟି ଚୁଚୁମା ଫିଙ୍ଗି ପାଟିକରି କାନ୍ଦେ – ସେତେବେଳେ ମା ଭାତହାଣ୍ଡି ଓହ୍ଲାଇ ଧଡ଼୍‌ପଡ଼୍‌ ହୋଇ ଆସି ପିଲାକୁ କୋଳକୁ ନିଏ ।

ବ୍ରାହ୍ମଭକ୍ତ – ମହାଶୟ ! ଈଶ୍ୱରଙ୍କର ସ୍ଵରୂପ ନେଇ ଏତେ ଭିନ୍ନ ଭିନ୍ନ ମତ କାହିଁକି ? କିଏ କହେ ସାକାର, କିଏ କହେ ନିରାକାର – ପୁଣି ସାକାର-ବାଦୀମାନଙ୍କ ନିକଟରୁ ନାନା ରୂପର କଥା ଶୁଣିବାକୁ ମିଳେ । ଏତେ ଗଣ୍ଡଗୋଳ କାହିଁକି ?
ଶ୍ରୀରାମକୃଷ୍ଣ – ଯେଉଁ ଭକ୍ତ ଯେପରି ଦେଖେ, ସେ ସେହିପରି ମନେକରେ; ବାସ୍ତବିକ୍‌ କୌଣସି କିଛି ଗଣ୍ଡଗୋଳ ନାହିଁ । ତାଙ୍କୁ କୌଣସି ପ୍ରକାରେ ଯଦି ଥରେ ଲାଭ କରାଯାଇପାରେ, ତାହା ହେଲେ ସେ ସବୁ ବୁଝାଇ ଦିଅନ୍ତି । ସେ ସାହିକୁ ତ ଗଲ ନାହିଁ – ସବୁ ଖବର ପାଇବ କିପରି !

ଗୋଟିଏ ଗପ ଶୁଣ । ଜଣେ ଶୌଚ ଯାଇଥଲା । ସେ ଦେଖିଲା ଯେ ଗଛ ଉପରେ ଗୋଟିଏ ଜନ୍ତୁ ଅଛି । ସେ ଆସି ଜଣକୁ କହିଲା – ଶୁଣ, ଅମୁକ ଗଛରେ ସୁନ୍ଦର ଲାଲ ରଙ୍ଗର ଜନ୍ତୁଟିଏ ଦେଖି ଆସିଲି । ଲୋକଟି ଉତ୍ତର ଦେଲା – ମୁଁ ଯେତେବେଳେ ଶୌଚ ଯାଇଥିଲି, ମୁଁ ମଧ୍ୟ ଦେଖିଛି; ତେବେ ସେ ଲାଲ ରଙ୍ଗ କାହିଁକି ହେବ ? ସେ ତ ସବୁଜ ରଙ୍ଗ ! ଆଉ ଜଣେ କହିଲା – ନା, ନା, ମୁଁ ଦେଖିଛି ହଳଦିଆ । ଏହିପରି ଆଉ କେହି କେହି କହିଲେ – ନା, ଜରଦା, ବାଇଗଣି, ନୀଳ ଇତ୍ୟାଦି । ଶେଷରେ ଝଗଡ଼ା । ତା’ପରେ ସେମାନେ ଗଛ ତଳକୁ ଯାଇ ଦେଖନ୍ତି, ଜଣେ ଲୋକ ବସିଛି । ତାକୁ ପଚାରିବାରୁ ସେ କହିଲା, ‘ମୁଁ ଏହି ଗଛ ତଳେ ଥାଏ; ମୁଁ ସେ ଜନ୍ତୁଟିକୁ ଖୁବ୍‌ ଭଲ କରି ଜାଣେ – ତୁମେମାନେ ଯାହା ଯାହା କହୁଛ, ସବୁ ସତ – ସେ କେତେବେଳେ ଲାଲ, କେତେବେଳେ ସବୁଜ, କେତେବେଳେ ହଳଦିଆ, କେତେବେଳେ ନୀଳ, ଆଉ ମଧ୍ୟ କେତେ କ’ଣ ହୁଏ । ବହୁରୂପୀ । ଆଉ କେତେବେଳେ ଦେଖେ, କୌଣସି ରଙ୍ଗ ନାହିଁ । କେତେବେଳେ ସଗୁଣ, କେତେବେଳେ ବା ନିର୍ଗୁଣ ।’

ଅର୍ଥାତ୍‌ ଯେଉଁ ବ୍ୟକ୍ତି ସଦା ସର୍ବଦା ଈଶ୍ୱରଚିନ୍ତା କରେ, ସେହି କେବଳ ଜାଣିପାରେ, ତାଙ୍କର ସ୍ୱରୂପ କଅଣ ? ସେହି ବ୍ୟକ୍ତି ହିଁ ଜାଣେ ଯେ, ସେ ନାନା ରୂପରେ ଦେଖା ଦିଅନ୍ତି, ନାନା ଭାବରେ ଦେଖା ଦିଅନ୍ତି – ସେ ସଗୁଣ, ପୁଣି ସେ ନିର୍ଗୁଣ । ଯେ ଗଛତଳେ ରହେ, ସେ ଜାଣେ ସେ ବହୁରୂପୀର ନାନାରଙ୍ଗ – ଆଉ ବେଳେ ବେଳେ କୌଣସି ରଙ୍ଗ ନ ଥାଏ । ଅନ୍ୟ ଲୋକମାନେ କେବଳ କଳିକଜିଆ କରି କଷ୍ଟ ପାଆନ୍ତି ।

କବୀର କହୁଥିଲେ – ‘ନିରାକାର ମୋର ବାପ, ସାକାର ମୋର ମା ।’

ଭକ୍ତ ଯେଉଁ ରୂପକୁ ଭଲପାଏ, ସେହି ରୂପରେ ସେ ଦେଖାଦିଅନ୍ତି – ସେ ଯେ ଭକ୍ତବତ୍ସଳ ! ପୁରାଣରେ ଅଛି, ଭକ୍ତବୀର ହନୁମାନଙ୍କ ପାଇଁ ସେ ରାମ-ରୂପ ଧରିଥିଲେ ।

କାଳୀରୂପ ଓ ଶ୍ୟାମରୂପର ବ୍ୟାଖ୍ୟା – ଅନନ୍ତଙ୍କୁ ଜଣାଯାଏ ନାହିଁ

ବେଦାନ୍ତ-ବିଚାର ପାଖରେ ରୂପ କୁଆଡ଼େ ଉଡ଼ିଯାଏ । ସେହି ବିଚାରର ଶେଷ ସିଦ୍ଧାନ୍ତ ଏହି ଯେ – ବ୍ରହ୍ମ ସତ୍ୟ, ଆଉ ନାମରୂପଯୁକ୍ତ ଜଗତ ମିଥ୍ୟା । ଯେପର୍ଯ୍ୟନ୍ତ ‘ମୁଁ ଭକ୍ତ’ ଏହି ଅଭିମାନ ରହିଥାଏ, କେବଳ ସେପର୍ଯ୍ୟନ୍ତ ଈଶ୍ୱରଙ୍କର ରୂପ ଦର୍ଶନ ହୁଏ ଏବଂ ଈଶ୍ୱରଙ୍କୁ ବ୍ୟକ୍ତି ବୋଲି ବୋଧ ହୁଏ । ବିଚାର ଦୃଷ୍ଟିରୁ ଦେଖିଲେ ଭକ୍ତର ‘ମୁଁ’-ଅଭିମାନ ଭକ୍ତକୁ ଟିକିଏ ଦୂରରେ ରଖିଛି ।

କାଳୀରୂପ ବା ଶ୍ୟାମରୂପ ଚଉଦ ପାଆ କାହିଁକି ? ଦୂରରେ ବୋଲି । ଦୂର ବୋଲି ସୂର୍ଯ୍ୟ ଛୋଟ ଦେଖାଯାଏ । ପାଖକୁ ଯାଅ – ସେତେବେଳେ ଏତେ ବଡ଼ ଦେଖା ଯିବ ଯେ, ଧାରଣା କରିପାରିବ ନାହିଁ । ଆଉ କାଳୀରୂପ ବା ଶ୍ୟାମରୂପ ଶ୍ୟାମବର୍ଣ୍ଣ କାହିଁକି ? ତାହା ମଧ୍ୟ ଦୂର ବୋଲି । ଯେପରି ହ୍ରଦର ଜଳ ଦୂରରୁ ସବୁଜ, ନୀଳ ବା କଳା ରଙ୍ଗ ଦେଖାଯାଏ; ପାଖକୁ ଯାଇ ହାତରେ ଉଠାଇ ଦେଖ, ପାଣିର କୌଣସି ରଙ୍ଗ ନାହିଁ । ଆକାଶ ଦୂରରୁ ଦେଖିଲେ ନୀଳବର୍ଣ୍ଣ; ପାଖରେ ଦେଖ, କୌଣସି ରଙ୍ଗ ନାହିଁ ।

ତେଣୁ କହୁଛି, ବେଦାନ୍ତ-ଦର୍ଶନ-ବିଚାରରେ ବ୍ରହ୍ମ ନିର୍ଗୁଣ । ତାଙ୍କର ସ୍ଵରୂପ କ’ଣ ତାହା କଥାରେ କହି ହୁଏ ନାହିଁ । କିନ୍ତୁ ଯେପର୍ଯ୍ୟନ୍ତ ନିଜେ ସତ୍ୟ, ସେପର୍ଯ୍ୟନ୍ତ ଜଗତ ମଧ୍ୟ ସତ୍ୟ, ଈଶ୍ୱରଙ୍କର ନାନା ରୂପ ମଧ୍ୟ ସତ୍ୟ । ଈଶ୍ୱରଙ୍କୁ ବ୍ୟକ୍ତି ବୋଲି ବୋଧ କରିବା ମଧ୍ୟ ସତ୍ୟ ।

ତୁମମାନଙ୍କର ଭକ୍ତିପଥ । ଏ ଖୁବ୍‌ ଭଲ, ସହଜ ପଥ । ଅନନ୍ତ ଈଶ୍ୱରକୁ କ’ଣ ଜଣାଯାଏ ? ଆଉ ତାଙ୍କୁ ଜାଣିବା ମଧ୍ୟ କଅଣ ଦରକାର ? ଏହି ଦୁର୍ଲ୍ଲଭ ମନୁଷ୍ୟ-ଜନ୍ମ ପାଇ ମୋର ଦରକାର – ତାଙ୍କ ପାଦ-ପଦ୍ମରେ ଯେପରି ଭକ୍ତି ହୁଏ ।

ମୋର ଯଦି ଲୋଟାଏ ପାଣିରେ ଶୋଷ ମରେ, ପୋଖରୀରେ କେତେ ପାଣି ଅଛି ଏହା ମାପିବା ମୋର କ’ଣ ଦରକାର ? ମୁଁ ଅଧବୋତଲ ମଦରେ ମାତାଲ ହୋଇଯାଏ, ଶୁଣ୍ଢି ଦୋକାନରେ କେତେ ମହଣ ମଦ ଅଛି, ଏ ହିସାବରେ ମୋର କ’ଣ ଦରକାର ? ଅନନ୍ତଙ୍କୁ ଜାଣିବା ଦରକାର କ’ଣ ?

(୬)
ୟସ୍ତ୍ବାତ୍ମରତିରେବ ସ୍ୟାଦାତ୍ମତୃପ୍ତଶ୍ଚ ମାନବଃ ।
ଆତ୍ମନ୍ୟେବ ଚ ସନ୍ତୁଷ୍ଟସ୍ତସ୍ୟ କାର୍ୟଂ ନ ବିଦ୍ୟତେ ॥ — ଗୀତା ୩.୧୭

ଈଶ୍ୱରଲାଭର ଲକ୍ଷଣ – ସପ୍ତଭୂମି ଓ ବ୍ରହ୍ମଜ୍ଞାନ

ଶ୍ରୀରାମକୃଷ୍ଣ – ବେଦରେ ବ୍ରହ୍ମଜ୍ଞାନୀର ନାନା ପ୍ରକାର ଅବସ୍ଥାର ବର୍ଣ୍ଣନା ଅଛି । ଜ୍ଞାନପଥ ଅତ୍ୟନ୍ତ କଠିନ ପଥ । ବିଷୟବୁଦ୍ଧି, କାମିନୀ-କାଞ୍ଚନରେ ଆସକ୍ତିର ଲେଶମାତ୍ର ରହିଲେ ସେ ଜ୍ଞାନ ହୁଏ ନାହିଁ । ଏ ପଥ କଳିଯୁଗ ପାଇଁ ନୁହେଁ ।

ଏ ସମ୍ବନ୍ଧରେ ବେଦରେ ସପ୍ତଭୂମିର କଥା ଅଛି । ଏହି ସାତଟି ଭୂମି ମନର ସ୍ଥାନ । ଯେତେବେଳେ ସଂସାରରେ ମନ ରହେ, ସେତେବେଳେ ଲିଙ୍ଗ, ଗୁହ୍ୟ ଓ ନାଭି ମନର ସ୍ଥାନ । ମନର ସେତେବେଳେ ଉର୍ଦ୍ଧ୍ୱଦୃଷ୍ଟି ନ ଥାଏ – କେବଳ କାମିନୀକାଞ୍ଚନରେ ମନ ରହେ । ମନର ଚତୁର୍ଥ ଭୂମି ହୃଦୟ । ସେତେବେଳେ ପ୍ରଥମ ଚୈତନ୍ୟ ହୋଇଛି; ଆଉ ଚାରିଆଡ଼େ ଜ୍ୟୋତି ଦର୍ଶନ ହୁଏ । ସେତେବେଳେ ସେ ବ୍ୟକ୍ତି ଐଶ୍ୱରିକ ଜ୍ୟୋତି ଦେଖି ଅବାକ୍‌ ହୋଇ କହେ, ‘ଏ କ’ଣ ! ଏ କ’ଣ !’ ସେତେବେଳେ ଆଉ ତଳ ଆଡ଼କୁ (ସଂସାର ଆଡ଼କୁ) ମନ ଯାଏ ନାହିଁ ।

ମନର ପଞ୍ଚମ ଭୂମି କଣ୍ଠ । ମନ ଯାହାର କଣ୍ଠକୁ ଉଠିଛି, ତାହାର ଅବିଦ୍ୟା ଅଜ୍ଞାନ ସବୁ ଯାଇଛି; ଈଶ୍ୱରୀୟ କଥା ଭିନ୍ନ ଅନ୍ୟ କୌଣସି କଥା ଶୁଣିବାକୁ ବା କହିବାକୁ ଭଲ ଲାଗେ ନାହିଁ । ଯଦି କେହି ଅନ୍ୟ କଥା କହେ, ତେବେ ସେଠାରୁ ସେ ଉଠିଯାଏ ।

ମନର ଷଷ୍ଠ ଭୂମି କପାଳ । ମନ ସେଠାକୁ ଗଲେ ଅହର୍ନିଶ ଈଶ୍ୱରୀୟ ରୂପ ଦର୍ଶନ ହୁଏ । ସେତେବେଳେ ମଧ୍ୟ ଟିକିଏ ‘ମୁଁ’ ରହିଥାଏ । ସେ ବ୍ୟକ୍ତି ସେହି ନିରୂପମ ରୂପ ଦର୍ଶନ କରି ଉନ୍ମତ୍ତ ହୋଇ ସେହି ରୂପକୁ ସ୍ପର୍ଶ କରି ଆଲିଙ୍ଗନ କରିବାକୁ ଯାଏ; କିନ୍ତୁ ପାରେ ନାହିଁ । ଯେପରି ଲଣ୍ଠନ ଭିତରେ ଆଲୁଅ ଅଛି, ମନେହୁଏ ହେଇଟି ଆଲୁଅ ଛୁଇଁଲି, କିନ୍ତୁ କାଚ ବ୍ୟବଧାନ ଅଛି ବୋଲି ଛୁଇଁ ହୁଏ ନାହିଁ । ଶିରୋଦେଶରେ ସପ୍ତମ ଭୂମି । ସେଠାକୁ ମନ ଗଲେ ସମାଧି ହୁଏ ଓ ବ୍ରହ୍ମଜ୍ଞାନୀ ବ୍ରହ୍ମଙ୍କୁ ପ୍ରତ୍ୟକ୍ଷ ଦର୍ଶନ କରେ । କିନ୍ତୁ ସେହି ଅବସ୍ଥାରେ ଶରୀର ଅଧିକ ଦିନ ରହେ ନାହିଁ । ସର୍ବଦା ବେହୋସ୍‌; କିଛି ଖାଇପାରେ ନାହିଁ, ପାଟିରେ ଦୁଧ ଦେଲେ ବୋହିପଡ଼େ । ଏହି ସପ୍ତମ ଭୂମିରେ ଏକୋଇଶ ଦିନରେ ମୃତ୍ୟୁ ହୁଏ । ବ୍ରହ୍ମଜ୍ଞାନୀର ଏହି ଅବସ୍ଥା । ତୁମମାନଙ୍କର ଭକ୍ତିପଥ । ଭକ୍ତିପଥ ଖୁବ୍‌ ଭଲ ଆଉ ସହଜ ।

ସମାଧି ଓ କର୍ମତ୍ୟାଗ

ମୋତେ ଜଣେ କହିଥିଲା, ‘ମହାଶୟ ! ମୋତେ ସମାଧିଟା ଶିଖାଇ ଦେଇ ପାରିବେ ? (ସମସ୍ତଙ୍କର ହାସ୍ୟ )

ସମାଧି ହେଲେ ସମସ୍ତ କର୍ମ ତ୍ୟାଗ ହୋଇଯାଏ । ପୂଜା-ଜପାଦି କର୍ମ, ବିଷୟକର୍ମ ସବୁ ତ୍ୟାଗ ହୁଏ । ପ୍ରଥମେ କର୍ମର ଭାରୀ ହଟ୍ଟଗୋଳ ଥାଏ । ଯେତେ ଇଶ୍ଵରଙ୍କ ଆଡ଼କୁ ଆଗେଇବ, କାମର ଭିଡ଼ ସେତେ କମିଯିବ । ଏପରିକି ତାଙ୍କର ନାମ-ଗୁଣ-ଗାନ ମଧ୍ୟ ବନ୍ଦ ହୋଇଯାଏ । (ଶିବନାଥଙ୍କ ପ୍ରତି) ଯେପର୍ଯ୍ୟନ୍ତ ତୁମେ ସଭାକୁ ଆସିନାହଁ, ସେପର୍ଯ୍ୟନ୍ତ ତୁମର ନାମ, ଗୁଣର କଥା ବହୁତ ହେଉଛି । ଯେତେବେଳେ ତୁମେ ଆସି ପହଞ୍ଚିଲ, ସଙ୍ଗେ ସଙ୍ଗେ ସେସବୁ କଥା ଵନ୍ଦ ହୋଇଗଲା । ସେତେବେଳେ ତୁମର ଦର୍ଶନରେ ହିଁ ଆନନ୍ଦ । ସେତେବେଳେ ଲୋକେ କହନ୍ତି, ‘ହେଇ ଯେ ଶିବନାଥବାବୁ ଆସିଛନ୍ତି !’ ତୁମ ବିଷୟରେ ଅନ୍ୟ ସବୁ କଥା ବନ୍ଦ ହୋଇଯାଏ ।

ମୋର ଏହି ଅବସ୍ଥା ପରେ ଗଙ୍ଗାଜଳରେ ତର୍ପଣ କରିବାକୁ ଯାଇ ଦେଖେ ଯେ, ହାତର ଆଙ୍ଗୁଠି-ଫାଙ୍କବାଟେ ପାଣି ଗଡ଼ିଯାଉଛି । ସେତେବେଳେ ହଳଧାରୀଙ୍କୁ କାନ୍ଦି କାନ୍ଦି ପଚାରିଲି ‘ଭାଇ, ମୋର ଏ କଅଣ ହେଲା ?’ ହଳଧାରୀ କହିଲା – ଏହାକୁ ‘ଗଳିତ ହସ୍ତ’ କୁହାଯାଏ । ଈଶ୍ୱର-ଦର୍ଶନ ପରେ ତର୍ପଣାଦି କର୍ମ ରହେ ନାହିଁ ।

ସଂକୀର୍ତ୍ତନରେ ପ୍ରଥମେ କହନ୍ତି, ‘ନିତାଇ ଆମାର ମାତା (ମତ୍ତ) ହାତୀ’ – ‘ନିତାଇ ଆମାର ମାତା ହାତୀ’ । ଭାବ ଗାଢ଼ ହେଲେ କେବଳ କହନ୍ତି, ‘ହାତୀ ! ତା’ପରେ କେବଳ ‘ହାତୀ’ – ଏହି କଥାଟି ମୁଖରେ ରହେ । ଶେଷରେ ‘ହା’ କହୁ କହୁ ଭାବ-ସମାଧି ହୁଏ । ସେତେବେଳେ ଯିଏ ଏତେ ସମୟ ଧରି କୀର୍ତ୍ତନ କରୁଥିଲା, ସେ ଚୁପ୍‌ ହୋଇଯାଏ ।

ଯେପରି ବ୍ରାହ୍ମଣ-ଭୋଜନରେ ପ୍ରଥମେ ଖୁବ୍‌ ପାଟିତୁଣ୍ଡ । ଯେତେବେଳେ ସମସ୍ତେ ପତ୍ର ପାଖରେ ବସିଲେ, ସେତେବେଳେ ଗୋଳମାଳ ବହୁ ପରିମାଣରେ କମିଗଲା – କେବଳ ‘ଲୁଚି ଆଣ’ ‘ଲୁଚି ଆଣ’ ଶବ୍ଦ ହେଉଥାଏ । ତାହାପରେ ଯେତେବେଳେ ଲୁଚି ତରକାରୀ ଖାଇବାକୁ ଆରମ୍ଭ କଲେ, ସେତେବେଳେ ବାରଅଣା ଶବ୍ଦ କମିଯାଇଛି । ଯେତେବେଳେ ଦହି ଆସିଲା, ସେତେବେଳେ କେବଳ ସୁପ୍‌ସାପ୍‌ (ସମସ୍ତଙ୍କର ହାସ୍ୟ) ଶବ୍ଦ ନାହିଁ କହିଲେ ବି ହେବ । ଖାଇବା ପରେ ନିଦ୍ରା । ସେତେବେଳେ ସବୁ ଚୁପ୍‌ ।

ତେଣୁ କହୁଛି, ପ୍ରଥମେ ପ୍ରଥମେ କର୍ମର ଭାରୀ ହଟ୍ଟଗୋଳ ଥାଏ । ଈଶ୍ୱରଙ୍କ ପଥରେ ଯେତେ ଆଗେଇବ ସେତେ କର୍ମ କମିଯିବ । ଶେଷରେ କର୍ମତ୍ୟାଗ ଆଉ ସମାଧି ।

ଗୃହସ୍ଥ ଘରର ବୋହୂ ଅନ୍ତଃସତ୍ତ୍ଵା ହେଲେ ଶାଶୁ କର୍ମ କମେଇ ଦିଏ; ଦଶ ମାସରେ କର୍ମ ପ୍ରାୟ କରିବାକୁ ହୁଏ ନାହିଁ । ପିଲା ହେଲେ ଏକାବେଳକେ କର୍ମତ୍ୟାଗ । ମା ପିଲାଟିକୁ ନେଇ କେବଳ ହଲାହଲି କରେ । ଘରକରଣା କାମ – ଶାଶୁ, ନଣନ୍ଦ, ଯାଆ, – ଏମାନେ ସବୁ କରନ୍ତି ।

ସମାଧିପରେ ଅବତାରାଦିଙ୍କର ଶରୀର – ଲୋକଶିକ୍ଷ। ପାଇଁ

ସମାଧିସ୍ଥ ହେବା ପରେ ଦେହ ପ୍ରାୟ ରହେ ନାହିଁ । କାହାରି କାହାରି ଲୋକଶିକ୍ଷା ପାଇଁ ଦେହ ରହେ – ଯେପରି ନାରଦାଦିଙ୍କର, ଆଉ ଚୈତନ୍ୟଦେବଙ୍କ ପରି ଅବତାରମାନଙ୍କର । କୂଅ ଖୋଳା ହୋଇଗଲେ କେହି କେହି ଟୋକେଇ କୋଡ଼ି ଆଉ ରଖନ୍ତି ନାହିଁ । କେହି କେହି ରଖି ଦିଅନ୍ତି – ଭାବନ୍ତି ଯଦି ସାହିରେ କାହାର କେବେ ଦରକାର ହୁଏ । ଏପରି ମହାପୁରୁଷ ଜୀବର ଦୁଃଖରେ କାତର । ଏମାନେ ସ୍ୱାର୍ଥପର ନୁହଁନ୍ତି ଯେ ନିଜର ଜ୍ଞାନ ହେଲେ ହେଲା । ସ୍ଵାର୍ଥପର ଲୋକର କଥା ତ ଜାଣ । ଏଠାରେ ମୂତ ବୋଲି କହିଲେ ମୂତିବେ ନାହିଁ – କାଳେ ତୁମର ଉପକାର ହେବ । (ସମସ୍ତଙ୍କର ହାସ୍ୟ) ପଇସାକର ସନ୍ଦେଶ ଦୋକାନରୁ ଆଣିବାକୁ ଦେଲେ ଚୁଚୁମି ଚୁଚୁମି ଆଣିଦିଏ । (ସମସ୍ତଙ୍କର ହାସ୍ୟ)

କିନ୍ତୁ ଶକ୍ତି ବିଶେଷ । ସାମାନ୍ୟ ଆଧାର ଲୋକଶିକ୍ଷା ଦେବାକୁ ଭୟ କରେ । ହାଲୁକା କାଠ ନିଜେ କୌଣସି ପ୍ରକାରେ ଭାସିଯାଏ, ମାତ୍ର ଗୋଟିଏ ପକ୍ଷୀ ଆସି ବସିଲେ ବୁଡ଼ିଯାଏ । କିନ୍ତୁ ନାରଦାଦି ବାହାଦୂର କାଠ । ଏ କାଠ ନିଜେ ବି ଭାସିଯାଏ, ଆହୁରି ମଧ୍ୟ ଉପରେ କେତେ ମନୁଷ୍ୟ, ହାତୀ, ଗୋରୁ ନେଇଯାଇପାରେ ।

(୭)
ଅଦୃଷ୍ଟପୂର୍ବଂ ହୃଷିତୋଽସ୍ମି ଦୃଷ୍ଟ୍ବା, ଭୟେନ ଚ ପ୍ରବ୍ୟଥିତଂ ମନୋ ମେ ।
ତଦେବ ମେ ଦର୍ଶୟ ଦେବରୂପଂପ୍ରସୀଦ ଦେବେଶ ଜଗନ୍ନିବାସ ॥ — ଗୀତା ୧୧.୪୫

ବ୍ରାହ୍ମସମାଜରେ ପ୍ରାର୍ଥନା-ପଦ୍ଧତି ଓ ଈଶ୍ୱରଙ୍କର ଐଶ୍ୱର୍ଯ୍ୟ ବର୍ଣ୍ଣନା

ପୂର୍ବକଥା – ଦକ୍ଷିଣେଶ୍ୱରରେ ରାଧାକାନ୍ତଙ୍କ ଘରୁ ଗହଣା ଚୋରୀ – ୧୮୬୯

ଶ୍ରୀରାମକୃଷ୍ଣ (ଶିବନାଥାଦିଙ୍କ ପ୍ରତି)  – ହଇହେ, ତୁମେ ଈଶ୍ୱରଙ୍କର ଐଶ୍ୱର୍ଯ୍ୟ ଏତେ ବର୍ଣ୍ଣନା କର କାହିଁକି ? ମୁଁ କେଶବ ସେନ୍‌ଙ୍କୁ ଏହି କଥା କହିଥିଲି । ଦିନେ ସେମାନେ ସବୁ ସେଠାକୁ (କାଳୀମନ୍ଦିରକୁ ) ଯାଇଥିଲେ । ମୁଁ କହିଲି – ତୁମେମାନେ କିପରି ଲେକ୍‌ଚର ଦିଅ ମୁଁ ଶୁଣିବି । ତେଣୁ ଗଙ୍ଗାଘାଟରେ ଚଉତରା ଉପରେ ସଭା ହେଲା । ଆଉ କେଶବ ବକ୍ତୃତା ଦେବାକୁ ଲାଗିଲା । ମୋର ଭାବ ହୋଇଯାଇଥିଲା । ପରେ କେଶବକୁ ମୁଁ କହିଲି, ତୁମେ ଏଗୁଡ଼ାକ ଏତେ କହ କାହିଁକି ? – ‘ହେ ଈଶ୍ୱର, ତୁମେ କି ସୁନ୍ଦର ଫୁଲ କରିଛ, ଆକାଶ କରିଛ, ତୁମେ ତାରା କରିଛ, ତୁମେ ସମୁଦ୍ର କରିଛ’ – ଏଇସବୁ? ଯେଉଁମାନେ ନିଜେ ଐଶ୍ୱର୍ଯ୍ୟ ଭଲ ପାଆନ୍ତି, ସେମାନେ ଈଶ୍ୱରଙ୍କର ଐଶ୍ୱର୍ଯ୍ୟ ବର୍ଣ୍ଣନା କରିବାକୁ ଭଲ ପାଆନ୍ତି । ଯେତେବେଳେ ରାଧାକାନ୍ତଙ୍କର ଗହଣା ଚୋରିହେଲା, ସେଜୋବାବୁ (ମଥୁରବାବୁ) ରାଧାକାନ୍ତଙ୍କ ମନ୍ଦିରକୁ ଯାଇ ଦିଅଁକୁ କହିବାକୁ ଲାଗିଲା – ‘ଛି ଠାକୁରେ ! ତୁମେ ତୁମର ଗହଣା ରକ୍ଷା କରିପାରିଲ ନାହିଁ ।’ ମୁଁ ସେଜୋବାବୁଙ୍କୁ କହିଲି, ‘ଏ ତୁମର କି ବୁଦ୍ଧି  ! ସ୍ଵୟଂ ଲକ୍ଷ୍ମୀ ଯାହାଙ୍କର ଦାସୀ, ପଦସେବା କରନ୍ତି, ତାଙ୍କର କଅଣ ଐଶ୍ୱର୍ଯ୍ୟର ଅଭାବ ! ଏ ଗହଣା ତୁମ ପାଇଁ ଭାରୀ ବଡ଼; କିନ୍ତୁ ଈଶ୍ୱରଙ୍କର ପକ୍ଷରେ କେତେଗୁଡ଼ିଏ ମାଟିର ଟେଳା । ଛି ! ଏପରି ହୀନ ବୁଦ୍ଧିର କଥା କହିବ ନାହିଁ । ତୁମେ ତାଙ୍କୁ କି ଐଶ୍ୱର୍ଯ୍ୟ ଦେଇପାରିବ ?’ ତେଣୁ କହେ – ଯାହାଙ୍କୁ ନେଇ ଆନନ୍ଦ ହୁଏ, ତାଙ୍କୁ ହିଁ କେବଳ ଲୋକେ ଚାହାଁନ୍ତି, ତାଙ୍କର ଘର କେଉଁଠି, କେତେ ଖଣ୍ଡ ଘର, କେତେଟା ବଗିଚା, କେତେ ଧନ ଜନ ଦାସ ଦାସୀ, ଏ ଖବରରେ କଅଣ ଦରକାର ? ନରେନ୍ଦ୍ରକୁ ଯେତେବେଳେ ଦେଖେ ସେତେବେଳେ ସବୁ ଭୁଲିଯାଏ । ତାହାର ଘର କେଉଁଠି, ତାହାର ବାପା କ’ଣ କରନ୍ତି, ତାହାର କେତୋଟି ଭାଇ, ଏସବୁ କଥା ଭୁଲରେ ବି ଦିନେ ପଚାରି ନାହିଁ । ଈଶ୍ୱରଙ୍କର ମାଧୁର୍ଯ୍ୟ-ରସରେ ବୁଡ଼ି ଯାଅ । ତାଙ୍କର ଅନନ୍ତ ସୃଷ୍ଟି, ଅନନ୍ତ ଐଶ୍ୱର୍ଯ୍ୟ । ଏତେ ଖବର ଆମମାନଙ୍କର କଅଣ ଦରକାର !

ପୁଣି ସେହି ଗନ୍ଧର୍ବବିନିନ୍ଦିତ କଣ୍ଠରେ ଠାକୁର ମଧୁର ସଙ୍ଗୀତ ଗାଇଲେ –
“ଡୁବ୍‌ ଡୁବ୍‌ ଡ଼ୁବ୍‌ ରୂପସାଗରେ ଆମାର ମନ
ତଲାତଲ ପାତାଲ ଖୁଁଜଲେ ପାବିରେ ପ୍ରେମ-ରତ୍ନଧନ ।…

ତେବେ ଦର୍ଶନ ପରେ ଭକ୍ତର ଇଚ୍ଛା ହୁଏ, କିପରି ତାଙ୍କର ଲୀଳା ଦେଖିବ । ରାମଚନ୍ଦ୍ର ରାବଣବଧ ପରେ ରାକ୍ଷସପୁରୀରେ ପ୍ରବେଶ କଲେ, ବୁଢ଼ୀ ନିକଷା ଦୌଡ଼ି ପଳାଇଗଲା । ଲକ୍ଷ୍ମଣ କହିଲେ – ରାମ ! ଏ କଅଣ କହନ୍ତୁ ଦେଖି, ଏ ନିକିଷା ଏତେ ବୁଢ଼ୀ, ଏତେ ପୁତ୍ରଶୋକ ପାଇଛି – ତାହାର ପୁଣି ଏତେ ପ୍ରାଣଭୟ ! ପଳାଉଛି ! ରାମଚନ୍ଦ୍ର ନିକିଷାକୁ ଅଭୟ ପ୍ରଦାନ କରି ସମ୍ମୁଖକୁ ଆଣି ପଚାରିବାରୁ ନିକିଷା କହିଲା, ‘ରାମ ଏତେ ଦିନ ବଞ୍ଚିଛି ବୋଲି ତୁମର ଏତେ ଲୀଳା ଦେଖିଲି; ତେଣୁ ଆଉ ବଞ୍ଚିବାକୁ ଇଚ୍ଛା ଅଛି । ତୁମର ଆହୁରି କେତେ ଲୀଳା ଦେଖିବି ।’ (ସମସ୍ତଙ୍କର ହାସ୍ୟ)

(ଶିବନାଥଙ୍କ ପ୍ରତି) ‘ତୁମକୁ ଦେଖିବାକୁ ଇଚ୍ଛା ହୁଏ । ଶୁଦ୍ଧାତ୍ମାମାନଙ୍କୁ ନ ଦେଖିଲେ କଅଣ ନେଇ ରହିବି? ଶୁଦ୍ଧାତ୍ମାମାନଙ୍କୁ ପୂର୍ବଜନ୍ମର ବନ୍ଧୁ ବୋଲି ବୋଧହୁଏ ।

ଜନ୍ମାନ୍ତର – “ବହୁନି ମେ ବ୍ୟତିତାନି ଜନ୍ମାନି ତବ ଚାର୍ଜୁନ

ଜଣେ ବ୍ରାହ୍ମଭକ୍ତ ପଚାରିଲେ – ଆପଣ ଜନ୍ମାନ୍ତର ମାନନ୍ତି ?
ଶ୍ରୀରାମକୃଷ୍ଣ – ହଁ, ମୁଁ ଶୁଣିଛି ଜନ୍ମାନ୍ତର ଅଛି । ଈଶ୍ୱରଙ୍କର କାମ ଆମେମାନେ କ୍ଷୁଦ୍ର ବୁଦ୍ଧିରେ କଅଣ ବୁଝିବା ? ଅନେକ କହି ଯାଇଛନ୍ତି, ତେଣୁ ଅବିଶ୍ୱାସ କରିପାରେ ନାହିଁ । ଭୀଷ୍ମଦେବ ଦେହତ୍ୟାଗ କରିବେ, ଶରଶଯ୍ୟାରେ ଶୋଇଛନ୍ତି; ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କ ସହିତ ଠିଆ ହୋଇଛନ୍ତି । ସେମାନେ ଦେଖିଲେ ଯେ, ଭୀଷ୍ମଦେବଙ୍କ ଆଖିରେ ଲୁହ । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ, ‘ଭାଇ, କି ଆଶ୍ଚର୍ଯ୍ୟ ! ପିତାମହ, ଯେ ସ୍ଵୟଂ ଭୀଷ୍ମଦେବ, ସତ୍ୟବାଦୀ, ଜିତେନ୍ଦିୟ, ଜ୍ଞାନୀ, ଅଷ୍ଟବସୁଙ୍କ ମଧ୍ୟରେ ଗୋଟିଏ ବସୁ, ସେ ମଧ୍ୟ ଦେହତ୍ୟାଗ ସମୟରେ ମାୟାରେ କାନ୍ଦୁଛନ୍ତି !’ ଶ୍ରୀକୃଷ୍ଣ ଭୀଷ୍ମଦେବଙ୍କୁ ଏକଥା କହିବାରୁ ସେ କହିଲେ, ‘କୃଷ୍ଣ ! ତୁମେ ବେଶ୍‌ ଜାଣ, ମୁଁ ସେଥିପାଇଁ କାନ୍ଦୁନାହିଁ । ଯେତେବେଳେ ଭାବୁଛି, ଯେଉଁ ପାଣ୍ଡବମାନଙ୍କର ସ୍ଵୟଂ ଭଗବାନ ନିଜେ ସାରଥୀ, ସେମାନଙ୍କର ମଧ୍ୟ ଦୁଃଖ-ବିପଦର ଶେଷ ନାହିଁ – ସେତେବେଳେ ଏହି କଥା ଭାବି କାନ୍ଦୁଛି ଯେ, ଭଗବାନଙ୍କର କାର୍ଯ୍ୟ କିଛି ହେଲେ ବୁଝିପାରିଲି ନାହିଁ ।’

ଭକ୍ତଙ୍କ ସଙ୍ଗରେ କୀର୍ତ୍ତନାନନ୍ଦ

ସମାଜ-ଗୃହରେ ବର୍ତ୍ତମାନ ସନ୍ଧ୍ୟାକାଳୀନ ଉପାସନା ଆରମ୍ଭ ହେଲା । ରାତ୍ରିପ୍ରାୟ ସାଢ଼େ ଆଠଟା ହୋଇଛି । ସନ୍ଧ୍ୟାର ଚାରି ପାଞ୍ଚ ଦଣ୍ଡ ପରେ ରାତ୍ରି ଜ୍ୟୋତ୍ସ୍ନାମୟୀ ହେଲା । ଉଦ୍ୟାନର ବୃକ୍ଷରାଜି ଲତାପଲ୍ଲବ ଶରଚ୍ଚନ୍ଦ୍ରର ବିମଳ କିରଣରେ ଯେପରି ଭାସି ଉଠିଲା, ଏଣେ ସମାଜ-ଗୃହରେ ସଂକୀର୍ତ୍ତନ ଆରମ୍ଭ ହୋଇଛି । ଭଗବାନ ଶ୍ରୀରାମକୃଷ୍ଣ ହରିପ୍ରେମରେ ମତୁଆଲା ହୋଇ ନାଚୁଛନ୍ତି, ଆଉ ବ୍ରାହ୍ମଭକ୍ତମାନେ ଖୋଳ କରତାଳ ଧରି ତାଙ୍କୁ ଘେରି ନାଚୁଛନ୍ତି । ସମସ୍ତେ ଭାବରେ ମତ୍ତ, ଯେପରି କି ଭଗବାନଙ୍କର ସାକ୍ଷାତ୍‌କାର କରିଛନ୍ତି । ହରିନାମରେ ଶବ୍ଦ ଉତ୍ତରୋତ୍ତର ବଢ଼ିବାକୁ ଲାଗିଲା । ଚାରିଆଡ଼େ ଗ୍ରାମବାସୀଗଣ ହରିନାମ ଶୁଣିବାକୁ ପାଉଛନ୍ତି, ଆଉ ମନେ ମନେ ଉଦ୍ୟାନସ୍ଵାମୀ ଭକ୍ତ ବେଣୀମାଧବଙ୍କୁ କେତେ ଧନ୍ୟବାଦ ଦେଉଛନ୍ତି !

କୀର୍ତ୍ତନାନ୍ତେ ଶ୍ରୀରାମକୃଷ୍ଣ ଭୂମିଷ୍ଠ ହୋଇ ଜଗନ୍ମାତାଙ୍କୁ ପ୍ରଣାମ କଲେ । ପ୍ରଣାମ କରୁ କରୁ କହୁଛନ୍ତି, “ଭାଗବତ-ଭକ୍ତ-ଭଗବାନ; ଜ୍ଞାନୀ ଚରଣରେ ପ୍ରଣାମ, ଭକ୍ତ ଚରଣରେ ପ୍ରଣାମ ! ସାକାରବାଦୀ ଭକ୍ତ ଚରଣରେ, ନିରାକାରବାଦୀ ଭକ୍ତ ଚରଣରେ ପ୍ରଣାମ; ଆଗର ବ୍ରହ୍ମଜ୍ଞାନୀମାନଙ୍କ ଚରଣରେ ପ୍ରଣାମ, ବ୍ରାହ୍ମସମାଜର ଇଦାନୀଂ ବ୍ରହ୍ମଜ୍ଞାନୀମାନଙ୍କ ଚରଣରେ ପ୍ରଣାମ ।”

ବେଣୀମାଧବ ନାନାବିଧ ଉପାଦେୟ ଖାଦ୍ୟ ଆୟୋଜନ କରିଥିଲେ ଓ ସମବେତ ସମସ୍ତ ଭକ୍ତଙ୍କୁ ପରିତୋଷ କରି ଖୁଆଇଲେ । ଶ୍ରୀରାମକୃଷ୍ଣ ମଧ୍ୟ ଭକ୍ତମାନଙ୍କ ସଙ୍ଗରେ ବସି ଆନନ୍ଦ କରୁ କରୁ ପ୍ରସାଦ ଗ୍ରହଣ କଲେ ।

ଦଶମ ପରିଚ୍ଛେଦ – ସର୍କସ ରଙ୍ଗାଳୟରେ

(୧)
ସର୍କସ ରଙ୍ଗାଳୟରେ – ଗୃହସ୍ଥର ଓ ଅନ୍ୟାନ୍ୟ କର୍ମୀମାନଙ୍କର କଠିନ ସମସ୍ୟା ଓ ଶ୍ରୀରାମକୃଷ୍ଣ

ଶ୍ୟାମପୁକୁରରେ ବିଦ୍ୟାସାଗରଙ୍କ ସ୍କୁଲ ଦ୍ୱାରରେ ଶ୍ରୀରାମକୃଷ୍ଣ ଗାଡ଼ି କରି ଆସି ଉପସ୍ଥିତ । ସମୟ ୩ଟା ହେବ । ଗାଡ଼ିରେ ମାଷ୍ଟରଙ୍କୁ ଉଠାଇ ନେଲେ । ରାଖାଲ ଓ ଆଉ ଜଣେ ଦୁଇଜଣ ଭକ୍ତ ଗାଡ଼ିରେ ଅଛନ୍ତି । ଆଜି ବୁଧବାର, ୧୫ ନଭେମ୍ବର ୧୮୮୨, ୩୦ କାର୍ତ୍ତିକ ଶୁକ୍ଳା ପଞ୍ଚମୀ । ଗାଡ଼ି କ୍ରମେ ଚିତ୍‌ପୁର ରାସ୍ତାବାଟେ ‘ଗଡେର ମାଠ’ ଆଡ଼କୁ ଯାଉଛି ।

ଶ୍ରୀରାମକୃଷ୍ଣ ଆନନ୍ଦମୟ – ମାତାଲଙ୍କ ପରି ଗାଡ଼ିର ଥରେ ଏପଟେ ତ ଥରେ ସେପଟେ ମୁହଁ ବଢ଼ାଇ ବାଳକ ପରି ଦେଖିଛନ୍ତି । ଆଉ ପଥିକମାନଙ୍କ ସମ୍ବନ୍ଧରେ ଭକ୍ତଙ୍କୁ କହୁଛନ୍ତି । ମାଷ୍ଟରଙ୍କୁ କହୁଛନ୍ତି, “ଦେଖ, ସବୁ ଲୋକ ଦେଖୁଛି ନିମ୍ନଦୃଷ୍ଟି । ପେଟ ପାଇଁ ସବୁ ଯାଉଛନ୍ତି । ଈଶ୍ୱରଙ୍କ ପ୍ରତି ଦୃଷ୍ଟି ନାହିଁ ।”

ଶ୍ରୀରାମକୃଷ୍ଣ ଆଜି ‘ଗଡ଼େର ମାଠ’ରେ ଉଇଲ୍‌ସନଙ୍କର ସର୍କସ ଦେଖିବାକୁ ଯାଉଛନ୍ତି । ସେଠାରେ ପହଞ୍ଚି ଟିକଟ କିଣା ହେଲା । ଆଠ ଅଣାର ଅର୍ଥାତ୍‌ ଶେଷ ଶ୍ରେଣୀର ଟିକଟ । ଭକ୍ତମାନେ ଠାକୁରଙ୍କୁ ନେଇ ଉଚ୍ଚ ସ୍ଥାନରେ ଉଠି ଏକ ବେଞ୍ଚ ଉପରେ ବସିଲେ । ଠାକୁର ଆନନ୍ଦରେ କହୁଛନ୍ତି, “ବାଃ, ଏଠାରୁ ବେଶ୍‌ ଦେଖାଯାଏ !”

ରଙ୍ଗସ୍ଥଳରେ ନାନା ପ୍ରକାର ଖେଳ ବହୁ ସମୟ ଧରି ଦେଖାହେଲା । ଗୋଲାକାର ରାସ୍ତାରେ ଘୋଡ଼ା ଦୌଦ୍ଦୁଛି । ଘୋଡ଼ା ପିଠିରେ ଗୋଟିଏ ଗୋଡ଼ରେ ବିବି ଠିଆ ହୋଇଛି । ପୁଣି ମଝିରେ ମଝିରେ ବଡ଼ ବଡ଼ ଲୁହାର ରିଙ୍ଗ (ଚକ୍ର) ଅଛି । ରିଙ୍ଗ ପାଖକୁ ଆସି ଘୋଡ଼ା ଯେତେବେଳେ ରିଙ୍ଗ୍‌ ତଳେ ଦୌଡ଼ୁଛି ବିବି ଘୋଡ଼ା ପିଠିରୁ ଡେଇଁ ରିଙ୍ଗ ଭିତର ଦେଇ ପୁନରାୟ ଘୋଡ଼ା ପିଠିରେ ଏକ ପାଦରେ ଠିଆ ହେଉଛି । ଘୋଡ଼ା ବାରମ୍ବାର ସାଇଁ ସାଇଁ କରି ଏହି ଗୋଲାକାର ପଥରେ ଦୌଡ଼ିଲା, ବିବି ମଧ୍ୟ ପୁଣି ସେହିପରି ତା’ ପିଠିରେ ଠିଆ ହେଲା ।

ସର୍କସ ଖେଳ ଶେଷ ହେଲା । ଠାକୁର ଭକ୍ତଙ୍କ ସହ ଓହ୍ଲାଇ ଆସି ପଡ଼ିଆରେ ଥିବା ଗାଡ଼ି ପାଖକୁ ଆସିଲେ । ଶୀତ ପଡ଼ିଛି । ଦେହରେ ସବୁଜ ଶାଲ ପକାଇ ପଡ଼ିଆରେ ଠିଆ ହୋଇ କଥା କହୁଛନ୍ତି, ପାଖରେ ଭକ୍ତମାନେ ଠିଆ ହୋଇଛନ୍ତି । ଜଣେ ଭକ୍ତର ହାତରେ ବଟୁଆଟି ଅଛି । ସେଥିରେ ମସଲା, ବିଶେଷତଃ କବାବଚିନି ଅଛି ।

ଆଗେ ସାଧନ, ତା’ପରେ ସଂସାର – ଅଭ୍ୟାସଯୋଗ

ଶ୍ରୀରାମକୃଷ୍ଣ ମାଷ୍ଟରଙ୍କୁ କହୁଛନ୍ତି, “ଦେଖିଲ ! ବିବି କିପରି ଗୋଟିଏ ଗୋଡ଼ରେ ଘୋଡ଼ା ଉପରେ ଠିଆ ହୋଇଛି, ଆଉ ଘୋଡ଼ା ସାଇଁ ସାଇଁ ଦୌଡୁଛି ! କେତେ କଷ୍ଟ ! ବହୁଦିନ ଧରି ଅଭ୍ୟାସ କରିଛି, ତେବେ ତ ହୋଇଛି । ଟିକିଏ ଅସାବଧାନ ହେଲେ ହାତ, ଗୋଡ଼ ଭାଙ୍ଗିଯିବ; ପୁଣି ମୃତ୍ୟୁ ମଧ୍ୟ ହୋଇପାରେ । ସଂସାର କରିବା ଏହିପରି କଠିନ । ଅନେକ ସାଧନଭଜନ କଲେ ଈଶ୍ୱରଙ୍କ କୃପାରୁ କେହି କେହି ପାରନ୍ତି । ଅଧୁକାଂଶ ଲୋକ ପାରନ୍ତି ନାହିଁ । ସଂସାର କରିବାକୁ ଯାଇ ଆହୁରି ବଦ୍ଧ ହୋଇଯାଆନ୍ତି, ଆହୁରି ବୁଡ଼ିଯାଆନ୍ତି, ମୃତ୍ୟୁଯନ୍ତ୍ରଣା ହୁଏ । କେହି କେହି ଯେପରି ଜନକାଦି, ବହୁ ତପସ୍ୟାବଳରେ ସଂସାର କରିଥିଲେ । ତେଣୁ ସାଧନ-ଭଜନ ଖୁବ୍‌ ଦରକାର, ତାହା ନ ହେଲେ ସଂସାରରେ ଠିକ୍‌ ରହି ହୁଏ ନାହିଁ ।”

ବଳରାମ-ମନ୍ଦିରରେ ଶ୍ରୀରାମକୃଷ୍ଣ

ଶ୍ରୀରାମକୃଷ୍ଣ ଗାଡ଼ିରେ ଉଠିଲେ । ଗାଡ଼ି ବାଗ୍‌ବଜାରର ବସୁପଡ଼ାରେ ବଳରାମଙ୍କ ଘରର ଦ୍ଵାରଦେଶରେ ଉପସ୍ଥିତ ହେଲା । ଠାକୁର ଭକ୍ତଙ୍କ ସହିତ ଦୋତାଲାର ବୈଠକଖାନାରେ ଯାଇ ବସିଲେ । ସନ୍ଧ୍ୟାବତୀ ଜଳା ହୋଇଛି । ଠାକୁର ସର୍କସ କଥା କହୁଛନ୍ତି । ବହୁଭକ୍ତ ସମବେତ ହୋଇଛନ୍ତି । ସେମାନଙ୍କ ସହିତ ଈଶ୍ୱରୀୟ କଥା କହୁଛନ୍ତି । ମୁଖରେ ଅନ୍ୟ କଥା କିଛି ନାହିଁ, କେବଳ ଈଶ୍ୱରଙ୍କ କଥା ।

ଜାତିପ୍ରଥା –  ଅସ୍ପୃଶ୍ୟତା ସମସ୍ୟାର ସମାଧାନ

ଜାତିଭେଦ ସମ୍ବନ୍ଧରେ କଥା ପଡ଼ିଲା । ଠାକୁର କହିଲେ, “ଗୋଟିଏ ଉପାୟରେ ଜାତିଭେଦ ଉଠିଯାଇପାରେ । ତାହା ହେଲା ଭକ୍ତି । ଭକ୍ତର ଜାତି ନାହିଁ । ଭକ୍ତି ହେଲେ ଦେହ, ମନ, ପ୍ରାଣ ସବୁ ଶୁଦ୍ଧ ହୁଏ । ଗୌର ନିତାଇ ହରିନାମ ଦେବାକୁ ଲାଗିଲେ ଏବଂ ଆଚଣ୍ଡାଳକୁ କୋଳ କଲେ । ଭକ୍ତି ନ ଥିଲେ ବ୍ରାହ୍ମଣ ବ୍ରାହ୍ମଣ ନୁହେଁ । ଭକ୍ତି ଥିଲେ ଚଣ୍ଡାଳ ଚଣ୍ଡାଳ ନୁହେଁ । ଭକ୍ତି ଥିଲେ ଅସ୍ପୃଶ୍ୟ ମଧ୍ୟ ଶୁଦ୍ଧ ପବିତ୍ର ହୁଏ ।”

ସଂସାରୀ – ବଦ୍ଧ ଜୀବ

ଶ୍ରୀରାମକୃଷ୍ଣ ସଂସାରୀ ବଦ୍ଧ ଜୀବର କଥା କହୁଛନ୍ତି – “ସେମାନେ ଯେପରି ଏଣ୍ଡିପୋକ, ମନେକଲେ କାଟି ବାହାରି ଆସିପାରନ୍ତି, କିନ୍ତୁ ବହୁ ଯତ୍ନରେ ଖୋସା ତିଆରି କରିଛନ୍ତି, ଛାଡ଼ି ଆସିପାରନ୍ତି ନାହିଁ, ସେଥିରେ ହିଁ ମୃତ୍ୟୁ ହୁଏ । ପୁଣି ଯେପରି ବଜା ଭିତରେ ମାଛ; ଯେଉଁ ବାଟ ଦେଇ ପଶିଛି, ସେହି ବାଟେ ବାହାରି ଆସିପାରେ: କିନ୍ତୁ ଜଳର ମଧୁର ଶବ୍ଦ ଆଉ ଅନ୍ୟ ମାଛଙ୍କ ସଙ୍ଗରେ ଖେଳ — ସେଥିରେ ଭୁଲି ରହେ, ବାହାରି ଆସିବାକୁ ଚେଷ୍ଟା କରେ ନାହିଁ । ପିଲାପିଲିଙ୍କର ଦରୋଟି କଥାବାର୍ତ୍ତା ଯେପରି ଜଳ-କଲ୍ଲୋଳର ମଧୁର ଶବ୍ଦ । ମାଛ ଅର୍ଥାତ୍‌ ଜୀବ, ପରିବାରବର୍ଗ । ତେବେ ଗୋଟିଏ ଦୁଇଟା ଦୌଡ଼ି ପଳାନ୍ତି, ସେମାନଙ୍କୁ ମୁକ୍ତ ଜୀବ କୁହାଯାଏ ।”

ଠାକୁର ଗାଉଛନ୍ତି –
“ଏମନି ମହାମାୟାର ମାୟା ରେଖେଛେ କି କୁହକ କରେ ।
ବ୍ରହ୍ମା ବିଷ୍ଣୁ ଅଚୈତନ୍ୟ ଜୀବେ କି ଜାନିତେ ପାରେ ॥
ବିଲ୍‌ କରେ ଘୂର୍ଣ୍ଣିପାତେ ମୀନ ପ୍ରବେଶ କରେ ତାତେ ।
ଯାତାୟାତେର ପଥ ଆଛେ, ତବୁ ମୀନ ପାଲାତେ ନାରେ ॥”

ଠାକୁର ପୁଣି କହୁଛନ୍ତି, “ଜୀବ ଯେପରି ଡାଲି, ଚକି ଭିତରେ ପଡ଼ିଛି, ପେଷି ହୋଇଯିବ । ତେବେ ଯେଉଁ କେତୋଟି ଡାଲି ଖୁଣ୍ଟି ପାଖରେ ଥାଏ, ସେଗୁଡ଼ିକ ପେଷି ହୋଇଯାଏ ନାହିଁ । ତେଣୁ ଖୁଣ୍ଟି ଅର୍ଥାତ୍‌ ଈଶ୍ୱରଙ୍କର ଶରଣାଗତ ହେବାକୁ ହୁଏ । ତାଙ୍କୁ ଡାକ, ତାଙ୍କର ନାମ ନିଅ, ତେବେ ମୁକ୍ତି । ତାହା ନ ହେଲେ କାଳରୂପ ଚକିରେ ପେଷି ହୋଇଯିବ ।”

ଠାକୁର ପୁଣି ଗାଉଛନ୍ତି –
“ପଡ଼ିୟେ ଭବସାଗରେ ଡ଼ୁବେ ମା ତନୁର ତରୀ ।
ମାୟା-ଝଡ଼ ମୋହତୁଫାନ କ୍ରମେ ବାଢ଼େ ଗୋ ଶଙ୍କରୀ ॥…”

ସ୍ତ୍ରୀ ଓ ସନ୍ତାନ ପ୍ରତି କର୍ତ୍ତବ୍ୟ

ବିଶ୍ୱାସ ବାବୁ ଅନେକ ସମୟ ବସିଥିଲେ, ବର୍ତ୍ତମାନ ଉଠିଗଲେ । ତାଙ୍କର ଅନେକ ଟଙ୍କା ଥିଲା; କିନ୍ତୁ ଚରିତ୍ର ମଳିନ ହେବାରୁ ସମସ୍ତ ଉଡ଼ିଯାଇଛି । ବର୍ତ୍ତମାନ ସ୍ତ୍ରୀ କନ୍ୟା ପ୍ରଭୃତି କାହାରିକୁ ଦେଖନ୍ତି ନାହିଁ । ବଳରାମ ତାଙ୍କ କଥା ପକାଇବାରୁ ଠାକୁର କହିଲେ, “ସେଇଟା ଲକ୍ଷ୍ମୀଛଡ଼ା ଦରିଦ୍ର । ଗୃହସ୍ଥର କର୍ତ୍ତବ୍ୟ ଅଛି, ଋଣ ଅଛି; ଦେବ-ଋଣ, ପିତୃ-ଋଣ, ରଷି-ଋଣ, ଆଉ ପରିବାର ପ୍ରତି ଋଣ । ସତୀ ସ୍ତ୍ରୀ ହେଲେ ତାହାକୁ ପ୍ରତିପାଳନ, ସନ୍ତାନମାନଙ୍କୁ ପ୍ରତିପାଳନ, ଯେପର୍ଯ୍ୟନ୍ତ ସେମାନେ ଯୋଗ୍ୟ ନ ହୁଅନ୍ତି ।

କେବଳ ସାଧୁ ସଞ୍ଚୟ କରନ୍ତି ନାହିଁ । ‘ପଞ୍ଛି (ପକ୍ଷୀ) ଔର୍‌ ଦରବେଶ୍‌’ ସଞ୍ଚୟ କରନ୍ତି ନାହିଁ; କିନ୍ତୁ ପକ୍ଷୀର ଛୁଆ ହେଲେ ସଞ୍ଚୟ କରେ । ଛୁଆ ପାଇଁ ମୁହଁରେ ଆହାର ନେଇ ଆସେ ।

ବଳରାମ – ବର୍ତ୍ତମାନ ବିଶ୍ୱାସଙ୍କର ସାଧୁସଙ୍ଗ କରିବାକୁ ଇଚ୍ଛା ।
ଶ୍ରୀରାମକୃଷ୍ଣ (ସହାସ୍ୟ) – ସାଧୁର କମଣ୍ଡଳୁ ଚାରିଧାମ ବୁଲିଆସେ, କିନ୍ତୁ ଯେଉଁ ପିତାକୁ ସେହି ପିତା ରହିଯାଏ । ମଳୟ ପବନ ଯେଉଁ ଗଛରେ ଲାଗେ ସବୁ ଚନ୍ଦନ ହୋଇଯାଏ । କିନ୍ତୁ ଶିମିଳୀ, ଅଶ୍ଵତ୍‌ଥ, ଆମ୍ବଡ଼ା, ଏଗୁଡ଼ିକ ଚନ୍ଦନ ହୁଏ ନାହିଁ । କେହି କେହି ସାଧୁସଙ୍ଗ କରନ୍ତି, ଗଞ୍ଜେଇ ଖାଇବା ପାଇଁ (ହାସ୍ୟ) । ସାଧୁମାନେ ତ ଗଞ୍ଜେଇ ଖାଆନ୍ତି, ତେଣୁ ସେମାନଙ୍କ ପାଖକୁ ଆସି ଗଞ୍ଜେଇ ସଜେଇ ଦିଅନ୍ତି, ଆଉ ପ୍ରସାଦ ପାଆନ୍ତି । (ସମସ୍ତଙ୍କର ହାସ୍ୟ)

(୨)
ଷଡ଼ଭୁଜ ଦର୍ଶନ ଓ ଶ୍ରୀରାଜମୋହନଙ୍କର ଘରକୁ ଶୁଭାଗମନ – ନରେନ୍ଦ୍ର ।

ଠାକୁର ଶ୍ରୀରାମକୃଷ୍ଣ ‘ଗଡ଼େର ମାଠ’ ରେ ଯେଉଁଦିନ ସର୍କସ ଦର୍ଶନ କଲେ; ତା’ପର ଦିନ ପୁଣି କଲିକତାକୁ ଶୁଭାଗମନ କରିଛନ୍ତି । ଗୁରୁବାର, ୧୬ ନଭେମ୍ବର ୧୮୮୨, କାର୍ତ୍ତିକ ଶୁକ୍ଳା ଷଷ୍ଠୀ ।  ଆସି ପ୍ରଥମେ ଗରାଣହାଟରେ (ଅଧୁନା ନିମତଲା ଷ୍ଟୀଟ୍‌) ଷଡ଼ଭୁଜ ମହାପ୍ରଭୁଙ୍କୁ ଦର୍ଶନ କଲେ । ବୈଷ୍ଣବ ସାଧୁମାନଙ୍କର ଆଖଡ଼ା, ମହନ୍ତ ଶ୍ରୀଗିରିଧାରୀ ଦାସ । ଷଡ଼ଭୁଜ ମହାପ୍ରଭୁଙ୍କର ସେବା ଅନେକ ଦିନରୁ ଚାଲିଆସିଛି, ଠାକୁର ଉପରଓଳି ଦର୍ଶନ କଲେ ।

ସନ୍ଧ୍ୟାର କିଛିକ୍ଷଣ ପରେ ଠାକୁର ସିମୁଳିଆ ନିବାସୀ ଶ୍ରୀଯୁକ୍ତ ରାଜମୋହନଙ୍କ ଘରେ ଗାଡ଼ି କରି ଆସି ଉପସ୍ଥିତ । ଠାକୁରେ ଶୁଣିଛନ୍ତି ଯେ, ଏଠାରେ ନରେନ୍ଦ୍ର ପ୍ରଭୃତି ଯୁବକମାନେ ମିଶି ବ୍ରାହ୍ମସମାଜର ଉପାସନା କରନ୍ତି । ତେଣୁ ଦେଖିବାକୁ ଆସିଛନ୍ତି । ମାଷ୍ଟର ଏବଂ ଆଉ ଜଣେ ଦୁଇ ଜଣ ଭକ୍ତ ମଧ୍ୟ ସଙ୍ଗରେ ଅଛନ୍ତି । ଶ୍ରୀଯୁକ୍ତ ରାଜମୋହନ ପୁରାତନ ବ୍ରାହ୍ମଭକ୍ତ ।

ବ୍ରାହ୍ମଭକ୍ତ ଓ ସର୍ବତ୍ୟାଗ ବା ସନ୍ନ୍ୟାସ

ଠାକୁରେ ନରେନ୍ଦ୍ରଙ୍କୁ ଦେଖି ଆନନ୍ଦିତ ହେଲେ । ଆଉ କହିଲେ, ‘ତୁମମାନଙ୍କର ଉପାସନା ଦେଖିବି ।’ ନରେନ୍ଦ୍ର ଗୀତ ଗାଇଲେ । ଶ୍ରୀଯୁକ୍ତ ପ୍ରିୟ ପ୍ରଭୃତି ଯୁବକମାନେ କେହି କେହି ଉପସ୍ଥିତ ଥିଲେ ।

ଏଥର ଉପାସନା ହେଉଅଛି । ପିଲାମାନଙ୍କ ମଧ୍ୟରୁ ଜଣେ ଉପାସନା କରୁଛନ୍ତି । ସେ ପ୍ରାର୍ଥନା କରୁଛନ୍ତି – ପ୍ରଭୁ, ଯେପରି ସବୁ ଛାଡ଼ି ତୁମଠାରେ ମଗ୍ନ ହୁଏ ! ଠାକୁର ଶ୍ରୀରାମକୃଷ୍ଣଙ୍କୁ ଦେଖି ବୋଧହୁଏ ତାଙ୍କର ଉଦ୍ଦୀପନ ହୋଇଛି, ତେଣୁ ସର୍ବତ୍ୟାଗର କଥା କହୁଛନ୍ତି । ଠାକୁରଙ୍କର ଖୁବ୍‌ ପାଖରେ ମାଷ୍ଟର ବସିଥିଲେ; କେବଳ ସେ ଶୁଣିବାକୁ ପାଇଲେ – ଠାକୁରେ ଅତି ମୃଦୁସ୍ଵରରେ କହୁଛନ୍ତି, “ତା’ ଆଉ ହେଉଛି !”

ଶ୍ରୀଯୁକ୍ତ ରାଜମୋହନ ଠାକୁରଙ୍କୁ ଜଳଖିଆ ଦେବା ପାଇଁ ଘର ଭିତରକୁ ନେଇଯାଉଛନ୍ତି ।

(୩)
ଶ୍ରୀଯୁକ୍ତ ମନମୋହନ ଓ ଶ୍ରୀଯୁକ୍ତ ସୁରେନ୍ଦ୍ରଙ୍କ ଘରେ ଶ୍ରୀରାମକୃଷ୍ଣ

ତା’ପର ରବିବାର ଦିନ ଓ ଜଗଦ୍ଧାତ୍ରୀ ପୂଜା ପାଇଁ ସୁରେନ୍ଦ୍ର ନିମନ୍ତ୍ରଣ କରିଛନ୍ତି । ସେ କେବଳ ଘର ବାହାର ହେଉଛନ୍ତି – କେତେବେଳେ ଠାକୁର ଆସିବେ । ମାଷ୍ଟରଙ୍କୁ ଦେଖି ସେ କହୁଛନ୍ତି, “ତୁମେ ଆସିଛ, ଆଉ ସେ କେଉଁଠି ?” ଏପରି ସମୟରେ ଠାକୁରଙ୍କ ଗାଡ଼ି ଆସି ପହଞ୍ଚିଲା । ପାଖରେ ଶ୍ରୀଯୁକ୍ତ ମନମୋହନଙ୍କର ଘର, ଠାକୁର ପ୍ରଥମେ ସେଠାରେ ଓହ୍ଲାଇଲେ; ସେଠାରେ ଟିକିଏ ବିଶ୍ରାମ କରି ସୁରେନ୍ଦ୍ରଙ୍କ ଘରକୁ ଆସିବେ ।

ମନମୋହନଙ୍କର ବୈଠକଖାନାରେ ଠାକୁର କହୁଛନ୍ତି, “ଯେ ଅକିଞ୍ଚନ, ଯେ ଦୀନ, ତାହାର ଭକ୍ତି ଈଶ୍ୱରଙ୍କର ଅତି ପ୍ରିୟ ଜିନିଷ – ପିଡ଼ିଆ ମିଶା ଦାନା ଯେପରି ଗୋରୁର ପ୍ରିୟ । ଦୁର୍ଯ୍ୟୋଧନ ଏତେ ଟଙ୍କା ଏତେ ଐଶ୍ୱର୍ଯ୍ୟ ଦେଖାଇଲା, କିନ୍ତୁ ତା’ଘରକୁ ପ୍ରଭୁ ଗଲେ ନାହିଁ; ବିଦୂରଙ୍କ ଘରକୁ ଗଲେ । ସେ ଭକ୍ତବତ୍ସଳ; ବାଛୁରୀ ପଛରେ ଯେପରି ଗାଈ ଧାଏଁ, ସେହିପରି ସେ ଭକ୍ତର ପଛେ ପଛେ ଯାଆନ୍ତି ।”

ଠାକୁର ଗୀତ ଗାଉଛନ୍ତି –
“ସେ ଭାବ ଲାଗି ପରମ ଯୋଗୀ, ଯୋଗ କରେ ଯୁଗଯୁଗାନ୍ତରେ ।
ହେଲେ ଭାବର ଉଦୟ ସେ ଯେପରି ଲୁହାକୁ ଚୁମ୍ବକ ଧରେ ।”

ଚୈତନ୍ୟଦେବଙ୍କର କୃଷ୍ଣ-ନାମରେ ଅଶ୍ରୁ ପଡ଼ୁଥିଲା । ଈଶ୍ୱର ହିଁ ବସ୍ତୁ; ଆଉ ସବୁ ଅବସ୍ତୁ । ମନୁଷ୍ୟ ମନେ କଲେ ଈଶ୍ୱରଲାଭ କରିପାରେ, କିନ୍ତୁ କାମିନୀ କାଞ୍ଚନ ଭୋଗ କରିବାରେ ହିଁ ମତ୍ତ । ମୁଣ୍ଡରେ ମଣି ରହିଛି, ତଥାପି ସାପ ବେଙ୍ଗ ଖାଇ ମରେ ।

ଭକ୍ତି ହିଁ ସାର ! ବିଚାର କରି ଈଶ୍ୱରଙ୍କୁ କିଏ ଜାଣିପାରିବ । ମୋର ଭକ୍ତି ଦରକାର । ତାଙ୍କର ଅନନ୍ତ ଐଶ୍ୱର୍ଯ୍ୟ – ଏତେ କଥା ଜାଣିବା ମୋର କ’ଣ ଦରକାର ? ଗୋଟିଏ ବୋତଲ ମଦରେ ଯଦି ମାତାଲ ହୁଏ, ଶୁଣ୍ଡୀ ଦୋକାନରେ କେତେ ମହଣ ମଦ ଅଛି ସେ ଖବରରେ ମୋର କ’ଣ ଦରକାର ! ଢାଳେ ପାଣିରେ ମୋର ଶୋଷ ମରିପାରେ, ପୃଥିବୀରେ କେତେ ପାଣି ଅଛି ସେ ଖବରରେ ମୋର ପ୍ରୟୋଜନ ନାହିଁ ।

ସୁରେନ୍ଦ୍ରଙ୍କର ବଡ଼ ଭାଇ ଓ ବିଚାରପତି ପଦ – ଜାତିଭେଦ ସମସ୍ୟା

ଶ୍ରୀରାମକୃଷ୍ଣ ଏଥର ସୁରେନ୍ଦ୍ରଙ୍କ ଘରକୁ ଆସିଛନ୍ତି । ଆସି ଦୋତାଲାର ବୈଠକଖାନାରେ ବସିଛନ୍ତି । ସୁରେନ୍ଦ୍ରଙ୍କର ମଝିଆଁ ଭାଇ ବିଚାରପତି, ସେ ମଧ୍ୟ ଉପସ୍ଥିତ ଥିଲେ । ଅନେକ ଭକ୍ତ ଘରେ ସମବେତ ହୋଇଛନ୍ତି । ଠାକୁର ସୁରେନ୍ଦ୍ରଙ୍କ ବଡ଼ ଭାଇଙ୍କୁ କହୁଛନ୍ତି, “ଆପଣ ଜଜ୍‌, ଏ ବେଶ୍‌, ଜାଣିବେ ଯେ ସବୁ ହିଁ ଈଶ୍ୱରଙ୍କର ଶକ୍ତି । ବଡ଼ ପଦ ସେ ହିଁ ଦେଇଛନ୍ତି, ତେଣୁ ମିଳିଛି । ଲୋକେ ମନେକରନ୍ତି, ଆମେମାନେ ବଡ଼ ଲୋକ । ଛାତର ପାଣି ସିଂହର ମୁହଁଲଗା ନଳଦେଇ ପଡ଼େ, ମନେହୁଏ ସିଂହ ତା’ ମୁହଁ ଭିତରୁ ପାଣି ବାହାର କରୁଛି; କିନ୍ତୁ ଦେଖ – କେଉଁଠାରେ ପାଣି, କେଉଁଠାରେ ଆକାଶରେ ମେଘ ହୁଏ, ସେହି ପାଣି ଛାତରେ ପଡ଼ୁଛି, ତାହାପରେ ଗଡ଼ି ନଳକୁ ଯାଉଛି, ତା’ପରେ ସିଂହ-ମୁହଁବାଟେ ବାହାରୁଛି !

ସୁରେନ୍ଦ୍ରଙ୍କ ଭ୍ରାତା – “ମହାଶୟ, ବ୍ରାହ୍ମସମାଜରେ କହନ୍ତି ସ୍ତ୍ରୀ-ସ୍ଵାଧୀନତା ଆଣ, ଜାତି ଭେଦ ଉଠାଇ ଦିଅ – ଏସବୁ ଆପଣଙ୍କର କ’ଣ ମନେହୁଏ ?
ଶ୍ରୀରାମକୃଷ୍ଣ – ଈଶ୍ୱରଙ୍କ ଉପରେ ନୂଆ ନୂଆ ଅନୁରାଗ ହେଲେ ଏହି ପ୍ରକାର ହୁଏ । ଝଡ଼ ହେଲେ ଧୂଳି ଉଡ଼େ, କେଉଁଟା ଆମ୍ବଡ଼ା ଆଉ କେଉଁଟା ତେନ୍ତୁଳି ଗଛ, କେଉଁଟା ଆମ୍ବଗଛ ଜଣାପଡ଼େ ନାହିଁ । ଝଡ଼ କମିଗଲେ ବୁଝାଯାଏ । ନବାନୁରାଗର ଝଡ଼ କଟିଗଲେ କ୍ରମେ ବୁଝାଯାଏ ଯେ ଈଶ୍ୱର ହିଁ ଶ୍ରେୟଃ ନିତ୍ୟ ପଦାର୍ଥ, ଆଉସବୁ ଅନିତ୍ୟ । ସାଧୁସଙ୍ଗ, ତପସ୍ୟା ନ କଲେ ଏସବୁ ଧାରଣା ହୁଏ ନାହିଁ । ପଖୋଜର ତାଳ ମୁହଁରେ କହିଲେ କଅଣ ହେବ, ହାତରେ ବଜାଇବା ବଡ଼ କଷ୍ଟ । କେବଳ ଲେକ୍‌ଚର୍‌ ଦେଲେ କଅଣ ହେବ ? ତପସ୍ୟା ଦରକାର, ତେବେ ଧାରଣା ହେବ ।

ଜାତିଭେଦ ? କେବଳ ଗୋଟିଏ ଉପାୟରେ ଜାତିଭେଦ ଉଠିଯାଇପାରେ । ସେହିଟି ଭକ୍ତି । ଭକ୍ତର ଜାତି ନାହିଁ । ଭକ୍ତିରେ ଅସ୍ପୃଶ୍ୟ ଜାତି ଶୁଦ୍ଧ ହୋଇଯାଏ । ଚଣ୍ଡାଳ ଭକ୍ତ ହେଲେ ଆଉ ଚଣ୍ଡାଳ ରହେ ନାହିଁ । ଚୈତନ୍ୟଦେବ ଆଚଣ୍ଡାଳକୁ କୋଳ ଦେଇଥିଲେ !

ବ୍ରହ୍ମଜ୍ଞାନୀମାନେ ହରିନାମ କରନ୍ତି, ଖୁବ୍‌ ଭଲ । ବ୍ୟାକୁଳ ହୋଇ ଡାକିଲେ ତାଙ୍କର କୃପା ହେବ, ଈଶ୍ୱରଲାଭ ହେବ ।

ସବୁ ପଥଦେଇ ତାଙ୍କୁ ଲାଭ କରାଯାଏ । ଏକ ଈଶ୍ୱରଙ୍କୁ ନାନା ନାମରେ ଡାକନ୍ତି । ଯେପରି ଗୋଟିଏ ଘାଟରେ ହିନ୍ଦୁମାନେ ପାଣି ପିଅନ୍ତି, କହନ୍ତି ‘ଜଳ’; ଅନ୍ୟ ଗୋଟିଏ ଘାଟରେ ଖ୍ରୀଷ୍ଟିଆନମାନେ ପିଅନ୍ତି, କହନ୍ତି, ‘ୱାଟର'(Water); ଆଉ ଗୋଟିଏ ଘାଟରେ ମୁସଲମାନମାନେ ପିଅନ୍ତି, କହନ୍ତି ‘ପାନି’ ।

ସୁରେନ୍ଦ୍ରଙ୍କ ଭ୍ରାତା – ମହାଶୟ, ଥିଓସଫି କିପରି ବୋଧ ହୁଏ ?
ଶ୍ରୀରାମକୃଷ୍ଣ – ଶୁଣିଛି ସେଥିରେ କୁଆଡ଼େ ଅଲୌକିକ ଶକ୍ତି (miracles) ହୁଏ । ଦେବ ମୋଡ଼ଲର ଘରେ ଦେଖିଥିଲି ଜଣେ ପିଶାଚସିଦ୍ଧ । ପିଶାଚ କେତେ କ’ଣ ଜିନିଷ ଆଣି ଦିଏ । ଅଲୌକିକ ଶକ୍ତି ନେଇ କଅଣ କରିବି ? ତାହାଦ୍ଵାରା କ’ଣ ଈଶ୍ୱରଲାଭ ହୁଏ ? ଈଶ୍ୱର-ଲାଭ ଯଦି ନ ହେଲା, ତେବେ ସବୁ ହିଁ ମିଥ୍ୟା ।

(୪)
ମଣି ମଲ୍ଲିକଙ୍କ ବ୍ରାହ୍ମୋତ୍ସବରେ ଠାକୁର ଶ୍ରୀରାମକୃଷ୍ଣ

ଠାକୁରେ ଶ୍ରୀରାମକୃଷ୍ଣ କଲିକତାରେ ଶ୍ରୀଯୁକ୍ତ ମଣିଲାଲ ମଲ୍ଲିକଙ୍କର ସିନ୍ଦୁରୀୟାପଟୀର ଘରକୁ ଭକ୍ତଙ୍କ ସହିତ ଶୁଭାଗମନ କରିଥିଲେ । ସେଠାରେ ବ୍ରାହ୍ମସମାଜର ପ୍ରତିବର୍ଷ ଉତ୍ସବ ହୁଏ । ଉପରଓଳି, ସମୟ ଚାରିଟା ହେବ । ଏଠାରେ ଆଜି ବ୍ରାହ୍ମସମାଜର ସାମ୍ବତ୍ସରିକ ଉତ୍ସବ । ୨୬ ନଭେମ୍ବର ୧୮୮୨ । ଶ୍ରୀଯୁକ୍ତ ବିଜୟକୃଷ୍ଣ ଗୋସ୍ଵାମୀ ଓ ଅନେକ ବ୍ରାହ୍ମଭକ୍ତ ଏବଂ ଶ୍ରୀ ପ୍ରେମଚାନ୍ଦ ବଡ଼ାଳ ଓ ଗୃହସ୍ଵାମୀଙ୍କର ଅନ୍ୟାନ୍ୟ ବନ୍ଧୁ ଗଣ ଆସିଛନ୍ତି । ମାଷ୍ଟର ପ୍ରଭୃତି ସଙ୍ଗରେ ଅଛନ୍ତି ।

ଶ୍ରୀଯୁକ୍ତ ମଣିଲାଲ ଭକ୍ତମାନଙ୍କର ସେବା ପାଇଁ ବହୁତ କିଛି ଆୟୋଜନ କରିଛନ୍ତି । ପ୍ରହ୍ଲାଦ-ଚରିତ ଆଲୋଚନା ହେବ । ତତ୍ପରେ ବ୍ରାହ୍ମ-ସମାଜର ଉପାସନା ହେବ । ଅବଶେଷରେ ଭକ୍ତଗଣ ପ୍ରସାଦ ପାଇବେ ।

ଶ୍ରୀଯୁକ୍ତ ବିଜୟ ବର୍ତ୍ତମାନ ମଧ୍ୟ ବ୍ରାହ୍ମସମାଜଭୁକ୍ତ ଅଛନ୍ତି । ସେ ଆଜିର ଉପାସନା କରିବେ । ସେ ବର୍ତ୍ତମାନ ମଧ୍ୟ ଗୈରିକବସ୍ତ୍ର ଧାରଣ କରିନାହାଁନ୍ତି ।

କଥକ ମହାଶୟ ପ୍ରହ୍ଲାଦଚରିତ କଥା କହୁଛନ୍ତି । ପିତା ହିରଣ୍ୟକଶିପୁ ହରିଙ୍କର ନିନ୍ଦା କରୁଛନ୍ତି ଓ ପୁତ୍ର ପ୍ରହ୍ଲାଦକୁ ବାରମ୍ବାର ନିର୍ଯାତନା ଦେଉଛନ୍ତି । ପ୍ରହ୍ଲାଦ କରଯୋଡ଼ି ହରିଙ୍କୁ ପ୍ରାର୍ଥନା କରୁଛନ୍ତି ଏବଂ କହୁଛନ୍ତି, ‘ହେ ହରି, ପିତାଙ୍କୁ ସୁମତି ଦିଅ ।’ ଠାକୁର ଶ୍ରୀରାମକୃଷ୍ଣ ଏହି କଥା ଶୁଣି କାନ୍ଦୁଛନ୍ତି । ଶ୍ରୀଯୁକ୍ତ ବିଜୟ ପ୍ରଭୃତି ଭକ୍ତମାନେ ଠାକୁରଙ୍କ ପାଖରେ ବସିଛନ୍ତି । ଠାକୁରଙ୍କର ଭାବାବସ୍ଥା ହୋଇଛି ।

(ଶ୍ରୀ ବିଜୟ ଗୋସ୍ଵାମୀ ପ୍ରଭୃତି ବ୍ରାହ୍ମଭକ୍ତମାନଙ୍କୁ ଉପଦେଶ)
ଈଶ୍ୱର-ଦର୍ଶନ ଓ ଆଦେଶପ୍ରାପ୍ତି – ତେବେ ଲୋକଶିକ୍ଷା

କିଛି ସମୟ ପରେ ବିଜୟାଦି ଭକ୍ତମାନଙ୍କୁ କହୁଛନ୍ତି, “ଭକ୍ତି ହିଁ ସାର । ସର୍ବଦା ତାଙ୍କର ନାମ ଗୁଣ କୀର୍ତ୍ତନ କରୁ କରୁ ଭକ୍ତିଲାଭ ହୁଏ । ଆହା ! ଶିବନାଥର କି ଭକ୍ତି । ଯେପରି ରସରେ ପଡ଼ିଥିବା ଛେନାବରା !”

ଏ ପ୍ରକାର ମନେକରିବା ଭଲ ନୁହେଁ ଯେ – ମୋର ଧର୍ମ ହିଁ ଠିକ୍‌, ଆଉ ଅନ୍ୟ ସମସ୍ତଙ୍କର ଧର୍ମ ଭୁଲ । ସବୁପଥ ଦେଇ ତାଙ୍କୁ ଲାଭ କରାଯାଏ । ଆନ୍ତରିକ ବ୍ୟାକୁଳତା ଥିଲେ ହେଲା । ଅନନ୍ତ ପଥ – ଅନନ୍ତ ମତ ।

ଦେଖ ! ଈଶ୍ୱରଙ୍କୁ ଦେଖାଯାଏ । ‘ଅବାଙ୍‌ମନସଗୋଚର’ ବୋଲି ବେଦରେ କହିଛି । ଏହାର ମାନେ ବିଷୟାସକ୍ତ ମନର ଅଗୋଚର । ବୈଷ୍ଣବଚରଣ କହେ – ଶୁଦ୍ଧ ମନ ଶୁଦ୍ଧ ବୁଦ୍ଧିର ଗୋଚର । ସେଥିପାଇଁ ସାଧୁସଙ୍ଗ, ପ୍ରାର୍ଥନା, ଗୁରୁଙ୍କର ଉପଦେଶ ଏହିସବୁ ଦରକାର, ତେବେ ଚିତ୍ତ ଶୁଦ୍ଧ ହୁଏ; ସେତେବେଳେ ତାଙ୍କର ଦର୍ଶନ ହୁଏ । ଗୋଳିଆ ପାଣିରେ ଫିଟିକିରି ପକାଇଲେ ପରିଷ୍କାର ହୁଏ । ସେତେବେଳେ ମୁହଁ ଦେଖାଯାଏ । ମଇଳା ଦର୍ପଣରେ ମୁହଁ ଦେଖାଯାଏ ନାହିଁ ।

ଚିତ୍ତଶୁଦ୍ଧି ପରେ ଭକ୍ତିଲାଭ ହେଲେ, ତେବେ ତାଙ୍କ କୃପାରୁ ତାଙ୍କର ଦର୍ଶନ ମିଳେ । ଦର୍ଶନ ପରେ ଆଦେଶ ପାଇଲେ ତେବେ ଲୋକଶିକ୍ଷା ଦିଆଯାଏ । ଆଗରୁ ଲେକ୍‌ଚର୍‌ ଦେବା ଭଲ ନୁହେଁ । ଗୋଟିଏ ଗୀତରେ ଅଛି –

ଭାବଛୋ କି ମନ ଏକଲା ବସେ,
ଅନୁରାଗ ବିନେ କି ଚାନ୍ଦ ଗୌର ମିଲେ !
ମନ୍ଦିରେ ତୋର ନାଇକୋ ମାଧବ
ପୋଦୋ ଶାଁକ ଫୁଁକେ ତୁଇ କରଲି ଗୋଲ ।
ତାୟ ଚାମିଚିକେ ଏଗାରଜନା, ଦିବା ନିଶି ଦିଛେ ଥାନା ।…

ହୃଦୟ-ମନ୍ଦିରର ଆଗେ ପରିଷ୍କାର କରିବାକୁ ହୁଏ, ଦେବ ପ୍ରତିମା ଆଣିବାକୁ ହୁଏ, ପୂଜାର ଆୟୋଜନ କରିବାକୁ ହୁଏ, କୌଣସି ଆୟୋଜନ ନାହିଁ, ଭୋଁ ଭୋଁ କରି ଶଙ୍ଖ ଫୁଙ୍କିଲେ କଅଣ ହେବ ?

ଏଥର ଶ୍ରୀଯୁକ୍ତ ବିଜୟ ଗୋସ୍ଵାମୀ ବେଦୀରେ ବସି ବ୍ରାହ୍ମସମାଜର ପଦ୍ଧତି ଅନୁସାରେ ଉପାସନା କରୁଛନ୍ତି । ଉପାସନାନ୍ତେ ସେ ଠାକୁରଙ୍କ ପାଖରେ ଆସି ବସିଲେ ।

ଶ୍ରୀରାମକୃଷ୍ଣ (ବିଜୟଙ୍କ ସତି) – ଆଚ୍ଛା, ତୁମେମାନେ ଏତେ ପାପ ପାପ କହିଲ କାହିଁକି ? ଶହେ ଥର ‘ମୁଁ ପାପୀ’ କହିଲେ ତାହା ହିଁ ହୋଇଯାଏ । ଏପରି ବିଶ୍ୱାସ ହେବା ଦରକାର ଯେ – ତାଙ୍କ ନାମ ନେଇଛି, ମୋର ପୁଣି ପାପ କଅଣ ? ସେ ଆମମାନଙ୍କର ବାପ ମା – ତାଙ୍କୁ କହ ଯେ, ପାପ କରିଛି, ଆଉ କେବେ ହେଲେ କରିବି ନାହିଁ । ଆଉ ତାଙ୍କର ନାମ କର, ତାଙ୍କ ନାମରେ ସମସ୍ତ ଦେହ ମନ ପବିତ୍ର କର — ଜିହ୍ୱାକୁ ପବିତ୍ର କର ।

Download in PDF Format –

Life History of Sri Ramakrishna

Conclusion

For any download issue, please drop a message in comment box.

Leave a comment